ଆଉ ଦିନକ ପରେ ଭାରତର 'ଚନ୍ଦ୍ରୟାନ' ମୁହୂର୍ତ୍ତ । କାଉଣ୍ଟଡାଉନ ଯେତେ ସରି ସରି ଆସୁଛି, ସେତିକି ବଢ଼ୁଛି ହୃଦସ୍ପନ୍ଦନ । ଏପଟେ ଇସ୍ରୋ ବୈଜ୍ଞାନିକମାନେ ଚନ୍ଦ୍ରୟାନ- 3 ର ଲ୍ୟାଣ୍ଡର ଉପରେ ୨୪ ଘଣ୍ଟିଆ ନଜର ରଖିଥିବା ବେଳେ, ସେପଟେ ଜହ୍ନ ରାଇଜରେ ଲ୍ୟାଣ୍ଡରକୁ ମିଳିଯାଇଛି ନୂଆ ବନ୍ଧୁ । ତାହା ହେଉଛି ୨୦୧୯ରେ ସେଠାକୁ ଯାଇଥିବା ଚନ୍ଦ୍ରୟାନ-2' ର ଅର୍ବିଟର । ଏସବୁ ଭିତରେ ଲ୍ୟାଣ୍ଡରରେ ଲାଗିଥିବା ଏକ ସ୍ୱତନ୍ତ୍ର କ୍ୟାମେରା କଏଦ କରିଛି ଚନ୍ଦ୍ରପୃଷ୍ଠର କିଛି ଅଦେଖା ଅଞ୍ଚଳର ଆକର୍ଷଣୀୟ ଚିତ୍ର ।
ଉତ୍ସାହ..ଉତ୍କଣ୍ଠା..ଉତ୍ସୁକତା..ସାରା ଦେଶର ଅପେକ୍ଷା ବୁଧବାର ସନ୍ଧ୍ୟା ୬ଟା ୪ ବେଳର ଚନ୍ଦ୍ରୟାନ ମୁହୂର୍ତ୍ତକୁ । ତେଣେ ଜହ୍ନ ରାଇଜରେ ବି ଦକ୍ଷିଣ ମେରୁ ବିଜୟ ପାଇଁ ପାଗ ଭିଡ଼ି ସାରିଲାଣି ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ । ଆଜି ତାକୁ 'ୱେଲକମ୍ ବଡି' ବା 'ସ୍ୱାଗତ ବନ୍ଧୁ' ବୋଲି ସମ୍ବୋଧନ କରି ପ୍ରଥମ ଥର ପାଇଁ ସିଗନାଲ ଦେଇଛି ଚନ୍ଦ୍ରୟାନ-୨ର ଅର୍ବିଟର୍ ।
ଦୀର୍ଘ ୪ ବର୍ଷ ହେଲା ଚନ୍ଦ୍ର ଚାରିପଟେ ବୁଲୁଥିବା ଚନ୍ଦ୍ରୟାନ-୨ର ଅର୍ବିଟର୍ ଏବଂ ଏବେ ଯାଇଥିବା ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ମଧ୍ୟରେ ଦୁଇପାଖିଆ ଯୋଗାଯୋଗ ସ୍ଥାପନ ହୋଇଛି । ଲ୍ୟାଣ୍ଡର ମଡ୍ୟୁଲ ସହ ସଂପର୍କ ରକ୍ଷା ଲାଗି ମିଶନ୍ ଅପରେସନ୍ କଂପ୍ଲେକ୍ସ ବା 'ମକ୍ସ' ପାଖରେ ଏଣିକି ଏକାଧିକ ଉପାୟ ରହିଛି ବୋଲି ଟ୍ୱିଟ୍ କରିଛି ଇସ୍ରୋ । ଚନ୍ଦ୍ରୟାନ-୨ର ଅର୍ବିଟର ଏବେବି ଠିକ୍ ଭାବେ କାମ କରୁଥିବାରୁ, ଚଳିତ ତୃତୀୟ ମୁନ୍ ମିଶନରେ କେବଳ ଲ୍ୟାଣ୍ଡର୍ ଓ ରୋଭରକୁ ପଠାଇଛି ଇସ୍ରୋ ।
ଯୁଗ ଯୁଗ ଧରି ମାନବ ଜିଜ୍ଞାସାର କେନ୍ଦ୍ରବିନ୍ଦୁ ସାଜିଥିବା ଚନ୍ଦ୍ରର କେବଳ ଗୋଟିଏ ପାର୍ଶ୍ୱ ହିଁ ପୃଥିବୀକୁ ଦେଖାଯାଏ । ଚନ୍ଦ୍ର ପୃଥିବୀ ଚାରିପଟେ ଏବଂ ନିଜ ଚାରିପଟେ ବୁଲିବାକୁ ସମାନ ସମୟ ନେଉଥିବାରୁ, ମଣିଷ ସବୁବେଳେ ଚନ୍ଦ୍ରର ଗୋଟିଏ ପାଖକୁ ହିଁ ଦେଖିଆସିଛି । ତେବେ ଚର୍ଚ୍ଚା ହୁଏ, ଚନ୍ଦ୍ରର ଅପର ପାର୍ଶ୍ୱରେ ବି ଲୁଚି ରହିଛି ଅନେକ ରହସ୍ୟ । ଆଜି ଚନ୍ଦ୍ରର ସେହି ଅପରପାର୍ଶ୍ୱର ଏକାଧିକ ଫଟୋ ପଠାଇଛି ଲ୍ୟାଣ୍ଡର୍ ।
Also Read
ହାଜାର୍ଡ ଡିଟେକ୍ସନ ଆଣ୍ଡ୍ ଆଭଏଡାନ୍ସ କ୍ୟାମେରାରେ ଏହାକୁ କଏଦ କରାଯାଇଛି । କୌଣସି ପଥର କିମ୍ବା ଗର୍ତ୍ତ ନଥିବା ସ୍ଥାନରେ ସୁରକ୍ଷିତ ସଫ୍ଟଲ୍ୟାଣ୍ଡିଂ ପାଇଁ ଏହି କ୍ୟାମେରାର ସହାୟତା ନେବ ଲ୍ୟାଣ୍ଡର୍ । ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବାକୁ ଥିବା ବେଳେ, ୧ହଜାର ୭୫୨ କିଲୋଗ୍ରାମ ଓଜନର ଲ୍ୟାଣ୍ଡର୍ ମାତ୍ର ୧୯ ମିନିଟ୍ ଭିତରେ ୨୫ କିଲୋମିଟର ଉଚ୍ଚତାରୁ ଖସିବ । ଦକ୍ଷିଣ ମେରୁରେ ନିର୍ଦ୍ଧାରିତ ୪ କିଲୋମିଟର ଲମ୍ବା ଓ ୨.୪ କିଲୋମିଟର ଓସାରର ଲ୍ୟାଣ୍ଡିଂ ସାଇଟରେ ଏକ ସୁରକ୍ଷିତ ସ୍ଥାନକୁ ବାଛି ଧିରେ ଧିରେ ଓହ୍ଲାଇବ ।
ସେପଟେ ଚନ୍ଦ୍ରୟାନ-୩ର ପ୍ରପଲ୍ସନ ମଡ୍ୟୁଲକୁ ନେଇ ଆସିଛି ଉତ୍ସାହଜନକ ଖବର । ଲ୍ୟାଣ୍ଡରକୁ ଚନ୍ଦ୍ର ନିକଟରେ ପହଞ୍ଚାଇବା ପରେ ସେଥିରୁ ବିଚ୍ଛିନ୍ନ ହୋଇଥିବା ପ୍ରପଲ୍ସନ ମଡ୍ୟୁଲରେ ଏବେବି ମହଜୁଦ ଅଛି ଆଶାଠୁ ଅଧିକ ଇନ୍ଧନ । ଯାହାକି ତାକୁ ବର୍ଷ ବର୍ଷ ଯାଏଁ କାର୍ଯ୍ୟକ୍ଷମ ରଖିବ । ଜୁଲାଇ ୧୪ରେ ଉତକ୍ଷେପଣ ବେଳେ ସେଥିରେ ୧ ହଜାର ୬୯୪ କିଲୋଗ୍ରାମ ଇନ୍ଧନ ଭର୍ତ୍ତି କରିଥିଲା ଇସ୍ରୋ ।
ଆଶା କରାଯାଉଥିଲା ଯେ, ଲ୍ୟାଣ୍ଡରରୁ ଅଲଗା ହେବା ପରେ ଏହା ହୁଏତ ୩ରୁ ୬ ମାସ ଯାଏଁ କାମ କରିବ। ତେବେ ଭଲ ଖବର ହେଉଛି, ସେଥିରେ ଏବେବି ବଳିଛି ୧୫୦ କିଲୋଗ୍ରାମରୁ ଅଧିକ ଇନ୍ଧନ । ଯାହାକି ତାକୁ କିଛି ମାସ ନୁହେଁ, ବରଂ ବହୁ ବର୍ଷ ଯାଏଁ କାର୍ଯ୍ୟକ୍ଷମ ରଖିବା ଲାଗି ଯଥେଷ୍ଟ । ଫଳରେ ପ୍ରପଲ୍ସନ ମଡ୍ୟୁଲରେ ଲାଗିଥିବା ସେପ୍ ନାମକ ଏକ ସ୍ୱତନ୍ତ୍ର ପେ'ଲୋଡ୍ ବା ଯନ୍ତ୍ରାଂଶ ଅଧିକ ଦିନ ପର୍ଯ୍ୟନ୍ତ ଚନ୍ଦ୍ର ଚାରିପଟେ ବୁଲି ପୃଥିବୀର ବାୟୁମଣ୍ଡଳ ଏବଂ ମେଘରେ ଆଲୋକର ବିଚ୍ଛୁରଣ ସଂପର୍କରେ ତଥ୍ୟ ସଂଗ୍ରହ କରିପାରିବ ।