ଚର୍ଚ୍ଚାରେ ହଜାରେ ବର୍ଷର ସହର କଟକ; ମନ ମୋହୁଛି ସୁନା-ଚାନ୍ଦି ମେଢ଼

ଯୁଆଡ଼େ ଚାହିଁବେ ଆଖି ଝଲସା ତୋରଣ... ଯେଉଁ ଅଞ୍ଚଳକୁ ବି ଯିବେ, ସେଇଠି ପାଇବେ ଅଳଙ୍କାର ବିଭୁଷିତା ମା’ଙ୍କ ମେଢ଼... କାରଣ ୟେ ହଜାରେ ବର୍ଷର ସହର କଟକର ଶାରଦୀୟ ଦୁର୍ଗା ପୂଜାର ଆସର... ।

ସୁନା-ଚାନ୍ଦିର ମେଢ଼ରେ ଜମୁଛି ଦୁର୍ଗା ପୂଜା

ଶାରଦୀୟ ଦୁର୍ଗା ପୂଜା ଆସିଲେ ସବୁବେଳେ ଚର୍ଚ୍ଚାରେ ରୁହେ, ହଜାରେ ବର୍ଷର ସହର କଟକ । କାରଣ ଏଠି ଝଲସି ଉଠେ ସୁନା ଆଉ ଚାନ୍ଦିର ମେଢ଼ । ସେଥିପାଇଁ ଦୁଇ ଗୁଣ ହୋଇଯାଏ ଦୁର୍ଗା ପୂଜାର ଚମକ । ଏଥର ବି ପୂର୍ବଭଳି ଚମକି ଉଠୁଛି ସିଲଭର୍ ସିଟି । ଜାଣି ଆଶ୍ଚର୍ଯ୍ୟ ହେବେ, ଏଥର ୧୭୦ରୁ ଅଧିକ ପୂଜାମଣ୍ଡପ ମଧ୍ୟରୁ ସୁନା ଓ ଚାନ୍ଦି ମେଢ଼ ସଂଖ୍ୟା ୩୨ରେ ପହଞ୍ଚିଛି ।

ଯୁଆଡ଼େ ଚାହିଁବେ ଆଖି ଝଲସା ତୋରଣ... ଯେଉଁ ଅଞ୍ଚଳକୁ ବି ଯିବେ, ସେଇଠି ପାଇବେ ଅଳଙ୍କାର ବିଭୁଷିତା ମା’ଙ୍କ ମେଢ଼... କାରଣ ୟେ ହଜାରେ ବର୍ଷର ସହର କଟକର ଶାରଦୀୟ ଦୁର୍ଗା ପୂଜାର ଆସର... । ସୁଉଚ୍ଚ ତୋରଣ ସହ ରାତି ହେଲେ ରଙ୍ଗବେରଙ୍ଗର ଆଲୋକରେ ରଙ୍ଗୀନ ହେଉଛି ସିଲଭର୍ ସିଟି । ତାହାରି ଭିତରେ ମନ ମୋହୁଛି ମା’ଙ୍କ ସୁନା ଚାନ୍ଦିର ମେଢ଼ । ୧୯୫୬ରୁ ଏହି ପରମ୍ପରା ଆରମ୍ଭ ହୋଇଥିଲା ଚୌଧୁରୀ ବଜାର ପୂଜା କମିଟିରୁ । ବିଗତ କିଛି ବର୍ଷହେବ ଏହି ମଣ୍ଡପରେ ଚାନ୍ଦି ସମେତ କିଲୋ କିଲୋ ସୁନା ଅଳଙ୍କାରରେ ଆଭୂଷିତ କରାଯାଉଛି ମା’ଙ୍କୁ । ଏଠାରେ ୨୫ କେଜିରୁ ଅଧିକ ଓଜନର ସୁନା ଅଳଙ୍କାରରେ ସଜ୍ଜା ଯାଇଆସୁଛି ମା’ଙ୍କ ପ୍ରତିମୂର୍ତ୍ତିକୁ ।

ଶେଖ୍ ବଜାର ପୂଜା ମଣ୍ଡପରେ ବି ସୁନା ଓ ଚାନ୍ଦିରେ ଝଟକୁଛନ୍ତି ମା’ । ଚୌଧୁରୀ ବଜାର ପୂଜା କମିଟି ପରେ ସହରରେ ଦ୍ୱିତୀୟ ଚାନ୍ଦି ମେଢ଼ ନିର୍ମାଣ କରାଯାଇଥିଲା ଏଠାରେ । ପ୍ରତିବର୍ଷ ଲକ୍ଷାଧିକ ଟଙ୍କାରେ ମା’ଙ୍କ ପାଇଁ ସୁନା ମୁକୁଟ ସହ ଅଳଙ୍କାର ନିର୍ମାଣ କରାଯାଉଛି ଶାରଦୀୟ ପୂଜା ଆସିଲେ । ମୁକୁଟରୁ ପାଦୁକା ଯାଏଁ ଆଚ୍ଛାଦିତ ହୋଇ ରହୁଛି ସୁନା ଓ ଚାନ୍ଦିର ଗହଣା । ଦଶହରା ଆସିଲେ ଝଟକି ଉଠେ ତାରକସି କାମ ପାଇଁ ପ୍ରସିଦ୍ଧ କଟକ ସହର । ନୂଆ ବୋହୂ ଭଳି ସଜେଇ ହୋଇଥିବା କଟକ ସହରରେ ସୁନା, ଚାନ୍ଦି ମେଢ଼ ବଖାଣିଦିଏ ଦୁର୍ଗା ପୂଜାର ସ୍ୱତନ୍ତ୍ରତା ।

କେବଳ ଚୌଧୁରୀ ବଜାର କିମ୍ବା ଶେଖ ବଜାର ନୁହଁ, ଚାନ୍ଦିନୀ ଚୌକ, ହରିପୁର, ରାଣୀହାଟ, ଚାଉଳିଆଗଞ୍ଜ, କଲେଜ ଛକ ଆଦି ମଣ୍ଡପ ପକ୍ଷରୁ କରାଯାଇଥାଏ ଚାନ୍ଦି ମେଢ଼ । ସହରରେ ୧୭୦ରୁ ଅଧିକ ପୂଜା ମଣ୍ଡପରେ ମା’ଙ୍କୁ ଆରାଧନା କରାଯାଉଥିବାବେଳେ ସୁନା ଓ ଚାନ୍ଦି ମେଢ଼ ସଂଖ୍ୟା ରହିଛି ୩୨ଟି । ଏବର୍ଷ ନୂଆକରି ୪ଟି ଚାନ୍ଦି ମେଢ଼ କରାଯାଇଛି । ଏପଟେ ପିତ୍ତଳ ମେଢ ବି ରାଜ୍ୟରେ ପ୍ରଥମ ଥର ପାଇଁ ଦେଖାଯାଇଛି ତେଲେଙ୍ଗା ବଜାରରେ ।