କାଲିଠୁ OJEE କାଉନସେଲିଂ; କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ

OJEE ରେଜଲ୍ଟ ପ୍ରକାଶନକୁ ମାସେ ପୁରିଲା । ହେଲେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାଉନ୍ସେଲିଂ ।

OJEE counselling 2023

ବୈଷୟିକ ଶିକ୍ଷାରେ ନାମ ଲେଖାଇବାକୁ ପରୀକ୍ଷା ଦେଲେ । ରାଙ୍କ୍ ବି ପାଇଲେ। ହେଲେ ମାସେ ପରେ ବି ଆଡମିଶନ୍ ହୋଇନି । ଅସନ୍ତୋଷ ପ୍ରବଳ ତେଜିବାରୁ OJEE ପକ୍ଷରୁ ଆସନ୍ତାକାଲି ଠାରୁ କାଉନ୍ସେଲିଂ ଆରମ୍ଭ କରାଯାଉଛି । ତେବେ ପ୍ରଶ୍ନ ଉଠୁଛି ଇଞ୍ଜିନିୟରିଂ ସିଟ୍ ହଜାର ହଜାର ସଂଖ୍ୟାରେ ଖାଲି ପଡୁଥିବାବେଳେ ରାଙ୍କ୍ ଧାରୀଙ୍କୁ କାହିଁକ ଆଡମିଶନ୍ ନକରାଇ ମାସେ ଧରି ବସାଇ ରଖାଗଲା ।

OJEE ରେଜଲ୍ଟ ପ୍ରକାଶନକୁ ମାସେ ପୁରିଲା । ହେଲେ ଆସନ୍ତାକାଲିଠାରୁ ଆରମ୍ଭ ହେବ କାଉନ୍ସେଲିଂ । ହାତରେ ରାଙ୍କ କାର୍ଡ ଅଛି, ମାତ୍ର କାଉନ୍ସେଲିଂ ପ୍ରକ୍ରିୟା ଆରମ୍ଭ ହୋଇନଥିବାରୁ ମାସେ କାଳ ଅପେକ୍ଷାରେ ରହିଲେ ଛାତ୍ରଛାତ୍ରୀ । କ୍ୟାରିୟରକୁ ନେଇ ଦ୍ୱନ୍ଦ୍ୱ ବି ବଢିଲା । ଯାହାକୁ ନେଇ ଛାତ୍ରଛାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ।

ଏଠି ପ୍ରଶ୍ନ ଉଠୁଛି କାହିଁକି ମାସେ ଧରି କାଉନ୍ସେଲିଂ କରାଗଲା ନାହିଁ ? ପ୍ରାୟ ୪୮ ହଜାର ପିଲା ଯେତେବେଳେ ରାଙ୍କ୍ କାର୍ଡ ପାଇ ମାସେ କାଳ ବସିରହିଲେ ସେ ସମୟରେ ନା ବୈଷୟିକ ଶିକ୍ଷାମନ୍ତ୍ରୀ ନା ଅଧିକାରୀ କେହି ବି ପିଲାଙ୍କ ଶଙ୍କାକୁ ଦୂର କଲେ ନାହିଁ । ଆଉ ଏବେ ଅସନ୍ତୋଷ ବଢିବାରୁ ତରବରିଆ ଭାବେ ଆସନ୍ତାକାଲିଠାରୁ ୩ଟି ପର୍ଯ୍ୟାୟରେ କାଉନ୍ସେଲିଂ କରିବାକୁ ଯାଉଛି OJEE । ତାପୁଣି ସବୁ ବିଷୟ ପାଇଁ ନୁହେଁ । 

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କିଛି ଦିନ ପରେ ସ୍ୱତନ୍ତ୍ର OJEE ରେଜଲ୍ଟ ପ୍ରକାଶ ପାଇବ । ଏଥିଲାଗି ଦୁଇଟି ଯାକ ଓଜେଇଇର ରାଙ୍କ କାର୍ଡଧାରୀଙ୍କ ପାଇଁ ଏକା ସମୟରେ କାଉନ୍ସେଲିଂ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୋଜନା କରିଥିଲା । ମାତ୍ର ଏଭଳି ଅଜବ ନୀତି ପାଇଁ ପ୍ରଥମ OJEE ର ରାଙ୍କ୍ କାର୍ଡଧାରୀଙ୍କୁ ମାସେ କାଳ ଅପେକ୍ଷା କରିବାକୁ ପଡିଲା । ରାଜ୍ୟରେ ୧୦ଟି ସରକାରୀ ଓ ପ୍ରାୟ ୮୦ଟି ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ଅଛି ।

ପ୍ରତି ବର୍ଷ ଏସବୁ ଇଞ୍ଜିନିୟରିଂ କଲେଜ୍‌ରେ ଥିବା ୩୯ ହଜାର ସିଟ୍‌ରୁ ଅନେକ ସିଟ୍ ଖାଲି ପଡୁଛି । ଏସବୁ ସିଟ୍ ପୂରଣ ପାଇଁ ସରକାର ଦୁଇଥର OJEE କରୁଛନ୍ତି । ଗୋଟିଏ ପଟେ ରାଜ୍ୟରେ ଇଞ୍ଜିନିୟରିଂ ସିଟ୍ ଖାଲିପଡୁଛି । ଅନ୍ୟପଟେ ପିଲାଏ ଆଡମିଶନ୍ ନେବା ଲାଗି ମାସ ମାସ ଧରି ଅପେକ୍ଷା କରୁଛନ୍ତି।

ସେପଟେ OJEE ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ, ଏଆଇସିଟିଇ କେଉଁ କଲେଜକୁ କେତେ ସିଟ୍ ଆପ୍ରୁଭାଲ୍ ଦେବେ ତାହା ସ୍ଥିର ହୋଇନଥିବାରୁ ବିଳମ୍ବ ହୋଇଛି । ତେବେ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ରେଜିଷ୍ଟ୍ରେସନ ଓ ଚଏସ୍‌ ଲକିଂ କରାଯିବ । ଜୁଲାଇ ୧୯ରେ ପ୍ରକାଶ ପାଇବ ରାଉଣ୍ଡ-୧ ଆଲଟମେଣ୍ଟ ଏବଂ ଜୁଲାଇ ୩୧ ରେ ପ୍ରକାଶ ପାଇବ ରାଉଣ୍ଡ-୨ ଆଲଟମେଣ୍ଟ ।