ଏୟାରପୋର୍ଟକୁ ଜଳ ଯୋଗାଣ ବନ୍ଦ କଲେ ବିଧାୟକଙ୍କ ପୁଅ 

ଉଭୟଙ୍କୁ ସ୍ୱାଗତ କରିବା ଲାଗି ଅଭିନୟ ରେଡ୍ଡୀ ନିଜ ସମର୍ଥକଙ୍କ ସହ ବିମାନ ବନ୍ଦରକୁ ଯାଇଥିଲେ। କିନ୍ତୁ ବିମାନ ବନ୍ଦର କର୍ତ୍ତୃପକ୍ଷ ତାଙ୍କୁ ଅଟକାଇଥିଲେ।

Abhinaya Reddy allegedly cut off the water supply after the airport officials denied him entry to the airport.

ବିଶାଖାପାଟଣା(ଯଶୋବନ୍ତ ନାରାୟଣ ପାଢ଼ୀ): ତିରୁପତି ଠାରେ ଥିବା ରେନୀଗୁଣ୍ଟା ବିମାନ ବନ୍ଦର ମ୍ୟାନେଜର୍‌ ସୁନୀଲ କୁମାରଙ୍କ ଓ ତିରୁପତି ଡେପୁଟି ମେୟର ତଥା ଆନ୍ଧ୍ର ପ୍ରଦେଶ ବିଧାୟକ ବି. କରୁଣାକର ରେଡ୍ଡୀଙ୍କ ପୁଅ ଅଭିନୟ ରେଡ୍ଡୀଙ୍କ ମଧ୍ୟରେ ବିବାଦ ହେବାରୁ ବିମାନ ବନ୍ଦର ଏବଂ ‘ଷ୍ଟାଫ୍‌ ରେସିଡେନ୍‌ସିଆଲ୍‌ କ୍ୱାଟର୍ସ’କୁ ପାନୀୟ ଜଳ ଯୋଗାଣ ବନ୍ଦ କରାଯାଇଥିବା ଜଣାପଡ଼ିଛି। ବନ୍ଦର କର୍ମଚାରୀମାନେ ବିମାନ ବନ୍ଦର ଭିତରକୁ ନ ଛାଡ଼ିବାରୁ ଅଭିନୟ ରେଡ୍ଡୀ ଜଳ ଯୋଗାଣ କାଟି ଦେଇଥିବା କୁହାଯାଉଛି।

କିନ୍ତୁ ଏସଂକ୍ରାନ୍ତରେ ଆନୁଷ୍ଠାନିକ ଭାବେ ତୁରନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ। ତିରୁପତିସ୍ଥିତ ରେନୀଗୁଣ୍ଟା ବିମାନ ବନ୍ଦର ‘ଏୟାର୍‌ ପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ’ ଦ୍ୱାରା ପରିଚାଳିତ ଆନ୍ତର୍ଜାତିକ ବିମାନ ବନ୍ଦର। ଏ ସପ୍ତାହ ପ୍ରାରମ୍ଭରେ ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ପାଇଁ ଆନ୍ଧ୍ରପ୍ରଦେଶ ମନ୍ତ୍ରୀ ବୋତ୍ସା ସତ୍ୟନାରାୟଣ ତିରୁପତି ଗସ୍ତରେ ଯାଇଥିଲେ ଓ ତାଙ୍କ ସହିତ ଥିଲେ ‘ତିରୁମାଲା ତିରୁପତି ଦେବସ୍ଥାନମ୍‌ସ୍‌’ (ଟିଟିଡି) ଅଧ୍ୟକ୍ଷ ୱାଇ.ଭି. ସୁବ୍ବା ରେଡ୍ଡୀ।

ଉଭୟଙ୍କୁ ସ୍ୱାଗତ କରିବା ଲାଗି ଅଭିନୟ ରେଡ୍ଡୀ ନିଜ ସମର୍ଥକଙ୍କ ସହ ବିମାନ ବନ୍ଦରକୁ ଯାଇଥିଲେ। କିନ୍ତୁ ବିମାନ ବନ୍ଦର କର୍ତ୍ତୃପକ୍ଷ ମ୍ୟାନେଜର୍‌ ସୁନୀଲ କୁମାର ଓ ଅଭିନୟ ଏବଂ ତାଙ୍କର ସହଯୋଗୀମାନଙ୍କୁ ଛାଡ଼ି ନଥିଲେ। ‌ଏଥିଯୋଗୁଁ, ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ‌ହୋଇଥିଲା। ଏହାପରେ ରେନୀଗୁଣ୍ଟା ବିମାନ ବନ୍ଦର ଏବଂ ଷ୍ଟାଫ୍‌ ରେସିଡେନ୍‌ସିଆଲ୍‌ କ୍ୱାର୍ଟର୍ସକୁ ଜଳ ଯୋଗାଣ କାଟି ଦିଆଯାଇଥିଲା। ଜଣେ ଡେପୁଟି ମେୟରଙ୍କ ଏହିପରି ଆକ୍ରୋଶମୂଳକ କାର୍ଯ୍ୟକଳାପକୁ ନେଇ ବିବେଚନା କରାଯାଇଛି।

କିନ୍ତୁ, ପୌର କର୍ତ୍ତୃପକ୍ଷ କହିଛନ୍ତି ଯେ, ପାଇପ୍‌ଲାଇନ୍‌ ଭିତରେ ବର୍ଜ୍ୟବସ୍ତୁର ଅବରୋଧ ଯୋଗୁଁ ଜଳ ଯୋଗାଣ ବ୍ୟାହତ ହୋଇଛି। ‘ୱାଇଏସ୍‌ଆର୍‌ସିପି’ ନେତାମାନେ ଅଭିଯୋଗ କରିଛନ୍ତି ଯେ, ରେନୀଗୁଣ୍ଟା ବିମାନ ବନ୍ଦର କର୍ମଚାରୀମାନେ ଆନୁଷ୍ଠାନିକ ପ୍ରୋଟକଲ୍‌ ନ ମାନି ମନଇଚ୍ଛା ଆଚରଣ କରିଛନ୍ତି। ଏଥିରେ ଅଭିନୟଙ୍କ କୌଣସି ସମ୍ପୃକ୍ତି ନାହିଁ ବୋଲି ସେମାନେ କହିଛନ୍ତି। କିନ୍ତୁ ଏହି ଘଟଣାକୁ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ଓ ତିରୁପତି ମ୍ୟୁନିସିପାଲ୍‌ଟି କର୍ତ୍ତୃପକ୍ଷ କୌଣସି ଟିପ୍ପଣୀ ଦେବାକୁ ମନା କରିଦେଇଛନ୍ତି।