Advertisment

ଚାରିଆଡେ ପାଣି, ୪ ଜିଲ୍ଲାକୁ ସଜାଗ କରିଛନ୍ତି SRC

ମହାନଦୀର ମଚ୍ଛୁଳା ପାଣି ଉଗ୍ର ରୂପ ଧରି ମାଡ଼ି ଆସୁଥିବାରୁ ମହାନଦୀର ଏ କରାଳ ରୂପକୁ ଦେଖି ଆତଙ୍କିତ ହୋଇପଡିଛନ୍ତି ନଈକୂଳିଆବାସୀ। ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍ ଖୋଲା ଯିବା ପରେ ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧରଣର ବନ୍ୟା ସ୍ଥିତି।

A moderate flood has occurred in the Mahanadi

A moderate flood has occurred in the Mahanadi

Advertisment

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଦେଖାଦେଇଛି। ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା, ତା’ ସାଙ୍ଗକୁ ହୀରାକୁଦର ୩୪ଟି ଗେଟ୍ ଦେଇ ବନ୍ୟା ପାଣି ଛଡ଼ା ଯାଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଆଜିଠାରୁ ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୁଳ ଓ କଟକ ଜିଲ୍ଲାରେ ଦେଖିବାକୁ ମିଳିଲାଣି। ଅନେକ ସ୍ଥାନରେ ଯୋଗାଯୋଗ ବିଛିନ୍ନ ହୋଇଥିବା ବେଳେ ବହୁ ସ୍ଥାନରେ ଲୋକମାନେ ପାଣି ଘେରରେ ରହିଛନ୍ତି। ସେପଟେ ଆସନ୍ତାକାଲି ସଂଧ୍ୟାରେ ମୁଣ୍ଡଳୀରେ ୧୧ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବାକୁ ଥିବାରୁ ୪ ଜିଲ୍ଲା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାକୁ ସଜାଗ କରିଛନ୍ତି SRC ପ୍ରଦୀପ ଜେନା। ଏସବୁ ଜିଲ୍ଲାକୁ ଓଡ୍ରାଫ୍, ଏନ୍‌ଡିଏଆରଏଫ୍ ଓ ଅଗ୍ନିଶମ ଟିମ୍ ପଠାଯାଇଛି।

Advertisment

ମହାନଦୀର ମଚ୍ଛୁଳା ପାଣି ଉଗ୍ର ରୂପ ଧରି ମାଡ଼ି ଆସୁଥିବାରୁ ମହାନଦୀର ଏ କରାଳ ରୂପକୁ ଦେଖି ଆତଙ୍କିତ ହୋଇପଡିଛନ୍ତି ନଈକୂଳିଆବାସୀ। ଛତିଶଗଡ଼ ଓ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରୁ ୩୪ଟି ଗେଟ୍ ଖୋଲା ଯିବା ପରେ ମହାନଦୀରେ ସୃଷ୍ଟି ହୋଇଛି ମଧ୍ୟମ ଧରଣର ବନ୍ୟା ସ୍ଥିତି। ମହାନଦୀର ପଛୁଆ ପାଣିରେ ଉବୁଟୁବୁ ହେଉହି ବରଗଡ଼ ଜିଲ୍ଲା। ଅମ୍ବାଭୋନା ବ୍ଲକର ଚିଖିଲି, ଅନ୍ତରାଡି, ଘୁଘୁରାପାଲି ଆଦି ଗାଁରେ ବନ୍ୟା ପାଣି ପଶି ଗାଁ ଦାଣ୍ଡରେ ପାଣିର ସୁଅ ଛୁଟିବା ସହ ଘରେ ବି ପଶିଛି। ଜଳମଗ୍ନ ହୋଇଛି ହଜାର ହଜାର ହେକ୍ଟର ଚାଷ ଜମି।

ସେହିପରି ମଧ୍ୟ ସମ୍ବଲପୁର ସହରର ଦୃଶ୍ୟ। ତଳିଆ ଅଞ୍ଚଳରେ ପାଣି ପଶିବା ପରେ ସେଠାରୁ ବିପନ୍ନଙ୍କୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ୭ଟି ରିଲିଫ୍ କ୍ୟାମ୍ପ୍‌ରେ ରଖାଯାଇଛି। ବଡ଼ ବଡ଼ ପମ୍ପ୍ ଲଗାଇ ପାଣି ନିଷ୍କାସନ କରାଯାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ବି ବନ୍ୟା ସ୍ଥିତି ଦେଖାଦେଇଛି। ବିନିକା ସହରର ଗୁଲାପଡ଼ାରେ ବଢ଼ି ପାଣି ପଶିଥିବାରୁ ହେର ହେର ଚାଷ ଜମି ବୁଡ଼ିଯାଇଛି।

Advertisment

ଗୁଲାପଡ଼ାରୁ ବିନିକା ଟାଉନ୍‌କୁ ସଂଯୋଗ କରୁଥିବା ରାସ୍ତା ବୁଡ଼ିଯିବା ପରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଠିକ୍ ସେଇଭଳି ମାଳତୀ ଯୋର ସେତୁ ଉପରେ ପାଣି ବଢ଼ିବା ଯୋଗୁଁ ସୋନପୁର ଓ ସମ୍ବଲପୁର ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇଛି। ବୀରମହାରାଜପୁର-ଅମରପାଲି ରାସ୍ତାର ଘୁଂଘିଯୋର ରାସ୍ତା ଉପରେ ୪ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଥିବାବେଳେ ବିଜେପୁର ସେତୁ ଉପରେ ମଧ୍ୟ ବନ୍ୟା ପାଣି ଚାଲିଛି। ଫଳରେ ବୀରମହାରାଜପୁରରୁ ବିଜେପୁର ଦେଇ ସୋନପୁରକୁ ଯୋଗାଯୋଗ ବିଛିନ୍ନ ହୋଇଛି।

ଏଣେ ବୌଦ୍ଧ ଜିଲ୍ଲାର ଜଗନ୍ନାଥ ସଡକ ଉପରେ ପ୍ରାୟ ୮ ଫୁଟର ବନ୍ୟାପାଣି ଚାଲିଛି। ତା’ସହ ବୁଡିଯାଇଛି ଧଳପୁର-ଆଠମଲ୍ଲିକ ସେତୁ ପାଇଁ ହୋଇଥିବା ଠିକା ସଂସ୍ଥାର କ୍ୟାମ୍ପ୍‌ ଅଫିସ୍। ସେପଟେ ହରଭଙ୍ଗା ବ୍ଲକ୍‌ରେ ମହାନଦୀର ବଢ଼ି ପାଣି ପଶିବା ଫଳରେ ଅନେକ ଗାଁ ପ୍ରଭାବିତ ହୋଇଛି। ବୌଦ୍ଧ-ହରଭଙ୍ଗା ମଧ୍ୟ ପ୍ରଭାବିତ ହୋଇଛି ଯାତାୟତା।

Advertisment

ସମଦଶା ମଧ୍ୟ ଦେଖାଦେଇଛି କଟକ ବଡ଼ମ୍ବାର ଭଟ୍ଟାରିକା ପୀଠ। ମହାନଦୀ କୂଳରେ ଅବସ୍ଥିତ ମାଆଙ୍କ ମନ୍ଦିରରେ ବନ୍ୟା ପାଣି ପଶିଛି। ଫଳରେ ଠାକୁରାଣୀଙ୍କୁ ସ୍ଥାନାନ୍ତର କରିବାକୁ ପଡ଼ିଛି। ଏହା ସହ ବାଙ୍କୀର ଅନେକ ଅଂଚଳ ମଧ୍ୟ ପ୍ରଭାବିତ ହୋଇଛି।

ସେପଟେ ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ପାଇଁ ଏସ୍ଆର୍‌ସିଙ୍କ ପକ୍ଷରୁ ଆଜି ସମୀକ୍ଷା କରାଯାଇଛି। ସୂଚନା ଅନୁସାରେ ଆସନ୍ତାକାଲି ସଂଧ୍ୟାରେ କଟକ ମୁଣ୍ଡଳୀରେ ୧୧ ଲକ୍ଷ କ୍ୟୁସେକ୍ ପାଣି ପାସ୍ କରିବ। ଏଥିଯୋଗୁଁ ୪ ଜିଲ୍ଲା- ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ମଧ୍ୟମ ଧରଣର ବନ୍ୟା ସ୍ଥିତି ଉପୁଜିବା ଆଶଙ୍କା କରାଯାଉଛି।

ଏହାର ମୁକାବିଲା ଲାଗି ଓଡ୍ରାଫ୍‌ର ୭ଟି, ଏନ୍‌ଡିଏଆର୍‌ଏଫ୍‌ର ୩ଟି ଓ ଅଗ୍ନିଶମ ବିଭାଗର ୧୨ଟି ଟିମ୍ ପଠାଯାଇଥିବା ଏସ୍ଆର୍‌ସି ସୂଚନା ଦେଇଛନ୍ତି। ହୀରାକୁଦ ଡ୍ୟାମ୍‌ର ୩୪ଟି ଗେଟ୍ ଖୋଲାଯାଇଥିବା ବେଳେ ଏବେ ଆଉ ଅଧିକ ଗେଟ୍ ଖୋଲାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆବଶ୍ୟକ ପଡ଼ିଲେ ତଳି ଅଞ୍ଚଳର ଲୋକଙ୍କୁ ସ୍ଥାନ୍ତାନର କରାଯିବ। ଅପରାହ୍ଣରେ ଜଳସଂପଦ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ସମ୍ଭାବ୍ୟ ବନ୍ୟା ପରସ୍ଥିତିର ସମୀକ୍ଷା କରିଥିଲେ।

ପ୍ରକାଶଥାଉ ଯେ ଆସନ୍ତାକାଲି ପିକ୍ ଫ୍ଲଡ୍ ମୁଣ୍ଡଳିରେ ପାସ୍ କରିବ। ଏହି ସମୟ ମଧ୍ୟରେ ଯଦି ପ୍ରବଳ ବର୍ଷା ହୁଏ ତେବେ ବନ୍ୟା ସ୍ଥିତି ଗୁରୁତର ହେବାର ଆଶଙ୍କା ରହିଛି।

Odisha News Heavy Rainfall Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ