ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ, ଅନୁମତି ଦେଇନଥିବା କହିଲା ASI

ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

Srimandir

ଖୋଲିଗଲା ରାଜ୍ୟ ସରକାରଙ୍କ ପୋଲ ! ଶ୍ରୀମନ୍ଦିର ୧୦୦ ମିଟର ପରିଧି ଭିତରେ ହେଉଥିବା ନିର୍ମାଣ କାର୍ଯ୍ୟ ପାଇଁ କୌଣସି ଅନୁମତି ଦେଇନଥିବା କହିଲା ଏଏସ୍‌ଆଇ । ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ଏଏସ୍‌ଆଇ ପକ୍ଷରୁ ଏଭଳି ସତ୍ୟପାଠ ଦାଖଲ କରାଯାଇଛି ।

ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ବେଳେ ASI ପକ୍ଷରୁ ଦାଖଲ ସତ୍ୟପାଠରେ ଏହା ସ୍ପଷ୍ଟ ଲେଖାଯାଇଛି । ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ଅନୁମତି ଦେଇନଥିବା ଜଣାଇଛି ASI । ଏହାସହ ASI ଠାରୁ ଅଧିକ ବିସ୍ତୃତ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ପ୍ରକଳ୍ପ ଯୋଗୁଁ ମନ୍ଦିରର କିଛି କ୍ଷତି ହୋଇଛି କି ନାହିଁ ସେନେଇ ଜଣାଇବାକୁ ନିର୍ଦ୍ଦେଶ ରହିଛି । ଏ ସଂପର୍କରେ ବିସ୍ତୃତ ଭାବେ ଜଣାଇବାକୁ ASIକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜୁନ୍ ୨୦ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରର ୧୦୦ ମିଟର ପରିଧି ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କାର୍ଯ୍ୟ ଚାଲିଛି । ୨୫ ରୁ ୩୦ ଫୁଟ୍‌ ପର୍ଯ୍ୟନ୍ତ ଖୋଳାଯାଇ ସେଠାରେ ନିର୍ମାଣ କାର୍ଯ୍ୟ ଚାଲିଛି । ଯାହାକୁ ବିଭିନ୍ନ ସଂଗଠନ ବିରୋଧ କରି ଆସୁଥିଲେ । ବିଜେପି ସାଂସଦ ଅପରାଜିତା ଷଢ଼ଙ୍ଗୀ ଏହାକୁ ତୀବ୍ର ବିରୋଧ କରିବା ସହ ସଂସଦରେ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ । ହେଲେ ସେଠାରେ ପୁରୀ ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ ଅନୁମତି ନିଆଯାଇଛି, କୌଣସି ବେଆଇନ୍‌ କାର୍ଯ୍ୟ ହେଉ ନାହିଁ ।

ତେବେ ଆଜି ଘଟଣା ପରେ ଜଣାପଡ଼ିଲା ଯେ, ଏଏସ୍‌ଆଇର ବିନା ଅନୁମତିରେ ନିର୍ମାଣ କାର୍ଯ୍ୟ ହେଉଛି । ଯାହାକି ବେଆଇନ୍‌ । ତେବେ ଏଏସ୍‌ଆଇ ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠ ପରେ, ରାଜ୍ୟ ସରକାରଙ୍କୁ ବଡ଼ ଝଟ୍‌କା ଲାଗିଛି ।