ପୁରୁଣା ବିବାଦକୁ ନେଇ ଋଷିଆ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ, ଗୋଟିଏ ସଂଘ ଅଧୀନରେ ଥାଇ ବି ପାଲଟିଲେ ପରସ୍ପରର ଶତ୍ରୁ

୨୦୦୧ରେ ଜର୍ଜିଆ, ଆଜରବାଇଜାନ୍ ଓ ମାଲଡୋଭା ପ୍ରଭୃତି ଦେଶକୁ ନେଇ ୟୁକ୍ରେନ GUAM ମେଣ୍ଟ ଗଠନ କରିବା ପରେ ଋଷିଆ କ୍ରୋଧିତ ହୋଇଥିଲା । ଏହା ପୂର୍ବତନ ସୋଭିଏତ୍ ରିପବ୍ଲିକକୁ ନେଇ ଗଠିତ CIS ପ୍ରତି ସିଧାସଳଖ ବିପଦ ଭାବେ ବିବେଚନା କରାଯାଇଥିଲା ।

Ukraine Russia War

୧୯୯୧ରେ ପୂର୍ବତନ ସୋଭିଏତ୍ ସଂଘର ବିଭାଜନ ପରେ ସ୍ୱାଧୀନ ରାଷ୍ଟ୍ର ଭାବେ ଆତ୍ମପ୍ରକାଶ କରିଥିଲା ୟୁକ୍ରେନ୍ । ସୋଭିଏତ୍ ସଂଘର ବିଭାଜନ ସତ୍ତ୍ୱେ ଘନିଷ୍ଠ ସାମାଜିକ ଓ ସାଂସ୍କୃତିକ ସଂପର୍କ ଦୃଷ୍ଟିରୁ ଦୁଇ ଦେଶ ମଧ୍ୟରେ ଉତ୍ତମ ସଂପର୍କ ଥିଲା । ୟୁକ୍ରେନ ନିଜର ବିପୁଳ ପରମାଣୁ ଅସ୍ତ୍ରଶସ୍ତ୍ର ତ୍ୟାଗ କରିବ ଏବଂ ଋଷିଆ ୟୁକ୍ରେନର ସାର୍ବଭୌମତ୍ୱକୁ ସମ୍ମାନ ଦେବ ବୋଲି ୧୯୯୪ରେ ଦୁଇ ଦେଶ ମଧ୍ୟରେ ବୁଝାମଣା ହୋଇଥିଲା । ତେବେ ପ୍ରାକୃତିକ ଗ୍ୟାସ ଭଣ୍ଡାର ଉପରେ ନିୟନ୍ତ୍ରଣକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା ।

୨୦୦୧ରେ ଜର୍ଜିଆ, ଆଜରବାଇଜାନ୍ ଓ ମାଲଡୋଭା ପ୍ରଭୃତି ଦେଶକୁ ନେଇ ୟୁକ୍ରେନ GUAM ମେଣ୍ଟ ଗଠନ କରିବା ପରେ ଋଷିଆ କ୍ରୋଧିତ ହୋଇଥିଲା । ଏହା ପୂର୍ବତନ ସୋଭିଏତ୍ ରିପବ୍ଳିକଗୁଡ଼ିକୁ ନେଇ ଗଠିତ CIS ପ୍ରତି ସିଧାସଳଖ ବିପଦ ଭାବେ ବିବେଚନା କରିଥିଲା । ଋଷିଆ ୨୦୦୪ରେ ୟୁରୋପୀୟ ସଂଘ ସମର୍ଥକ ଭିର ୟୁସଚେଙ୍କୋ ୟୁକ୍ରେନ ରାଷ୍ଟ୍ରପତି ନିର୍ବାଚିତ ହେବା ଏବଂ ନାଟୋ ମିଶନରେ ୟୁକ୍ରେନର ଅଂଶଗ୍ରହଣକୁ ଆଦୌ ହଜମ କରିପାରିନଥିଲା । ଋଷିଆ ୨୦୧୩ରେ ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତିକୁ ମଧ୍ୟ ଜୋରଦାର ବିରୋଧ କରିଥିଲା ଋଷିଆ । ଏହା ୟୁକ୍ରେନ ପାଇଁ ଘାତକ ହେବ ବୋଲି ମସ୍କୋ ସତର୍କ କରାଇ ଦେଇଥିଲା ।

୨୦୧୪ରେ ଋଷିଆକୁ ସମର୍ଥନ କରୁଥିବା ପୂର୍ବ-ୟୁକ୍ରେନରେ ଜୋର୍ ଧରିଥିଲା ଋଷିଆ ସପକ୍ଷବାଦୀ ଆାନ୍ଦୋଳନ । ୨୦୧୪ରେ ଋଷିଆ ସପକ୍ଷବାଦୀ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚ୍ ଗାଦିଚ୍ୟୁତ ହେବାପରେ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟନୁଷ୍ଠାନ କରିବା ସହ କ୍ରିମିଆ ପ୍ରଦେଶକୁ ନିଜ ନିୟନ୍ତ୍ରଣକୁ ନେଇଥିଲା ଋଷିଆ । ୨୦୧୪ରୁ ୟୁକ୍ରେନ ପୂର୍ବାଞ୍ଚଳର ଋଷ୍ ସପକ୍ଷବାଦୀ ଦୁଇ ରାଜ୍ୟ ଡୋନେସ୍କ ଓ ଲୁହାନସ୍କରେ ଅସ୍ତ୍ର ସଂଘର୍ଷ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ୟୁକ୍ରେନ ସେନା ଓ ଋଷ ସପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷରେ ୧୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା ।

ତେବେ ୨୦୨୧ରେ ୟୁକ୍ରେନକୁ ନାଟୋରେ ସାମିଲ ଲାଗି ରାଷ୍ଟ୍ରପତି ଭାଲୋଦିମିର ଜେଲେନସ୍କି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଅନୁରୋଧ କରିବା ପରେ ସ୍ଥିତି ଆାହୁରି ବିବାଦୀୟ ହୋଇପଡିଥିଲା । ୟୁକ୍ରେନକୁ ନାଟୋରେ ସାମିଲ ନକରିବା ଲାଗି ଋଷ ରାଷ୍ଟ୍ରପତି ଭ୍ଳାଦିମିର ପୁତିନ ୟୁରୋପୀୟ ସଂଘ ଓ ଆମେରିକାକୁ ଖୋଲା ଚେତାବନୀ ଦେଇଥିଲେ । ଗତବର୍ଷ ସେପ୍ଟେମ୍ବରରେ ୟୁକ୍ରେନ, ନାଟୋ ସହ ମିଳିତ ସମରାଭ୍ୟାସ କରିବା ପରେ ୟୁକ୍ରେନକୁ ଏହାର ପରିସର ବୃଦ୍ଧି ନକରିବା ଲାଗି କହିଥିଲେ ପୁତିନ୍ । ଏଥିସହିତ ବେଲାରୁଷରେ ୨ ଲକ୍ଷ ସୈନ୍ୟଙ୍କୁ ନେଇ ଜାପଡ୍-୨୧ ନାଁରେ ସମରାଭ୍ୟାସ ଆରମ୍ଭ କରିଥିଲେ ।

ଋଷିଆ ୟୁକ୍ରେନକୁ ବଳପୂର୍ବକ ଅଧିକାର କରିବାକୁ ଚାହୁଁଥିବା, ସେବେଠାରୁ ଆମେରିକା ଓ ୟୁରୋପୀୟ ସଂଘ ଅଭିଯୋଗ କରିଆସୁଥିଲେ ମଧ୍ୟ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏହାକୁ ଖଣ୍ଡନ କରିଆସୁଥିଲେ । ଗତ ସୋମବାର ଡୋନେସ୍କ ଓ ଲୁହାନସ୍କ ପ୍ରଦେଶକୁ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେଇଥିଲେ ପୁତିନ୍ ।