Advertisment

Hingula Jatra Festival: ଓଡ଼ିଶାରେ ଶକ୍ତିପୀଠ, ହିଙ୍ଗୁଳା ଯାତ୍ରା ଓ ଶାକ୍ତ ପରମ୍ପରା

ସମଗ୍ର ଓଡିଶାରେ ପ୍ରଧାନତଃ ଆଠ ଗୋଟି ତନ୍ତ୍ରପୀଠରେ ଶକ୍ତି ସ୍ୱରୂପିଣୀ ଦେବୀ ଅଷ୍ଟଭୁଜା, କେଉଁଠି ଦ୍ବିଭୁଜା, କେଉଁଠି ବୈଷ୍ଣବୀ, ନରମୁଣ୍ଡମାଳିନୀ, ତ୍ରିପୁରାସୁନ୍ଦରୀ ତ କେଉଁଠି କାତ୍ୟାୟନୀ ରୂପେ ପୂଜା ପାଆନ୍ତି। ଏହି ଦୃଷ୍ଟିରୁ ଉତ୍କଳୀୟ ଶାକ୍ତପୀଠ ସାରା ଜଗତରେ ପ୍ରାଚୀନ କାଳରୁ ଖ୍ୟାତି ଅର୍ଜନ କରିଅଛି।

ଅଦ୍ୟତନ ହୋଇଛି
Hingula Jatra Festival

Hingula Jatra Festival

Advertisment

ଓଡ଼ିଶାରେ ଶକ୍ତି ଉପାସନା ବହୁ ପୁରାତନ। ଯେତିକି ପୁରାତନ ସେତିକି ବୈଚିତ୍ର୍ୟମୟ ଓଡ଼ିଶା ମାଟିର ଶକ୍ତି ଉପାସନା ଓ ପରମ୍ପରା। ଆମ ରାଜ୍ୟର ପୁରପଲ୍ଲୀରେ ତ ଠାକୁରାଣୀ ବିରାଜମାନ। ପର୍ବ ପର୍ବାଣୀ, ବିବାହ ଉତ୍ସବରେ ଏବଂ ସବୁ କାର୍ଯ୍ୟର ଅନୁକୂଳ ବେଳେ ଶକ୍ତିମୟୀଙ୍କୁ ସ୍ମରଣ କରାଯାଏ ଏବଂ ତାଙ୍କୁ ବନ୍ଦାପନା କରି ଆଶିଷ ଭିକ୍ଷା କରାଯାଏ। ତେଣୁ ସମଗ୍ର ଓଡ଼ିଶାରେ ରହିଛି ଶହ ଶହ ଶକ୍ତି ପୀଠ। କେତୋଟି ପୀଠ ସୁପ୍ରସିଦ୍ଧ ତ ଆଉ କେତୋଟି ପୀଠ ଅଳ୍ପ ପ୍ରସିଦ୍ଧି ଲାଭ କରିଛି।ଏହା ମଧ୍ୟରୁ ଅନୁଗୋଳ ଜିଲ୍ଲା ତାଳଚେର ସହରର ପଶ୍ଚିମରେ ସିଂଘଡା ନଦୀକୂଳ ଗୋପାଳ ପ୍ରସାଦ ଗ୍ରାମରେ ଦେବୀ ହିଙ୍ଗୁଳାଙ୍କ ମନ୍ଦିର। ସେ ଅଗ୍ନିରୂପୀ। ତେଣୁ ହିଙ୍ଗୁଳା ନାମରେ ପରିଚିତା। ଓଡିଶାର ଏକାବନ ଦେବୀ ପୀଠ ମଧ୍ୟରୁ ଏହା ଅନ୍ୟତମ।ମା ହିଙ୍ଗୁଳାଙ୍କ ଯାତ୍ରା ସାରା ଓଡ଼ିଶାରେ ବେଶ ପ୍ରସିଦ୍ଧି ଲାଭ କରିଛି ଯାହା ଚୈତ୍ର ମାସ ଶୁକ୍ଳ ଚତୁର୍ଦ୍ଦଶୀ ଠାରୁ ଆରମ୍ଭ ହୋଇଥାଏ।

Advertisment

ହିଙ୍ଗୁଳା ପୀଠର ରହସ୍ୟ

କୁହାଯାଏ ଅଗ୍ନୀରୂପା ମା’ ପରମ ବୈଷ୍ଣବୀ ନାରାୟଣୀ ଶୁମ୍ଭ ନିଶୁମ୍ବଙ୍କୁ ବଧ କରି ସୁବଳ ଓ ଦୁନ୍ଦୁଭିଙ୍କୁ ମାରିବାକୁ ଗଲାବେଳେ ତାଙ୍କ ସହ ଅଷ୍ଟ ମହାବିଦ୍ୟା ଯାଇଥିଲେ। ସେହି ଅଷ୍ଟମହାବିଦ୍ୟାଙ୍କ ମଧ୍ୟରେ ମା ହିଙ୍ଗୁଳା ଅନ୍ୟତମ। ଲୋକମୁଖରୁ ଜଣାଯାଏ ଯେ, ଏଠାରେ ପ୍ରବାହିତ ସିଙ୍ଗଡା ନଦୀରେ ଅକସ୍ମାତ ଜ୍ୱାଳାମୁଖୀ ଅଗ୍ନିଙ୍କର ଆବିର୍ଭାବ ଘଟିଲେ ହିଙ୍ଗୁଳାଙ୍କ ଅଧିଷ୍ଠାନ କରାଯାଉଥିଲା ଏବଂ କାଳକ୍ରମେ ଚୈତ୍ର ଶୁକ୍ଳ ଚତୁର୍ଦ୍ଦଶୀରେ ଅଗ୍ନିଜ୍ୱାଳା ରୂପେ ପୂଜିତା ହିଙ୍ଗୁଳାଙ୍କ ଯାତ୍ରା ଅନୁଷ୍ଠିତ ହେବାରେ ଲାଗିଲା। କ୍ରମେ ଏହା ହିଙ୍ଗୁଳାପୀଠକୁ ରୂପାନ୍ତରିତ ହେଇଥିଲା।

ହିଙ୍ଗୁଳା ଯାତ୍ରାର ପୂଜା ବିଧି

ସାଧାରଣତଃ ଚୈତ୍ର ଓ ଆଶ୍ୱିନ ମାସରେ ସମସ୍ତ ଆରାଧ୍ୟା ଦେବୀଙ୍କର ପୂଜା ସମଗ୍ର ଭାରତବର୍ଷରେ ଉତ୍ସବ ମୁଖରିତ ହୋଇଥାଏ। ମା’ହିଙ୍ଗୁଳାଙ୍କ ପୂଜା ଚୈତ୍ରମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀରେ ଆରମ୍ଭ ହୁଏ। ପୂଜାର କର୍ମ ଚୈତ୍ରମାସର ପ୍ରଥମ ଗୁରୁବାର ଦିନଠାରୁ ଆରମ୍ଭ ହୁଏ। ଦେବୀଙ୍କ ପୂଜାରୀଙ୍କୁ ଦେହୁରୀ କୁହାଯାଏ। ହିଙ୍ଗୁଳା ଯାତ୍ରାର ଏକୋଇଶି ଦିନ ପୂର୍ବରୁ ମା ଖୁବ୍ ନିଷ୍ଠାର ସହ ହବିଷ ପାଳନ କରନ୍ତି। ପୂଜାର ସାତଦିନ ପୂର୍ବରୁ ଦେବୀଙ୍କର ଦେହୁରୀଙ୍କୁ ସ୍ୱପ୍ନାଦେଶ ହୁଏ, ମା’ ହିଙ୍ଗୁଳାଙ୍କ ଦେହୁରୀ ଆଲାମ ଉଭାସ୍ଥାନର ଅବସ୍ଥିତି କେଉଁଠି।

Advertisment

ଏହାପରେ ଦେହୁରି ବଡମଣ୍ଡପକୁ ପୂଜା ପାଇଁ ଯାଇଥାଆନ୍ତି। କୁଟେଇଶୁଣି ଓ କରଡେଈଙ୍କର ଆଲାମ ବଡ ମଣ୍ଡପରେ ପୂଜାର୍ଚ୍ଚନା ହୁଏ। ସେହିଦିନ ଜନ୍ତାଳ ପୂଜା ହୋଇଥାଏ। ମଧ୍ୟାହ୍ନରେ ପୂଜା ଜିନିଷ ସହିତ ଦେହୁରୀ ଚଳନ୍ତି ପ୍ରତିମାଙ୍କୁ ଆଣନ୍ତି କୁଟେଇଶୁଣୀ ମଣ୍ଡପକୁ । ମାଜଣା ଓ ସ୍ନାନ ପରେ ଶାବରିମତରେ ପୂଜା କରାଯାଏ। ପୂଜାପରେ ଦୁଇଜଣ ପାଇକ ମା’ ହିଙ୍ଗୁଳାଙ୍କର ପାଟ, ଖଣ୍ଡା ଓ ଆଜ୍ଞାମାଳ ସହ ପାଟଣାରେ ଥିବା ପତିଆରଙ୍କୁ ଡାକନ୍ତି। ତିନି ଡାକରା ପରେ ପତିଆର ସ୍ନାନ କାର୍ଯ୍ୟ ସମ୍ପନ୍ନ କରି ପୂଜା ମଣ୍ଡପକୁ ଚଳିଯାଆନ୍ତି।

ରାଜା ତାଙ୍କ ପାଇଁ ନୂଆ ବସ୍ତ୍ର ପଠାଇଥାଆନ୍ତି। ତାକୁ ପିନ୍ଧି ପତିଆର ଆସନରେ ବସନ୍ତି। ଷୋଡଶ ଉପଚାରରେ ବାଦ୍ୟନାଦରେ ପତିଆରକୁ ପୂଜା କରାଯାଏ। କ୍ଷୀର ଓ ଗୁଡ ତାଙ୍କ ମସ୍ତକରେ ଢଳାଯାଏ। ଆଜ୍ଞାମାଳ ଲାଗି ପରେ ପତିଆରଙ୍କ ଦେହରେ ଠାକୁରାଣୀ ବିଜେ କରନ୍ତି । ଗାଆଁର ଭଲମନ୍ଦ ସମ୍ପର୍କରେ ଗାଁର ମୁଖିଆ ପଚାରି ବୁଝନ୍ତି ଓ ହିଙ୍ଗୁଳାଙ୍କର ଆବିର୍ଭାବର ଦିଗ ସମ୍ପର୍କରେ ଜଣାନ୍ତି। ରାତି ଅଧରୁ ସେ ଦିଗକୁ ପୂଜା ସାମଗ୍ରୀ ସହ ଉଭାସ୍ଥଳକୁ ବିଜେ କରନ୍ତି। ମା’ ହିଙ୍ଗୁଳା ଅଗ୍ନିର ଦେବୀ। ତେଣୁ ଦେହୁରୀ ହାତରେ ସହଜରେ ଧରା ଦିଅନ୍ତି ନାହିଁ। ଏଠି ସେଠି ମରିଚିକା ପରି ଦିଶନ୍ତି। ତା’ପରେ ବିଦ୍ଧିବଧ ପୂଜା ମନ୍ତ୍ରଦ୍ୱାରା ଉଭାସ୍ଥଳରେ ଦେବୀଙ୍କୁ ବନ୍ଦୀ କରାଯାଏ ଓ ସେହି ସ୍ଥାନରେ ହିଁ ସେ ପୂଜା ପାଆନ୍ତି।

Advertisment

କୋଇଲା ବେଦୀରେ ମା

ଉଭାସ୍ଥାନରେ ଚରା କୋଇଲା ବେଦି କରାଯାଇଥାଏ। ମା’ ହିଙ୍ଗୁଳା ସେହିଠାରେ ସମସ୍ତ ଭକ୍ତଙ୍କୁ ଅଗ୍ନିରୂପା ଭାବେ ଦୃଷ୍ଟ ହୁଅନ୍ତି। ଚନ୍ଦନକାଠ, ଘିଅ, ପଞ୍ଚାମୃତ ଦେଇ ମା’ ହିଙ୍ଗୁଳାଙ୍କର ଦର୍ଶନ ପାଇଥାନ୍ତି। ବିଭିନ୍ନ ଗ୍ରାମର ବାଦ୍ୟକାରଗଣ, ପାଇକ ନୃତ୍ୟ, ଗୋପାଳକ ଲଉଡିଖେଳ, ଘଣ୍ଟୁଆ, ଘଣ୍ଟା, ବାଦ୍ୟ, ଛତି, ଶଙ୍ଖ, ଭଜନ, କୀର୍ତ୍ତନ ଓ ହରିବୋଲ ହୁଳହୁଳିରେ କମ୍ପିତ ହୋଇଥାଏ। ହଜାର ହଜାର ଭକ୍ତ ଏହି ଶୋଭାଯାତ୍ରାରେ ଯାଇ ମନ୍ଦିର ଅଭିମୁଖୀ ହୋଇଥାନ୍ତି।

ଶହଶହ ଶିଶୁମାନେ ମସ୍ତକରୁ ଚୂଳ ଅର୍ପଣ ଦେବୀଙ୍କ ପୀଠରେ କରିଥାନ୍ତି, ମା’ମାନେ ହିଙ୍ଗୁଳାଙ୍କ ପାଖରେ ମାନସିକ ପୂରଣ ପାଇଁ ଏହା କରିଥାନ୍ତି। ଏହା କଲେ ଶିଶୁର ରିଷ୍ଟଖଣ୍ଡନ ହୋଇଥାଏ। ଅପରାହ୍ନରେ ଠାକୁରାଣୀଙ୍କର ଚଳନ୍ତି ପ୍ରତିମା ଆଲମ ବଡପଣ୍ଡାକୁ ବିରାଟ ଶୋଭାଯାତ୍ରାରେ ବିଜେ କରନ୍ତି। ସନ୍ଧ୍ୟାରେ ପ୍ରତିବର୍ଷ ତାଳଚେର ରାଜା ହିଙ୍ଗୁଳା ପୀଠ ବେଦିକା ପୀଠକୁ ଯାଇ ପୂର୍ଣାହୂତି ଦିଅନ୍ତି।

ପୁରାଣ କଥାରେ ଦେବୀ ହିଙ୍ଗୁଳା

ଦେବୀ ହିଙ୍ଗୁଳା ହେଉଛନ୍ତି ଅଗ୍ନି ଦୁର୍ଗା। ବିଦର୍ଭର ରାଜା ନଳଙ୍କ ରାଜ୍ୟରେ ମା ହିଙ୍ଗୁଳା ପୂଜା ପାଉଥିଲେ। ରାଜାଙ୍କ ସହ ଦେବୀ ଶ୍ରୀକ୍ଷେତ୍ରକୁ ଆସିବା ବାଟରେ ତାଳଚେରର ଗୋପାଳପ୍ରସାଦଠାରେ ଦେବୀଙ୍କର ଶକ୍ତି ପୀଠ ଓ ଶ୍ରୀଜଗନ୍ନାଥ ମନ୍ଦିରରେ ତାଙ୍କର କର୍ମକ୍ଷେତ୍ର ହେବ ବୋଲି ରାଜାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଦିନଠାରୁ ଗୋପାଳପ୍ରସାଦଠାରେ ମାଆଙ୍କର ପୀଠ ସ୍ଥାପନ ହେଲା।

ଶ୍ରୀକ୍ଷେତ୍ରକୁ ମା ଆସିଥିଲେ କାହିଁକି

ନଳ ରାଜାଙ୍କ ବିଦର୍ଭ ରାଜ୍ୟରେ ମା ହିଙ୍ଗୁଳା ପୂଜା ପାଉଥିଲେ। ମାଆଙ୍କ କୃପାରୁ ରାଜା ନଳ ସଦାସର୍ବଦା ଅମୃତମଣୋହୀ କରୁଥିଲେ। ହିଙ୍ଗୁଳାଙ୍କ ଆଶୀର୍ବାଦରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ବହୁତ ସ୍ଵାଦିଷ୍ଟ ହେଉଥିଲା। ସେହି ସମୟରେ ପୁରୀରେ ଶ୍ରୀମନ୍ଦିରରେ ପ୍ରସ୍ତୁତ ମହାପ୍ରସାଦ କିପରି ଅଧିକ ସ୍ୱାଦଯୁକ୍ତ ହେବ ସେଥିପାଇଁ ଗଜପତି ମହାରାଜ ବାଟ ଖୋଜୁଥିଲେ। ଏହି ସମୟରେ ରାଜା ସ୍ୱପ୍ନାଦେଶ ପାଇ ମା ହିଙ୍ଗୁଳାଙ୍କ ଶରଣରେ ପଶିଲେ। ମହାରାଜାଙ୍କ ପୂଜା ଓ ଭକ୍ତିରେ ପ୍ରସନ୍ନ ହୋଇ ମାଆ ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳାକୁ ବିଜେ କଲେ। ତାଙ୍କରି ମହିମାରୁ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗସାମଗ୍ରୀ ସ୍ୱାଦିଷ୍ଟ ହେଲା।

ଅଗ୍ନି ସ୍ୱରୂପା ଦେବୀ

କୋଇଲାର ବେଦି ଉପରେ ଦେବୀଙ୍କ ହିଙ୍ଗୁଳାଙ୍କର ଅଗ୍ନି ସ୍ୱରୂପ ଅବତୀର୍ଣ୍ଣ ଅଗ୍ନି ପୂଜାର ଏକ ଆଦିମ ସ୍ୱରୂପ। ଦେବୀ ହିଙ୍ଗୁଳା ବା ହିଙ୍ଗୁଳାଇ ହିଙ୍ଗୁଳ ଶବ୍ଦରୁ ଆନୀତ। ଯାହାକି ବିଶ ନାଶକ ଏକ ଆୟୁର୍ବେଦ ଔଷଧ, ହିଙ୍ଗୁଳ ବା ଲୋହିତ ବର୍ଣ୍ଣ। ଏହି ପୀଠରେ ଦେବୀ ଅଗ୍ନି ସ୍ୱରୁପିଣୀ। ତାଳଚେରର ଗୋପାଳ ପ୍ରସାଦରେ ପ୍ରକୃତିକ ଭାବେ କୋଇଲାରେ ଅଗ୍ନି ସଂଯୋଗ ଓ ଦେବୀ ହିଙ୍ଗୁଳାଙ୍କ ଧରାପୃଷ୍ଠରେ ଅବତୀର୍ଣ୍ଣ ଏକ ଧାର୍ମିକ ପରମ୍ପରା ମଧ୍ୟରେ ଏକ ସଂପର୍କର ସେତୁ ଯୁଗ ଯୁଗ ଧରି ପ୍ରବାହମାନ।

ଉତ୍କଳର ଅନନ୍ୟ ଶକ୍ତି ପୀଠ ହିଙ୍ଗୁଳା ପୀଠ

ସମଗ୍ର ଓଡିଶାରେ ପ୍ରଧାନତଃ ଆଠ ଗୋଟି ତନ୍ତ୍ରପୀଠରେ ଶକ୍ତି ସ୍ୱରୂପିଣୀ ଦେବୀ ଅଷ୍ଟଭୁଜା, କେଉଁଠି ଦ୍ବିଭୁଜା, କେଉଁଠି ବୈଷ୍ଣବୀ, ନରମୁଣ୍ଡମାଳିନୀ, ତ୍ରିପୁରାସୁନ୍ଦରୀ ତ କେଉଁଠି କାତ୍ୟାୟନୀ ରୂପେ ପୂଜା ପାଆନ୍ତି। ଏହି ଦୃଷ୍ଟିରୁ ଉତ୍କଳୀୟ ଶାକ୍ତପୀଠ ସାରା ଜଗତରେ ପ୍ରାଚୀନ କାଳରୁ ଖ୍ୟାତି ଅର୍ଜନ କରିଅଛି।

ବାଣପୁରରେ ମାଆ ଭଗବତୀ, ଶ୍ରୀକ୍ଷେତ୍ର ପୁରୀରେ ମାଆ ବିମଳା, କାକଟପୁରରେ ମାଆ ମଙ୍ଗଳା, ଝଙ୍କଡରେ ମା’ ଶାରଳା, ଯାଜପୁରରେ ମାଆ ବିରଜା, ବାଙ୍କୀରେ ଚର୍ଚ୍ଚିକା, ସମ୍ବଲପୁରରେ ମାଆ ସମଲାଇ ଏବଂ ତାଳଚେରରେ ମାଆ ହିଙ୍ଗୁଳା ଆଦି ଆଠଟି ସ୍ଥାନରେ ଦେବୀ ଜଗତ ବିଖ୍ୟାତ ଓ ତାଙ୍କରି ମହିମା ଅପାର। ଏହି ଦେବୀ ଖୁବ ପ୍ରତ୍ୟକ୍ଷା ଅଟନ୍ତି। ବହୁ ପ୍ରାଚୀନ କାଳରୁ ମାତୃଶକ୍ତି ଭିନ୍ନଭିନ୍ନ ରୂପରେ ପୂଜା ପାଇଆସୁଛନ୍ତି।

ତନ୍ମଧ୍ୟରୁ ସିଧସେନୀ, ସିଦ୍ଧଭୈରବୀ, ମନ୍ଦାରବାସିନୀ, ନାରାୟଣୀ, ବୈଷ୍ଣବୀ, ଶାରଦା ଓ ଅମ୍ବିକା ଆଦି ଅତ୍ୟନ୍ତ ଜନପ୍ରିୟ। ଆଦିଶକ୍ତି ସତୀଙ୍କ ବ୍ରହ୍ମରନ୍ଧ୍ରରୁ ମା’ ହିଙ୍ଗୁଳାଙ୍କ ସୃଷ୍ଟି। ଏହି ହିଙ୍ଗୁଳା ପୀଠରେ ସତୀଙ୍କର ବ୍ରହ୍ମରନ୍ଧ୍ର ବିଛାଡି ହୋଇ ପଡିଥିଲା। ଏଠାରେ ଅଗ୍ନି ରୂପରେ ଜଗଜ୍ଜନନୀ ଭଗବତୀ ହିଙ୍ଗୁଳାଙ୍କର ଦର୍ଶନ ମିଳେ। ଏଠାରେ ଦେବୀଙ୍କର କୌଣସି ପ୍ରତିମା ନାହିଁ। ତାନ୍ତ୍ରିକଙ୍କ ମତରେ ପ୍ରତିମା ଅପେକ୍ଷା ଯନ୍ତ୍ର ଓ ମନ୍ତ୍ର ପ୍ରଧାନ। ଏହି ଯନ୍ତ୍ରରେ ମା’ ପୂଜା ପାଆନ୍ତି। ସେ ଅଗ୍ନିରୂପା, ଦୁଃଖ ହାରିଣୀ, ପତିତପାବନୀ, ସ୍ନେହ ବତ୍ସଲା ଅଟନ୍ତି। ତାଙ୍କରି କୃପାଟିକିଏ ପାଇବା ପାଇଁ ଆବାଳ ବୃଦ୍ଧବନିତା ଭାରତର କୋଣଅନୁକୋଣରୁ ଧାଇଁ ଆସନ୍ତି।

Odisha Festival Odia Parba Parbani
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ