ଘାରିଛି ଡିପଥେରିଆ ଚିନ୍ତା; ନୂଆ ମାମଲା ନାହିଁ, ଟିକାକରଣ ଜାରି

୧୦ ଦିନ ହେଲା ଡିପଥେରିଆର ନୂଆ ମାମଲା ଆଉ ସାମ୍ନାକୁ ଆସିନି । ସମସ୍ତଙ୍କୁ ଟିକାକରଣ କରାଯାଉଛି ।

Public Health

୧୦ ଦିନ ହେଲା ଡିପଥେରିଆର ନୂଆ ମାମଲା ଆଉ ସାମ୍ନାକୁ ଆସିନି । ସମସ୍ତଙ୍କୁ ଟିକାକରଣ କରାଯାଉଛି । ଘରକୁ ଘର ପିଇବା ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାୟଗଡ଼ା, କଳାହାଣ୍ଡି ଓ କୋରାପୁଟ ସୀମାରେ ଡିପଥେରିଆ ସ୍ଥିତି ସମୀକ୍ଷା ପରେ ଏକଥା କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ରୋଗ ପ୍ରତିରୋଧକ ଶକ୍ତି କମିଲେ ଏଭଳି ରୋଗ ମାଡ଼େ । ଏହାର ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଉଛି । ସେହିପରି ଅପହଞ୍ଚ ଥିବା ଗାଁକୁ ରାସ୍ତା ସଂଯୋଗ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ କୁହାଯାଇଛି । ସେହିପରି ଜାପାନିଜ୍ ଏନ୍ ସେଫାଲାଇଟିସ୍ ଓ ଜଣ୍ଡିସ୍ ମୁକାବିଲାର ବି ସମୀକ୍ଷା କରିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ।

ପଢନ୍ତୁ ଏହି ଖବର: ଡିପଥେରିଆ ରୋଗ କଣ ? କେମିତି ହୋଇଥାଏ ସଂକ୍ରମଣ ? ଜାଣନ୍ତୁ...

ଅନୁଗୁଳ, ରାୟଗଡା ଓ ସମ୍ବଲପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ଅନୁଗୁଳରେ ଦୁଇ ଶିଶୁଙ୍କ ମୃତ୍ୟୁ କାରଣ ଜାପାନିଜ ଏନସେଫାଲାଇଟିସ ବୋଲି ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ସମ୍ବଲପୁରରେ ପ୍ରତ୍ୟେକ ଘରେ ସ୍ୱଚ୍ଛ ପାନୀୟ ଜଳ ପହଂଚିବା ନେଇ ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନକୁ ନିର୍ଦ୍ଦେଶ ଦିଆଯାଇଛି ।

ଆବଶ୍ୟକ ହେଲେ ନିଜେ ସମ୍ବଲପୁର ଯାଇ ସ୍ଥିତି ଅନୁଧ୍ୟାନ କରିବେ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି । ଅନ୍ୟପଟେ ଡିପଥେରିଆକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ରାୟଗଡ଼ା ନୁହେଁ କଳାହାଣ୍ଡି ହେଉଛି ରାଜ୍ୟରେ ଡିପଥେରିଆ ସଂକ୍ରମଣର ଉତ୍ସ ବୋଲି ଜଣାପଡ଼ିଛି । ଏନେଇ ଗତ କିଛିଦିନ ତଳେ ସୂଚନା ଦେଇଥିଲେ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡାକ୍ତର ସଂଯୁକ୍ତା ସାହୁ ।

କଳାହାଣ୍ଡିର ଇନ୍ଦ୍ରାବତୀ ବୁଡ଼ି ଅଞ୍ଚଳରୁ ବ୍ୟାପିଛି ସଂକ୍ରମଣ । ମାନୁଷପଦରରୁ ଜଣେ ବ୍ୟକ୍ତି ଇନ୍ଦ୍ରାବତୀକୁ ଯାଇଥିଲେ । ସେ ସେଠାରୁ ସଂକ୍ରମିତ ହୋଇ ମାନୁଷପଦର ଫେରିବା ପରେ ରାଜ୍ୟରେ ବ୍ୟାପିଛି ଡିପଥେରିଆ ସଂକ୍ରମଣ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କଳାହାଣ୍ଡି, କୋରାପୁଟରେ ଏବେ ବି ଚାଲିଛି ସର୍ଭେଲାନ୍ସ ।

କୋରାପୁଟ ବନ୍ଧୁଗାଁର ୩୩ ପିଲାଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ। କାଶୀପୁରର ମନୁଷପଦର ଅଞ୍ଚଳର ୧୮ଟି ଗାଁରୁ ୧୩ ଗାଁରେ ସରିଛି ବୁଷ୍ଟର ଡୋଜ୍ ଟିକାକରଣ । ଏ ସବୁ ଗାଁରେ ୪୬୮ ପିଲାଙ୍କୁ ବୁଷ୍ଟର ଡୋଜ ଦିଆଯାଇଛି । ଏହାଛଡ଼ା କାଶୀପୁର ବ୍ଲକର ଅନ୍ୟ ଗାଁରେ ଯେଉଁ ପିଲାମାନେ ଡିପଥେରିଆ ଟିକା ବିଲକୁଲ ନେଇ ନଥିବେ, ସେମାନଙ୍କୁ ଚିହ୍ନଟ କରାଯାଇ ଟିକା ଦିଆଯିବ ।

ଅନ୍ୟପଟେ ଡିପଥେରିଆରେ ମୃତ୍ୟୁ ହୋଇଥିବା ଜଣେ ୧୧ ବର୍ଷୀୟା ଝିଅର ଓଜନ ମାତ୍ର ୧୫ କିଲୋଗ୍ରାମ ଥିଲା । ତେବେ ତାହା ଅପପୁଷ୍ଟି ନା ନାହିଁ, ସେନେଇ ଯାଞ୍ଚ କରିବାକୁ ମହିଳା ଓ ଶିଶୁ ବିକାଶ ବିଭାଗକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ସେପଟେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ରାଜ୍ୟରେ ସ୍ଥିର ରହିଛି ଡିପଥେରିଆ ସଂକ୍ରମଣ ।