ଅନ୍ତିମ ପର୍ଯ୍ୟାୟରେ ସନାତନ ସଭ୍ୟତା, ସଂସ୍କୃତି ଓ ଶାସ୍ୱତ ପରମ୍ପରାର ସମାବେଶ ମହାକୁମ୍ଭ । ଦିନ ସରି ସରି ଆସୁଥିବା ବେଳେ ଶ୍ରଦ୍ଧାଳୁଙ୍କ ଭିଡ଼ କିନ୍ତୁ ବଢ଼ି ବଢ଼ିଚାଲିଛି । ମହାକୁମ୍ଭର ଆଧ୍ୟାତ୍ମିକ ଆକର୍ଷଣ ସମସ୍ତଙ୍କୁ ତୀର୍ଥନଗରୀକୁ ଟାଣିଆଣୁଛି । ଏହାକୁ ହିନ୍ଦୁ ଶକ୍ତି ପ୍ରଦର୍ଶନର ସମାବେଶ ମଧ୍ୟ କୁହାଯାଇପାରିବ । ମହାକୁମ୍ଭ ଭାରତର ଅନନ୍ତ ଆଧ୍ୟାତ୍ମିକ ଐତିହ୍ୟକୁ ପରିପ୍ରକାଶ କରେ ଏବଂ ବିଶ୍ୱାସ ଓ ସୌହାର୍ଦ୍ଦ୍ୟର ଉତ୍ସବ ପାଳନ କରେ । ଧର୍ମ ହେଉଛି ବିଶ୍ବାସର କଥା ଏବଂ ବିଶ୍ବାସର ବ୍ୟାପାରରେ ଯୁକ୍ତି ପାଇଁ ସ୍ଥାନ ନ ଥାଏ। ବିଶ୍ୱର ସର୍ବବୃହତ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସମାବେଶ ଭାବେ ପରିଚୟ ହାସଲ କରିଥିବା ମହାକୁମ୍ଭ ଜାନୁଆରୀ ୧୩ ତାରିଖ ପୌଷ ପୂର୍ଣ୍ଣିମାରେ ଆରମ୍ଭ ହୋଇଥିଲା ଏବଂ ଏହା ଫେବୃଆରୀ ୨୬ ମହାଶିବରାତ୍ରି ପର୍ଯ୍ୟନ୍ତ ଜାରି ରହିବ।
ଏବେ ସୁଦ୍ଧା ୬୦୦ ମିଲିୟନ ଲୋକ ମହାକୁମ୍ଭରେ ଆସ୍ଥାର ବୁଡ଼ ପକାଇ ସାରିଥିବା ବେଳେ ୨୬ ମହାଶିବରାତ୍ରୀରେ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆକଳନ କରାଯାଉଛି । ଭାରତର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅମ୍ବାନୀ ପରିବାର ଓ ଅନେକ ଅନ୍ତର୍ଜାତୀୟ ହସ୍ତୀ ମୋକ୍ଷପ୍ରାପ୍ତି ଉଦ୍ଦେଶ୍ୟରେ ତ୍ରିବେଣୀ ସଙ୍ଗମରେ ପବିତ୍ର ବୁଡ଼ ପକାଇଛନ୍ତି । ୧୪୪ ବର୍ଷରେ ଏପରି ମହାସଂଯୋଗ ପଡ଼ିଥିବାରୁ ଶ୍ରଦ୍ଧାଳୁମାନେ ବିମାନ ଯାତ୍ରା, ସ୍ଥାନୀୟ ପରିବହନ ଓ ରହିବା ଲାଗି ଅଧିକ ୩୦୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ରାଜି । ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କର ଭିଡ ଯୋଗୁଁ ସଙ୍ଗମସ୍ଥଳ ସଫାସୁତୁରା ଏବଂ ଅନ୍ୟ ବ୍ୟବସ୍ଥା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଖୁବ୍ ଭଲରେ ପରିଚାଳନା କରୁଛନ୍ତି ରାଜ୍ୟ ସରକାର ।
Also Read
ପ୍ରୟାଗରାଜ ହେଉଛି ଉତ୍ତରପ୍ରଦେଶର ଅନ୍ୟତମ ସର୍ବାଧିକ ଜନସଂଖ୍ୟାର ସହର । ୨୦୧୦-୧୧ ଜନଗଣନା ଅନୁଯାୟୀ ଏହାର ଜନସଂଖ୍ୟା ଥିଲା ପ୍ରାୟ ୧୫.୫ ଲକ୍ଷ । ପ୍ରତି ବର୍ଗ କିଲୋମିଟରରେ ବାସ କରୁଥିଲେ ପ୍ରାୟ ୧୬ ହଜାର ନାଗରିକ, ଯେଉଁ ସଂଖ୍ୟା ବର୍ତ୍ତମାନ ବୃଦ୍ଧି ପାଇବା ସ୍ବାଭାବିକ। ଏଭଳି ଏକ ସ୍ଥିତିରେ ପ୍ରତ୍ୟହ ଏକ କୋଟିରୁ ଅଧିକ ବ୍ୟକ୍ତିଙ୍କ ସମାଗମ ସହରର ଧାରଣ କ୍ଷମତାକୁ ମାଡ଼ି ମକଚି ପକାଇବାରେ କୌଣସି ସନ୍ଦେହ ନାହିଁ।
ଏବେ ଶ୍ରଦ୍ଧାଳୁଙ୍କ ଭିଡ଼ରେ କ୍ଲାନ୍ତ, କାକୁସ୍ଥ, ଅବସନ୍ନ ହୋଇପଡ଼ିଛି ତୀର୍ଥନଗରୀ ପ୍ରୟାଗରାଜ । ତ୍ରାହି ତ୍ରାହି ଡାକିଲାଣି ସଙ୍ଗମସ୍ଥଳ । ମୋକ୍ଷପ୍ରାପ୍ତି ପାଇଁ ବୁଡ଼ ପକାଇବାକୁ ଆସୁଥିବା ଲୋକଙ୍କ ଗହଳିରେ ପରିବେଶ ବଦଳି ଯାଇଛି, ଆବର୍ଜନାମୟ ହୋଇପଡ଼ିଛି ରାସ୍ତାଘାଟ, ଥକିପଡ଼ିଛି ପ୍ରୟାଗରାଜ । ତ୍ରିବେଣୀ ସଙ୍ଗମରେ ପ୍ରତିଦିନ ପୂଜା ପାଇଁ ବ୍ୟବହୃତ ନଡ଼ିଆ, ଫୁଲ ଇତ୍ୟାଦି ପୂଜା ସାମଗ୍ରୀ ପଡ଼ି ରହୁଛି । ପ୍ରତିଦିନ ତ୍ରିବେଣୀରୁ ଅଳିଆ କଢ଼ାଯାଉଛି, ଯାହା ଦ୍ଵାରା ଭକ୍ତମାନେ ସଙ୍ଗମର ସ୍ୱଚ୍ଛ ଏବଂ ବିଶୁଦ୍ଧ ଜଳରେ ବୁଡ଼ ପକାଇପାରିବେ।
ସଙ୍ଗମର ମଇଳା ସଫା କରିବା ପାଇଁ ଟ୍ରାସ୍ ସ୍କିମର୍ ମେସିନ୍ ଲଗାଇଛନ୍ତି ୟୁପି ସରକାର। ଏହି ମେସିନ ପ୍ରତିଦିନ ନଦୀରୁ ୧୦ ରୁ ୧୫ ଟନ୍ ଆବର୍ଜନା ବାହାର କରୁଛି ଏବଂ ଏହାର ପାଣିକୁ ସଫା କରୁଛି। ମହାକୁମ୍ଭ ଆରମ୍ଭ ହେବା ପରେ, ମେସିନ୍ ଦ୍ୱାରା ଅଳିଆ ସଂଗ୍ରହ ୨୦ଗୁଣ ବୃଦ୍ଧି ପାଇଛି। ଭାସୁଥିବା ଫୁଲ, ମାଳ, ପ୍ଲେଟ, ଧୂପକାଠି, ପ୍ଲାଷ୍ଟିକ୍, ନଡ଼ିଆ, ପୋଷାକ ଇତ୍ୟାଦିକୁ ମେସିନ ବାହାର କରୁଛି । ହେଲେ ଏଇଠି ପ୍ରଶ୍ନ ଉଠୁଛି ସ୍ୱଚ୍ଛତା ପ୍ରତି ଧ୍ୟାନ ଦେବା କ’ଣ କେବଳ ସରକାରଙ୍କ କର୍ତ୍ତବ୍ୟ । ସାଧାରଣ ଜନତା ତୀର୍ଥନଗରୀକୁ ଆବର୍ଜନାମୟ କରିଦେବା କେତେ ଯୁକ୍ତିଯୁକ୍ତ ।
କେବଳ ସରକାର ନୁହଁନ୍ତି ସ୍ବଚ୍ଛ ପରିବେଶ ଦେଶର ଶୃଙ୍ଖଳିତ ଜନତାଙ୍କ ପରିଚୟ ଦେଇଥାଏ । ସ୍ବଚ୍ଛ ପରିବେଶ ମନରେ ଏକ ସକରାତ୍ମକ ଭାବନା ଓ ବିଚାରଧାରା ସୃଷ୍ଟି କରିଥାଏ । ସବୁରି ଉପରେ ସ୍ବଚ୍ଛ ପରିବେଶ ଦ୍ବାରା ରୋଗ ଜୀବାଣୁଙ୍କ ବିନାଶ ହୋଇଥାଏ । ଯାହାଦ୍ବାରା ଲୋକମାନେ ଏକ ସୁସ୍ଥ ନିରାମୟ ଜୀବନ ଜୀଇଁ ପାରିଥାନ୍ତି । ହେଲେ ତୀର୍ଥରାଜ ପ୍ରୟାଗରାଜର ସ୍ଥିତି ଭିନ୍ନ ଚିତ୍ର ବଖାଣୁଛି । ଅପରିଷ୍କାର ପରିବେଶରୁ ଜଣ୍ଡିସ, କଲେରା, କୃମିରୋଗ, ଆସ୍କାରିଆସିସ, ଲେପ୍ଟୋସ୍ପିରୋସିସ ଆଦି ମାରାତ୍ମକ ରୋଗର ଅନେକ ଆଶଙ୍କା ରହିଛି ।
ମଇଳା ଆବର୍ଜନା ପଡି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି । ଶ୍ରଦ୍ଧାଳୁଙ୍କ ଭିଡ଼ ସ୍ଥାନୀୟ ଲୋକଙ୍କୁ ଅତିଷ୍ଠ କରି ପକାଇଲାଣି । ପ୍ରଥମେ ପ୍ରଥମେ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ମାଗଣାରେ ଖାଦ୍ୟପାନୀୟ ଯୋଗାଉଥିବା ଲୋକେ ଏବେ କିନ୍ତୁ ଥକିପଡ଼ିଲେଣି । ତୀର୍ଥଯାତ୍ରୀଙ୍କ ଭିଡ଼ ଆଉ ନିୟନ୍ତ୍ରଣରେ ନାହିଁ । ସ୍ୱଚ୍ଛତା ହେଉ କି ଦଳାଚକଟା,ଏଥିପ୍ରତି କାହାର ନିଘା ନାହିଁ। ଟ୍ରାଫିକ ସମସ୍ୟାରେ ସମସ୍ତେ ଘାଣ୍ଟି ହେଉଛନ୍ତି ।
ନିକଟରେ କୁମ୍ଭମେଳାରେ ଦଳାଚକଟା ଘଟିଲା। ଏଥିରେ ଅନେକଙ୍କ ମୃତ୍ୟୁ ହେଲା, ଯାହା ଏକ ଦୁଃଖଦ ବିଷୟ। ଅଘଟଣକୁ ଏଡ଼ାଇବା ପାଇଁ ସିଆରପିଏଫ୍ କର୍ମଚାରୀମାନେ ଘାଟ, ମେଳା ପରିସର ଏବଂ ପ୍ରମୁଖ ମାର୍ଗଗୁଡ଼ିକରେ ୨୪ ଘଣ୍ଟା ସୁରକ୍ଷା ବଜାୟ ରଖିଛନ୍ତି । ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ସତର୍କତା ସହିତ, ସେମାନେ ଯେକୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବାକୁ ପ୍ରସ୍ତୁତ ।
ୟୁପି ସରକାର ସନାତନ ଧର୍ମର ଏହି ବଡ ଆୟୋଜନରେ ପୂରା ଶକ୍ତି ଲଗାଇଦେଇଛନ୍ତି । କୁମ୍ଭମେଳା ପରି ମେଳା ମହୋତ୍ସବରେ ଭିଡ଼ ପରିଚାଳନା ନିମିତ୍ତ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡମାନଙ୍କରେ ଆବଶ୍ୟକ ପଦକ୍ଷେପମାନ ନେବା ପାଇଁ ନିର୍ଦ୍ଦେଶାବଳୀ ଉପଲବ୍ଧ ଅଛି। ଏହି ନିର୍ଦ୍ଦେଶାବଳୀରେ ସମସ୍ତ ପ୍ରକାର ଦୁର୍ଘଟଣାର ସମ୍ଭାବନା ପ୍ରତି ଧ୍ୟାନ ଦିଆଯାଇଛି। ଏହି ନିର୍ଦ୍ଦେଶାବଳୀକୁ ଅନୁପାଳନ କଲେ ଅଧିକାଂଶ ଦୁର୍ଘଟଣା ଏଡ଼ାଇ ଦିଆଯାଇ ପାରନ୍ତା । ହେଲେ ଲୋକଙ୍କ ଅସାବଧାନତା ହେତୁ ଅନେକ ଛୋଟ ବଡ଼ ଅଘଟଣ ଘଟିଛି ।
ଏତିକି ନୁହେଁ କୋଟି କୋଟି ଶ୍ରଦ୍ଧାଳୁଙ୍କ ପାଇଁ ଦୈନନ୍ଦିନ ଜୀବନ ଜୀଇଁବା ମୁସ୍କିଲ ହୋଇପଡ଼ିଛି । ସଙ୍ଗମସ୍ଥଳ ଥିଲେ ସୁଦ୍ଧା ଲୋକେ ଏଠି ବି ଅଫିସ ଯାଆନ୍ତି, ପିଲାମାନେ ସ୍କୁଲ କଲେଜ ଯାଆନ୍ତି, ଘରେ ରୋଷେଇ ହୁଏ । ୧୯ ଫେବୃଆରୀରେ ଶେଷ ଅମୃତ ସ୍ନାନ ଅନୁଷ୍ଠିତ ହୋଇଥିଲେ ବି ଶ୍ରଦ୍ଧାଳୁଙ୍କ ଭିଡ଼ରେ ଲଗାମ ଲାଗୁନି । ଜଣେ ବାସିନ୍ଦା ପ୍ରଶ୍ନ କରିଛନ୍ତି, ଅମୃତ ସ୍ନାନ ଶେଷ ହେବାପରେ ମଧ୍ୟ ଶ୍ରଦ୍ଧାଳୁଙ୍କ ସଂଖ୍ୟା କମ ହେବା ପରିବର୍ତ୍ତେ ବଢ଼ୁଛି କାହିଁକି ? ଆଉ କେତେ ଦିନ ଏପରି ଭିଡ଼ ହେବ ।
ଏଥିପାଇଁ ସଂସ୍କୃତିକୁ ସମ୍ମାନ କରିବାର ଶିକ୍ଷାଗ୍ରହଣ କରିବା ଆବଶ୍ୟକ। ନିଜ ବ୍ୟବହାର ଅଥବା ଆଚରଣରେ ଆମ ସଂସ୍କୃତି ସମ୍ବଳିତ ଶିକ୍ଷାଗୁଡ଼ିକୁ ଅଭ୍ୟାସ କରିବା ଆବଶ୍ୟକ । ଶ୍ରଦ୍ଧାଳୁ ସଚେତନ ହେଲେ ଧାର୍ମିକ ବିଶ୍ୱାସ ସ୍ଥାନୀୟ ଲୋକଙ୍କୁ ଧୈର୍ଯ୍ୟହୀନ କରିପକାଇବନି କି ଏପରି ସ୍ଥିତି ଉପୁଜିବ ନାହିଁ ।