ଜଗନ୍ନାଥଙ୍କ ଭଜନ ଶୁଣିଲେ, ମନେ ପଡନ୍ତି ସିଏ । ଭାବ, ଭକ୍ତିର କଣ୍ଠସ୍ୱର କାନକୁ ମହାପ୍ରଭୁଙ୍କ ଭାବନାରେ ବୁଡାଇ ଦିଏ । ତାଙ୍କୁ ଭକ୍ତକବି କହିଲେ କିଛି ଭୁଲ ହେବନି । ନବମରୁ ପାଠ ଛାଡି ସେ ସଙ୍ଗୀତ ପ୍ରେମରେ ମାତିଥିଲେ । ଆଉ ସଙ୍ଗୀତକୁ ଭଲ ପାଉ ପାଉ ଅଜାଣତରେ କେତେବେଳେ ସେ ଭଜନର ସମ୍ରାଟ ପାଲଟିଗଲେ, ନିଜକୁ ବି ଜଣା ନ ଥିଲା ।
ଭଜନ ସମ୍ରାଟ ଭିକାରୀ ବଳ । ଜଗନ୍ନାଥ ମହାପ୍ରଭୁଙ୍କ ଅସଂଖ୍ୟ ଭଜନ ଗାଇ ଓଡ଼ିଶାର ଘରେ ଘରେ ପରିଚିତ ହୋଇଥିବା ଏହି ମହାନ୍ ଗୀତକାରଙ୍କର ଆଜି ହେଉଛି ମହାପ୍ରୟାଣ ତିଥି । ଆଜି ଦିନରେ ସେ ଏ ମାଟିଘଟ ଛାଡି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବିଲୀନ ହୋଇଥିଲେ । ୨୫ ମେ ୧୯୨୯ ମସିହାରେ କେନ୍ଦ୍ରାପଡା ଜିଲ୍ଲା ସୋବଳରେ ତାଙ୍କ ଜନ୍ମ ହୁଏ ।
ପିତା ରାମଚନ୍ଦ୍ର ଓ ମାତା ଗେହ୍ଲାରାଣୀ ବଳଙ୍କ କୋଳମଣ୍ଡନ କରନ୍ତି ଭିକାରୀ । ହେଲେ ଏଇ ନାଁ ପଛରେ ବି ରହିଛି କାହାଣୀଟିଏ । ଗେହ୍ଲାରାଣୀଙ୍କ ସମସ୍ତ ସନ୍ତାନ ଜନ୍ମପରେ ପ୍ରାଣ ହରାଉଥିବାରୁ ବଳ ଦମ୍ପତି ଦୁଃଖରେ ଥାଆନ୍ତି । ଆଉ ସେ ନିଃସନ୍ତାନ ଦୋଷରୁ ମୁକ୍ତି ପାଇଁ ଠାକୁରଙ୍କ ଶରଣ ପସନ୍ତି । ଠାକୁରେ ପୁଅଟିଏ କୋଳକୁ ଦେବାପରେ, କାଳେ ତାର ମୃତ୍ୟୁ ହେବ, ସେଇ ଡରରେ ଭିକାରୀ ନାଁ ଦିଆଯାଏ ।
Also Read
କେହି କେହି ତାଙ୍କୁ ଭିକାରୀଙ୍କୁ ବିକି ଦିଆଯାଉଥିବା କଥା ବି କହନ୍ତି । ଆଉ ସେଇ ଭିକାରୀ ବଡ ହେବା ପରେ ଓଡ଼ିଶା ସଙ୍ଗୀତ ଆକାଶରେ ଏକ ଉଜ୍ୱଳ ଧ୍ରୁବତାରା ପାଲଟି ଯାଆନ୍ତି । ନବମ ଶ୍ରେଣୀରୁ ପାଠ ଛାଡିଥିଲେ ସିଏ । ପରେ ପରେ ନିଜ ଗାଁ ସୋବଳାର ଯାତ୍ରା ଦଳରେ ସେ କେବେ ଗୀତ ଗାଇଲେ ତ କେବେ ହାରମୋନିଅମ ବଜାଇଲେ, ପୁଣି କେତେବେଳେ ଝିଅବେଶ ହୋଇ ଗୋଟିପୁଅ ଭାବେ ନାଚ ବି କଲେ ।
କିନ୍ତୁ ଓଡ଼ିଶାର ଅଗଣିତ ଜଗନ୍ନାଥପ୍ରେମୀଙ୍କୁ ଭକ୍ତିରସରେ ରସାଇବା ପାଇଁ ଯାହାର ଜନ୍ମ ସେ କି ବାନ୍ଧି ହୋଇ ରହିପାରିଥା’ନ୍ତା ଯାତ୍ରାର ପରିଧୀ ଭିତରେ । ଓଡିଶୀ ସଙ୍ଗୀତର ଅହେତୁକ ଆକର୍ଷଣରେ ଟାଣି ହୋଇ ସେ କଟକ କଳାବିକାଶ କେନ୍ଦ୍ରରେ ଯୋଗ ଦିଅନ୍ତି । ଓଡ଼ିଶୀ ସଙ୍ଗୀତ ଶିକ୍ଷାଲାଭ କରିବା ପରେ ତାଙ୍କ ତୁଣ୍ଡରେ ପ୍ରାଣ ପାଏ- “ପ୍ରାଣ ମିତଣି ବାରେ ଚାହାଁରେ”। ଏହି ଗୀତ ତାଙ୍କୁ ପ୍ରଚୁର ଲୋକପ୍ରିୟତା ଦିଏ ।
ଆଉ ଏହା ପରେ ପରେ ସେ ଜଗନ୍ନାଥ ମହାପ୍ରଭୁଙ୍କୁ ନିବେଦିତ ଅସଂଖ୍ୟ ସଙ୍ଗୀତ ଗାନ କରନ୍ତି । ଆଜି ବି ତାଙ୍କ ସଙ୍ଗୀତ ଶୁଣି ଭାବରେ ଆପ୍ଲୁତ ହୁଅନ୍ତି ଓଡ଼ିଆ । ବଡ଼ ଦାଣ୍ଡରେ ଚକାଆଖିକୁ ଦର୍ଶନ ବେଳେ ସାଧାରଣ ଓଡ଼ିଆଟାଏ, ଆପେ ଆପେ ପାଲଟିଯାଏ ଭିକାରୀ ବଳ, ଗୀତ ଗାଏ, ଲୁହ ଗଡାଏ । ଭିକାରୀ ବଳଙ୍କ ଏହି କୃତି ଦେଖି ଗଜପତି ଦିବ୍ୟସିଂହ ଦେବ ତାଙ୍କୁ ଦିଅନ୍ତି ସଙ୍ଗୀତ ସମ୍ରାଟର ଆଖ୍ୟା ।
ଜଗନ୍ନାଥ ମନ୍ଦିରରେ ସେବା ପାଇଁ ତାଙ୍କୁ ମିଳେ ଅନୁମତି । ସେ ଜଗନ୍ନାଥଙ୍କର ଚାମର ସେବା ପାଇ ବାସ୍ତବରେ ପାଲଟିଯାନ୍ତି କୃତାର୍ଥ ଭକ୍ତଟିଏ । ଅସୁମାରୀ ଚମ୍ପୁ, ଛାନ୍ଦ ଓ ଲୋକଗୀତ ସହିତ ପୁରାତନ ରଚନାରୁ ବହୁ ସଙ୍ଗୀତ ଗାନ କରିଛନ୍ତି ଭିକାରୀ । ଗୋପାଳକୃଷ୍ଣ, ଦୀନକୃଷ୍ଣ, ବଳଦେବ, ବନମାଳି ଓ ସାଲବେଗ ଆଦି ପୁରାତନ କବିଙ୍କ ବହୁ ଭଜନ ତାଙ୍କ କଣ୍ଠରେ ମହାପ୍ରଭୁଙ୍କୁ ନିବେଦିତ ହୋଇଛି ।