ବୋମାର ଇତିହାସ ସମ୍ପର୍କୀତ ତଥ୍ୟ . . .

ଏକାଦଶ ଶତାବ୍ଦୀରୁ ପୃଥିବୀରେ ବୋମାର ବ୍ୟବହାର ଆରମ୍ଭ ହୋଇଛି

ବୋମା ଇତିହାସ . . .

 ବୋମା । ବୋମାର ନାଁ ଶୁଣିଲେ ଥରି ଛାତି ଉଠେ । ବିଶ୍ୱରେ ହିଂସା ବୃଦ୍ଧି ପାଉଥିବା ବେଳେ ଏବେ ବୋମାମାଡର ଖବର ସବୁବେଳେ ଶୁଣିବାକୁ ମିଳୁଛି । କିନ୍ତୁ ଏ ବୋମାର ଇତିହାସ ଖୁବ ପୁରୁଣା । ବର୍ତ୍ତମାନ ସମୟରେ ବୋମାର ବ୍ୟବାହାର ବଢ଼ିଛି । ଆଜିର ଆଧୁନିକ ଯୁଗରେ ବୋମା ତିଆରି ଶୈଳୀ ବିକଶିତ ହେବାରେ ଲାଗିଛି । ଅନେକ ଦେଶ ବୋମା ପ୍ରସ୍ତୁତି ରେସ୍‍ରେ ଆଗରେ ରହିବାକୁ ପ୍ରଚେଷ୍ଟା ଜାରି ରଖିଛନ୍ତି । କେବେଠୁ ବୋମାର ପ୍ରସ୍ତୁତି ଆରମ୍ଭ ହୋଇଛି ଏବଂ ଏହାର ବ୍ୟବହାର କେବେ ଆରମ୍ଭ ହୋଇଥିଲା ?

ବୋମାର ଇତିହାସ ସମ୍ପର୍କରେ

ବୋମାର ଇତିହାସ ଖୁବ ଲମ୍ୱା । ଏକାଦଶ ଶତାବ୍ଦୀରୁ ପୃଥିବୀରେ ବୋମାର ବ୍ୟବହାର ଆରମ୍ଭ ହୋଇଛି । କିନ୍ତୁ ୧୯୧୧ରେ ଲିବିୟାରେ ବୋମାମାଡ ହେବା ପୂର୍ବରୁ ବଡ଼ ଧରଣର ଆକ୍ରମଣ ସମ୍ପର୍କରେ କୌଶସି ରେକର୍ଡ ମିଳିନାହିଁ । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଆକାଶମାର୍ଗରୁ କେତେକାଂଶରେ ବୋମାବର୍ଷଣ ହୋଇଥିଲା । କାରଣ ସେପର୍ଯ୍ୟନ୍ତ ବିମାନ ଏତେ ବିକଶିତ ହୋଇନଥିଲା ।

ତେଣୁ ଏଭଳି ଆକ୍ରମଣ ଖୁବ କମ୍‍ ଦେଖିବାକୁ ମିଳିଥିଲା । ତେବେ ୧୯୩୭ ବେଳକୁ ବଦଳିଯାଇଥିଲା ଚିତ୍ର । ସେହିବର୍ଷ ଗୁଏର୍‍ନିକା ଉପରେ ଜର୍ମାନୀ ଏବଂ ଇଟାଲିର ବିମାନ ବୋମା ପକାଇଥିଲେ । ବୋମାମାଡ଼ରେ ଛାରଖାର ହୋଇଯାଇଥିଲା ଏହି ସହର । ଯାହାକୁ ନେଇ ସାରା ବିଶ୍ୱରେ ଉଦବେଗ୍‍ ପ୍ରକାଶ ପାଇଥିଲା । ପରେ ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଅଧିକ ଶକ୍ତିଶାଳୀ ବୋମା ବିକଶିତ ହେଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ରିଟେନ୍‍ ବିରୁଦ୍ଧରେ ବମିଂ କ୍ୟାମ୍ପେନ୍‍ ବା ବୋମା ଅଭିଯାନ ଚଳାଇଥିଲା ଜର୍ମାନୀ ।

ଏହାର ନାଁ ଥିଲା "ଦ ବ୍ଲିଜ୍‍' । ଏଥିରେ "ଏସ୍‍ସି-୨୫୦' ବୋମା ବ୍ୟବହାର କରିଥିଲା ଜର୍ମାନୀ ବାୟୁସେନା । ସେପଟେ ଏହାର ଜବାବରେ ବ୍ରିଟେନ୍‍ ବ୍ଲକ୍‍ବଷ୍ଟର ବୋମାର ବ୍ୟବହାର କରିଥିଲା । ବ୍ଲିଜ୍‍ ଅଭିଯାନରେ ୨୯ ହଜାର ଟନ୍‍ ବୋମା ପକାଯାଇଥିଲା । ଯେଉଁଥିରେ ପ୍ରାଣ ହରାଇଥିଲେ ୪୩ ହଜାର ୫୦୦ ଲୋକ ।

ସେହିଭଳି ମିତ୍ର ରାଷ୍ଟ୍ରଙ୍କ ବୋମାମାଡରେ କେବଳ ସ୍ପେନର ୮୦ ହଜାର ଲୋକଙ୍କ ଜୀବନ ଯାଇଥିଲା । ବୋମାମାଡର ଭୟାବହତା ଏତେ ଅଧିକ ଥିଲା ଯେ, ଏଥିରୁ ବର୍ତ୍ତିଯାଇଥିବା ଲୋକେ ଅନେକ ଦିନ ରାତିରେ ଶୋଇପାରିନଥିଲେ । ଭୟରେ ସେମାନଙ୍କୁ ରାତିରେ ନିଦ ହେଉନଥିଲା ବୋଲି କିଛି ପ୍ରତ୍ୟେକ୍ଷଦର୍ଶୀ କୁହନ୍ତି । ଯେଉଁ ସ୍ଥାନରେ ବୋମାମାଡ ହୁଏ, ସେହି ସ୍ଥାନର ଚିତ୍ର ବିଲକୁଲ ବଦଳିଯାଏ । ଆଉ ଏଥିରୁ ବାଦ ପଡ଼ିନଥିଲା ବ୍ରିଟେନ୍‍ର କୋଭେନଟ୍ରି ସହର । ସବୁ କିଛି ଛାରଖାର ହୋଇଯାଇଥିଲା ଏଠାରେ । ସେହିଭଳି ଧ୍ୱଂସସ୍ତୁନ ପାଲଟିଥିଲା ଜର୍ମାନୀର ଡ୍ରେସଡେନ୍‍ ସହର । ଏହି ସହରରେ ୩ ବର୍ଷରେ ୪ ହଜାର ଟନ୍‍ ବୋମାମାଡ଼ ହୋଇଥିଲା ।

ସେପଟେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା, ସୋଭିଏତ ଋଷ ଏବଂ ଜର୍ମାନୀ ମଧ୍ୟରେ ପରମାଣୁ ବୋମା ତିଆରିକୁ ନେଇ ପ୍ରତେଯୋଗୀତା ଆରମ୍ଭ ହୋଇଯାଇଥିଲା । ସେତେବେଳେ ପରମାଣୁ ବୋମା ତିଆରି କରିବା ଥିଲା ବୈଜ୍ଞାନିକଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ।

୧୯୪୫ରେ ଯେତେବେଳେ ଆମେରିକା ହିରୋସୀମା ଏବଂ ନାଗାସାକୀ ଉପରେ ପରମାଣୁ ବୋମା ପକାଇଥିଲା, ସେବେ ଲକ୍ଷାଧିକ ଲୋକଙ୍କ ଜୀବନ ଚାଲିଯାଇଥିଲା । ରେଡିଏସନ୍‍ରେ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ । ତେବେ ଏହି ବୋମା ପକାଇବା ପୂର୍ବରୁ ଏହାର ପରିଣାମ କଣ ସେନେଇ କାହାକୁ କିଛି ଜଣାନଥିଲା । ସେପଟେ ପରମାଣୁ ବୋମା ପାଇଁ ଦ୍ୱିତୀୟ ବିଶ୍ୱଯୁଦ୍ଧ ବନ୍ଦ ହେଲା କି ? ଏହାକୁ ନେଇ ଏବେ ବି ବିବାଦ ଲାଗିରହିଛି ।

ଏବେ ବିଶ୍ୱରେ ଦିନକୁ ଦିନ ପରମାଣୁ ବୋମାର ଭୟ ବଢ଼ିଚାଲିଛି । ଯଦିଓ ୧୯୪୫ ପରେ ପରମାଣୁ ବୋମାର ବ୍ୟବହାର ହୋଇନାହିଁ, ତଥାପି ବିଶ୍ୱର ଅନେକ ଦେଶ ଏହାକୁ ବିକଶିତ କରୁଛନ୍ତି । ଏବେ ଏଭଳି କିଛି କିଛି ନ୍ୟୁକ୍ଲିୟର ୱାରହେଡ୍‍ ରହିଛି, ଯାହାକି ହିରୋସୀମାରେ ପଡ଼ିଥିବା ପରାମାଣୁ ବୋମା ଠାରୁ ୩୦୦ ଗୁଣ ଅଧିକ ଶକ୍ତିଶାଳୀ ।

ଅନ୍ୟପଟେ ଦକ୍ଷିଣ ପୂର୍ବ ଏସିଆରେ ଅବସ୍ଥିତ ଦେଶ ଲାଓସ୍‍ରେ ସବୁଠୁ ଅଧିକ ସଂଖ୍ୟକ ବୋମା ଥିବା ଚର୍ଚ୍ଚା ହେଉଛି । ନିଜ ଦେଶର ଲୋକସଂଖ୍ୟା ତୁଳନାରେ ଅଧିକ ବୋମା ରହିଛି ଲାଓସ୍‍ରେ । ଭିଏତନାମ ଯୁଦ୍ଧ ସମୟରେ ଆମେରିକା ଲାଓସ୍‍ ଆକାଶରୁ ନିଜର ମିଶନ୍‍ ଆରମ୍ଭ କରିଥିଲା । ଏହି ସମୟରେ ୨୦ ଲକ୍ଷ ବୋମାମାଡ଼ ହୋଇଥିଲା । ଏହାର ଅର୍ଥ ଜନସଂଖ୍ୟା ତୁଳନାରେ ପ୍ରତି ବ୍ୟକ୍ତିଙ୍କ ଉପରେ ପାଖାପାଖି ଅଧ ଟନ୍‍ ବୋମା ପକାଯାଇଥିଲା ।

ତେବେ ବୋମାର ଚର୍ଚ୍ଚା ସମୟରେ ଦେଶୀ ବମ୍‍ର ବିପଦକୁ ଏଡାଇ ଦିଆଯାଇନପାରେ । ଘରେ ତିଆରି ହେଉଥିବା ବୋମାର ଭୟ ୧୯୯୯ରେ ସୋହୋ ଏବଂ ଲଠନର କିଛି ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଏହା ବ୍ୟତୀତ ବର୍ତ୍ତମାନ ସମୟରେ ସୁଇସାଇଡ୍‍ ବମିଂ ବା ଆତ୍ମଘାତୀ ବିସ୍ଫୋରଣର ଆତଙ୍କ ଦେଖିବାକୁ ମିଳୁଛି । ସେହିଭଳି ଯୁଦ୍ଧରେ ଡ୍ରୋନ୍‍ ଆକ୍ରମଣ ହେଉଛି ।

ଡ୍ରୋନ୍‍କୁ ଶୀଘ୍ର ଚିହ୍ନଟ କରିବା ସମ୍ଭବ ହେଉନଥିବା ବେଳେ ଏହା ଖୁବଶୀଘ୍ର ନିଜ ଟାର୍ଗଟେକୁ ଧ୍ୱଂସ କରିବାରେ ସକ୍ଷମ ହୋଇପାରୁଛି । ତେବେ ଦିନକୁ ଦିନ ଅଧିକରୁ ଅଧିକ ବୋମା ବିକଶିତ ହୋଇଚାଲୁଥିବା ବେଳେ ମଣିଷ ଏବଂ ସମାଜର ଭବିଷ୍ୟତ ପ୍ରତି ବିପଦ ଆଶଙ୍କ । ବୃଦ୍ଧି ପାଉଛି । ସେପଟେ ୟୁକ୍ରେନ୍‍ରେ ବୋମାର ଭୟବହତାର ଚିତ୍ର ଦେଖିବାକୁ ମିଳୁଛି । ବହୁ ସହର ଧ୍ୱଂସ ହୋଇଯାଉଥିବା ବେଳେ ଅନେକ ଲୋକଙ୍କ ଜୀବନ ଚାଲିଯାଉଛି ।