ମହଙ୍ଗା ପଡ଼ିଲା କି ନବୀନଙ୍କୁ ପ୍ରଶଂସା?

ବିଜେଡିର ସମ୍ବଳ ଯେଭଳି କର୍ମୀ ଓ ଲୋକଙ୍କ ନିକଟରେ ପହଞ୍ଚୁଛି, ସେମିତି ବିଜେପିର ସମ୍ବଳ ଲୋକଙ୍କ ନିକଟରେ ପହଞ୍ଚୁଛି ତ?

Senior Journalist Sandeep Mishra

ଚଳିତ ପଞ୍ଚାୟତ ନିର୍ବାଚନରେ ବିରୋଧୀଙ୍କ ଶୋଚନୀୟ ପରାଜୟ ଓ ଆଗାମୀ ପୌର ନିର୍ବାଚନ କେମିତି ରହିବ ବିଭିନ୍ନ ଦଳର ଋଣନୀତି, ଏନେଇ ବିସ୍ତୁତ ଭାବରେ କହିଛନ୍ତି ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର। OTVର Foresight2022 କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ ଗଭର୍ଣ୍ଣାସ୍‌ ଓ ନିର୍ବାଚନ ପରିଚାଳନା ଦୁଇଠି ଭିନ୍ନ କାର୍ଯ୍ୟ। ବିଜୁ ଜନତା ଦଳର ନିର୍ବାଚନ ପରିଚାଳନା ଅନ୍ୟ ଦଳ ଠାରୁ ଦକ୍ଷ। ରାଜ୍ୟସ୍ତରରେ ବିରୋଧୀମାନେ ଠିକ୍‌ ପ୍ରସଙ୍ଗ ଉଠାଉନାହାନ୍ତି, ନଚେତ୍ ଭୋଟର୍‌ଙ୍କୁ ଠିକ୍ ଭାବେ ବୁଝାଇବାରେ ଅସମର୍ଥ ହେଉଛନ୍ତି। ନିର୍ବାଚନ ପରିଚାଳନା ଠିକ୍‌ ଭାବେ ନହେବା ଏହାର ଆଉ ଏକ କାରଣ ହୋଇପାରେ। ସବୁଠାରୁ ବଡ଼ କଥା ହେଲା, ବିଜେଡିର ସମ୍ବଳ ଯେଭଳି କର୍ମୀ ଓ ଲୋକଙ୍କ ନିକଟରେ ପହଞ୍ଚୁଛି, ସେମିତି ବିଜେପିର ସମ୍ବଳ ଲୋକଙ୍କ ନିକଟରେ ପହଞ୍ଚୁଛି ତ?

ସେହିପରି ୭୦ ପ୍ରତିଶତ ସରକାରୀ ଅଫିସର ଇଲେକ୍ସନ୍‌ ମ୍ୟାନେଜ ନେଇ ବିଜେପି ନେତାଙ୍କ ଅଭିଯୋଗ ଉପରେ ସେ କହିଛନ୍ତି ଯେ ଏହି ଅଭିଯୋଗର ସତ୍ୟତାକୁ ପ୍ରଥମେ ପ୍ରମାଣ କରିବା ଦରକାର। କିନ୍ତୁ ଅନେକ ସରକାରୀ କର୍ମଚାରୀ ବିଜେଡି ଦଳର ଆଦର୍ଶ ସହ ଅନୁପ୍ରାଣିତ ହେଉଛନ୍ତି। ସେମାନେ ନିଜକୁ ବିଜୁ ଜନତା ଦଳ ଭାବିଲେଣି। 

ସେ ଆହୁରି କହିଛନ୍ତି ଯେ ଏଠାରେ ଖଣି ପ୍ରସଙ୍ଗରେ ହଜାର ହଜାର କୋଟିର ସ୍କାମ୍‌ ହୋଇଥିବା ପ୍ରସଙ୍ଗ ଉଠିଲା। ଗରିବ ଆଦିବୀସୀଙ୍କ ଜମି ହଡ଼ପ ପ୍ରସଙ୍ଗ ଉଠିଲା। ଜଙ୍ଗଲ ଜମି ସହ ଜୀବିକା ଚାଲିଗଲା ବୋଲି ଅଭିଯୋଗ ହେଲା। ଏବେ ବି ମାଇନିଂ ସ୍କାମ୍‌ ନେଇ ଅଭିଯୋଗ ହେଉଛି। କିନ୍ତୁ ଅପରପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଖଣି କ୍ଷେତ୍ରରେ ସଂସ୍କାର ନେଇ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କଲେ। ଓଡ଼ିଶାରେ ୨୫ ପ୍ରତିଶତ ଆଦିବାସୀଙ୍କ ପାଇଁ ଥିବା ଯୋଜନା କେତେ ଫଳପ୍ରଦ ହୋଇଛି, ତାହା ଉପରେ ପ୍ରସଙ୍ଗ ହେଉଛି କି, ତାହା ଦେଖିବା ଦରକାର।

ପୌର ନିର୍ବାଚନକୁ ନେଇ ସେ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନକୁ ପୌର ନିର୍ବାଚନ ସହ ତୁଳନା କରିବା ଠିକ୍‌ ହେବନି। ପୌରଞ୍ଚଳରେ ଅନେକ ସ୍ଥାନରେ ବିଜେପିର ସପୋର୍ଟ ରହିଛି କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ବିଜେପି ଉପରେ ନକରାତ୍ମକ ପ୍ରଭାବ ପଡ଼ିଛି। ଏଥିରେ ନେତା ଓ କର୍ମୀମାନେ ନିରୁତ୍ସାହିତ ହୋଇଛନ୍ତି। ସମୟ କମ୍ ଦିନ ରହିଲା। ଯଦି ବିଜେପି ଏଥିରେ ଅଧକ ଫୋକସ୍‌ ନଦେବେ, ତାହାହେଲେ ବିଜେଡି ପଲା ଅଧିକ ଭାରୀ ରହିବ।