କାଉନସିଲର ହେବା ପରେ ବି ବେଉସା ଛାଡି ନାହାଁନ୍ତି , ରାଜନୀତିକୁ ନିଶା ଓ କୌଳିକ ବୃତ୍ତିକୁ ପେଶା କରିଛନ୍ତି ପ୍ରତାପ

ଏମିତି ଜଣେ ଲୋକ ପ୍ରତିନିଧି, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି। ଏବେ ରାଜନୀତିକୁ ନିଶା କରି କୌଳିକ ବୃତ୍ତିକୁ ପେଶା ଭାବେ ଆପଣେଇ ନେଇଛନ୍ତି ନୀଳଗିରିର ପ୍ରତାପ ସେଠୀ...

ଏମିତି ଜଣେ ଲୋକ ପ୍ରତିନିଧି, ଯିଏ କାଉନସିଲର ହେବା ପରେ ବି କୌଳିକ ବୃତ୍ତିକୁ ଛାଡି ନାହାଁନ୍ତି

ନୀଳଗିରି ଅଞ୍ଚଳର ନିଆରା କାଉନସିଲର ପ୍ରତାପ ସେଠୀ। ଯିଏ ରାଜନୀତି ନିଶାରେ ପଡିଛନ୍ତି ସତ। ହେଲେ କୌଳିକ ବୃତ୍ତିକୁ କେବେ ହେଲେ ଛାଡି ନାହାଁନ୍ତି। ଗତ ପୌର ନିର୍ବାଚନରେ ସ୍ୱାଧୀନ ଭାବରେ ଲଢି ପ୍ରତାପ ହୋଇଛନ୍ତି ନୀଳଗିରି ଏନଏସି ଛ ନମ୍ବର ୱାର୍ଡର କାଉନସିଲର। ହେଲେ ୨୨ ବର୍ଷ ହେବ ସେ ଲୋକଙ୍କୁ ଯେମିତି ଲଣ୍ଡ୍ରି ସେବା ହେଉଥିଲେ, ଆଜି ବି ସେମିତି ସେବା ଯୋଗାଇ ଆସୁଛନ୍ତି।

ଲୁଗାକୁ ନିଜେ ସଫା କରିଥାନ୍ତି ପ୍ରତାପ। ରଗଡିକି ଧୋଇବାଠାରୁ ଆରମ୍ଭ କରି ସୁଖାଇବା, ଆଇରନ ଦେବା ପର୍ଯ୍ୟନ୍ତ ସବୁ କିଛି ସରଧାରେ ପ୍ରତାପ କରିଥାନ୍ତି । ଦୀର୍ଘ ୨୨ ବର୍ଷ ହେବ ଏପରି ନିରନ୍ତର ସେବା ଯୋଗାଇ ଆସୁଥିବାରୁ ପ୍ରତାପଙ୍କୁ ଜନ ପ୍ରତିନିଧି ଭାବେ ବାଛିଛନ୍ତି ନୀଳଗିରି ଏନଏସି ଛ ନମ୍ବର ୱାର୍ଡର ଲୋକେ।

ନିର୍ବାଚନ ବେଳେ ଘରକୁ ଘର ବୁଲି ରାଜନୀତିରେ ସେବା ଯୋଗାଇବାକୁ ପ୍ରତିଶୁତି ଦେଇଥିଲେ ପ୍ରତାପ। ଜଣେ ମେଳାପୀ ବ୍ୟକ୍ତି ଭାବେ ଅଂଚଳରେ ପରିଚିତ ପ୍ରତାପ କାଉନସିଲର ହେବା ପରେ ଛ ନମ୍ବର ୱାର୍ଡରେ ଖୁସି ଖେଳି ଯାଇଛି। ଏବେ କୌଳିକ ବୃତ୍ତି ସହ ରାଜନୀତି ଜରିଆରେ ଲୋକଙ୍କୁ ସେବା ଯୋଗାଇବା ରାସ୍ତାରେ ପ୍ରତାପ ଆଗାଇ ଚାଲିଛନ୍ତି।

ପ୍ରତାପଙ୍କ ନିଜର ଘର ନୀଳଗିରି ଏନଏସିର ସାତ ନମ୍ବର ୱାର୍ଡରେ ହୋଇଥିଲେ ବି ବିଜେଡି-ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ସେ ଛଅ ନମ୍ୱର କାଉନସିଲର ଭାବେ ନିର୍ବାଚିତ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲା ନୀଳଗିରିରୁ ବିଶ୍ୱମ୍ୱର ଦାସଙ୍କ ରିପୋର୍ଟ