ଭାରତୀୟ କଥା ସାହିତ୍ୟର ପ୍ରମୁଖ ପୁରୋଧା ଥିଲେ ମନୋଜ ଦାସ

ଆଜି କିମ୍ବଦନ୍ତୀ ସାରସ୍ୱତ ସାଧକ ମନୋଜ ଦାସଙ୍କ ପୁଣ୍ୟତିଥି। ଓଡ଼ିଆ ସାହିତ୍ୟକୁ ଅବଦାନ ପାଇଁ ତାଙ୍କୁ ଓଡ଼ିଶାର ‘ବିଷ୍ଣୁ ଶର୍ମା’ ବୋଲି କୁହାଯାଏ। ସେ ଥିଲେ ସମକାଳୀନ ଭାରତୀୟ କଥା ସାହିତ୍ୟ କ୍ଷେତ୍ରରେ ପ୍ରାଚୀନ ପରମ୍ପରାର ନବୀନତମ ଉନ୍ମାଦନା। ଆସନ୍ତୁ ତାଙ୍କ ଜୀବନୀ ଉପରେ ନଜର ପକେଇନେବା।

ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା ଥିଲେ ମନୋଜ ଦାସ

ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଦ୍ୱିଭାଷୀ ଲେଖକ ଭାବେ ସୁପ୍ରତିଷ୍ଠିତ, ପଦ୍ମଭୂଷଣରେ ସମ୍ମାନିତ ମନୋଜ ଦାସଙ୍କ ଆଜି ପୁଣ୍ୟତିଥି। ସେ ଥିଲେ ସମକାଳୀନ ଭାରତୀୟ କଥାସାହିତ୍ୟ କ୍ଷେତ୍ରରେ ପ୍ରାଚୀନ ପରମ୍ପରାର ନବୀନତମ ଉନ୍ମାଦନା ତଥା ଭାରତୀୟ ଜନ ଜୀବନର ରୂପକାର।

୧୯୭୧ ମସିହାରେ ପ୍ରକାଶିତ ତାଙ୍କର ଗଳ୍ପଗ୍ରନ୍ଥ ‘କଥା ଓ କାହାଣୀ’ ପ୍ରଥମ ଓଡିଆ ଗଳ୍ପ ସଂକଳନ ଭାବେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ଲାଭ କରିଥିଲା।

ଓଡିଆ ସାହିତ୍ୟ କ୍ଷେତ୍ରରେ ସବୁଠୁ ଜନପ୍ରିୟ ଲେଖକ ଭାବେ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ମନୋଜ ଦାସ ଗଳ୍ପ, କବିତା, ପ୍ରବନ୍ଧ, ଉପନ୍ୟାସ, ରମ୍ୟ ରଚନା, ଭ୍ରମଣ କାହାଣୀ, ସ୍ମୃତିକଥା, ଜୀବନଚରିତ, ଶିଶୁ-କିଶୋର ସାହିତ୍ୟ, ତଥା ଆଧ୍ୟାତ୍ମିକ ରଚନା କ୍ଷେତ୍ରରେ ଥିଲେ ସିଦ୍ଧହସ୍ତ। ସେ ସାହିତ୍ୟର କୌଣସି ଦିଗକୁ ହାତ ଛଡା କରିନାହାନ୍ତି। ଆଜି ତାଙ୍କ ୨ୟ ପୁଣ୍ୟତିଥି ଅବସରରେ ଆସନ୍ତୁ ତାଙ୍କ ଜୀବନୀ ଉପରେ ସମ୍ୟକ ନଜର ପକେଇନେବା।

ଅଧିକ ପଢ଼ନ୍ତୁ: ଓଡିଆ ଭାଷାର ପ୍ରାଣ ପ୍ରତିଷ୍ଠାତା ମଧୁସୂଦନ ରାଓ; ଭାଷାର ବିକାଶ ନେଇ ଲେଖିଥିଲେ ପ୍ରଥମ ପୁସ୍ତକ

ପିଲାଦିନ:

ମନୋଜ ଦାସ ବାଲେଶ୍ୱର ଜିଲ୍ଲାର ଶଙ୍ଖାରି ଗ୍ରାମରେ ୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ଏକ ସଂଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ। ପରିବାରରେ ପ୍ରଥମ ଦୁଇ ସନ୍ତାନ ପୁଅ, ତା’ପର ଦୁଇ ସନ୍ତାନ ଝିଅ ପରେ ସେ ଥିଲେ ପଞ୍ଚମ ତଥା କନିଷ୍ଠ ସନ୍ତାନ।

ମାଆ କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସଙ୍କ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା। ପରବର୍ତ୍ତୀ ସମୟରେ ସେ ଏହି ଦୁଇଟି ଗ୍ରନ୍ଥକୁ ତାଙ୍କ ଜୀବନର ଅଙ୍ଗ କରିନେଇଥିଲେ।

ସ୍କୁଲ ଶିକ୍ଷା:

ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢ଼ିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା। ସେତେବେଳେ ବଡ଼ଭାଇ ମନ୍ମଥ ନାଥ ଦାସ ଫକୀର ମୋହନ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ ଥାଆନ୍ତି। ସେମାନେ ଯେଉଁ ଘରେ ରହୁଥିଲେ, ତାହା ଥିଲା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ବାସଗୃହ।

ଏହା ଜାଣିବା ପରେ ମନୋଜ ଦାସଙ୍କ ହୃଦୟ ସୃଜନ ଭାବନାରେ ଭରିଯାଇଥିଲା। ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗଳ୍ପ ସଂକଳନ 'ସମୁଦ୍ରର କ୍ଷୁଧା' ପ୍ରକାଶ ପାଇଥିଲା ଏବଂ ସେହି ସମୟରେ ସେ 'ଦିଗନ୍ତ' ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ। ପରେ ସେ ବାମପନ୍ଥୀ ଆନ୍ଦୋଳନ ସହିତ ଯୋଗ ଦେଇଥିଲେ।

କଲେଜ ଶିକ୍ଷା:

୧୯୫୨ ମସିହାରେ ଫକୀର ମୋହନ ମହାବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ର ସମୟରେ ସେ ଛାତ୍ର ୟୁନିୟନର ସଭାପତି ଏବଂ ରାଜ୍ୟ ଛାତ୍ର ଫେଡେରେସନର ଉପସଭାପତି ଭାବେ ନିର୍ବାଚିତ ହୋଇଥିଲେ। ୧୯୫୫ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରି କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରେ ଆଇନ ଅଧ୍ୟୟନ କଲେ।

ସେତେବେଳକୁ 'ଜୀବନର ସ୍ୱାଦ' ଗଳ୍ପ ସଂକଳନ ସହିତ ବିଭିନ୍ନ ଇଂରାଜୀ ପତ୍ରିକାରେ ତାଙ୍କ ଲେଖା ପ୍ରକାଶିତ ହେଉଥାଏ। ୧୯୫୬ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଆଇନ କଲେଜର ଛାତ୍ର ସଂଘର ସଭପତି ରୂପେ ଇଣ୍ଡୋନେସିଆରେ ଆୟୋଜିତ ଛାତ୍ର ସମ୍ମିଳନୀରେ ଯୋଗ ଦେଇଥିଲେ।

ଅଧ୍ୟାପନା ଜୀବନ:

ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀ ସ୍ନାତକୋତ୍ତର ପରେ ୧୯୫୯ ମସିହାରେ ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅଧ୍ୟାପନା ଜୀବନ ଆରମ୍ଭ କରିଥିଲେ ମନୋଜ ଦାସ। ସେହି ବର୍ଷ କୁଜଙ୍ଗ ରାଜପରିବାରର କନ୍ୟା ପ୍ରତିଜ୍ଞା ଦେବୀଙ୍କ ସହିତ ତାଙ୍କ ବିବାହ ହୋଇଥିଲା।

୧୯୬୩ ମସିହାରେ ମନୋଜ ଦାସ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ବିଶ୍ୱବିଦ୍ୟାଳୟରେ ଇଂରାଜୀ ସାହିତ୍ୟର ଅଧ୍ୟାପକ ଏବଂ ପ୍ରତିଜ୍ଞା ଦେବୀ ମନସ୍ତତ୍ତ୍ୱ ବିଭାଗରେ ଅଧ୍ୟାପିକା ଭାବେ ଯୋଗ ଦେଇଥିଲେ। ୧୯୬୫/୬୬ ମସିହାରେ ତାଙ୍କର ‘ଶେଷ ବସନ୍ତର ଚିଠି’ ପ୍ରକାଶ ପାଇଥିଲା।

୧୯୬୩ ମସିହାରୁ ସେ ପଣ୍ଡିଚେରୀର ଶ୍ରୀ ଅରବିନ୍ଦ ଆଶ୍ରମରେ ରହିବା ଆରମ୍ଭ କରିଥିଲେ। ସେ ସେଠାକାର ଶ୍ରୀ ଅରବିନ୍ଦ ଆନ୍ତର୍ଜାତିକ ଶିକ୍ଷା କେନ୍ଦ୍ରରେ ଇଂରାଜୀ ଭାଷା ପ୍ରାଧ୍ୟାପକ ଭାବେ ଶିକ୍ଷାଦାନ କଲେ।

ଓଡ଼ିଆ ସାହିତ୍ୟର ବିଷ୍ଣୁ ଶର୍ମା:

ମନୋଜ ଦାସଙ୍କୁ ତାଙ୍କର ନିଆରା ଲେଖା ଶୈଳୀ ପାଇଁ ଓଡ଼ିଆ ସାହିତ୍ୟର ‘ବିଷ୍ଣୁ ଶର୍ମା’ ବୋଲି କୁହାଯାଏ। ଏନେଇ ସେ ଭାରତର ଜଣେ ସୁଗାଳ୍ପିକ ଭାବରେ ପରିଚିତ। ୨୦୨୧ ମସିହା ଅପ୍ରେଲ ୨୭ ତାରିଖରେ ପଣ୍ଡିଚେରୀଠାରେ ତାଙ୍କର ମୃତ୍ୟୁ ଓଡ଼ିଆ ସାହିତ୍ୟ ଜଗତ ସହିତ ଭାରତୀୟ ସାହିତ୍ୟ ପ୍ରେମୀଙ୍କ ମନରେ ଗଭୀର ଦୁଃଖ ଦେଇଥିଲା।

ଓଡ଼ିଶା ସରକାରଙ୍କ ପଦକ୍ଷେପ:

ମନୋଜ ଦାସଙ୍କ ପରଲୋକ ପରେ, ଓଡ଼ିଶା ସରକାର ତାଙ୍କ ନାମରେ ଏକ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ପ୍ରଦାନ କରିବା ପାଇଁ ନିଷ୍ପତି ନେଇଥିଲେ। ମନୋଜ ଦାସ ଆନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ନାମରେ ନାମିତ ଏହି ପୁରସ୍କାର ପ୍ରତିବର୍ଷ ଇଂରାଜୀ ଭାଷାରେ ଲେଖୁଥିବା ଓଡ଼ିଶାର ଜଣେ ସାହିତ୍ୟିକଙ୍କୁ ପ୍ରଦାନ କରାଯିବ। ପୁରସ୍କାର ରାଶି ସ୍ୱରୂପ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ।

ସେହିପରି ହାଇସ୍କୁଲ ସ୍ତରରେ ପିଲାଙ୍କୁ ମୌଳିକ ସାହିତ୍ୟ ରଚନା ପାଇଁ ମନୋଜ-କିଶୋର ସାହିତ୍ୟ ପ୍ରତିଭା ସମ୍ମାନ ପ୍ରଦାନ କରାଯିବ। ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ପୃଥକ ଭାବେ ୧ ଲକ୍ଷ ଟଙ୍କା ପୁରସ୍କାରର ରାଶି ସ୍ୱରୂପ ୨ଟି ପୁରସ୍କାର ପ୍ରଦାନ କରାଯିବ।

ଶଂଖାରୀ ଗ୍ରାମରେ ତାଙ୍କର ପୈତୃକ ବାସଭବନକୁ ଦୁଇ ଭାଇ ମନ୍ମଥ ଓ ମନୋଜଙ୍କ ସ୍ମୃତିରେ ମନ୍ମଥ-ମନୋଜ ସ୍ମାରକୀ ଭାବରେ ନାମିତ କରାଯିବ। ସେଠାରେ ଦୁଇଭାଇଙ୍କ ରଚିତ ସମସ୍ତ ପୁସ୍ତକ ରଖାଯାଇ ଏକ ପାଠାଗାର ନିର୍ମାଣ କରାଯିବ।

ସମ୍ମାନ ଓ ପୁରସ୍କାର:

  1. ୧୯୬୨ ('ଆରଣ୍ୟକ' ଗଳ୍ପ ସଙ୍କଳନ ନିମନ୍ତେ)
  2. ୧୯୮୭ ('କେତେ ଦିଗନ୍ତ' ପ୍ରବନ୍ଧ ଓ ସମାଲୋଚନା ନିମନ୍ତେ)