ସରକାରୀ ବାବୁଙ୍କ କରାମତି ! ପୋଖରୀ ଖୋଳିବା ନାଁରେ ଜମିରୁ ଉଠିଛି ମାତ୍ର ଫୁଟେ ମାଟି

ଚାଷୀଟିଏ ଚାଷ କରି କିଭଳି ଭଲ ଦି ପଇସା ରୋଜଗାର କରିପାରିବ ସେଥିପାଇଁ ସରକାରୀ ଯୋଜନାରେ ଖୋଳା ହେଉଛି ଫାର୍ମ ପଣ୍ଡ। ହେଲେ କେଇ ହାତ ଖୋଳି ଦେଇ ଟଙ୍କା ଖାଇ ଦେଉଛନ୍ତି ସରକାରୀ ବାବୁ।

ପୋ‌ଖରୀ ଖାଇଦେଲେ ସରକାରୀ ବାବୁ

ଚାଷ ଜମିରେ ଖୋଳା ହୋଇଛି ପୋଖରୀ। ଦୂରରୁ ପୋଖରୀ ଭଳି ଦିଶୁଥିଲେ ବି ପାଖକୁ ଗଲେ ଜଣାପଡ଼ୁଛି ଅସଲ କଥା । ପୋଖରୀ ଖୋଳିବା ନାଁରେ  ଜମିରୁ ମାତ୍ର ଫୁଟେ ମାଟି ଉଠିଛି । ନିୟମ ରହିଛି ୨୦ ମିଟର ଲମ୍ବ ଓ ୨୦ ମିଟର ଚଉଡା ସହ ୧୦ ଫୁଟ ଗଭୀରତାରେ ପୋଖରୀ ଖୋଳିବା କଥା । ମନରେଗା ଯୋଜନାରେ ଏଥି ପାଇଁ ୧ ଲକ୍ଷ ୮୫ ହଜାର ଟଙ୍କା ବି ମଂଜୁର ହୋଇଛି । ହେଲେ ପ୍ରକୃତରେ ସେଠାରେ ପୋଖରୀ ନ ଖୋଳି ଜମିରୁ ମାଟି ଉଠାଇ ଟଙ୍କା ଖାଇ ଦେଇଛନ୍ତି ସରକାରୀ ବାବୁ। ଏମିତି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ଶଙ୍କରପୁର ଗାଁରେ ।

ସରକାରୀ କାଗଜପତ୍ରରେ ସବୁ କିଛି ଲେଖା ରହିଛି। ଗାଁର ଲଳିତ ପଧାନଙ୍କ ନାମ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି । ଏହି ଫାର୍ମ ପୋଖରୀ ଖନନରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ୩୨ ହଜାର ୮୭୦ ଟଙ୍କା । ଏହାକୁ ଖନନ କରିବାକୁ ୧୦୯ ଜଣ ଶ୍ରମିକ ନିୟୋଜିତ ହୋଇଥିବା ବେଳେ ୬୪୨ ଶ୍ରମ ଦିବସ ସୃଷ୍ଟି ହୋଇଥିଲା । ହେଲେ ତାହା ନ ହୋଇ କାଗଜପତ୍ରରେ ପୋଖରୀ ଦେଖାଇ ଅର୍ଥ ଆତ୍ମସାତ କରାଯାଇଛି । କେବଳ ଲଳିତ ନୁହଁନ୍ତି, କଂଟାମାଳ ବ୍ଲକର ଅନେକ ହିତାଧିକାରୀଙ୍କ ଅବସ୍ଥା ସେଇଆ। ଶଙ୍କରପୁରର କୁଲମଣୀ କ୍ଷେତୀ, ରେଙ୍ଗାଲି ଗାଁର ବାବୁଲି ନାଗ, ମାଧ ସେଠୀଙ୍କ ଭଳି ଅନେକ ହିତାଧିକାରୀଙ୍କ ପୋଖରୀ ଅଧା ଖୋଳା ଅବସ୍ଥାରେ ପଡି ରହିଛି ।

ମନେରଗା ଯୋଜନାରେ ଫାର୍ମ ପଣ୍ଡ ଖୋଳିବାକୁ ଜଳଛାୟା ପ୍ରକଳ୍ପକୁ ଦାୟିତ୍ୱ ଦିଆଯାଇଥିବା ବେଳେ ବ୍ଲକ ଦାୟିତ୍ୱରେ ଥିବା ପିଆଇଓ ପ୍ରକଳ୍ପ ଖନନ ନାଁରେ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ତେବେ ବିନା କାମରେ ଟଙ୍କା ଉଠାଇଥିବା କଥାକୁ କଂଟାମାଳ ପିଆଇଓ ସ୍ୱୀକାର କରିବା ସହ ଖୁବଶିଘ୍ର ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରି ଦେବେ ବୋଲି କହିଛନ୍ତି।

ସୁବର୍ଣ୍ଣପୁରରୁ ରବୀନ୍ଦ୍ର ହୋତାଙ୍କ ରିପୋର୍ଟ