ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣା, ରନୱେରୁ ବାହାରକୁ ବାହାରି ଗଲା ବିମାନ

ବିମାନ ଲ୍ୟାଣ୍ଡ କରିବାର ଅନେକ ଭିଡିଓ ଆପଣ ଦେଖିଥିବେ। ଏମିତି ଅନେକ ଭିଡିଓ ଅଛି, ଯେଉଁଥିରେ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହୋଇଛି। ସେହିଭଳି ଏକ ଦୁର୍ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣା

ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣା । ରନୱେରୁ ବାହାରକୁ ବାହାରି ଗଲା ବିମାନ। ଲ୍ୟାଣ୍ଡ୍‌ କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛି ବିମାନ। ଏହି ଦୁର୍ଘଟଣା ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦେଖିବାକୁ ମିଳିଛି ଏକ ଛୋଟ ବିମାନ ଲ୍ୟାଣ୍ଡିଂ ସମୟରେ ରନୱେରୁ କିପରି ବାହାରକୁ ଚାଲି ଆସୁଛି। ଏହି ଭାଇରାଲ ଭିଡିଓଟି କାନପୁର ବିମାନବନ୍ଦରର ବୋଲି କୁହାଯାଉଛି। କିନ୍ତୁ କାନପୁର ବିମାନବନ୍ଦର କର୍ତ୍ତୃପକ୍ଷ କିମ୍ବା ବାୟୁସେନା ଏହା ସ୍ପଷ୍ଟ କରି ନାହିଁ ।

ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି, ଏକ ନୀଳ ରଙ୍ଗର ଛୋଟ ବିମାନଟି ଲ୍ୟାଣ୍ଡିଂ କରୁଛି । ଅବତରଣ ସମୟରେ ରନୱେରେ ସଠିକ୍ ଟ୍ରାକରେ ନ ଆସି ହଠାତ୍ ଡାହାଣକୁ ଯାଇ ମାଟି ଆଡ଼କୁ ଚାଲିଯାଇଛି । ବିମାନଟିର ଗତି ଖୁବ୍‌ ତୀବ୍ର ଥିବାରୁ ଅବାଟକୁ ଚାଲିଯାଇ ଧକ୍କା ହୋଇ ଯାଇଥିଲା । ବିମାନଟି ଧକ୍କା ହେବା ମାତ୍ରେ କିଛି ଲୋକ ପଛପଟୁ ଡେଇଁ ପଡ଼ିଥିଲେ । ଆଉ ଦୌଡ଼ି ଆସି ପାଇଲଟଙ୍କ ଗେଟ୍ ଖୋଲିବାକୁ ଚେଷ୍ଟା କରିଥିଲେ ।

ପରେ ବିମାନରୁ ଓହ୍ଲାଇଥିବା କିଛି ଲୋକ ଭିତରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଭାଇରାଲ ଭିଡିଓ ଅନୁଯାୟୀ ଏହା ଡର୍ନିୟର ବିମାନ ବୋଲି କୁହାଯାଉଛି । ଏହା କୋଷ୍ଟଗାର୍ଡର ବିମାନ ବୋଲି ମଧ୍ୟ ଦାବି କରାଯାଉଛି । କିନ୍ତୁ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନି। ଦୁର୍ଘଟଣା କେବେ ଘଟିଛି ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଭାଇରାଲ ଭିଡିଓଟି କାନପୁର ସିଭିଲ ବିମାନବନ୍ଦରର ନୁହେଁ । କେଉଁ ସ୍ଥାନର ଜଣା ପଡ଼ିନଥିବା କହିଛନ୍ତି କାନପୁର ବିମାନବନ୍ଦର ନିର୍ଦ୍ଦେଶକ ।