ସେପଟେ ସମୁଦ୍ର ଗର୍ଭ, ଏପଟେ ଜନବସତି ମଝିରେ ଦୂରତା ମାତ୍ର କେଇ ମିଟର, ଏ ଭିତରେ ଯଦି ବଡ଼ ଜୁଆର ଆସେ, ତେବେ ଭସାଇ ନେବ ଧନ, ଜୀବନ ସବୁକିଛି। ପ୍ରତି ମୁହୂର୍ତ୍ତରେ ବିପଦର ଆଶଙ୍କା ଥିଲେ ବି ଜୀବନକୁ ବାଜି ଲଗାଇ ଜୀଉଁଥିବା ଏ ମତ୍ସ୍ୟଜୀବୀମାନେ ହେଲେ ଗଞ୍ଜାମ ଚିକିଟି ବ୍ଲକ୍ ରାମେୟାପାଟଣାର। ଏ ଗାଁରେ ଆଗରୁ ରହୁଥିଲେ ୩୦୦ରୁ ଅଧିକ ପରିବାର ହେଲେ ଗଲା କିଛି ବର୍ଷ ଭିତରେ ସମୁଦ୍ର ଗାଁ ମୁହାଁ ହେବାରୁ ଭସାଇ ନେଲାଣି ବହୁ ଘରଦ୍ୱାର। ରାମେୟାପାଟଣାର ପ୍ରାୟ ୧୦୦ରୁ ଅଧିକ ପରିବାର ଏବେ ବାସହରା ବାକି ୨୦୦ ପରିବାରର ସ୍ଥିତି ବି ଦୋଦୁଲ୍ୟମାନ ଅବସ୍ଥାରେ।
କେତେବେଳେ ବି ବଡ଼ ଜୁଆର ଆସିଲେ, ନିଶ୍ଚିହ୍ନ କରିଦେଇପାରେ ସବୁକିଛି। ସେପଟେ ଗଞ୍ଜାମ ବ୍ଲକ୍ ପୋଡମପେଟା ଗାଁରେ ଅନୁରୂପ ସ୍ଥିତି। ଏଠି ଆଗରୁ ଜନବସତିଠାରୁ ସମୁଦ୍ରଠୁ ବେଶ୍ କେତେ କିଲୋମିଟର ଦୂରରେ ଥିଲା, ଆଜି କିନ୍ତୁ ମାତ୍ର କେଇ ମିଟର ଦୂରରେ ତେଣୁ ଏଠାକାର କିଛି ପରିବାର ଭୟରେ ଭିଟାମାଟି ଛାଡ଼ିଛନ୍ତି କିନ୍ତୁ ଆଉ କିଛି ପରିବାର ଏବେ ବି ଘର ଛାଡୁନଥିବାରୁ ଆଜି ସ୍ଥାନୀୟ ତହସିଲଦାର ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି।
ରାମେୟାପାଟଣାରେ ସମୁଦ୍ର ଜନବସତି ଆଡ଼କୁ ମାଡ଼ି ଆସିବା ଏବଂ ଲୋକଙ୍କ ଜୀବନ ବିପନ୍ନ ଆଶଙ୍କା ପରେ ଏଠାକାର ୩୦୦ ପରିବାରକୁ ଅନ୍ୟତ୍ର ସ୍ଥାନାନ୍ତର ଲାଗି ODRP ଯୋଜନାରେ ପ୍ରାୟ ୨ କିଲୋମିଟର ଦୂରରେ ଯୋଗାଇ ଦିଆଯାଇଛି। ଘର ହେଲେ ସମୁଦ୍ରଠୁ ଏତେ ଦୂରରେ ରହିଲେ, ମାଛ ମାରିବାରେ ସମସ୍ୟାରେ ଦେଖାଦେବ ବୋଲି ମତ୍ସ୍ୟଜୀବୀ ପରିବାରଙ୍କ ଦାବି। ତେଣୁ ସେମାନେ ସେହି ପୁରୁଣା ଘରେ ହିଁ ଜାକିଜୁକି ହୋଇ ରହିବାକୁ ପସନ୍ଦ କରୁଛନ୍ତି।
ଗଞ୍ଜାମ ପୋଡମପେଟାରେ ବି ସମାନ ଅବସ୍ଥା। ଏପଟେ ରାମେୟାପାଟଣା ବାସିନ୍ଦାଙ୍କ ବହୁ ଦିନର ଦାବି, ସମୁଦ୍ର ଜୁଆରରୁ ସୁରକ୍ଷା ପାଇଁ ପ୍ରଶାସନ ଗାର୍ଡ ଓ୍ୱାଲ ନିର୍ମାଣ କରୁ ଲୋକଙ୍କ ଏ ଦାବି ଅନୁସାରେ ରାଜ୍ୟ ସରକାର ନିକଟରେ ୨୩ କୋଟି ବ୍ୟୟରେ ଏକ ଗାଡୱାଲ ନିର୍ମାଣ ପାଇଁ ଟେଣ୍ଡର କରିଛନ୍ତି। ତେବେ ଏହି କାମ କେବେ ଆରମ୍ଭ ହେବ, କେବେ ସରିବ, ତାକୁ ନେଇ ଆଶା ଆଶଙ୍କାରେ ଏଠାକାର ମତ୍ସ୍ୟଜୀବୀ ପରିବାର। ଏପଟେ କଣ ପାଇଁ ଦିନକୁ ଦିନ କରାଳ ହେଉଛି ସମୁଦ୍ରର ରୂପ, ଜନବସତି ଆଡ଼କୁ କାହିଁକି ମାଡ଼ି ଆସୁଛି, ସେ ସମ୍ପର୍କରେ ମତ ରଖିଛନ୍ତି ଭୂତତ୍ତ୍ୱବିତ।
ରିପୋର୍ଟ: ସିଲୁ ବିଶ୍ୱାଳ, ଜଗନ୍ନାଥ ସାହୁ ଓ ଅଶୋକ ବ୍ରହ୍ମା ଏବଂ ଦେବାଶିଷ ମହାନ୍ତି