Astrospeak
  • Live TV
  • Read In English

ମନ୍ଦିରରେ ସ୍କୁଲ : ଯେଉଁଠି ଭକ୍ତ ଆସି ପୂଜାପାଠ କରନ୍ତି, ସେଇଠି ବସି ପାଠ ପଢ଼ନ୍ତି ଛୋଟ ଛୋଟ ପିଲା

ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ।

Special story
ଯେଉଁଠି ଠାକୁର, ସେଇଠି ସ୍କୁଲ୍

ଯେଉଁଠି ଠାକୁର, ସେଇଠି ସ୍କୁଲ। ପହଡ଼ ପକେଇ ଶୋଇଛନ୍ତି ପ୍ରଭୁ ବାଣେଶ୍ୱର । ପଦାରେ ପ୍ରଭୁଙ୍କୁ ଜଗିଛନ୍ତି ବାସୁଆ ବଳଦ, ଦଲାଣରେ ଝୁଲୁଛି ପ୍ରଭୁଙ୍କ ଘଣ୍ଟି । ଚାରିଆଡ଼େ ବେଲପତ୍ର, ଭକ୍ତଙ୍କ ଯିବା ଆସିବା, ପୂଜା ପାଠ। ଆଉ ମନ୍ଦିର ଭିତରେ ହିଁ ସ୍କୁଲ ଚାଲୁଛି, ପିଲାଙ୍କୁ ପାଠ ପଢ଼ାଉଛନ୍ତି ଶିକ୍ଷକ । କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ମୂର୍କୁଣ୍ଡିର ବାଣେଶ୍ୱର ଶିବ ମନ୍ଦିରରେ ଚାଲିଛି ସ୍କୁଲ । ଠାକୁରଙ୍କ ପୂଜାର୍ଚ୍ଚନା ସହିତ ଏଇଠି ଗତ ୭ବର୍ଷ ହେଲା ଚାଲିଛି ଦାଶସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ।

ପ୍ରଥମରୁ ପଞ୍ଚମ ଯାଏଁ ଯେତିକି ପିଲା ଦାଶସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ନାଁ ଲେଖାଇଛନ୍ତି, ସମସ୍ତଙ୍କ ପାଇଁ ସ୍କୁଲ କହିଲେ ଶିବମନ୍ଦିର ବାରଣ୍ଡା । ଦୈନିକ କାନ୍ଥରେ ଡେରା ହୁଏ ଦୁଇଟି କଳାପଟା, ଆଉ ଦୁଇଜଣ ସାର୍ ପିଲାଙ୍କୁ ପାଠ ପଢାନ୍ତି । ପିଲା ପଢୁଥିବା ବେଳେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତ ବି ଆସନ୍ତି, ଘଣ୍ଟି ବଜାନ୍ତି।ମୂଳ ସମସ୍ୟା ହେଲା, ବିଦ୍ୟାଳୟର ନିଜସ୍ୱ ଜାଗା ନାହିଁ । ଗାଁ ଲୋକ ଅନେକଥର ପ୍ରଶାସନକୁ ଜଣାଇଛନ୍ତି । ମଝିରେ ଥରେ ଟଙ୍କା ଆସି ଫେରି ମଧ୍ୟ ଯାଇଛି । ସରକାରୀ କାମ ତ, ଗଡ଼ି ଗଡ଼ି ଚାଲିଛି। ଏମିତି ଗଲାଣି ୭ବର୍ଷ । ହେଲେ ସମସ୍ୟାର ସମାଧାନ ହୋଇପାରୁନି ।

ଏଇଠି ପ୍ରଶ୍ନ ଉଠୁଛି 5T ଅଧୀନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ସ୍କୁଲ ଗୁଡ଼ିକୁ ଚକାଚକ କରାଯାଉଛି । ହେଲେ ଏଠି ମନ୍ଦିର ଭିତରେ ୭ବର୍ଷ ହେଲା ସ୍କୁଲ ଚାଲିଛି, ଏଠାକାର ଶିକ୍ଷା ଅଧିକାରୀ କରୁଛନ୍ତି କଣ? ଅନାବାଦି ଜାଗା ଖଣ୍ଡିଏ ସ୍କୁଲକୁ ଦେବାକୁ କେତେ ବା ସମୟ ଲାଗନ୍ତା । ସେମାନଙ୍କ ପିଲା ଯଦି ଏମିତି ମନ୍ଦିରରେ ବସି ପାଠ ପଢୁଥାନ୍ତା, ତେବେ ସେମାନେ କଣ ଏମିତି ଅବହେଳା କରିଥାନ୍ତେ?

ମନୋଜ ଆଚାର୍ଯ୍ୟ, ସାଲେପୁର