ସେ ଗୀତିନାଟ୍ୟର ସମ୍ରାଟ, ଓଡ଼ିଆ ସାହିତ୍ୟ ପାଇଁ ତାଙ୍କର ଜୀବନ ସମର୍ପିତ

ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି । ଓଡ଼ିଆ ସଂସ୍କୃତି, କଳା, ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ।

ଅବହେଳିତ ଅବସ୍ଥାରେ ସ୍ମୃତି

ସେ ଅନେକ ଗୀତିନାଟ୍ୟ ଲେଖିଛନ୍ତି । ନିଜର ପୁରା ଜୀବନ ଓଡ଼ିଆ ସାହିତ୍ୟ ପାଇଁ ସମର୍ପି ଦେଇଛନ୍ତି । ଓଡ଼ିଆ ସଂସ୍କୃତି, କଳା, ସାହିତ୍ୟକୁ ସେ ସମୃଦ୍ଧ କରିଛନ୍ତି । ଏକାଧାରରେ ସେ ଜଣେ କବି, ସାହିତ୍ୟିକ, ସଙ୍ଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଓ ନିପୁଣ କଳାକାର । ଗୀତିନାଟ୍ୟ ଜଗତର ଅପ୍ରତିଦ୍ୱନ୍ଦୀ ମୁକୁଟବିହୀନ ସମ୍ରାଟ ଗଣକବି ବୈଷ୍ଣବ ପାଣି ।

କଟକ ଜିଲ୍ଲା ମାହାଙ୍ଗାର କୋଠପଦା ଗାଁରେ ଜନ୍ମ ହୋଇଥିଲେ ଗଣକବି । ଏହିଠାରୁ ହିଁ ପ୍ରାଣ ପ୍ରତିଷ୍ଠା ହୋଇଥିଲା ଗୀତିନାଟ୍ୟର । ସେଠାରେ ଥିବା ଚାଳ ଘର ଏବେ ମଧ୍ୟ କବିଙ୍କ କଥା ମନେ ପକାଇ ଦିଏ । କବିଙ୍କ ସ୍ମୃତି କହିଲେ ଭଙ୍ଗା ଟିଣ ବାକ୍ସ ଭିତରେ ସାଇତା ହୋଇ ରଖା ଯାଇଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ।

ବାକ୍ସ ମଧ୍ୟରେ କବିଙ୍କ ଚଷମା, ଦୁଆତ, କଲମ, ମାଳି, ଚୌକି, ହ୍ବିସିଲ, ଚେୟାର ଆଉ ନିଜ ହାତଲେଖା ସେ ସମୟର କିଛି ପାଣ୍ଡୁଲିପି । ଏହି ସ୍ମୃତି ସବୁକୁ ସାଇତି ରଖିବା ପାଇଁ ପ୍ରଶାସନ କୌଣସି ପଦକ୍ଷେପ ନେଉ ନାହିଁ ବୋଲି ଅଭିଯୋଗ କରିଛନ୍ତି ଅଣନାତି ଚନ୍ଦ୍ରଭାନୁ ଆଚାର୍ଯ୍ୟ ।

ଗାଁରେ ବଳଦେବଜୀଉଙ୍କ ମଠ ରହିଛି । ସେଠାରୁ ହିଁ ଗୀତିନାଟ୍ୟର ଅୟମାରମ୍ଭ ହୋଇଥିଲା । କବିଙ୍କ ଅନେକ ସ୍ମୃତି ସମ୍ବଳିତ ରଘୁନାଥଜୀୟୁ ମଠ ଏବେବି ସେ ସମୟର କଥା ମନେ ପକାଇ ଦିଏ । 

ତେବେ ଏବେ ମଧ୍ୟ ଗାଁରେ ଅନେକ ଗୀତିନାଟ୍ୟ କଳାକାର ଅଛନ୍ତି । ଏବେବି ତାଙ୍କ ନିଖୁଣ ଅଭିନୟ ସାଙ୍ଗକୁ ସଂଳାପ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ । ହେଲେ ଆଜି ଯାଏଁ ସଂସ୍କୃତି ବିଭାଗ ଗୀତିନାଟ୍ୟ ଉପରେ ନଜର ପକାଇ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି ।