ମନରେ ଆଗ୍ରହ ଥିଲେ ଯେ କେହି ବି ମହାପ୍ରଭୁଙ୍କ ସେବା ପାଇଁ ନିଜକୁ ପ୍ରସ୍ତୁତ କରିପାରେ। ସେ ଛୋଟ ଶାରିରୀକ ଭାବେ ଅକ୍ଷମ ହେଉ ବା ବୟସର ଅପରାହ୍ଣ ହେଉ ଠାକୁରଙ୍କ ସେବାରେ କେହି ବି ବାଧକ ସାଜି ପାରେନି। ସେମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି।
ବୟସ ହେଲାଣି ୯୩। ଥରୁଛି ହାତ। ଭଲଭାବେ ଆଖିକୁ ଦିଶୁନି କି ଠିକରେ କାନକୁ ଶୁଭୁନି। ଖାଲି ସେତିକି ନୁହେଁ ଭଲ କରି କଥା ପଦେ କହିବାର ଯୁ ବି ନାହିଁ। ତଥାପି ଏ ବୟସରେ ଥକି ଯାଇନି ଶରୀର କି କମିଯାଇନି ଜଗନ୍ନାଥଙ୍କ ପ୍ରତି ଉତ୍ସର୍ଗୀକୃତ ମନୋଭାବ। ଏକ ମନ ଏକ ପ୍ରାଣରେ ଓ ଦୃଢ଼ ଏକାଗ୍ରତା ସହ ଚରଖାରୁ କାଟୁଛନ୍ତି ସୂତା। ଏ ବୃଦ୍ଧାଙ୍କ ନାଁ ହେଉଛି ଆସେଲି ଦାସ।
Also Read
ଆଗକୁ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆସୁଥିବାରୁ ଖୋର୍ଦ୍ଧା ବେଗୁନିଆ ବ୍ଲକ୍ ରାଉତପଡ଼ା ଗାଁର ଆସେଲିଙ୍କୁ ଏବେ ଆଦୌ ତର ନାହିଁ। ପରିଣତ ବୟସରେ ବି ତାଙ୍କର ଏ ଦୁଇ ହାତ ଏବେ ଜଗାର ଅଙ୍ଗବସ୍ତ୍ର ତିଆରିରେ ବ୍ୟସ୍ତ ଆଉ ଚଳଚଞ୍ଚଳ। ପରଂପରା ଅନୁସାରେ ରାଉତପଡ଼ାର ଗୋପୀନାଥ ଦାସଙ୍କ ଭଳି ଆଉ ୨୦ଟି ପରିବାର ଶ୍ରୀଜିଉଙ୍କ ପାଇଁ ପ୍ରସ୍ତୁତ କରି ଆସୁଛନ୍ତି ଭଳିକି ଭଳି ପାଟବସ୍ତ୍ର। ପୀଢ଼ି ପୀଢ଼ି ପରେ ଏ ପରମ୍ପରା ବଜାୟ ରହିଥିବା ବେଳେ ଏ କାମକୁ ପେଷା ନୁହେଁ, ବରଂ ସେବା ଭାବେ ଆଦରି ନେଇଛନ୍ତି ପ୍ରତ୍ୟକ ପରିବାରର ପ୍ରତିଟି ସଦସ୍ୟ।
ମହାପ୍ରଭୁଙ୍କ ଅତିପ୍ରିୟ ଓ ଆକର୍ଷଣୀୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟର ସୂକ୍ଷ୍ଣ କାରିଗରୀର ଆଉ ଏକ ଏନ୍ତୁଡ଼ିଶାଳ ହେଉଛି କଟକ ଜିଲ୍ଲା ତିଗିରିଆର ନୂଆପାଟଣା ଗାଁ। ଏଠି ବି ଠାକୁରଙ୍କ ସେବାରେ ଉତ୍ସର୍ଗୀକୃତ କିଛି ବୁଣାକାର ପରିବାର। ଏମାନେ ବି ବର୍ଷ ପରେ ବର୍ଷ ଓ ପିଢ଼ି ପରେ ପିଢ଼ି କାଳିଆ ପାଇଁ ପ୍ରସ୍ତୁତ କରି ଆସୁଛନ୍ତି ସ୍ୱତନ୍ତ୍ର ପାଟବସ୍ତ୍ର। ହେଲେ ରଥଯାତ୍ରା ବେଳେ ଜଗାର ନୀତିକାନ୍ତି ପାଇଁ ଖଣ୍ଡୁଆ ପାଟର ଆବଶ୍ୟକତା ଅଧିକ ଥିବାରୁ ଏ ସମୟରେ ହାତକୁ ଟିକିଏ ବି ସମୟ ନଥାଏ, ତେଣୁ ପରିବାରର ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସବୁ ବର୍ଗର ସଦସ୍ୟ ଏଇ କାମରେ ନିଜକୁ ସ୍ୱତଃ ନିୟୋଜିତ କରିଥାନ୍ତି।
ଆଜିକା ଦିନରେ ଏ କୌଳିକ ବୃତ୍ତି କଷ୍ଟକର ହେଲେ ବି ପାରମ୍ପରିକ କଳା କୌଶଳକୁ ବଞ୍ଚାଇ ରଖିବାର ଇଚ୍ଛା ଓ ପାରିଶ୍ରମିକ ଅପେକ୍ଷା ସେବାର ସୁଯୋଗ ଥିବାରୁ, ତାକୁ ହିଁ ମନରେ ରଖି ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ଖଣ୍ଡୁଆ ପାଟ ତିଆରି ପାଇଁ କେବେ ବି ଅବହେଳା ହୋଇନି।