ଲକ୍ଷ୍ମୀପୁରାଣ...ଜାତିଭେଦ ଓ ନାରୀ ପରାଧୀନତା ବିରୋଧରେ ଦୃଢ଼ ସ୍ୱର

ପ୍ରତ୍ୟେକ ଓଡିଆର ପ୍ରିୟ ଗ୍ରନ୍ଥ ‘ଲକ୍ଷ୍ମୀପୁରାଣ’। ଏଥିରେ ବଳରାମ ଦାସଙ୍କ ସମାଜ ସଂସ୍କାର ଭାବନାର ପ୍ରତିଫଳନ ଘଟିଛି। ‘ଲକ୍ଷ୍ମୀପୁରାଣ’ ହିଁ କବିଙ୍କୁ ଦେଇଛି ଏକ ସ୍ୱତନ୍ତ୍ର ସ୍ଥାନ। ତେବେ ଆସନ୍ତୁ ଏହି ପୁରାଣର ମାହାତ୍ମ୍ୟ ଉପରେ ନଜର ପକେଇବା।

ଜାତିଭେଦ ଓ ନାରୀ ପରାଧୀନତା ବିରୋଧରେ ଦୃଢ଼ ସ୍ୱର: ଲକ୍ଷ୍ମୀପୁରାଣ

ବଳରାମ ଦାସ ଓ ଲକ୍ଷ୍ମୀପୁରାଣ:

‘ଲକ୍ଷ୍ମୀପୁରାଣ’ ସନ୍ଥକବି ବଳରାମ ଦାସଙ୍କ ଦ୍ୱାରା ରଚିତ ଏକ ଲୋକପ୍ରିୟ ଗ୍ରନ୍ଥ। ‘ଲକ୍ଷ୍ମୀପୁରାଣ’ର ନାମକରଣ ‘ପୁରାଣ’ କରାଯାଇଥିଲେ ମଧ୍ୟ ଏଥିରେ ପୁରାଣର ପଞ୍ଚଲକ୍ଷଣ ନାହିଁ। ଓଡ଼ିଶାରେ ବହୁ ପ୍ରଚଳିତ ପାଞ୍ଚଟି ପୁରାଣ- ମହାଭାରତ, ଭାଗବତ, ରାମାୟଣ, ହରିବଂଶ, ନୃସିଂହପୁରାଣଠାରୁ ଲକ୍ଷ୍ମୀପୁରାଣ ସର୍ବାଧିକ ଜନପ୍ରିୟ।

ଏପରିକି ବଳରାମ ଦାସ ବେଦାନ୍ତସାର ଗୁପ୍ତ ଗୀତା, ଭଗବତ୍ ଗୀତା, ବଟଅବକାଶ, ଭାବସମୁଦ୍ର ଏପରିକି ‘ଦାଣ୍ଡୀ ରାମାୟଣ’ ରଚନା କରି ଯେତିକି ପ୍ରତିଷ୍ଠା ପାଇ ନାହାଁନ୍ତି ‘ଲକ୍ଷ୍ମୀପୁରାଣ’ ତାଙ୍କୁ ତାହା ପ୍ରଦାନ କରିଛି। ବଳରାମ ଦାସଙ୍କ ସମାଜ ସଂସ୍କାର ଭାବନାର ପ୍ରତିଫଳନ ଘଟିଛି ଲକ୍ଷ୍ମୀପୁରାଣରେ।

ପୌରାଣିକ କଥା ଓ ସମାଜ ସଂସ୍କାର ଭାବନା:

ସମାଜରେ ଜାତିଭେଦ ପ୍ରଥା ଓ ନାରୀ ପରାଧୀନତା ବିରୋଧରେ କବି ଦୃଢ଼ ସ୍ୱର ଉତ୍ତୋଳନ କରିଛନ୍ତି। ଏହି ପ୍ରଥାକୁ ପ୍ରଶୟ ଦେଇଥିବାରୁ ଜଗତରନାଥ ଜଗନ୍ନାଥଙ୍କୁ ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଛି। ଜଗନ୍ନାଥ ଲକ୍ଷ୍ମୀଙ୍କ କାହାଣୀ ମାଧ୍ୟମରେ କବି ବଳରାମ ଆପଣାର ସଂସ୍କାର ଭାବନାକୁ ବ୍ୟକ୍ତ କରିଛନ୍ତି।

ଶୁକ୍ଳଦଶମୀ ଗୁରୁବାର। ଲକ୍ଷ୍ମୀ ଜଗନ୍ନାଥଙ୍କ ଅନୁମତି ନେଇ ନଗର ବୁଲିବାକୁ ଯାଇଛନ୍ତି। ଫେରିବାରେ ବିଳମ୍ବ ହୋଇଛି। ବଳରାମ ଧ୍ୟାନବଳରେ ଜାଣିପାରିଛନ୍ତି ଲକ୍ଷ୍ମୀ ଏକ ଚଣ୍ଡାଳ ଘରେ ରହି ତା’ର ପୂଜା ଗ୍ରହଣ କରୁଛନ୍ତି। ଏହା ତାଙ୍କ ପାଇଁ ଅସହ୍ୟବୋଧ ହୋଇଛି। ଜଗନ୍ନାଥଙ୍କ ସହ ପରାମର୍ଶ କରି ସେ ଲକ୍ଷ୍ମୀଙ୍କୁ ମନ୍ଦିରରୁ ବାହାର କରିଦେଇଛନ୍ତି।

ଅଧିକ ପଢ଼ନ୍ତୁ: କାହିଁକି ଓଡ଼ିଆ ଘରର ବୋହୂ ପାଳେ ମାଣବସା ଗୁରୁବାର ?

ଏହାପରେ ଲକ୍ଷ୍ମୀ ନାରୀ ଜାତିର ସମ୍ମାନ ରକ୍ଷା କରିବା ପାଇଁ ଜଗନ୍ନାଥଙ୍କୁ ସର୍ବହରା କରିଦେଇଛନ୍ତି। ଲକ୍ଷ୍ମୀଛଡ଼ା ହୋଇ ଭିକ୍ଷା ମାଗିବା ସମୟରେ ଲକ୍ଷ୍ମୀ ଜଗନ୍ନାଥଙ୍କର ଦେଖାସାକ୍ଷାତ ହେଉଛି। ପୁରୁଷ ଭୁଲ ସ୍ୱୀକାର କଲାପରେ ନାରୀ କ୍ଷମାଶୀଳା ହୁଏ। ଜଗନ୍ନାଥ ନିଜର ଭୁଲ ବୁଝିବା ପରେ ଲକ୍ଷ୍ମୀ କ୍ଷମା କରିଦେଇଛନ୍ତି। ସର୍ତ୍ତ ରଖିଛନ୍ତି ଜଗନ୍ନାଥଙ୍କ ମହାପ୍ରସାଦକୁ ଚଣ୍ଡାଳ ହାତରୁ ବ୍ରାହ୍ମଣ ଖାଇବେ, ଲକ୍ଷ୍ମୀ ଯେଉଁଠି ରହିବେ ଜଗନ୍ନାଥ ସେଇଠି ରହିବେ।

‘ଲକ୍ଷ୍ମୀପୁରାଣ’ କେବଳ ଯେ ଲକ୍ଷ୍ମୀ-ଜଗନ୍ନାଥ ମନ୍ଦିର-ମହାପ୍ରସାଦ ଉପରେ ଆଧାରିତ ତାହା ନୁହେଁ। ଏଥିରେ ଲୋକବିଶ୍ୱାସ, ଲୋକାଚାର, ସମାଜ-ବର୍ଣ୍ଣ ବ୍ୟବସ୍ଥା, କୃଷି ଉତ୍ପାଦିତ ଶସ୍ୟ ଧାନ, ଘରଦ୍ୱାର ଲିପାପୋଛା, ଝୋଟିଚିତା, ପରିଷ୍କାର ପରିଚ୍ଛନ୍ନତା ସବୁ ମିଶିଯାଇ ଓଡ଼ିଶୀ ସଂସ୍କୃତିର ମହନୀୟ ଦିଗଟିକୁ ପ୍ରକାଶ କରୁଛି।

କୃଷିଭିତ୍ତିକ ସମାଜ ଓ ଲୋକାଚାର:

ବୈଦିକ ସମୟରୁ ଲକ୍ଷ୍ମୀ ଶସଞ୍ଜ୍ୟ ସଂପଦ, ସୌନ୍ଦର୍ଯ୍ୟ ଓ ସୌଭାଗ୍ୟର ଅଧିଷ୍ଠାତ୍ରୀ ଦେବୀ ଭାବରେ ପୂଜିତା। ଲକ୍ଷ୍ମୀ-ସୁନ୍ଦରୀ, କଲ୍ୟାଣମୟୀ, ସୁଶୀଳା, ସୁରୁଚିସଂପନ୍ନା, ପତିବ୍ରତା, ମାତା ସ୍ୱରୂପା। ମନ୍ଦିରରେ ସେ ଶ୍ରୀଲକ୍ଷ୍ମୀ। ଘରେ ଘରେ - ଧାନଲକ୍ଷ୍ମୀ ଅର୍ଥାତ୍ ‘ଶସ୍ୟଦେବୀ ଧାନଲକ୍ଷ୍ମୀ’। ଲକ୍ଷ୍ମୀପୂଜାର ଅର୍ଥ – ‘ଧାନର ପୂଜା’। ସେଥିପାଇଁ ଲକ୍ଷ୍ମୀପୂଜାରେ ଧାନ ଭର୍ତ୍ତି ମାଣ, ଧାନ ପେଣ୍ଡିକୁ ପୂଜା କରାଯାଏ। ବ୍ରାହ୍ମଣ-ଚଣ୍ଡାଳ ସଭିଏଁ ଆନନ୍ଦ ମନରେ ଲକ୍ଷ୍ମୀ ପୂଜା କରିଥାନ୍ତି।

ଆମ ସମାଜ କୃଷିପ୍ରଧାନ ସମାଜ। ପ୍ରକୃତିର ନିୟମରେ ପରିଚାଳିତ। ଋତୁଚକ୍ର ସହିତ ମଣିଷର ଭାଗ୍ୟ ଦୁର୍ଭାଗ୍ୟ ଯୋଡ଼ି ହୋଇଥାଏ। ଗ୍ରାମୀଣ କୃଷି ସମାଜ ସହିତ ଲକ୍ଷ୍ମୀପୂଜାର ସମ୍ପୃକ୍ତି ଥିବାରୁ ହେମନ୍ତ ଋତୁ ଓ ମାର୍ଗଶୀର ମାସର ଭୂମିକା ଗୁରୁତ୍ୱପୂର୍ଣ୍ଣ।

ମାର୍ଗଶୀର ମାସକୁ ବର୍ଷର ପ୍ରଥମ ମାସ ଭାବରେ ଗ୍ରହଣ କରାଯାଏ। ମାର୍ଗଶୀର ସମୟ ହେଉଛି- ହେମନ୍ତ ଋତୁ। ଏହି ସମୟରେ ପାଚିଲା ଧାନ ଘରକୁ ଆସେ। ସେଥିପାଇଁ ଧାନଭର୍ତ୍ତି ମାଣଲକ୍ଷ୍ମୀ ପୂଜା ପାଆନ୍ତି। ଓଡ଼ିଶାର ଘରେ ଘରେ ସଧବା ନାରୀ ମାର୍ଗଶୀର ମାସ ଗୁରୁବାର ଦିନ ଲକ୍ଷ୍ମୀପୁରାଣ ପାଠକରି ଲକ୍ଷ୍ମୀଙ୍କୁ ଧାନଭର୍ତ୍ତି ମାଣ ଭିତରେ ପୂଜା କରନ୍ତି।

ସବୁ ଘରେ ପୂଜା ବିଧି ସମାନ। ଗୁରୁବାର ଦିନ ପାହାନ୍ତା ପହରରୁ ସଧବା ନାରୀମାନେ ଘରଦ୍ୱାର ଲିପାପୋଛା କରି ଝୋଟି ଚିତାରେ ଲକ୍ଷ୍ମୀପାଦ, ପଦ୍ମଫୁଲ, ଗଛଲତା, ପଶୁପକ୍ଷୀ ସହିତ ପେଚା ଚିତ୍ର ଆଙ୍କି ଲକ୍ଷ୍ମୀ ଦେବୀଙ୍କୁ ଆବାହନ କରନ୍ତି। ଏହି ଝୋଟି ଚିତା ଅରୁଆ ଚାଉଳକୁ ଚିକ୍କଣ କରି ବାଟି ପ୍ରସ୍ତୁତ କରାଯାଇଥାଏ। ବିଭିନ୍ନ ପ୍ରକାର ପିଠାପଣା କରି ଲକ୍ଷ୍ମୀଙ୍କର ପୂଜା କରାଯାଏ।

ଲକ୍ଷ୍ମୀପୂଜା ଖାଣ୍ଟି ଓଡ଼ିଆର ପୂଜା। ଲକ୍ଷ୍ମୀପୁରାଣ ଓଡ଼ିଶାର ମନୁସଂହିତା। ଗୁରୁବାର, ପୁରୀ ମନ୍ଦିର, ଆରାଧ୍ୟ ଦେବତା ଜଗନ୍ନାଥଙ୍କ ମହାପ୍ରସାଦଠାରୁ ଆରମ୍ଭ କରି ଜାତିଭେଦ ପ୍ରଥା, କୃଷିଭିତ୍ତିକ ସମାଜ ବ୍ୟବସ୍ଥା, ଆମ ଲୋକାଚାରର ଚିତ୍ର ଏଥିରେ ଉପଲବ୍ଧ। ସେଥିପାଇଁ ଓଡ଼ିଆ ଜାତିର ଅସ୍ମିତା ସହିତ ଲକ୍ଷ୍ମୀପୁରାଣ ଜଡ଼ିତ।

ଡକ୍ଟର ବିଜୟଲକ୍ଷ୍ମୀ ଦାଶ

ଓଡ଼ିଆ ବିଭାଗ, ରେଭେନ୍ସା ବିଶ୍ୱବିଦ୍ୟାଳୟ

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)