Maha Shivaratri 2025: ରାତିସାରା ତଳେ ଜଗିଛି ମହାବଳ, ବେଲଗଛରେ ଲୁଚିଛି ଶିକାରୀ

ଆଗକୁ ଆସୁଛି ମହାଶିବରାତ୍ରୀ। ଉତ୍ସବମୁଖର ହୋଇପଡ଼ିବ ଶୈବପୀଠ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଜାଣିବା କାହିଁକି ପାଳନ ହୁଏ ମହାଶିବରାତ୍ରୀ। ପୁରାଣରେ ଏହାକୁ ନେଇ ଅନେକ କୌତୂହଳୀ କାହାଣୀ ରହିଛି। ମାତା ପାର୍ବତୀ ଜାଣିବାକୁ ଚାହିଁଥିଲେ, ଅଜାଣତରେ ଯଦି ଜଣେ ଶିବରାତ୍ରୀର ନୀତି କରିଥାଏ ତାହେଲେ ସେ ମଧ୍ୟ ପ୍ରଭୁଙ୍କ କୃପା ଲାଭ କରିଥାଏ। ପଢ଼ନ୍ତୁ ଏହି ସୁନ୍ଦର କାହାଣୀ।

ମହାଶିବରାତ୍ରୀ ପଛର ପୌରାଣିକ କାହାଣୀ

ଭାରତୀୟ ପୁରାଣରେ ଅନେକ କାହାଣୀ ଅନେକ ଘଟଣା। ପୁରୁଣା ବ୍ୟାଖ୍ୟାକାରମାନେ କୁହନ୍ତି, ଆମେ ଆଜି ପାଳନ କରୁଥିବା ସବୁ ପର୍ବପର୍ବାଣୀ କିମ୍ବା ଓଷାବ୍ରତ ପଛରେ ଗୋଟିଏ ଗୋଟିଏ ସୁନ୍ଦର ପୌରାଣିକ କାହାଣୀ ରହିଛି। ଆସନ୍ତୁ ପଢ଼ିବା ସେମିତି ଏକ କୌତୂହଳପ୍ରଦ କାହାଣୀ ଶିବରାତ୍ରୀ ସଂପର୍କରେ।

ଥରେ ହିମାଳୟ ପର୍ବତ ଉପରେ ବସି ପ୍ରଭୁ ଶିବ ଓ ମାତା ପାର୍ବତୀ ଆଳାପ କରୁଥାନ୍ତି। ମାତା ପାର୍ବତୀ ପଚାରିଲେ- ହେ ! ଜଗତ୍‌ପତି ମହେଶ ! କୃପା କରି ମୋତେ କହନ୍ତୁ, ଆପଣଙ୍କୁ ପୂଜା କରିବାକୁ ତ ଅନେକ ଓଷାବ୍ରତ ରହିଛି। କିନ୍ତୁ କେଉଁ ବ୍ରତଟି ପାଳନ କଲେ, ଆପଣ ସର୍ବାଧିକ ସନ୍ତୁଷ୍ଟ ହୋଇ ଭକ୍ତକୁ ବରଦାନ କରିଥାନ୍ତି? ଏହା ଶୁଣି ପ୍ରଭୁ ଶିବ ସ୍ମିତ ହସି କହିଲେ- ପ୍ରିୟେ ! ଯଦି ଏକଥା ଜାଣିବା ପାଇଁ ତୁମର ଆଗ୍ରହ ହେଉଛି, ତେବେ କହୁଛି ଶୁଣ।

‘ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ଦିନ ରାତିରେ ମୋର ଯେଉଁ ଶିବରାତ୍ରୀ ବ୍ରତ କରାଯାଏ, ମୁଁ ସେଥିରେ ପରମ ସନ୍ତୋଷ ଲାଭ କରି ବ୍ରତକାରୀଙ୍କୁ ଦୁର୍ଲଭ ଫଳ ପ୍ରଦାନ କରିଥାଏ। ଦିନ ତମାମ ଉପବାସ ରହିବା ପରେ ରାତ୍ରିରେ ଚାରି ପ୍ରହର ଯାକ ମତେ ପୂଜା ଆରାଧନା କରାଯାଏ। ଭକ୍ତିରେ ଶିବଲିଙ୍ଗ ସ୍ଥପନା କରି ପଞ୍ଚାମୃତରେ ସ୍ନାନ କରାଇ ବେଲ ପତ୍ର, ଫୁଲପଳ ସମର୍ପଣ କରି, ଶିବ ମନ୍ତ୍ରରେ ମୋହ କରି ପ୍ରତି ପ୍ରହରରେ ମତେ ଅର୍ଘ୍ୟ ଦେଇ ଅନାହାର ଓ ଉଜାଗର ରହି ଯିଏ ପୂଜା କରିଥାଏ, ସେ ମୋର କୃପା ବଳରେ ପରମ ସୌଭାଗ୍ୟ ଲାଭ କରେ ଏବଂ ଅନ୍ତକାଳ ପରେ ମୋର ଶିବଲୋକରେ ସ୍ଥାନ ପାଇଥାଏ।’

ଏହା ଶୁଣି ପାର୍ବତୀ ପଚାରିଲେ— ପ୍ରଭୁ ! ପୂର୍ବ କାଳରେ କିଏ ଏହି ବ୍ରତ କରି ଉପକୃତ ହୋଇଛି କୃପାକରି କୁହନ୍ତୁ।’

ପ୍ରଭୁ ଶିବ କହିଲେ- ‘ଶିବରାତ୍ରୀ ବ୍ରତ ଜାଣତରେ ବା ଅଜାଣତରେ କଲେ ମଧ୍ୟ ସମାନ ଫଳ ମିଳିଥାଏ। ପୂର୍ବ କାଳରେ ମଧ୍ୟ-ଦେଶରେ ପାପକର୍ମା ନାମକ ଜଣେ ଆଦିବାସୀ ରହୁଥିଲା। ଦେଖିବାକୁ କଳା ମଚମଚ ଟାଣୁଆ ଦେହ। ତମ୍ବା ଭଳି ନାଲିଆ ଆଖି। ଟାଆଁସା କୁଞ୍ଚୁକୁଞ୍ଚିଆ ବାଳ। ବଡ଼ କଦାକାର ଚେହେର। ଦୁର୍ଜନଟାଏ। ନିର୍ଦ୍ଦୟ ଭାବ ପଶୁପକ୍ଷୀ ଶିକାର କରି ପେଟ ପୋଷିବା ଛଡ଼ା ଆଉ ରକିଛି ଜାଣେ ନାହିଁ। ତେଣୁ ରାତି ପାହିଲେ ଧନୁଶର ଓ ଜାଲ ପ୍ରଭୃତି ନେଇ ବଣକୁ ବଣ ବୁଲିବା ହେଲା ତାର କାମ।

ଦିନକର କଥା। ସେହି ବ୍ୟାଧ ସବୁଦିନ ଭଳି ଜାଲ ଓ ଧନୁଶର ଧରି ଶିକାରକୁ ବାହାରି ପଡ଼ିଲା। ଯାଇ ପହଞ୍ଚିଲା ବହୁତ ଦୂରରେ ଥିବା ‘କାଳାଞ୍ଜନ’ ନାମକ ପର୍ବତରେ। ପଶୁ ଶିକାର ନ ପାଇ ଜାଲ ଦ୍ୱାରା ଶୁକ, ଶାରୀ, କୋକିଳ, ସାରସ ପ୍ରଭୃତି ଗୁଡ଼ାଏ ପକ୍ଷୀ ଧରିଲା। ସେଗୁଡିକୁ ପିଞ୍ଜରାରେ ଭର୍ତ୍ତି କରି ଘରକୁ ଫେରିବା ବେଳକୁ ସନ୍ଧ୍ୟା ହୋଇଗଲା। ଦିନଯାକ କିଛି ଖାଇ ନଥାଏ। ଟୋପାଏ ପାଣି ପିଇବାକୁ ମିଳି ନଥାଏ। କ୍ଷୁଧାତୃଷା ଯୋଗୁ ସେ ବଡ଼ ଦୁର୍ବଳ ଅନୁଭବ କରୁଥାଏ। ଶୀତ ଯୋଗୁ ଦେହ ଥରୁଥାଏ। ରାତି ମାଡ଼ି ଆସିଲା। ସେ ଆଉ ଆଗକୁ ପାଦ ବଢ଼ାଇ ପାରିଲା ନାହିଁ। ହିଂସ୍ର ଜନ୍ତୁମାନେ ବାହାରି ତାଗିଦ କଲେ।

ହଠାତ୍ ଗୋଟାଏ ବାଘ ତା ଆଡ଼କୁ ମାଡ଼ି ଆସିଲା। ବ୍ୟାଧ କରେ କ’ଣ। ଧନୁ ତୀର ଚଳାଇବାକୁ ବଳ ବା ବେଳ ଅଣ୍ଟିଲା ନାହିଁ। ପ୍ରାଣ ବିକଳରେ ଦୌଡ଼ିବାକୁ ଗଲା। ଆଗରେ ଗୋଟାଏ ବଡ଼ ବେଲ ଗଛ ପାଇ ତା ଉପରେ ଚଢ଼ିଗଲା। ମହାବଳ ବାଘଟା ମଧ୍ୟ ତା’ ପଛେ ପଛେ ଗୋଡ଼ାଇ ସେହି ଗଛମୂଳେ ପହଞ୍ଚିଲା। ଗର୍ଜନ ତର୍ଜନ କରି ବ୍ୟାଧଟାକୁ ଶିକାର କରିବ ବୋଲି ଜଗି ବସିଲା। ବ୍ୟାଧର ଭୟ କହିଲେ ନସରେ। ସେ ଶୋଇ ପାରିଲା ନାହିଁ। ବାଘକୁ ଚାହିଁ ସେଇଠି ଗଛ ଉପରେ ବସିଥାଏ। ମଝିରେ ମଝିରେ ବେଲଗଛର ଡାଳ ପତ୍ର ଭାଙ୍ଗି ତା ଉପରକୁ ଫୋପାଡ଼ୁଥାଏ। ବାଘଟା ହୁରୁଡ଼ି ବଣ ଭିତରକୁ ପଳାଇ ଗଲେ ସେ ଟିକେ ନିଶ୍ଚିନ୍ତରେ ରାତ୍ରିଯାପନ କରନ୍ତା। ମାତ୍ର ବାଘ ଘୁଞ୍ଚିବାକୁ ନାହିଁ।

ଦୈବ ଯୋଗକୁ ସେହି ରାତିଟି ଥିଲା ଶିବରାତ୍ରି। ସେଇ ବେଲଗଛ ମୂଳେ ବିଲେଶ୍ୱର ମହାଦେବଙ୍କ ଶିବଲିଙ୍ଗିଟି ମଧ୍ୟ ଫୁଟି ବାହାରିଥାଏ। ବ୍ୟାଧଟି ଗଛ ଉପରେ ଚଢ଼ିବାରୁ ଗଛର ଶୁଖିଲା ବେଲପତ୍ର ଝଡ଼ି ଶିବଲିଙ୍ଗ ଉପରେ ଅଜାଡ଼ି ହୋଇ ପଡ଼ିଥିଲା। ପ୍ରତି ମୂରୂର୍ତ୍ତରେ ବ୍ୟାଧ ବାଘକୁ ତଡ଼ିବା ପାଇଁ ଡାଳ ପତ୍ର ଭାଙ୍ଗି ଯାହା ତା ଉପରକୁ ପକାଉଥିଲା, ସେ ସବୁ ଅଧିକାଂଶ ଲକ୍ଷ୍ୟଭ୍ରଷ୍ଟ ହୋଇ ଶିବଲିଙ୍ଗ ଉପରେ ହିଁ ପଡୁଥିଲା। ଅଜାଣତରେ ବ୍ୟାଧ ଉପବାସ ରହି ବେଲପତ୍ର ଚଢ଼ାଇ ଶିବଲିଙ୍ଗ ପୂଜା କରିବାର ଫଳ ପାଇବାରେ ଲାଗିଥାଏ। ରାତି ପାହି ସକାଳ ହେଲା। ସୂର୍ଯ୍ୟୋଦୟ ହେବାରୁ ବାଘଟି ଘଞ୍ଚ ଅରଣ୍ୟ ଭିତରକୁ ଆପେ ଆପେ ପଳାଇଗଲା। ବ୍ୟାଧ ଗଛରୁ ତଳକୁ ଖସିଲା। ପିଞ୍ଜରା ଧରି ଘର ଉଦ୍ଦେଶ୍ୟରେ ପାଦ ବଢ଼ାଇଲା। କିନ୍ତୁ ଏହି ସମୟରେ ଘଟିଲା ଏକ ବଡ଼ ଅଘଟଣ। ଚତୁର ବାଘଟି ବାସ୍ତବରେ ଜଙ୍ଗଲ ଭିତରକୁ ଯାଇନଥିଲା। ସେଇ ପାଖ ବଣ ଉହାଡ଼ରେ ଛପିଥିଲା। ଫଳରେ ଏକା କୁଦାକେ ସେ ବ୍ୟାଧକୁ ଆକ୍ରମଣ କରି ମାରିଦେଲା।

ବ୍ୟାଧ ମଲା ପରେ ଯମଦୂତମାନେ ତା’ର ଆତ୍ମାକୁ ନେବା ପାଇଁ ଆସି ପହଞ୍ଚିଗଲେ। ମାତ୍ର ଅନ୍ୟ ଦିଗରୁ ଶିବଙ୍କ ଦୂତମାନେ ଆସି ତା’ ଆତ୍ମାକୁ ଶିବଲୋକକୁ ନେବା ପାଇଁ ଚାହିଁଲେ। ଯମଦୂତ ଓ ଶିବଦୂତ ମାନଙ୍କ ମଧ୍ୟରେ ତର୍କବିତର୍କ ହେଲା। ବ୍ୟାଧ ଜୀବନଯାକ ବହୁ ପଶୁପକ୍ଷୀ ମାରି ଅଶେଷ ପାପ ଅର୍ଜନ କରିଥିବାରୁ, ବିଚାର ପାଇଁ ଯମପୁର ଯିବା ଉଚିତ ବୋଲି ଯମଦୂତମାନେ ଯୁକ୍ତି କଲା ବେଳକୁ, ଶିବଦୂତମାନେ କହୁଥାନ୍ତି, ଶିତ ରାତିରେ ଉପବାସ ଓ ଉଜାଗର ରହି ଶିବଙ୍କୁ ବେଲପତ୍ର ଚଢ଼ାଇଥିବାରୁ ବ୍ୟାଧର ସବୁ ପାପ ନାସ ହୋଇଯାଇଛି। ତେଣୁ ସେ ଶିବଲୋକ ପ୍ରାପ୍ତ ହେବ। ବଳବାନ ଶିବଦୂତମାନେ ଯମଦୂତମାନଙ୍କୁ ତଡ଼ିଦେଇ ବ୍ୟାଧର ଆତ୍ମାକୁ ଶିବଲୋକ ନେଇ ଆସିଲେ।

ଯମଦୂତମାନେ ଯମଦେବତାଙ୍କ ଆଗରେ ଘଟିଥିବା ଘଟଣା ଜଣାଇ ଦେଲେ। ଯମ ଦେବତାଙ୍କ ନିର୍ଦ୍ଦେଶରେ ଚିତ୍ରଗୁପ୍ତ ପାଞ୍ଜି ଦେଖି କହିଲେ- ‘ହେ ଯମଦେବ ! ବାସ୍ତବରେ ଶିବଦୂତମାନଙ୍କ ଯୁକ୍ତି ଠିକ୍। ବ୍ୟାଧ ଅଜାଣତରେ ଶିବରାତ୍ରି ବ୍ରତ ପାଳନ କରି ପାରିଥିବାରୁ ସକଳ ପାପ ତାହାର ଖଣ୍ଡନ ହୋଇଛି। ଏହା ଶୁଣି ଯମଦେବତା ନିଜେ କୈଳାସପୁରୀ ଯାଇ, ଶିବ ଦର୍ଶନ କରି ନିଜ ଦୂତମାନଙ୍କ ଅଜ୍ଞତା ସକାଶେ କ୍ଷମା ପ୍ରାର୍ଥନା କଲେ। ବ୍ୟାଧ ଶିବଙ୍କ ସେବକ ରୂପରେ ସବୁକାଳ ଲାଗି ଶିବଲୋକ ପ୍ରାପ୍ତ ହେଲା। ତେଣୁ ଭକ୍ତିରେ ଯେଉଁ ଜନ ଶିବରାତ୍ରି ବ୍ରତ କରେ ତାହାର ପଳାଫଳ କହିବା ସହଜ ସାଧ୍ୟ ନୁହେଁ।

ପ୍ରଭୁ ଶିବଙ୍କ ବ୍ୟାଧ କାହାଣୀ ଶୁଣି ମାତା ପାର୍ବତୀ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଜାଣିଗଲେ ଯେ, ଆପଣ ଜାଣତରେ ହେଉ କିମ୍ବା ଅଜାଣତରେ, ଶିବରାତ୍ରୀ ପାଳନର ବିଧି ଅନୁସରଣ କଲେ, ପ୍ରବୁ ଶିବ ଖୁସି ହେବା ନିଶ୍ଚିତ ଓ ଫଳ ମିଳିବା ନିଶ୍ଚିତ। ମାତା ପାର୍ବତୀ ପ୍ରଭୁଙ୍କ ଉଦ୍ଦେଶ୍ୟରେ କହିଲେ ଓମ୍ ନମଃ ଶିବାୟ।