ସତରେ କ’ଣ ରାଜ୍ୟରେ ଡାକ୍ତର ଅଭାବ ? ସରକାରଙ୍କ ପାଖରେ ଡାକ୍ତରଙ୍କ ତଥ୍ୟ ନାହିଁ, ୪ ପ୍ରକାର କଥା କହୁଛନ୍ତି..

ଡାକ୍ତରଖାନା ଚକାଚକ୍ ହେଲେ ପ୍ରାୟ ସମସ୍ତ ଡାକ୍ତରଙ୍କ ଚୌକି ଖାଲି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଖାଲି ସେତିକି ନୁହେଁ ରୋଗୀଙ୍କୁ ଧରି ଆସିଥିବା ସମ୍ପର୍କୀୟ ବି ଏଠାରେ ଅସନ୍ତୋଷ ପ୍ରକାଶ କରୁଛନ୍ତି ।

Odisha Doctors

ଭୁବନେଶ୍ୱର: ରାଜ୍ୟ ସ୍ୱାସ୍ଥ୍ୟସେବାର ବିଚିତ୍ର ଚିତ୍ର । ଗୋଟିଏ ପଟେ ଡାକ୍ତର ଅଭାବରୁ ସରକାରୀ ଡାକ୍ତରଖାନାରୁ ରୋଗୀ ଫେରୁଛନ୍ତି ତ ଅନ୍ୟପଟେ ଚାକିରି ପାଇଁ ଆନ୍ଦୋଳନକୁ ଓହ୍ଲାଇଲେଣି ଡାକ୍ତରୀ ଛାତ୍ରଛାତ୍ରୀ । ହେଲେ ଏସବୁ ଭିତରେ ରାଜ୍ୟରେ ବାସ୍ତବରେ କେତେ ଡାକ୍ତର ପଦବୀ ଖାଲି ପଡ଼ିଛି, ସେନେଇ ରାଜ୍ୟ ସରକାରଙ୍କ ପାଖରେ ବି ୪ଟା ଉତ୍ତର ।

ଡାକ୍ତରଖାନା ଚକାଚକ୍ ହେଲେ ପ୍ରାୟ ସମସ୍ତ ଡାକ୍ତରଙ୍କ ଚୌକି ଖାଲି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଞ୍ଜାମ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ । ଖାଲି ସେତିକି ନୁହେଁ ରୋଗୀଙ୍କୁ ଧରି ଆସିଥିବା ସମ୍ପର୍କୀୟ ବି ଏଠାରେ ଅସନ୍ତୋଷ ପ୍ରକାଶ କରୁଛନ୍ତି । ଚିକିତ୍ସା ନପାଇ ନିରାଶ ହୋଇ ଫେରୁଛନ୍ତି । ବାଲିସିରା ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ମଞ୍ଜୁର ହୋଇଛି ୧୧ଟି ଡାକ୍ତର ପଦବୀ, ନିଯୁକ୍ତ ଅଛନ୍ତି ୬ ଜଣ, ସେଇ ଭିତରୁ ଜଣେ ଛୁଟିରେ । ହେଲେ କେହି ବିଶେଷଜ୍ଞ ଡାକ୍ତର ନ ଥିବାରୁ ରୋଗୀଙ୍କୁ ଅନ୍ୟତ୍ର ନେଇଯାଉଛନ୍ତି ସମ୍ପର୍କୀୟ ।

ଏବେ ପ୍ରଶ୍ନ ଉଠୁଛି, ରାଜ୍ୟରେ କେତେ ଡାକ୍ତର ପଦବୀ ଖାଲି ପଡ଼ିଛି ?

*କୌତୁହଳର କଥା, ଡାକ୍ତର ପଦବୀ ଅଭାବ ନେଇ ନିକଟରେ ୪ ପ୍ରକାର ତଥ୍ୟ ରଖିଛନ୍ତି ଖୋଦ୍ ରାଜ୍ୟ ସରକାର । ଚଳିତ ବର୍ଷ ମାର୍ଚ୍ଚରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ବିଧାନସଭାରେ କହିଥିଲେ, ରାଜ୍ୟରେ ୮ ହଜାର ୭୧୯ଟି ମଞ୍ଜୁରପ୍ରାପ୍ତ ଡାକ୍ତର ପଦବୀ ଅଛି । କାର୍ଯ୍ୟରତ ଅଛନ୍ତି ୭ ହଜାର ୨୪ ଜଣ  ଅର୍ଥାତ୍ ୧ ହଜାର ୬୯୫ଟି ପଦବୀ ଖାଲି ରହିଛି ।

*କିନ୍ତୁ ବିଧାନସଭାର ଶୀତ ଅଧିବେଶନ ବେଳକୁ ଡିସେମ୍ବର ୬ରେ ସ୍ୱାସ୍ଥ୍ୟମନ୍ତ୍ରୀ ଗୃହରେ ରଖିଥିବା ତଥ୍ୟରେ ରାଜ୍ୟରେ ଖାଲିଥିବା ଡାକ୍ତର ପଦବୀ ସଂଖ୍ୟା ହେଉଛି ୨ ହଜାର ୪୧୭ ।

*ତେବେ ଶୀତ ଅଧିବେଶନ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ଓଡ଼ିଶା ହାଇକୋର୍ଟଙ୍କୁ ଜଣାଇଥିଲେ, ରାଜ୍ୟରେ ୧ ହଜାର ୯୮୫ଟି ଡାକ୍ତର ପଦବୀ ଖାଲି ଅଛି ।

*ଆଶ୍ଚର୍ଯ୍ୟର ବିଷୟ, ଡିସେମ୍ବର ୧୫ ସତ୍ୟପାଠରେ ବିଭାଗ କହିଛି, ଏବେ ରାଜ୍ୟରେ ମେଡିକାଲ ଅଫିସର ଓ ବିଶେଷଜ୍ଞମାନଙ୍କ ଲାଗି ୮ ହଜାର ୫୪୬ଟି ମଞ୍ଜୁରପ୍ରାପ୍ତ ପଦବୀ ଥିଲା ବେଳେ ୩ ହଜାର ୭୩୪ଟି ଡାକ୍ତର ପଦବୀ ଖାଲି ରହିଛି ।

ତେବେ ଏଠି ବଡ଼ ପ୍ରଶ୍ନ, ଏଇ ୪ ପ୍ରକାର ତଥ୍ୟରୁ କେଉଁଟା ଠିକ୍ ? ଓଡ଼ିଶା ସରକାରୀ ଡାକ୍ତର ସଂଘ- ଓମ୍‌ସାର କହିବା କଥା, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୁପାରିସ ଅନୁସାରେ, ପ୍ରତି ହଜାରେ ଲୋକରେ ଜଣେ ଡାକ୍ତର ରହିବା କଥା । କିନ୍ତୁ ଓଡ଼ିଶାରେ ପ୍ରତି ୫ ହଜାର ଲୋକରେ ଜଣେ ଡାକ୍ତର ରହିଛନ୍ତି । ଏହି କାରଣରୁ ଡାକ୍ତରମାନେ ବହୁ ଚାପରେ ଥିବା ଅଭିଯୋଗ କରିଛି ଓମ୍‌ସା ।

ଡାକ୍ତର ପଦବୀ ଖାଲି ପାଇଁ ରାଜ୍ୟ ସରକାର ଡାକ୍ତର ଅଭାବକୁ ଦାୟୀ କରୁଥିବା ବେଳେ ରାଜ୍ୟରେ ୧ ହଜାର ୬ ଶହ ଡାକ୍ତର, ନିଯୁକ୍ତି ନ ପାଇ ଘରେ ବସିଥିବା ଦାବି କରିଛି ଡାକ୍ତରୀ ଛାତ୍ର ସଂଘ । ସେମାନଙ୍କ କହିବା କଥା, ସରକାର ସାଧାରଣ ବର୍ଗ ଡାକ୍ତରଙ୍କ ପାଇଁ କମ୍ ପଦବୀ ବାହାର କରୁଛନ୍ତି ଓ ଅଧିକ ପଦବୀ ବିଭିନ୍ନ କୋଟାରେ ସଂରକ୍ଷଣ ରଖୁଛନ୍ତି । ଯେଉଁଥିପାଇଁ ରାଜ୍ୟରେ ଡାକ୍ତର ଅଭାବ ଦେଖାଦେଉଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଅଧିକ ଡାକ୍ତର ସୃଷ୍ଟି ପାଇଁ ଆଉ ୭ଟି ମେଡିକାଲ କଲେଜ ଖୋଲାଯାଉଛି । ୨-୩ ବର୍ଷ ମଧ୍ୟରେ ଓଡ଼ିଶା ଡାକ୍ତର ବଳକା ରାଜ୍ୟ ହେବ ।