• Astrospeak
  • Live TV
  • Read In English

୭୭ ବର୍ଷରେ ଚାଲିଗଲେ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର ଅଭିନେତା ବିକ୍ରମ ଗୋଖଲେ

ଆଉ ନାହାନ୍ତି ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ର ଅଭିନେତା ବିକ୍ରମ ଗୋଖଲେ। ୭୭ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି। ଚଳଚ୍ଚିତ୍ର ପରିବାରରେ ବିକ୍ରମଙ୍କ ଜନ୍ମ ହୋଇଥିଲା। ତାଙ୍କ ଅଣ ଜେଜେମା’ଙ୍କ ଠାରୁ ପରିବାରର ଅଭିନୟ ଯାତ୍ରା ଆରମ୍ଭ ହୋଇଥିଲା। ଆସନ୍ତୁ ଜାଣିବା କେଉଁ ପରିବାରର ଥିଲେ ବିକ୍ରମ ଗୋଖଲେ।

Vikram Gokhel
୭୭ ବର୍ଷରେ ଚାଲିଗଲେ ବିକ୍ରମ ଗୋଖଲେ

ସିନେମା ଜଗତରେ ପୁଣି ଏକ ଦୁଃଖ। ବଲିଉଡ୍‌ ଏବଂ ଟିଭି ଦୁନିଆର ଭେଟେରାନ ଅଭିନେତା ବିକ୍ରମ ଗୋଖଲେ ଏ ଦୁନିଆରେ ଆଉ ନାହାଁନ୍ତି। ବିକ୍ରମ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିଲା। ଗୋଖଲେଙ୍କୁ ଗତ କିଛି ଦିନ ହେବ ପୁନେର ଦିନାନାଥ ମଙ୍ଗେଶକର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିଲା ​​ଏବଂ ସେ ଭେଣ୍ଟିଲେଟରରେ ଥିଲେ। ବର୍ତ୍ତମାନ ତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଦୁଃଖ ଦେଇଛି।

କୁହାଯାଉଛି ଯେ ଡାକ୍ତରମାନେ ବିକ୍ରମ ଗୋଖଲେଙ୍କୁ ଭେଣ୍ଟିଲେଟରରୁ ହଟାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ତାଙ୍କ ଅବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ଭେଣ୍ଟିଲେଟରରେ ରଖିବା ଉପଯୁକ୍ତ ବିବେଚନା କରାଯାଇଥିଲା। ଆଜି ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିଯିବାରୁ ତାଙ୍କର ମୃତ୍ୟୁ ହୋଇଛି। ୭୭ ବର୍ଷରେ ତାଙ୍କର ମୃତ୍ୟୁ ହୋଇଛି।

ଅଭିନେତାଙ୍କ ଝିଅ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି। ବାପାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇ ସେ କହିଛନ୍ତି- “ବିକ୍ରମ ଗୋଖଲେଙ୍କ ଆଜି ଅପରାହ୍ନରେ ଦେହାନ୍ତ ହୋଇଛି। ଆମେ ଏହି ଯନ୍ତ୍ରଣାଦାୟକ ସମୟରେ ତାଙ୍କ ପାଇଁ ପ୍ରାର୍ଥନା କରିଥିବା ଜନସାଧାରଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ।”

ପୂର୍ବରୁ ବିକ୍ରମ ଗୋଖଲେଙ୍କ ଦେହାନ୍ତ ଖବର ପ୍ରଚାରିତ ହୋଇଥିଲା, ଯାହା ଗୁଜବ ଥିଲା। ତେବେ ସେତେବେଳକୁ ଅନେକ ସେଲିବ୍ରିଟି ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଗୁଜବକୁ ପ୍ରତ୍ୟାଖ୍ୟାନ କରି ଅଭିନେତାଙ୍କ ପରିବାର ସ୍ପଷ୍ଟ କରିଥିଲେ ଯେ ତାଙ୍କ ଅବସ୍ଥା ଗୁରୁତର, କିନ୍ତୁ ସେ ଜୀବିତ ଅଛନ୍ତି। ତେବେ ବର୍ତ୍ତମାନ ବିକ୍ରମ ଗୋଖଲେଙ୍କ ପରିବାର ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

ଚଳଚ୍ଚିତ୍ର ପରିବାରରେ ଜନ୍ମ:

ବିକ୍ରମ ଗୋଖଲେ ଏକ ଚଳଚ୍ଚିତ୍ର ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଅଣଜେଜେମା’ଙ୍କ ଠାରୁ ପରିବାରରେ ଅଭିନୟ ଆରମ୍ଭ ହୋଇଥିଲା। ଭାରତୀୟ ଫିଲ୍ମ ପରଦାର ପ୍ରଥମ ମହିଳା ଅଭିନେତା ବିକ୍ରମ ଗୋଖଲେଙ୍କ ଅଣଜେଜେମା ଦୁର୍ଗାବାଇ କାମତ ଥିଲେ। ତାଙ୍କ ଜେଜେମା କମଲାବାଇ ଗୋଖଲେ ଭାରତୀୟ ସିନେମାର ପ୍ରଥମ ମହିଳା ଶିଶୁ କଳାକାର ଭାବରେ କାମ କରିଥିଲେ ଏବଂ ତାଙ୍କ ବାପା ଚନ୍ଦ୍ରକାନ୍ତ ଗୋଖଲେ ମଧ୍ୟ ମରାଠୀ ସିନେମାର ଜଣେ ଭେଟେରାନ୍ ଅଭିନେତା ଥିଲେ। ପରିବାରର ପଥ ଅନୁସରଣ କରି ବିକ୍ରମ ମଧ୍ୟ ସିନେମାରେ ଯୋଗ ଦେଇଥିଲେ।

ତେବେ ତାଙ୍କ ନାମ ସବୁବେଳେ ଥିଏଟର ସହିତ ଜଡିତ ଥିଲା। ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ପରୱାନା' ୧୯୭୦ ମସିହାରେ ମୁକ୍ତିଲାଭ କରିଥିଲା। ଏହା ପରେ ସେ ଅନେକ ଚଳଚ୍ଚିତ୍ର ଏବଂ ଟିଭି ସିରିଏଲରେ ଅଭିନୟ କରିଥିଲେ।

ଫିଲ୍ମରେ କାମ:

ବିକ୍ରମ ଗୋଖଲେ ଅନେକ ମରାଠୀ ଏବଂ ବଲିଉଡ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୯୦ରେ ସେ ଅମିତାଭ ବଚ୍ଚନଙ୍କ ‘ଅଗ୍ନିପଥ’ରେ ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ‘ହମ ଦିଲ ଦେ ଚୁକେ ସନମ’ (୧୯୯୯) ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବାପା ଭୂମିକାରେ ଦେଖିବାକୁ ମିଳିଥିଲେ। ଏହା ବ୍ୟତୀତ ଅଭିନେତା 'ଭୁଲ୍‌ ଭୁଲୈୟା', 'ଦିଲ୍‌ ସେ', 'ଦେ ଦନା ଦନ', 'ହିଚକୀ', 'ନିକମ୍ମା', 'ମିଶନ ମଙ୍ଗଲ' ଭଳି ଅନେକ ବଲିଉଡ ହିଟ୍‌ ଫିଲ୍ମରେ ମଧ୍ୟ ଅଭିନୟ କରିଥିଲେ।

ଟିଭିରେ କାମ:

ଯଦି ତାଙ୍କର ଟିଭି କ୍ୟାରିଅରକୁ ଦେଖାଯାଏ, ତେବେ ସେ 'ଉଡାନ୍', 'ଇନ୍ଦ୍ରଧନୁଷ', 'କ୍ଷିତିଜ୍ ୟେ ନେହିଁ', 'ସଞ୍ଜୀବନୀ', 'ଜୀନ୍ବ ସାଥୀ', 'ସିଂହାସନ', 'ମେରା ନାମ କରେଗି ରୋଶନ୍'ରେ ଅଭିନୟ କରିଛନ୍ତି। ଏହା ଛଡା ସେ ‘ଶିବ ମହାପୁରାଣ’ ଓ ‘ଅବରୋଧଃ’ରେ ମଧ୍ୟ କାମ କରିଛନ୍ତି।