କାହାକୁ ଧରିବେ, କେମିତି ଧରିବେ ? ଜାଲ୍‌ ସାର୍ଟିଫିକେଟ୍‌ରେ ଶିକ୍ଷକ ନିଯୁକ୍ତି ନେଇ ବଡ଼ ଅଭିଯୋଗ !

ନବ ନିଯୁକ୍ତ ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ ସାର୍ଟିଫିକେଟ୍‌ଧାରୀ । ବିଶେଷ କରି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌କୁ ନେଇ ହୋଇଛି ହେରଫେର । ଏହି ଅଭିଯୋଗ ଆଣିଛନ୍ତି ଶିକ୍ଷକ ପଦ ପାଇଁ ଆଶାୟୀ ଥିବା ଅନେକ ଦିବ୍ୟାଙ୍ଗ ।

Fake Teacher

ଥମୁନି ଜାଲ୍ ଶିକ୍ଷକଙ୍କ ଚେର । ଗତ ୧୬ ତାରିଖରେ କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ନିଯୁକ୍ତି ପାଇଥିବା ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ୍ ଶିକ୍ଷକ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଦିବ୍ୟାଙ୍ଗ ଆଶାୟୀଙ୍କ ପାଖରୁ । ଏହାପରେ ଗଣଶିକ୍ଷା ବିଭାଗ ଜାରି କରିଛି ଏସ୍ଓପି । ଅଭିଯୋଗ ଆସିଲେ ତୁରନ୍ତ ନବ ନିଯୁକ୍ତ ଶିକ୍ଷକଙ୍କ ସାର୍ଟିଫିକେଟ୍ ଯାଞ୍ଚ ଲାଗି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କଡ଼ାକଡ଼ି ନିର୍ଦ୍ଦେଶ ଦିଆଯାଇଛି । 

ନବ ନିଯୁକ୍ତ ଶିକ୍ଷକଙ୍କ ଭିତରେ ବି ଅଛନ୍ତି ଜାଲ ସାର୍ଟିଫିକେଟ୍‌ଧାରୀ । ବିଶେଷ କରି ଦିବ୍ୟାଙ୍ଗ ସାର୍ଟିଫିକେଟ୍‌କୁ ନେଇ ହୋଇଛି ହେରଫେର । ଏହି ଅଭିଯୋଗ ଆଣିଛନ୍ତି ଶିକ୍ଷକ ପଦ ପାଇଁ ଆଶାୟୀ ଥିବା ଅନେକ ଦିବ୍ୟାଙ୍ଗ । ସେଥିମଧ୍ୟରୁ ଜଣେ ହେଲେ ଭୁବନେଶ୍ୱରର ରେଣୁବାଳା ପ୍ରଧାନ । ସବୁ ମାନଦଣ୍ଡରେ ଉତ୍ତୀର୍ଣ୍ଣ । ହେଲେ ଦିବ୍ୟାଙ୍ଗ ସାର୍ଟିଫିକେଟ୍‌ରେ ୬୦ ପ୍ରତିଶତ ଅକ୍ଷମତା ଥାଇ ବି ବାଦ ପଡିଲେ । ନିଯୁକ୍ତି ପାଇଁ ହୋଇଥିବା ଟେଷ୍ଟରେ ତାଙ୍କୁ ୪୦ ପ୍ରତିଶତ ଅକ୍ଷମ ଦର୍ଶାଇ ବାଦ ଦିଆଯାଇଛି । ରେଣୁବାଳାଙ୍କ ଅଭିଯୋଗ ସରକାରଙ୍କ ଦ୍ୱାରା ମିଳିଥିବା ୬୦ ପ୍ରତିଶତ ଅକ୍ଷମତା ସାର୍ଟିଫିକେଟ କିପରି ଏକ୍ଷେତ୍ରରେ କାମ ଦେଲାନି । ରାଜ୍ୟର ଏଭଳି ଅନେକ ଦିବ୍ୟାଙ୍ଗ ଆଶାୟୀ, ୬ ହଜାର ୧୩୧ ଶିକ୍ଷକ ପଦବୀରୁ ବାଦ ପଡିଥିବା ସେ ଅଭିଯୋଗ ଆଣିଛନ୍ତି ।

ନିଯୁକ୍ତିକୁ ନେଇ ଅଭିଯୋଗ ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ପ୍ରଶିକ୍ଷଣ ନେଇଥିବା ଶିକ୍ଷକଙ୍କ ନିଯୁକ୍ତି ଉପରେ ପ୍ରଶ୍ନବାଚି ଉଠିଛି । ଯାହାକୁ ନେଇ ତତ୍ପରତା ପ୍ରକାଶ କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ନିଯୁକ୍ତି ପାଇଥିବା ଶିକ୍ଷକ ନାଁରେ ଯେ କୌଣସି ସୂତ୍ରରୁ ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ ଲାଗି ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ଗଣଶିକ୍ଷା ସଚିବ । ଏଥିଲାଗି ୧୫ ସୂତ୍ରୀ  SoP ଜାରି କରାଯାଇଛି ।

ଏପରିକି ଯେଉଁ ଅଧିକାରୀମାନେ କର୍ତ୍ତବ୍ୟରେ ହେଳା କରିଥିବେ ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଉଲ୍ଲେଖ ରହିଛି । ଅନ୍ୟପଟେ ରାଜ୍ୟ ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ସରକାରଙ୍କ ଧରପଗଡ଼ ନିଷ୍ପତ୍ତିକୁ ସ୍ୱାଗତ ଜଣାଇଥିବା ବେଳେ ତୁରନ୍ତ ଫେକ୍ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଛି । ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଫେକ୍ ସାର୍ଟିଫିକେଟ ଦେଇ ନିଯୁକ୍ତି ପାଇଥିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ନବ ନିଯୁକ୍ତ ୬ ହଜାର ୧୩୧ ଶିକ୍ଷକଙ୍କ ମଧ୍ୟରେ ୧୦୦ରୁ ଅଧିକ ଦିବ୍ୟାଙ୍ଗ କୋଟାରେ ଚାକିରି ପାଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ପୂର୍ବରୁ ବି ଜାଲ୍ ଶିକ୍ଷକଙ୍କୁ ଧରିବା ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତଥାପି ସରକାରୀ କଳର ଗଳା ବାଟରେ ଖସି ଯାଇଛନ୍ତି ଜାଲ୍ ଶିକ୍ଷକ । ଏଭଳି ସ୍ଥିତିରେ ନବନିଯୁକ୍ତ ଶିକ୍ଷକଙ୍କ କ୍ଷେତ୍ରରେ କେଉଁଠି ଓ କାହିଁକି ଯାଞ୍ଚ ସମୟରେ ଅବହେଳା ହେଲା ତାକୁ ନେଇ ପ୍ରଶ୍ନ । ଏବେ ଅପେକ୍ଷା ଯାଞ୍ଚକାରୀ ଓ ଫେକ୍ ଶିକ୍ଷକଙ୍କ ବିରୋଧ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ?