ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ତିଆରି ପାଇଁ କାହିଁକି ୪ଟି ଭେଣ୍ଡରଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର?

କର୍ପୋରେଟ୍ ପ୍ରୀତି ଯୋଗୁ ସରକାର ରାଜ୍ୟର ୨୦ ହଜାରରୁ ଅଧିକ ନମ୍ବର ପ୍ଲେଟ୍ ଓ ଷ୍ଟିକରିଂ ଆର୍ଟିଷ୍ଟଙ୍କ ପେଟକୁ ନାତ ମାରୁଛନ୍ତି। 

How to apply for HSRP in Odisha

୨୦୧୯ ମାର୍ଚ୍ଚ ୩୧ ପୂର୍ବରୁ ବିକ୍ରି ହୋଇଥିବା ସବୁ ଗାଡ଼ିର ବଦଳିବ ନମ୍ବର ପ୍ଲେଟ୍। ଏହା ବଦଳରେ ଲାଗିବ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଠିକ୍ ସମୟରେ ନ ବଦଳାଇ ଧରାପଡ଼ିଲେ ଗଣିବାକୁ ପଡ଼ିବ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ନିକଟରେ ଷ୍ଟେଟ୍ ଟ୍ରାନ୍ସପୋର୍ଟ ଅଥରିଟି ବା STAର ଏହି ନିର୍ଦ୍ଦେଶ ପରେ ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି HSRP ଆବେଦନ ପ୍ରକ୍ରିୟା। ଏଥିପାଇଁ କେମିତି ଓ କେଉଁଠି କରିବେ ଆବେଦନ? କଣ ସବୁ ଡକ୍ୟୁମେଣ୍ଟ ଆବଶ୍ୟକ? STAର କହିବା କଥା, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ଆବେଦନ ଲାଗି ସୋସାଇଟି ଅଫ୍ ଅଟୋମୋବାଇଲ୍ ମାନୁଫାକ୍ଚରର୍ସ ୱେବସାଇଟ ଯାଇ ଜଣେ ଏଥି ଲାଗି ଆବେଦନ କରିପାରିବ।

ଏଥିପାଇଁ SIAM A ୱେବସାଇଟ ଯାଇ ପ୍ରଥମେ BOOK HSRP ବଟନ୍‌ରେ କ୍ଲିକ୍ କରିବାକୁ ହେବ। ଏହାପରେ HSRP REGISTRATION ପେଜ୍‌ରେ ଆବେଦନକାରୀଙ୍କୁ ନିଜର ସବିଶେଷ ତଥ୍ୟ ଦାଖଲ କରିବାକୁ ପଡ଼ିବ। ତାପରେ ନିଜ ଯାନବାହନ ନିର୍ମାତା କମ୍ପାନି ଚୟନ କରି ଗ୍ରାହକ ପରବର୍ତ୍ତୀ ପେଜ୍‌ରେ ଗାଡ଼ି ନିର୍ମାଣକାରୀ କମ୍ପାନିର ନାମ, ରେଜିଷ୍ଟ୍ରେସନ ନମ୍ବର, ଚେସିସ୍ ନମ୍ବର, ଇଞ୍ଜିନ ନମ୍ବର ଦାଖଲ କରି ଗ୍ରାହକଙ୍କ ସହର ନାମ ଓ ନୂଆ ନମ୍ବର ପ୍ଲେଟ୍ ଅର୍ଡର କରିବାକୁ ଥିବା ଡିଲର ନାମ ଦାଖଲ କରିବେ। ଏସବୁ ତଥ୍ୟ ଠିକ୍ ରହିଛି କି ନାହିଁ, ତାହା ବାହନ ପୋର୍ଟାଲ ସହ ଭେରିଫାଏ ହେବ।

ସବୁ ତଥ୍ୟ ଠିକ୍ ଥିଲେ, ନୂଆ ନମ୍ବର ପ୍ଲେଟ୍ ପାଇଁ ଧାର୍ଯ୍ୟ ଅର୍ଥ ପେମେଣ୍ଟ କରି କେଉଁ ତାରିଖରେ ପ୍ଲେଟ୍ ଲାଗିବ ସେସମ୍ପର୍କିତ କନ୍ଫର୍ମେସନ୍ ସ୍ଲିପ୍ ମିଳିବ। ନିର୍ଦ୍ଧାରିତ ଦିନ ସଂପୃକ୍ତ ଡିଲରଙ୍କ ନିକଟରେ ଗ୍ରାହକ ନୂଆ ନମ୍ବର ଲଗାଇପାରିବେ। ତେବେ ଯେଉଁ ଗାଡ଼ିର ଟିକସ ଅପ୍-ଟୁ-ଡେଟ୍ ନ ଥିବ, ଫିଟନେସ୍ ନ ଥିବ କିମ୍ବା ବୈଧ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ନଥିବ, ସେସବୁ ଗାଡ଼ିର ନୂଆ ନମ୍ବର ପ୍ଲେଟ୍ ହୋଇପାରିବ ନାହିଁ।

ରାଜ୍ୟରେ ୨୦୧୯ ମସିହା ପୂର୍ବରୁ ପଞ୍ଜୀକରଣ ହୋଇଥିବା ପ୍ରାୟ ୪୦ରୁ ୫୦ ଲକ୍ଷ ଗାଡ଼ି ଅଛି। ଏସବୁ ପୁରୁଣା ନମ୍ବର ପ୍ଲେଟ୍‌କୁ ହାଇସିକ୍ୟୁରିଟି ପ୍ଲେଟରେ ବଦଳାଇବାକୁ ସରକାର ଗାଡ଼ି ଓନରଙ୍କୁ ପର୍ଯ୍ୟାୟକ୍ରମେ ଆସନ୍ତା ଡିସେମ୍ବର ୩୧ ଯାଏଁ ସମୟ ଦେଇଛନ୍ତି। ଏଥିପାଇଁ ରାଜ୍ୟରେ ୪ଟି ଭେଣ୍ଡରକୁ ନିଯୁକ୍ତ କରାଯାଇଛି। 

ଭେଣ୍ଡରଙ୍କ କହିବା କଥା, ଗ୍ରାହକ SIAM ୱେବସାଇଟ ଆବେଦନ କରିବା ପରେ ସେମାନଙ୍କୁ ଏହି ପ୍ଲେଟ୍ ତିଆରି ଲାଗି ଗାଡ଼ିର ମାନୁଫାକ୍ଚରିଂ କମ୍ପାନିଠାରୁ ଅର୍ଡର ଆସିଥାଏ। ଏହାପରେ ସେମାନେ ଲେଜର କୋଡିଂଯୁକ୍ତ ନମ୍ବର ପ୍ଲେଟ୍ ପ୍ରସ୍ତୁତ କରିଥାନ୍ତି। ଅପରପକ୍ଷରେ କେବଳ ୪ଟି ଭେଣ୍ଡରଙ୍କୁ ନମ୍ବର ପ୍ଲେଟ୍ ତିଆରିର ଦାୟିତ୍ୱ ଦେବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ରାଜ୍ୟର ନମ୍ବର ପ୍ଲେଟ୍ ଆର୍ଟିଷ୍ଟ। ସେମାନଙ୍କ କହିବା କଥା, କର୍ପୋରେଟ୍ ପ୍ରୀତି ଯୋଗୁ ସରକାର ରାଜ୍ୟର ୨୦ ହଜାରରୁ ଅଧିକ ନମ୍ବର ପ୍ଲେଟ୍ ଓ ଷ୍ଟିକରିଂ ଆର୍ଟିଷ୍ଟଙ୍କ ପେଟକୁ ନାତ ମାରୁଛନ୍ତି। 

ପ୍ରଶ୍ନ ଉଠୁଛି, ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ତିଆରି ପାଇଁ କାହିଁକି କେବଳ ୪ଟି ଭେଣ୍ଡରଙ୍କୁ ଦାୟିତ୍ୱ ଦେଲେ ରାଜ୍ୟ ସରକାର? ନମ୍ବର ପ୍ଲେଟ୍ ଷ୍ଟିକରିଂ କି ଗୁଜରାଣ ମେଣ୍ଟାଉଥିବା ୨୦ ହଜାର ଆର୍ଟିଷ୍ଟ ପରିବାରଙ୍କ ପାଇଁ କି ପଦକ୍ଷେପ ନେବେ, ତାହା ଦେଖିବାକୁ ବାକି ରହିଲା।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ