ଦେଶର କିଛି ନିଆରା ମନ୍ଦିର : ଯେଉଁଠିକୁ ପୁରୁଷଙ୍କ ପ୍ରବେଶ ମନା, ପୂଜା କରନ୍ତି ମହିଳା

ଆମ ଦେଶରେ ଏମିତି ୫ଟି ମନ୍ଦିର ଅଛି, ଯେଉଁଠାରେ ପୁରୁଷମାନଙ୍କୁ ଯିବାକୁ ଅନୁମତି ନାହିଁ।

ଭାରତରେ ଅନେକ ମନ୍ଦିର ଅଛି, ଯେଉଁଠିକୁ ପ୍ରବେଶ କରିପାରନ୍ତିନି ମହିଳା

ହିନ୍ଦୁ ଧର୍ମରେ ଅନେକ ରୀତିନୀତି ଓ ମାନ୍ୟତା ରହିଛି । ଭାରତରେ ଅନେକ ମନ୍ଦିର ଅଛି, ଯେଉଁଠିକୁ ପ୍ରବେଶ କରିପାରନ୍ତିନି ମହିଳା । କିନ୍ତୁ ଆହୁରି ଏମିତି ଅନେକ ମନ୍ଦିର ରହିଛି ଯେଉଁଠି ପୁରୁଷମାନଙ୍କୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଆମ ଦେଶରେ ଏମିତି ୫ଟି ମନ୍ଦିର ଅଛି, ଯେଉଁଠାରେ ପୁରୁଷମାନଙ୍କୁ ଯିବାକୁ ଅନୁମତି ନାହିଁ। କେବଳ ମହିଳାମାନେ ଏଠାରେ ପୂଜା କରିଥାନ୍ତି। ଆସନ୍ତୁ ଜାଣିବା ସେହି ସବୁ ମନ୍ଦିର ବିଷୟରେ

ଭଗବତୀ ଦେବୀ ମନ୍ଦିର, କନ୍ୟାକୁମାରୀ

ମା ଭଗବତୀ ଦେବୀଙ୍କ ମନ୍ଦିର। ଏହି ମନ୍ଦିରଟି ଦକ୍ଷିଣ ଭାରତର କନ୍ୟାକୁମାରୀରେ ରହିଛି। ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ଦେବୀ ଭଗବତୀ ଏହି ସ୍ଥାନରେ ତପସ୍ୟା କରିଥିଲେ ବୋଲି ବିଶ୍ୱାସ ରହିଛି। ତେଣୁ ଭଗବତୀ ମାଙ୍କୁ ସନ୍ୟାସୀ ଦେବୀ କୁହାଯାଉଥିବାରୁ ସନ୍ୟାସୀ ପୁରୁଷମାନଙ୍କୁ ଫାଟକରୁ ଦେବୀଙ୍କ ଦର୍ଶନ କରିବାକୁ ଅନୁମତି ଦିଆଯାଉଛି। କିନ୍ତୁ ବିବାହିତ ପୁରୁଷମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ନାହିଁ। କେବଳ ମହିଳାମାନେ ଏହି ମନ୍ଦିରରେ ପ୍ରବେଶ କରି ମା ଭାଗବତୀଙ୍କୁ ପୂଜା କରିଥାନ୍ତି।

ବ୍ରହ୍ମା ମନ୍ଦିର, ରାଜସ୍ଥାନ

ରାଜସ୍ଥାନର ପୁଷ୍କରଠାରେ ରହିଛି ଭଗବାନ ବ୍ରହ୍ମାଙ୍କ ମନ୍ଦିର। ଚତୁର୍ଦ୍ଦଶ ଶତାବ୍ଦୀରେ ଏହି ମନ୍ଦିରଟିର ନିର୍ମାଣ କରାଯାଇଛି। ଦେବୀ ସରସ୍ୱତୀଙ୍କ ଅଭିଶାପ ହେତୁ ବିବାହିତ ପୁରୁଷମାନଙ୍କୁ ଏହି ମନ୍ଦିରରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ପୁରୁଷମାନେ କେବଳ ମନ୍ଦିର ପ୍ରାଙ୍ଗଣରେ ହାତଯୋଡି ଠିଆ ହେବାକୁ ଅନୁମତି ରହିଛି। ମହିଳାମାନେ ମନ୍ଦିର ଭିତରେ ପ୍ରବେଶ କରି ପୂଜା କରିଥାନ୍ତି।

କାମାକ୍ଷା ମନ୍ଦିର, ଗୌହାଟୀ

ଗୌହାଟୀରେ ପ୍ରତିଷ୍ଠିତ ମା କାମାକ୍ଷା ମନ୍ଦିର ଭାରତର ସମସ୍ତ ଶକ୍ତିପୀଠ ମଧ୍ୟରେ ଅନ୍ୟତମ। ବିଶେଷ କରି ଏହି ମନ୍ଦିରକୁ ଦେବୀ ମାଆଙ୍କ ମନ୍ଦିର ମଧ୍ୟରୁ ଶୀର୍ଷ ବୋଲି ବିବେଚନା କରାଯାଏ। ଆତ୍ମସମର୍ପଣ ପରେ ଭଗବାନ ବିଷ୍ଣୁଙ୍କ ସୁଦର୍ଶନ ଚକ୍ର ଦ୍ୱାରା ଦେବୀ ସତୀଙ୍କ ଶରୀର ୫୧ ଭାଗ ହୋଇଥିଲା। ଏଠାରେ ଦେବୀ ସତୀଙ୍କ ଯୌନ ଅଂଶ ପଡିଥିବାର ବିଶ୍ୱାସ କରାଯାଏ। ପ୍ରତିବର୍ଷ ଜୁନ ମାସରେ ମା କାମାକ୍ଷା ରଜସ୍ୱଳା ହୋଇଥାନ୍ତି। ଏହି ସମୟରେ ଉତ୍ସବ ପାଳନ ହେଉଥିଲେ ମଧ୍ୟ ପୁରୁଷମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ଅନୁମତି ଦିଆଯାଇନଥାଏ। ମହିଳାମାନଙ୍କ ଦ୍ୱାରା ପୂଜା କାର୍ଯ୍ୟ ସଂପନ୍ନ ହୋଇଥାଏ।

ସନ୍ତୋଷୀ ମା ମନ୍ଦିର, ଯୋଧପୁର

ଶୁକ୍ରବାରକୁ ସନ୍ତୋଷୀ ମା’ଙ୍କ ଦିନ ଭାବେ ବିବେଚନା କରାଯାଏ। ଏହିଦିନ ମାଆଙ୍କର ସ୍ୱତନ୍ତ୍ର ପୂଜା କରାଯାଇଥାଏ। ଶୁକ୍ରବାର ଦିନ ଯୋଧପୁରରେ ପ୍ରତିଷ୍ଠିତ ସନ୍ତୋଷୀ ମା ମନ୍ଦିରକୁ ପୁରୁଷମାନଙ୍କୁ ପ୍ରବେଶ କରିବାକୁ ଅନୁମତି ନାହିଁ। ପୁରୁଷମାନଙ୍କୁ କେବଳ ମନ୍ଦିର ଦ୍ୱାରରୁ ଦେବୀଙ୍କ ଦର୍ଶନ କରିବାକୁ ଅନୁମତି ଦିଆଯାଇଥାଏ।

ଚକ୍କୁଲାଥୁକାଭୁ ମନ୍ଦିର, କେରଳ

ପ୍ରତିବର୍ଷ ପୋଙ୍ଗଲ ସମୟରେ କେରଳର ଚକ୍କୁଲାଥୁକାଭୁ ମନ୍ଦିରରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଇଥାଏ। ଏହି ପୂଜା ପୂରା ୧୦ ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହି ସମୟରେ ପୁରୁଷମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ଦିଆଯାଇନଥାଏ। ଏହା ସହିତ ପୂଜାପାଠର ଶେଷ ଦିନରେ ପୁରୁଷମାନଙ୍କ ଦ୍ୱାରା ମହିଳାଙ୍କ ପାଦ ଧୁଆ ଯିବାର ପରମ୍ପରା ରହି ଆସୁଛି। ସତରେ ବିଚିତ୍ର ଆମ ଦେଶ। ଆଉ ଭିନ୍ନ ଏଠାକାର ପରମ୍ପରା। ପୁରୁଷ ପ୍ରାଧାନ୍ୟ ଆମ ଦେଶ ଭାରତରେ ମହିଳାଙ୍କୁ ମିଳିଛି ସ୍ୱତନ୍ତ୍ର ଅଧିକାର।