Earthquake: ଥାଇଲ୍ୟାଣ୍ଡ-ମିଆଁମାର ଭୂମିକମ୍ପ... ଭାରତ ପାଇଁ ସତର୍କ ସୂଚନା

ଭୂମିକମ୍ପ ଅର୍ଥନୀତିକୁ ନଷ୍ଟ କରିବା ସହ ଜୀବନହାନି ମଧ୍ୟ କରେ । ଭାରତ କୋଡ଼ିଏ ବର୍ଷ ମଧ୍ୟରେ ଜଳବାୟୁ ବିପର୍ଯ୍ୟୟରେ ପ୍ରାୟ ୭୯.୫ ବିଲିୟନ ଡଲାର କ୍ଷତି ସହିଛି। କେବଳ ଭୁଜ ଭୂମିକମ୍ପରେ ଗୁଜରାଟକୁ ୧୦ ବିଲିୟନ ଡଲାର କ୍ଷତି ହୋଇଛି। ନେପାଳ ଭୂମିକମ୍ପ ଉତ୍ତର ଭାରତରେ ମଧ୍ୟ ପ୍ରଭାବିତ ହୋଇଛି, ଯାହା ୭ ବିଲିୟନ ଡଲାର କ୍ଷତି କରିଛି। ସେଥିପାଇଁ ନିର୍ମାଣ କାର୍ଯ୍ୟ ଭୂମିକମ୍ପ ନିରୋଧୀ ହେବା ଜରୁରୀ । ମଜଭୁତ କୋଠା ଟଙ୍କା ଏବଂ ଜୀବନ ବଞ୍ଚାଏ ।

କାହିଁକି ହୁଏ ଭୂମିକମ୍ପ

ଭୂମିକମ୍ପ ଏକ ଆକସ୍ମିକ ବିପତ୍ତି । ବର୍ଷର ଯେ କୌଣସି ସମୟରେ ଦିନରେ ହେଉ ବା ରାତିରେ ଆସିପାରେ । ଏହାର ପରିଣତି କିନ୍ତୁ ଆକସ୍ମିକ ଅନୁଭୂତ ହୁଏ । ଏହାର କୌଣସି ପୂର୍ବ ସୂଚନା ନଥାଏ । ନିରନ୍ତର ଗବେଷଣା ପରେ ମଧ୍ୟ ଭୂମିକମ୍ପ ସମ୍ବନ୍ଧରେ ପୂର୍ବରୁ ସୂଚନା ପାଇବା ପାଇଁ ମନୁଷ୍ୟ ସଫଳ ହୋଇପାରି ନାହିଁ । ନିକଟରେ ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ହୋଇଥିବା ୭.୭ ତୀବ୍ରତାର ଭୂମିକମ୍ପରେ ୨,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଓ ୪,୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ପଡ଼ୋଶୀ ଦେଶରେ ଘଟୁଥିବା ଏଭଳି ଅଘଟଣ ଭାରତ ପାଇଁ ଏକ ସତର୍କ ଚେତାବନୀ, ଏଥିରୁ ଅନେକ କିଛି ଶିଖିବାର ଆବଶ୍ୟକତା ରହିଛି । ଭାରତରେ ଏପରି ସ୍ଥିତି ଉପୁଜିଲେ କିପରି ଏଥିରୁ ରକ୍ଷା ପାଇ ହେବ ସେଥିପ୍ରତି ଧ୍ୟାନ ଦେବାର ସମୟ ଆସିଛି ।

ବିଶେଷଜ୍ଞଙ୍କ ଅନୁସାରେ କୌଣସି ବି ମୁହୂର୍ତ୍ତରେ ଭାରତରେ ତାଣ୍ଡବ ରଚିପାରେ ବିନାଶକାରୀ ଭୂମିକମ୍ପ । ଆଉ ଯେବେ ଭାରତ ଉପରେ ଏପରି ବିପତ୍ତି ପଡ଼ିବ ମିଆଁମାର ଠାରୁ ମଧ୍ୟ ସ୍ଥିତି ଭୟଙ୍କର ହେବ ବୋଲି ଆକଳନ କରାଯାଉଛି । ଚିନ୍ତାର ବିଷୟ ଦେଶ ଏପରି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ନୁହେଁ । ଆମ ଦେଶ ହେଉଛି ଏକ ଭୂମିକମ୍ପ ପ୍ରବଣ ଅଞ୍ଚଳ । ଏବେ ସମ୍ପୂର୍ଣ୍ଣ ହିମାଳୟ କ୍ଷେତ୍ରକୁ ଭୂମିକମ୍ପ ଭୟ ଥିବା ଚେତାବନୀ ଦେଇଛନ୍ତି ବୈଜ୍ଞାନିକ । ହିମାଳୟ କ୍ଷେତ୍ରରେ ସମ୍ଭାବ୍ୟ ଭୂମିକମ୍ପର ତ୍ରୀବତା ରିକ୍ଟର୍ ସ୍କେଲରେ ୭ କିମ୍ବା ତା’ଠାରୁ ଅଧିକ ରହିପାରେ । ତେବେ ଏହା କେବେ ହେବ ତାହା କହି ହେବ ନାହିଁ ।

ଗତ ୧୫୦ ବର୍ଷ ମଧ୍ୟରେ ହିମାଳୟ କ୍ଷେତ୍ରରେ ୪ଟି ବଡ଼ ଭୂମିକମ୍ପ ହୋଇଛି । ହିମାଚଳ ପ୍ରଦେଶ ଓ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ଅଧିକ ବିପଦ ଆଶଙ୍କା ରହିଛି । ସେହିପରି ଦିଲ୍ଲୀ, ମୁମ୍ବାଇ ଓ କୋଲକାତା ବିପଦପୂର୍ଣ୍ଣ ଜୋନରେ ଅଛନ୍ତି । ଗତ ବର୍ଷ ଭାରତରେ ଅନେକ ଭୂମିକମ୍ପ ଅନୁଭୂତ ହୋଇଛି , ଯାହା ବିପର୍ଯ୍ୟୟର ମୁକାବିଲା ପାଇଁ ଉତ୍ତମ ପ୍ରସ୍ତୁତିର ଆବଶ୍ୟକତାକୁ ସ୍ପଷ୍ଟ କରିଥାଏ । ପୃଥିବୀ ପୃଷ୍ଠରେ ଚାପ ବୃଦ୍ଧି ପାଇଲେ ଭୂମିକମ୍ପ ହୁଏ। ଭାରତର ପ୍ରାୟ ୫୯% ଅଞ୍ଚଳ ଭୂମିକମ୍ପ ପ୍ରବଣ ଏବଂ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡସ୍ ଭୂମିକମ୍ପର ବିପଦକୁ ଆଧାର କରି ଦେଶକୁ ଚାରୋଟି ଭୂକମ୍ପୀୟ ଜୋନରେ ବର୍ଗୀକୃତ କରିଛି। ଜୋନ୍ V ସବୁଠାରୁ ସକ୍ରିୟ ଯେଉଁଥିରେ ହିମାଳୟ ପରି ଅଞ୍ଚଳ ସାମିଲ ରହିଛି । ଅନ୍ୟପକ୍ଷରେ ଜୋନ୍ II ସବୁଠାରୁ କମ୍ ପ୍ରଭାବିତ।


ଭୂକମ୍ପ ସମସ୍ତଙ୍କୁ ଅନୁଭୂତ ହୁଏ । ଅନେକ ଲୋକ ଡରରେ ଘରଛାଡ଼ି ବାହାରକୁ ଦୌଡ଼ି ଯାଆନ୍ତି । ଭାରି ଆସବାବ ପତ୍ର କଂପନ ପ୍ରଭାବରେ ଘୁଞ୍ଚିଯାଏ । କାନ୍ଥରୁ ପ୍ଲାଷ୍ଟର ମଧ୍ୟ ଖସିଯାଏ । ଚିମ୍‌ନି ଗୁଡ଼ିକରେ ଫାଟ ସୃଷ୍ଟି ହୁଏ । ପ୍ରତ୍ୟେକ ଲୋକ ଘରୁ ବାହାରକୁ ବାହାରି ଯାଆନ୍ତି । ଭୂକମ୍ପରୋଧି ବିଲ୍‌ଡ଼ିଂରେ ମଧ୍ୟ ସାମାନ୍ୟ ଫାଟ ହୋଇଥାଏ । ସାଧାରଣ ଭାବେ ନିର୍ମିତ ହୋଇଥିବା ପୋଲ, ଘରଦ୍ୱାର ଗୁଡ଼ିକରେ ଅଧିକ କ୍ଷତି ହୋଇଥାଏ । ଖରାପ ଡ଼ିଜାଇନ୍ ବା ଉତ୍ତମ ଗୁଣବତ୍ତା ବିହୀନ ଘରଦ୍ୱାର ଗୁରୁତର ଭାବେ ପ୍ରଭାବିତ ହୋଇଥାଏ । ଆଧୁନିକ ନିର୍ମାଣ ଶୈଳୀରେ ନିର୍ମିତ ବିଲ୍‌ଡ଼ିଂ ଓ ପୋଲ ଇତ୍ୟାଦିରେ ହାଲୁକା କ୍ଷତି ହୁଏ । ପୁରାତନ ଶୈଳୀରେ ନିର୍ମିତ ଘରଦ୍ୱାର, ପୋଲ ଆଦି ଗୁରୁତ୍ୱର କ୍ଷତିଗ୍ରସ୍ତ ହୁଏ । ଚିମ୍‌ନି, ଖୁଣ୍ଟ, ସ୍ମାରକ, ପ୍ରାଚୀରଆଦି ଭାଙ୍ଗିରୁଜି ଯାଏ । ଆଧୁନିକ ଶୈଳୀରେ ନିର୍ମିତ ପୋଲ, ବିଲ୍‌ଡ଼ିଂ, ମୂଳଦୁଆ ଆଦି ଭାଙ୍ଗିଯାଏ । ଭୂପୃଷ୍ଠରେ ଫାଟ ସୃଷ୍ଟିହୁଏ ଏବଂ ତୀବ୍ର ଭୂମିକମ୍ପ ହେତୁ ଭୟାନକ ପରିସ୍ଥିତି ସୃଷ୍ଟିହୁଏ । 

ଭାରତରେ ବଡ଼ ଧରଣର ଭୂମିକମ୍ପ

୧୯୦୫ କାଙ୍ଗଡ଼ା ଏବଂ ୨୦୦୧ ଭୁଜ ଭୂମିକମ୍ପ ଭାରତର ଇତିହାସର ସବୁଠାରୁ ବିନାଶକାରୀ ଭୂମିକମ୍ପ ମଧ୍ୟରୁ ଅନ୍ୟତମ। ହିମାଚଳ ପ୍ରଦେଶ କାଙ୍ଗଡ଼ାରେ ୮.୦ ତୀବ୍ରତାର ଭୂମିକମ୍ପ ଘଟି ୧୯,୮୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୦୦୧ ମସିହାରେ ଭୁଜରେ ୭.୯ ତୀବ୍ରତାର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୧୨,୯୩୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୮୯୦ଟି ଗାଁ ଧ୍ୱଂସ ପାଇଯାଇଥିଲା । ଭାରତରେ ନଭେମ୍ବର ୨୦୨୪ ରୁ ଫେବୃଆରୀ ୨୦୨୫ ପର୍ଯ୍ୟନ୍ତ ୧୫୯ଟି ଭୂମିକମ୍ପ ରେକର୍ଡ ହୋଇଛି, ଯାହା ଦେଶର ଭବିଷ୍ୟତ ପ୍ରସ୍ତୁତି ନେଇ ଚିନ୍ତା ସୃଷ୍ଟି କରିଛି।

ଏବେଠାରୁ ଭୂମିକମ୍ପ ପାଇଁ ପ୍ରସ୍ତୁତି ଜରୁରୀ

ଭୂମିକମ୍ପ ଅର୍ଥନୀତିକୁ ନଷ୍ଟ କରିବା ସହ ଜୀବନହାନି ମଧ୍ୟ କରେ । ଭାରତ କୋଡ଼ିଏ ବର୍ଷ ମଧ୍ୟରେ ଜଳବାୟୁ ବିପର୍ଯ୍ୟୟରେ ପ୍ରାୟ ୭୯.୫ ବିଲିୟନ ଡଲାର କ୍ଷତି ସହିଛି। କେବଳ ଭୁଜ ଭୂମିକମ୍ପରେ ଗୁଜରାଟକୁ ୧୦ ବିଲିୟନ ଡଲାର କ୍ଷତି ହୋଇଛି। ନେପାଳ ଭୂମିକମ୍ପ ଉତ୍ତର ଭାରତରେ ମଧ୍ୟ ପ୍ରଭାବିତ ହୋଇଛି, ଯାହା ୭ ବିଲିୟନ ଡଲାର କ୍ଷତି କରିଛି। ସେଥିପାଇଁ ନିର୍ମାଣ କାର୍ଯ୍ୟ ଭୂମିକମ୍ପ ନିରୋଧୀ ହେବା ଜରୁରୀ । ମଜଭୁତ କୋଠା ଟଙ୍କା ଏବଂ ଜୀବନ ବଞ୍ଚାଏ ।

ନିମ୍ନ ମାନର ନିର୍ମାଣ ସହିତ ଦ୍ରୁତ ସହରୀକରଣ ପରିସ୍ଥିତିକୁ ଆହୁରି ଖରାପ କରୁଛି। ଭୂମିକମ୍ପ ଅଞ୍ଚଳରେ ଥିବା ଅଧିକାଂଶ କୋଠାରେ ସୁରକ୍ଷା ବ୍ୟବସ୍ଥାର ଅଭାବ ଅଛି। ଏକ ବଡ଼ ଭୂମିକମ୍ପରେ ଡାକ୍ତରଖାନା, ବିଦ୍ୟୁତ୍ ପ୍ଲାଣ୍ଟ ଏବଂ ସ୍କୁଲଗୁଡ଼ିକ ଭୁଶୁଡ଼ି ପଡ଼ିବ। ଦିନବେଳା ଏକ ଜନଗହଳିପୂର୍ଣ୍ଣ ସହରରେ ଭୂମିକମ୍ପ ହେଲେ ଅଗଣିତ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ମଧ୍ୟ ରହିଛି । ସେଥିପାଇଁ ଭୂମିକମ୍ପ ଆସିବା ପୂର୍ବରୁ, ଭୂମିକମ୍ପ ସମୟରେ ଓ ଭୂମିକମ୍ପ ପରର ପ୍ରସ୍ତୁତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବର୍ଷକୁ ଅତି କମରେ ଥରେ ମକଡ୍ରିଲ କରିବାର ଆବଶ୍ୟକତା ରହିଛି । ପୂର୍ବରୁ ପ୍ରସ୍ତୁତ ରହିଲେ କ୍ଷତି ୯୯.୯ ପ୍ରତିଶତ କମ କରାଯାଇ ପାରିବ ।

ଡେଞ୍ଜର ଜୋନରେ ହିମାଳୟ

ପ୍ରାୟ ୪ କୋଟି ବର୍ଷ ପୂର୍ବେ ଭାରତୀୟ ଉପମହାଦେଶ ପ୍ଲେଟ୍ ୟୁରେସିଆ ପ୍ଲେଟ୍ ସହିତ ଧକ୍କା ଖାଇଥିଲା। ଏହା ଦ୍ୱାରା ପ୍ଲେଟ୍‌ର ପ୍ରାନ୍ତ ଭାଗରେ ପ୍ରଚଣ୍ଡ ଚାପ ସୃଷ୍ଟି ହୋଇ ହିମାଳୟ ଭଳି ପର୍ବତମାଳା ସୃଷ୍ଟି ହୋଇଥିଲା। ଏହାର ପ୍ରଭାବରେ ହିମାଳୟ ପର୍ବତର ଉଚ୍ଚତା ପ୍ରତି ବର୍ଷ ୧ ସେମି ବୃଦ୍ଧି ପାଉଛି। ପ୍ଲେଟ୍ ପ୍ଲେଟ୍ ମଧ୍ୟରେ ବାରମ୍ବାର ସଂଘର୍ଷ କାରଣରୁ ପ୍ଲେଟ୍‌ର ଚାପ ସହନ କରିବାର ସାମର୍ଥ୍ୟ ଦୁର୍ବଳ ହୋଇଯାଏ। ଏହା ଦ୍ୱାରା ପ୍ଲେଟ୍ ର କିଛି ଅଂଶ ମଧ୍ୟ କ୍ଷତିଗ୍ରସ୍ତ ହୋଇ ତଳେ ଗଚ୍ଛିତ ବିପୁଳ ଶକ୍ତି ଭୂମିକମ୍ପ ରୂପରେ ପଦାକୁ ବାହାରିଥାଏ । ଏହି କାରଣରୁ ସମଗ୍ର ହିମାଳୟ କ୍ଷେତ୍ରରେ ଅଧିକ ଭୂମିକମ୍ପ ଆସିଥାଏ ଏବଂ ଆଫଗାନିସ୍ତାନ, ପାକିସ୍ତାନ ତଥା ଉତ୍ତର ଭାରତର କିଛି ଅଂଶ ଅତ୍ୟନ୍ତ ଭୂମିକମ୍ପ ପ୍ରବଣ ହୋଇଥାଏ।

ଭୂମିକମ୍ପ ପ୍ରବଣ ଅଞ୍ଚଳ

ଚୀନ, ନେପାଳ, ଜାପାନ, ତୁର୍କୀ, ଇଣ୍ଡୋନେସିଆ, ଭାରତ, ପାକିସ୍ତାନ, ଇତ୍ୟାଦି ଦେଶରେ ଅଧିକ ଭୂମିକମ୍ପ ହୁଏ। ପ୍ରଶାନ୍ତ ମହାସାଗର ତଳେ ଅଗ୍ନିବଳୟ ଅଞ୍ଚଳରେ ବଡ ବଡ ଭୂମିକମ୍ପ ଅନୁଭୂତ ହୁଏ । ପୃଥିବୀରେ ଏଯାଏ ଯେତେ ବଡ ବଡ ଭୂମିକମ୍ପ ଦେଖାଯାଇଛି, ତାହାର ୧୦୦ ଭାଗରୁ ୮୧ ଭାଗ ଭୂମିକମ୍ପ ସେହି ‘ରିଙ୍ଗ୍ ଅଫ୍ ଫାୟାର’ ଅଞ୍ଚଳରେ ହୋଇଛି। ଭାରତରେ ଏକାଧିକ ଭୂମିକମ୍ପ ପ୍ରବଣ ଅଞ୍ଚଳ ରହିଛି ।

ଭୂମିକମ୍ପ କାହିଁକି ହୁଏ ?

ପୃଥିବୀର ଆଭ୍ୟନ୍ତରରେ ବିଭିନ୍ନ ଧାତବ ପଦାର୍ଥ ଅତି ଉତ୍ତପ୍ତ ଓ ତରଳ ଅବସ୍ଥାରେ ରହିଛି। ତା’ ଭିତରକୁ ପଶିଲେ ଯେ କେହି ବି ଜଳିପୋଡ଼ି ପାଉଁଶ ହୋଇଯିବ। ପୃଥିବୀର ଉପରି ଭାଗ ଯେତେ ଶକ୍ତ ଓ ଶୀତଳ, ଏହାର ଭିତରଟା ସେତେ ତରଳ ଓ ଭୟଙ୍କର । ଭୂପୃଷ୍ଠ କିଛି ବଡ଼ ବଡ଼ ଓ ଛୋଟ ଛୋଟ ଖଣ୍ଡରେ ବିଭକ୍ତ । ସେହି ଖଣ୍ଡଗୁଡ଼ିକୁ ପ୍ଲେଟ୍ ବୋଲି କୁହାଯାଏ । ପ୍ଲେଟ୍ ଗୁଡିକ ଉତ୍ତପ୍ତ ତରଳ ପଦାର୍ଥ ଉପରେ ସ୍ଥିର ନ ଥାନ୍ତି, ସେମାନେ ଏପଟ ସେପଟ ଗତି କରନ୍ତି । ଏପରିସ୍ଥଳେ ଦୁଇଟି ପ୍ଲେଟ ପରସ୍ପର ସହିତ ବାଡ଼େଇ ହେବାର ସମ୍ଭାବନା ଥାଏ । ଯେଉଁଠାରେ ଦୁଇଟା ପ୍ଲେଟ୍ ପରସ୍ପରକୁ ସ୍ପର୍ଶ କରନ୍ତି, ସେହି ଅଞ୍ଚଳରେ ତୀବ୍ର କମ୍ପନ ସୃଷ୍ଟି ହୁଏ । ଯାହାକୁ ଆମେ ଭୂକମ୍ପନ କହୁ ।

ରିକ୍ଟର ସ୍କେଲ୍ କ’ଣ ?

ଭୂମିକମ୍ପର ତୀବ୍ରତାକୁ ରିକ୍ଟର୍ ସ୍କେଲରେ ମପାଯାଏ। ଏହି ସ୍କେଲରେ ୪ରୁ ଊର୍ଦ୍ଧ୍ୱ ଭୂମିକମ୍ପ ସାଧାରଣତଃ ଧନଜୀବନ ପ୍ରତି ବିନାଶକାରୀ ହୋଇଥାଏ। ଭୂମିକମ୍ପର ତୀବ୍ରତା ୪ ରୁ ୪.୯ ମଧ୍ୟରେ ରହିଲେ ଝରକାର କାଚ ଭାଙ୍ଗିଯାଇପାରେ ଏବଂ କାନ୍ଥରେ ଟଙ୍ଗା ଯାଇଥିବା ଫଟୋଫ୍ରେମ୍ ତଳେ ଖସି ପଡ଼ିପାରେ। ଭୂମିକମ୍ପର ତୀବ୍ରତା ୫ ରୁ ୫.୯ ମଧ୍ୟରେ ରହିଲେ ଘରର ଟେବୁଲ ଚଉକି ଭଳି ଭାରି ଆସବାବପତ୍ର ହଲି ଯାଇପାରେ। ଭୂମିକମ୍ପର ତୀବ୍ରତା ୬ ରୁ ୬.୯ ମଧ୍ୟରେ ରହିଲେ କୌଣସି ବହୁତଳୀୟ ଅଟ୍ଟାଳିକା ହଲିଯାଇପାରେ ଏବଂ ଉପର ମହଲା ଘର ବିଶେଷ କ୍ଷତିଗ୍ରସ୍ତ ହୋଇପାରେ। ଭୂମିକମ୍ପର ତୀବ୍ରତା ୭ରୁ ୭.୯ ଅଙ୍କ ମଧ୍ୟରେ ରହିଲେ ବହୁତଳୀୟ ଅଟ୍ଟାଳିକା ସମ୍ପୂର୍ଣ୍ଣ ଭୁଶୁଡି ପଡ଼ିପାରେ ଏବଂ ଭୂତଳ ପାଣି ପାଇପ୍ ଫାଟି ଯାଇପାରେ। ଭୂମିକମ୍ପର ତୀବ୍ରତା ୮ରୁ ୮.୯ ଅଙ୍କ ମଧ୍ୟରେ ରହିଲେ ବଡ଼ ବଡ଼ ପୋଲ ମଧ୍ୟ ଭାଙ୍ଗିଯାଇପାରେ।

ଭୂମିକମ୍ପ ହେଲେ କ’ଣ କରିବେ ?

ଭୂକମ୍ପ ଏକ ଅକସ୍ମାତ ଘଟଣା। ଏହା କେବେ ଏବଂ କେଉଁଠାରେ ଆସିବ ତାହା ପୂର୍ବାନୁମାନ କରାଯାଇପାରିବ ନାହିଁ । ଏଭଳି ପରିସ୍ଥିତିରେ ଭୂକମ୍ପ ଘଟିଲେ ନିଜକୁ ରକ୍ଷା କରିବା ପାଇଁ କ’ଣ କରିବା ଉଚିତ, ସେ ବିଷୟରେ ସଚେତନ ହେବା ଅତ୍ୟନ୍ତ ଜରୁରୀ ଅଟେ। ନିଜକୁ ବଞ୍ଚାଇବା ପାଇଁ ଏକ ଟେବୁଲ୍ କିମ୍ବା ଅନ୍ୟ ଜିନିଷ ତଳେ ଲୁଚନ୍ତୁ। ନିଜ ମୁଣ୍ଡ ଏବଂ ବେକକୁ ଶକ୍ତ ଜିନିଷ ତଳେ ଘୋଡ଼େଇ ରଖିବାକୁ ଚେଷ୍ଟା କରନ୍ତୁ, ଯାହା ଦ୍ଵାରା ଏହା ଭାଙ୍ଗି ତଳେ ପଡୁଥିବା ଜିନିଷରୁ ରକ୍ଷା ହୋଇପାରିବ। କମ୍ପନ ବନ୍ଦ ନହେବା ପର୍ଯ୍ୟନ୍ତ ସେହି ଜିନିଷ ତଳେ ରୁହନ୍ତୁ। ଯଦି ଆପଣ ଏକ ଟେବୁଲ୍ ତଳେ ଅଛନ୍ତି, ଏହାକୁ ଗୋଟିଏ ହାତରେ ଧରି ରଖନ୍ତୁ।

ଭୂମିକମ୍ପ ସମୟରେ ଖୋଲା ସ୍ଥାନରେ ରହିବା ଯଥାସମ୍ଭବ ସୁରକ୍ଷିତ ଅଟେ। ଉଚ୍ଚ ଅଟ୍ଟାଳିକାଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଭୂକମ୍ପ ସମୟରେ ଗାଡି ଚଳାଉଛନ୍ତି, ତୁରନ୍ତ ଗାଡିକୁ ଗୋଟିଏ ପାର୍ଶ୍ଵରେ ରଖି ଭିତରୁ ବାହାରି କିଛି ଦୂରରେ ଛିଡା ହୁଅନ୍ତୁ। ବ୍ରିଜ୍, ପାୱାର୍ ଲାଇନ୍, କୋଠା କିମ୍ବା ଭାରୀ ଯାନ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ, ତେଣୁ ଯଥାସମ୍ଭବ ସେମାନଙ୍କଠାରୁ ଦୂରରେ ରୁହନ୍ତୁ।

ଭୂମିକମ୍ପର ପୂର୍ବାନୁମାନ ନିମନ୍ତେ ଏବେ ସୁଦ୍ଧା କୌଣସି ଠିକ୍ ଓ ନିର୍ଭରଯୋଗ୍ୟ ପଦ୍ଧତି ବିକଶିତ ହୋଇପାରି ନାହିଁ। ଆମର ଗବେଷଣା ସେହି କ୍ଷେତ୍ରରେ ସଫଳତା ପାଇପାରି ନାହିଁ । ତେବେ ଭୂମିକମ୍ପ ସମୟରେ ଆମର ସଚେତନତା ଓ ସତର୍କତା ବଳରେ ଆମେ ଧନଜୀବନ ହାନିକୁ କିଛି ମାତ୍ରାରେ କମ୍ କରି ପାରିବା ବୋଲି କୁହାଯାଏ । କେତେକ ଜୀବଜନ୍ତୁ ନିଜର ବିଚିତ୍ର ଆଚରଣ ଜରିଆରେ ଭୂମିକମ୍ପର ପୂର୍ବସୂଚନା ଦେଇଥାନ୍ତି। ସରୀସୃପମାନେ ଗାତରୁ ବାହାରି ଆସନ୍ତି ଓ ପକ୍ଷୀମାନେ କିଚିରିମିଚିରି ଶବ୍ଦ କରି ଆକାଶରେ ଉଡ଼ନ୍ତି । ହାତୀମାନେ ନିଜର ବିଶାଳ କାନ ଦ୍ୱାରା ପୃଥିବୀ ଆଭ୍ୟନ୍ତରସ୍ଥ ପ୍ଲେଟ୍ ଗୁଡ଼ିକ ପରସ୍ପର ମଧ୍ୟରେ ଘଷି ହେବାର ତରଙ୍ଗରୁ ବାହାରୁଥିବା ଧ୍ୱନି ଶୁଣିପାରନ୍ତି ବୋଲି ବିଶ୍ୱାସ କରାଯାଏ।