ବିଶାଳକାୟ ପଥର ନା ଦୁଇଫାଳ ହୋଇଥିବା ସେଓ

ଆମ ଦୁନିଆରେ ଅନେକ ପ୍ରାକୃତିକ ସୃଷ୍ଟି ଆପଣ ଦେଖିବାକୁ ପାଇବେ । ଯାହା ସବୁବେଳେ ରହସ୍ୟମୟ ଲାଗେ । ଆଉ ଆଶ୍ଚର୍ଯ୍ୟ ବି କରେ । ସେହିଭଳି ଏକ ନିର୍ମାଣ ରହିଛି ନ୍ୟୁଜିଲ୍ୟାଣ୍ଡର ସାଉଥ୍‌ ଆଇଲ୍ୟାଣ୍ଡରେ । ଏହି ନିର୍ମାଣଟି ଏକ ବିଶାଳକାୟ ପଥର । ଯାହା ଏକ ଜିଓଲୋଜିକାଲ୍‌ ରକ୍‌ ଫରମେସନ୍‌ । ତେବେ ଏହା ଦେଖିବାକୁ ଦୁଇଫାଳ ହୋଇଥିବା ସେଓ ଭଳି ମନେ ହୁଏ । ଆଉ ସେଥିପାଇଁ ଏହାର ନାଁ ‘ସ୍ପ୍ଲିଟ୍‌ ଆପଲ୍‌ ରକ୍‌’ ।

Split apple rock

News Summary

୧୨୦ ମିଲିୟନ ବର୍ଷର ବିଶାଳକାୟ ପଥର

ଟୋକଗାୱା ବା ସ୍ପ୍ଲିଟ୍‌ ଆପଲ୍‌ ରକ୍‌ । ନ୍ୟୁଜିଲ୍ୟାଣ୍ଡର ଦକ୍ଷିଣ ଦ୍ୱୀପର କୂଳରେ ଅବସ୍ଥିତ ଏହି ନିର୍ମାଣ ଏକ ପ୍ରାକୃତିକ ଜିଓଲୋଜିକାଲ୍‌ ରକ୍‌ ଫରମେସନ୍‌ ବା ଭୂବୈଜ୍ଞାନିକ ପଥର । ଏହ ଗ୍ରାନାଇଟରେ ନିର୍ମିତ ଏକ ସଂରଚନା । ଏହାକୁ ଦେଖିଲେ ଲାଗେ ଯେପରି କେହି ଏହାକୁ ଅଧା କାଟି ଦେଇଛନ୍ତି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ପ୍ରାକୃତିକ । କୌଣସି ମନୁଷ୍ୟକୃତ ରଚନା ନୁହେଁ । ତେବେ ବାସ୍ତବରେ ଏହାର ରହସ୍ୟ କଣ ତାହା ଜଣା ପଡିପାରିନାହିଁ । ହେଲେ ଗବେଷଣା ଜାରି ରହିଛି । ତେବେ ଏହି ରହସ୍ୟ କାରଣରୁ ହିଁ ଏହି ସ୍ଥାନ ପର୍ଯ୍ୟଟକଙ୍କ ପାଇଁ ଏକ ପ୍ରିୟ ସ୍ଥାନ ହୋଇପାରିଛି । ତେବେ ଯେପରି ନାଁ ଏହି ନିର୍ମାଣର ଆକୃତି ମଧ୍ୟ ଠିକ୍‌ ସେହିପରି ।

ନ୍ୟୁଜିଲ୍ୟାଣ୍ଡର ‌ଆବେଲ୍‌ ତାସମାନ ନ୍ୟାସନାଲ୍‌ ପାର୍କରେ ରହିଛି ଏହି ନିଆରା ନିର୍ମାଣ । ବୈଜ୍ଞାନିକମାନଙ୍କ ଅନୁଯାୟୀ ପାଣି ଢେଉ ମାଡରେ ଏହି ନିର୍ମାଣ ହୋଇଥିବା କୁହାଯାଉଥିବା ବେଳେ ଏହାକୁ ବିଶ୍ୱାସ କରିବା ଟିକେ କଷ୍ଟ ହୁଏ, କାରଣ ପାଣି ଢେଉ ମାଡରେ ଏଭଳି ସାର୍ପ କଟିଙ୍ଗ୍‌ ସମ୍ଭବ କିପରି ହେଲା । କିନ୍ତୁ ସ୍ଥାନୀୟ ଲୋକମାନଙ୍କ ଆସ୍ଥା ସହିତ ଜଡିତ ଏହି ନିର୍ମାଣ ।

କିମ୍ବଦନ୍ତୀ ଅନୁଯାୟୀ ଡିଆନ୍‌ ଉପରେ ଯୁଦ୍ଧ କରୁଥିବା ସମୟରେ ଜିଅସ୍‌ ଓ ପୋଜିଓଡନ୍‌ ଏହାକୁ ଅଧା ଭାଗରେ ବିଭକ୍ତ କରିଥିଲେ । ତେବେ ଏହି ତଥ୍ୟ କିମ୍ବଦନ୍ତୀ ବହି ଇତ୍ୟାଦି ଗୁଡିକରେ ଏହାକୁ ନେଇ ଅନେକ ଲୋକକଥା ବି ରହିଛି । ୧୯୮୮ ମସିହାରେ ଏହାକୁ ଅଫିସିଆଲ୍‌ କରାଯିବା ପରେ ଏହି ସ୍ଥାନଟି ଲୋକପ୍ରିୟ ହୋଇପାରିଥିଲା ।

Split apple rock

୨୦୧୪ ଅଗଷ୍ଟ ମାସରେ ଏହି ସ୍ଥାନର ନାଁ ଦିଆଗଲା ସ୍ପ୍ଲିଟ୍‌ ଆପଲ୍‌ ରକ୍‌ । ବିଜ୍ଞାନ ଏହାକୁ ଆଇସ୍‌ ଏଜ୍‌ ସମୟର କହିଥାଆନ୍ତି । ଏହି ପଥରଟି ୧୬୦ ଫୁଟର । ଏହା କୂଳର ଅତି ନିକଟରେ ରହିଛି । ତେଣୁ ଆପଣ ସହଜରେ ଏହା ନିକଟରେ ପହଞ୍ଚି ବି ପାରିବେ । ତେବେ ଏହାର ବୟସ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କୁହାଯାଏ ପାଖାପାଖି ୧୨୦ ମିଲିୟନ ବର୍ଷ ହେବ ଏହି ନିର୍ମାଣ ଆଶ୍ଚର୍ଯ୍ୟର କେନ୍ଦ୍ର ହୋଇ ରହିଛି । ଆଉ ଏହାକୁ ନେଇ ରହିଛି ଅସଂଖ୍ୟ କାହାଣୀ । ଏହି ସ୍ଥାନର ପରିବେଶ୍ ବେଶ୍‌ ଅଦ୍ଭୁତ । ଆଉ ବର୍ଷ ତମାମ ଏହି ସ୍ଥାନଟି ଭ୍ରମଣ ଉପଯୋଗୀ । କାରଣ ଏଠାକାର ପାଣିପାଗ ବର୍ଷ ତମାମ୍‌ ବେଶ୍‌ ଭଲ ରୁହେ । ଆଉ ଏହି ସ୍ଥାନଟି ପ୍ରମାଣ କରେ ଯେ ପ୍ରକୃତି କେତେ ନିଆରା କାରିଗର ।