ତହସିଲଦାରଙ୍କୁ ଡିଜିଟାଲ୍ ଆରେଷ୍ଟ ଠକେଇ ! ଆକାଉଣ୍ଟରୁ ୯୦ ହଜାର ଉଡ଼ିଗଲା

ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ତାଳଚେର ତହସିଲଦାର ।

Tahasildar

ସାଇବର ଠକଙ୍କ ହାବୁଡ଼ରେ ପଡ଼ିଗଲେ ତାଳଚେର ତହସିଲଦାର । ତହସିଲଦାର ରୋଜାଲିନ ବେହେରାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ସାଇବର ଲୁଟେରା ନେଇ ଯାଇଥିବା ତାଳଚେର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏକ ଅଜଣା ଲିଙ୍କ୍‌ରେ କ୍ଲିକ୍ କରିବା ପରେ ତାଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଗାଏବ ହୋଇଯାଇଥିବା ଦର୍ଶାଇଛନ୍ତି ତାଳଚେର ତହସିଲଦାର ।

ଅଭିଯୋଗ ପାଇ ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ପୂରା ଘଟଣା ସମ୍ପର୍କରେ ଜାଣିବାକୁ ତହସିଲଦାରଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ବି ତାଙ୍କ ପ୍ରତିକ୍ରିୟା ମିଳିନାହିଁ । ସେପଟେ ଆଜି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଡିଜିଟାଲ ଆରେଷ୍ଟ ଠକେଇକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଦେଶକୁ ସମ୍ବୋଧନ କରି, ଡିଜିଟାଲ୍ ଆରେଷ୍ଟ ଭଳି ସାଇବର ଠକେଇ ପ୍ରସଙ୍ଗ ଉଲ୍ଲେଖ କରିବା ସହିତ, ଏଭଳି ସ୍ଥିତିର ସାମ୍ନା କଲେ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ ସାଇବର୍ ଠକେଇ କଲ୍ ରେକର୍ଡିଂ ଦେଖାଇ ମୋଦି କହିଛନ୍ତି- ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ପ୍ରାବଧାନ ନାହିଁ ।

କୌଣସି ସରକାରୀ ସଂସ୍ଥା ଫୋନ୍ କିମ୍ବା ଭିଡିଓ କଲରେ ଜେରା କରିନଥାନ୍ତି । ଧମକାନ୍ତି ନାହିଁ କି ଟଙ୍କା ମାଗନ୍ତିନାହିଁ । ଏହା ଏକ ଠକେଇ । କିଛି ଅସାମାଜିକ ବ୍ୟକ୍ତି ଏବଂ ଅପରାଧୀ ଗ୍ୟାଙ୍ଗ ଲୋକଙ୍କୁ ମିଛ କହି ଲକ୍ଷ ଲକ୍ଷ ଟଙ୍କା ଠକି ନେଉଛନ୍ତି । ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏହାର ଛାନଭିନ କରୁଥିବା ବେଳେ, ଏସବୁର ସମନ୍ୱୟ ପାଇଁ ନ୍ୟାସନାଲ ସାଇବର୍ କୋ-ଅର୍ଡିନେସନ ସେଣ୍ଟର ପ୍ରତିଷ୍ଠା ହୋଇଛି ।

ଡିଜିଟାଲ୍ ଆରେଷ୍ଟ ଠକେଇରେ ଠକମାନେ ନିଜକୁ ପୋଲିସ, CBI, RBI କିମ୍ବା ନାର୍କୋଟିକ୍ସ ଅଧିକାରୀ ଦର୍ଶାଇ ପୀଡ଼ିତଙ୍କୁ ଅତ୍ୟଧିକ ଭୟଭୀତ କରିଥାନ୍ତି । ସେମାନଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରିବା ସହିତ ଚାପ ପକାଇଥାନ୍ତି । ତେବେ ଏହାର ମୁକାବିଲା ପାଇଁ ୩ଟି ସୂତ୍ର ଆପଣାଇବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ଫ୍ରଡ୍ କଲ୍ ଆସିଲେ ଆତଙ୍କିତ ନହୋଇ ଧୈର୍ଯ୍ୟ ଧରନ୍ତୁ । ମୁକାବିଲା ଉପାୟ ଚିନ୍ତା କରନ୍ତୁ ଏବଂ ପଦକ୍ଷେପ ନିଅନ୍ତୁ । ଯଦି ସମ୍ଭବ ହେଉଛି, ସ୍କ୍ରିନସଟ ନିଅନ୍ତୁ ଓ ରେକର୍ଡିଂ କରି ରଖନ୍ତୁ । ଫ୍ରଡ୍ କଲ ଆସିଲେ ୧୯୩୦କୁ କଲ୍ କରି ଜଣାନ୍ତୁ ।