Advertisment

ଜାତୀୟ ହସ୍ତତନ୍ତ ଦିବସ: ଛାଡ଼ି ହେଉନି କି ରଖି ହେଉନି

ସ୍ୱଦେଶୀ ପ୍ରଚାର ପ୍ରସାର ଲକ୍ଷ୍ୟରେ ପାଳନ ହେଉଛି ସ୍ୱତନ୍ତ୍ର ଦିନ। ପ୍ରୋତ୍ସାହନ ଅଭାବରୁ ଦୁର୍ଦ୍ଦିନରେ ରାଜ୍ୟର ହସ୍ତତନ୍ତ କାରିଗର। ଆର୍ଥିକ କି ସାମାଜିକ ଅବସ୍ଥାରେ ଆସିପାରୁନି ପରିବର୍ତ୍ତନ।

Weaver Familly Distress

Weaver Familly Distress

Advertisment

ଆଜି ଜାତୀୟ ହସ୍ତତନ୍ତ ଦିବସ। ସ୍ୱଦେଶୀକୁ ଆପଣାଇ ବିଦେଶୀର ବ୍ୟବହାର କମ୍ କରିବା ଏବଂ ହସ୍ତତନ୍ତର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ପାଳିତ ହେଉଛି ଏ ଦିବସ। ଓଡ଼ିଶାର ହସ୍ତତନ୍ତ ଦେଶ ବିଦେଶରେ ଲୋକପ୍ରିୟ ହେଉଥିଲେ ବି ଯାହାକୁ ନେଇ ଏ ଶିଳ୍ପ-କାରିଗରୀ, ସେମାନେ କିନ୍ତୁ ଆଜି ବି ଦୁଃସ୍ଥ, ଅବହେଳିତ। ହସ୍ତତନ୍ତ ଭଳି କୌଳିକ ବୃତ୍ତିକୁ ବଞ୍ଚାଇ ରଖିବାକୁ ରାଜ୍ୟର ଅନେକ ବୁଣାକାର ପରିବାର ପିଢ଼ି ପରେ ପିଢ଼ି ଲାଗିଥିଲେ ବି ସେମାନଙ୍କ ଆର୍ଥିକ କି ସାମାଜିକ ଅବସ୍ଥାରେ ପରିବର୍ତ୍ତନ ଆସିପାରୁନି।

Advertisment

ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲାରେ ଏହି କାରିଗରୀର ଏମିତି କିଛି କଳାକାର ଅଛନ୍ତି ଯେଉଁମାନଙ୍କର ରହିବାକୁ ମୁଣ୍ଡ ଉପରେ ଛାତ ଖଣ୍ଡେ ନାହିଁ କି କାମ କରିବାକୁ ଜାଗା। ତଥାପି ନିଜ କୌଳିକ ବୃତ୍ତି ପ୍ରତି ମୋହ କି ମମତା ଯାଇନି ସେମାନଙ୍କର। ଆଜି ବି ଘରର ପିଲା, ପରିବାର ସମସ୍ତେ ବୁଣାବୁଣିରେ ବ୍ୟସ୍ତ, ନିମଗ୍ନ।

ଏମିତି ଏକ କିଛି ପରିବାର ଦେଖାଯାଆନ୍ତି ବାନ୍ଧକଳାର ଏନ୍ତୁଡ଼ିଶାଳ ସୁବର୍ଣ୍ଣପୁର ବୀରମହାରାଜପୁର ବ୍ଲକ୍ କେନ୍ଦୁପାଲି ଗାଁରେ। ଏ ଗାଁରେ ରୁହନ୍ତି ଶହ ଶହ ବୁଣାକାର ପରିବାର। ତନ୍ତକୁ ନେଇ ଏମାନଙ୍କ ଜୀବନ ଓ ଜୀବୀକା। ବର୍ଷକ ବାରମାସ ଏଇ ବୁଣାବୁଣିରେ କଟେ ସମୟ। ଏମାନଙ୍କ ବାନ୍ଧକଳା କାରିଗରୀ ଆଜି ବିଶ୍ୱର କେଉଁ ଅନୁକୋଣରେ ପହଞ୍ଚି ପ୍ରଶଂସା ସାଉଁଟୁଥିଲେ ବି ଏମାନଙ୍କ ଭାଗ୍ୟରେ ଯେମିତି ପରିବର୍ତ୍ତନ ଲେଖା ନାହିଁ।

Advertisment

ସେହିପରି କେନ୍ଦୁପାଲି ଗାଁର ବୟୌଜ୍ୟେଷ୍ଠ ବୁଣାକାର ହେଲେ ସତ୍ୟବାନ ମେହେର। ତାଙ୍କ ବାପା-ଜେଜେବାପା ଅମଳରୁ ଏହି କାମ ଚାଲିଛି। ଏବେ ତାଙ୍କ ପରପିଢ଼ି ବି ଆଦରି ନେଇଛନ୍ତି ସେହି ସମାନ ବୃତ୍ତିକୁ। ବାନ୍ଧକଳାକୁ ବଞ୍ଚାଇ ରଖିବାକୁ ପିଢି ପରେ ପିଢ଼ି ଲାଗିଥିଲେ ବି ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସି ନାହିଁ। ଆଜି ବି ରହିବାକୁ ଭଲ ଘର ଖଣ୍ଡେ ନାହିଁ। ଛୋଟିଆ ଆଜବେଷ୍ଟସ ଛାତ ତଳେ ବଡ଼ ପରିବାର ଆଉ ତାଆରି ଭିତରେ ତନ୍ତ, ତାଆରି ଭିତରେ ସବୁକିଛି।

ସେହିପରି ଅଭାବ ଅସୁବିଧା ଭିତରେ କୌଳିକ ବୃତ୍ତିକୁ ଆପଣାଇ ହସ୍ତତନ୍ତକୁ ଆଗକୁ ନେଉଛନ୍ତି ବରଗଡ଼ ଜିଲ୍ଲା ସୋହେଲା ବ୍ଲକ୍ ସରକଣ୍ଡା ଗାଁର ବୁଣାକାର ପରିବାରବୃନ୍ଦ। ଏ ଗାଁରେ ପ୍ରାୟ ୪୦୦ରୁ ଅଧିକ ପରିବାରର ଏହାକୁ ମୁଖ୍ୟ ବେଉଷା କରି ଚଳୁଛନ୍ତି। କିନ୍ତୁ ଦୁଃଖ ଆଉ ପରିତାପର ବିଷୟ, ଆଜି ବି ଏ ଗାଁରେ ଅନେକ ପରିବାର ପାଇଁ ଭଲ ଘରଟିଏ ସ୍ୱପ୍ନ।

Advertisment

ପରିବାରର ସବୁ ସଦସ୍ୟ ଦିନରାତି ପରିଶ୍ରମ କରୁଥିଲେ ବି, ସେହି ଅନୁସାରେ ପାରିଶ୍ରମିକ ନାହିଁ। କଞ୍ଚା ମାଲର ଦରବୃଦ୍ଧି, ବିକ୍ରିବଟା ପାଇଁ ସୁବିଧା ନଥିବା ଏବଂ ଅପହଞ୍ଚ ସରକାରୀ ଯୋଜନା ଆଦି କାରଣ ପାଇଁ ସେମାନେ ଆଜି ବି ଅବହେଳିତ, ଦୁସ୍ଥ। ସେପଟେ ବିଭାଗୀୟ ମନ୍ତ୍ରୀଙ୍କ ଚିରାଚରିତ ଉତ୍ତର, ମୁଖ୍ୟମନ୍ତ୍ରୀ ସଜାଗ ଅଛନ୍ତି, ଆଗକୁ କାର୍ଯ୍ୟକ୍ରମ ଜାରି ରହିବ।

(ରିପୋର୍ଟ : ସୋନପୁରରୁ ରବୀନ୍ଦ୍ର ହୋତା, ବରଗଡ଼ରୁ ଦୀପକ ଶର୍ମା ଓ ଭୁବନେଶ୍ୱରରୁ ନିରଞ୍ଜନ ରେଡ୍ଡୀ)

Weaver Family
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ