Advertisment

ବ୍ୟାଙ୍କ ଜମାଠୁ ନେଇ ସୁନା ଗହଣା, କୁବେର ଏଡିଏମ କେମିତି ଅର୍ଜିଲେ ଅମାପ ସମ୍ପତ୍ତି ?

ଚାକିରିକୁ ବାକି ଥିଲା ଆଉ ମାତ୍ର ୧୬ ଦିନ । ୧୬ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ କରିତର୍କମା ଦୁର୍ନୀତିଖୋର ସରକାରୀ ବାବୁ । ଆଉ ସବୁ ଦୁର୍ନୀତି ପରଦା ପଛରେ ରହିଯାଇଥାନ୍ତା । ହେଲେ ଖେଳ ଖତମ ହେବା ଆଗରୁ ବାବୁଙ୍କ ଦୁର୍ନୀତିକୁ ପରଦା ସାମ୍ନାକୁ ଆଣିଛି ଭିଜିଲାନ୍ସ ।

ଅଦ୍ୟତନ ହୋଇଛି
adm

adm

Advertisment

ପୁଳାପୁଳା ଟଙ୍କା ଆଉ ମାଳମାଳ ଜମି ଓ କୋଠା । ବ୍ୟାଙ୍କ ଜମାଠୁ ନେଇ ସୁନା ଗହଣା । ବିଭିନ୍ନ ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ ଏବଂ ଇନସ୍ୟୁରାନ୍ସ ପଲିସି । ଏମିତି କେତେକଣ ରହିଛି ସମ୍ପତ୍ତି ଠାବ କଲାଣି ଭିଜିଲାନ୍ସ । ସୁନ୍ଦରଗଡ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ବାସଭବନ ସମେତ ୭ ଟି ସ୍ଥାନରେ ଗତକାଲି ଚଢାଉ ହୋଇଥିବା ବେଳେ ଆଜି ମଧ୍ୟ ସୁନ୍ଦରଗଡ ସରକାରୀ ବାସଭବନରେ ଚଢାଉ କରିଛି । ସେଠାରୁ ମଧ୍ୟ ନଗଦ  ୩୨ ହଜାର ଟଙ୍କା ଏବଂ ୧୨୦ ଗ୍ରାମ ସୁନା ସହିତ ଏକ୍ସିସ,ଏଚଡିଏଫସି ଏବଂ ଏସବିଆଇ ର ୧୦ରୁ ଉର୍ଦ୍ଧ ପାସବୁକ୍ ଠାବ କରାଗଲାଣି । ତେବେ ଏଠାରେ ପ୍ରଶ୍ନ ଏତେ ଧନ ଅର୍ଜିଲେ କେମିତି କୁବେର ଏଡିଏମ୍ ।

Advertisment

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ସୁନ୍ଦରଗଡ ଏଡିଏମ ବିଶ୍ୱଜିତ ମହାପାତ୍ରଙ୍କ ଭୁବନେଶ୍ୱର ବାଲିଅନ୍ତା ବାସଭବନ ସମେତ ନୟାପଲ୍ଲୀ ଫ୍ଲାଟ୍ ଜଗତସିଂପୁର ପୈତୃକ ବାସଭବନ ମଣିଜଙ୍ଗା ସଂପର୍କୀୟଙ୍କ ବାସଭବନ ରାଜଗାଙ୍ଗପୁର ଓସିଏଲ ସଂପର୍କୀୟଙ୍କ କ୍ୱାର୍ଟରସ ଏବଂ ସୁନ୍ଦରଗଡ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନ ଏକକାଳୀନ ଚଢାଉ କରାଯାଇଥିଲା । ଚଢାଉର ସମୟ ବଢି ବଢିଚାଲୁଥାଏ ଏବଂ ସମ୍ପତ୍ତିର ତାଲିକା ମଧ୍ୟ ବଢିବଢି ଚାଲିଥାଏ । ଗତକାଲି ଚଢାଉରେ ନହରକଣ୍ଟାରେ ୮୯ଲକ୍ଷ ଟଙ୍କାର ବିଲଡିଂ, ରସୁଲଗଡରେ ଫ୍ଲାଟ ସହିତ ନହରକଣ୍ଟା , ଖୋର୍ଦ୍ଧା , ଜଟଣୀ , ଜଗତସିଂହପୁର ଆଦି ଅଞ୍ଚଳ ରେ ୧୦ ଟି ପ୍ଲଟ ଠାବ କଲା ଭିଜିଲାନ୍ସ ।

ଏହାସହିତ ୨କୋଟି ଟଙ୍କା ଫିକ୍ସଡ୍ ଡିପୋଜିଟ , ସେଭିଂ ଆକାଉଣ୍ଟ , ଇନସ୍ୟୁରାନ୍ସ ଏବଂ ୩୫୦ ଗ୍ରାମ ସୁନାଗହଣା ଏବଂ ୩ଲକ୍ଷ ନଗଦ ମଧ୍ୟ ଠାବ ହେଲା । ଏହାବାଦ ନହରକଣ୍ଟାରେ ରହିଛି ପତ୍ନୀ ଙ୍କ ନାଁରେ ସିମେଣ୍ଟ୍ ବ୍ୟବସାୟ । ଆଜି ମଧ୍ୟ ବିଶ୍ୱଜିତଙ୍କୁ ନେଇ ଭିଜିଲାନ୍ସ ଭୁବନେଶ୍ୱରରୁ ସୁନ୍ଦରଗଡକୁ ଆଣି ସରକାରୀ ବାସଭବନରେ ଚଢାଉ ଜାରି ରଖିଛି । ଏଠାରେ ମଧ୍ୟ ୩୨ହଜାର ନଗଦ , ୧୨୦ ଗ୍ରାମ ସୁନା ଏବଂ ବ୍ୟାଙ୍କ ଆକାଉଣ୍ଟ ସବୁ ମିଳିଛି ।

Advertisment

ଚାକିରିକୁ ବାକି ଥିଲା ଆଉ ମାତ୍ର ୧୬ ଦିନ । ୧୬ ଦିନ ପରେ ଚାକିରିରୁ ଅବସର ନେଇଥାନ୍ତେ କରିତର୍କମା ଦୁର୍ନୀତିଖୋର ସରକାରୀ ବାବୁ । ଆଉ ସବୁ ଦୁର୍ନୀତି ପରଦା ପଛରେ ରହିଯାଇଥାନ୍ତା । ହେଲେ ଖେଳ ଖତମ ହେବା ଆଗରୁ ବାବୁଙ୍କ ଦୁର୍ନୀତିକୁ ପରଦା ସାମ୍ନାକୁ ଆଣିଛି ଭିଜିଲାନ୍ସ । ୨୦୨୦ ସେପ୍ଟେମ୍ବର ୯ ତାରିଖ ରେ ସୁନ୍ଦରଗଡରେ ଏଡିଏମ୍ ଭାବରେ ଯୋଗଦେଇଥିବା ବିଶ୍ୱଜିତ ମହାପାତ୍ର ୧୯୯୭ ମସିହାରେ ଓଏଏସ ପାଇଥିଲେ । ୧୯୯୯ ମସିହାରେ ଭୁବନେଶ୍ୱର ସେଟେଲମେଣ୍ଟ ଅଫିସରେ ପ୍ରୋବେସନର ଭାବରେ ଚାକିରି ଆରମ୍ଭ କରିଥିଲେ । ଏହାପରେ କେନ୍ଦ୍ରାପଡା ଏବଂ ତାପରେ କଟକ ସେଟେଲମେଣ୍ଟ ଅଫିସରେ ବିଏସଓ ଭାବରେ ଯୋଗଦେଇଥିଲେ । ତାପରେ ଭୁବନେଶ୍ୱରରେ ଆସିଷ୍ଟାଣ୍ଟ ସେଟେଲମେଣ୍ଟ ଅଫିସର ଏବଂ ପରେ ଅତିରିକ୍ତ ତହସିଲଦାର ଭାବରେ କାର୍ଯ୍ୟ ତୁଲାଇଥିଲେ ।

ଆଗରୁ ବି ହୋଇଥିଲା ଭିଜିଲାନ୍ସ କେସ୍

ଏହାପରେ ତହସିଲଦାର ତିଗିରିଆ , ଆଠଗଡ , ପିପିଲି ଏବଂ ତାପରେ ବିଡିଓ ଭାବେ ସୁନ୍ଦରଗଡର ଲାଠିକଟା ଏବଂ ବରଗଡର ସୋହେଲା ବ୍ଲକରେ ଦାୟିତ୍ୱ ନିର୍ବାହ କରିଥିଲେ । ବିଡିଓ ଲାଠିକଟା ଥିବା ସମୟରେ ପାଇଖାନା ଦୁର୍ନୀତି ଯୋଗୁଁ ଚର୍ଚ୍ଚାକୁ ଆସିଥିଲେ ବିଶ୍ୱଜିତ ମହାପାତ୍ର । ଏହାପରେ ପଦୋନ୍ନତି ପାଇ ବରଗଡରେ ଉପଜିଲ୍ଲପାଳ ହୋଇଥିଲେ । ସେଠାରେ ମଧ୍ୟ ଧାନକିଣା ଦୁର୍ନୀତିରେ ଯୋଡି ହୋଇଥିଲେ । ଯାହାର ଭିଜିଲାନ୍ସ ତଦନ୍ତ କରିଥିଲା । ତେବେ ସଠିକ ତଥ୍ୟ ନମିଳିବାରୁ କେଶ୍ କୁ ବନ୍ଦ କରିଦିଆଯାଇଥିଲା ।

Advertisment

ବରଗଡ ପରେ ପାନପୋଷ ଉପଜିଲ୍ଲାପାଳ ଏବଂ ପିଏ ଆଇଟିଡିଏ ର ଅତିରିକ୍ତ ଦାୟିତ୍ୱ ତୁଲାଇଥିଲେ । ସେହି ସମୟରେ ମଧ୍ୟ ଆଇଟିଡିଏରେ ଅନେକ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହାପରେ ୨୦୨୦ ରେ ପଦୋନ୍ନତି ପାଇ ସୁନ୍ଦରଗଡ ଏଡିଏମ ହୋଇ ଆସିଲେ । ଏଠାରେ ବ୍ୟାପକ ଦୁର୍ନୀତିର ଅଭିଯୋଗ ହୋଇଥିଲା । ଏମସିଏଲ କୋଇଲା ଖଣି ରେ ବିସ୍ଥାପିତଙ୍କୁ ପ୍ରଦାନ କରାଯାଉଥିବା କ୍ଷତିପୂରଣରେ ଲାଞ୍ଚ କାରବାର ଅଭିଯୋଗ ହୋଇଥିଲା । ଜିଲ୍ଲା ପ୍ରଶାସନର କିରାଣି , ଅମିନ ଏବଂ ଆରଆଇ ଟ୍ରାନ୍ସଫର ଏବଂ ପୋଷ୍ଟିଂରେ ଲାଞ୍ଚ ଅଭିଯୋଗ ମଧ୍ୟ ହୋଇଥିଲା ।

ଏହା ସହିତ ଓସିଏଲର ଚୂନପଥର ଖଣି ସଂପ୍ରସାରଣ ଏବଂ ଜେଏସଡବ୍ଲ୍ୟୂ ସିମେନ୍ଟ ପ୍ଲାନ୍ଟର ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ଏବଂ ପରିବେଶ ଜନିତ ଜନଶୁଣାଣୀ କରାଇବା ପାଇଁ କଂପାନୀ ଠାରୁ ମୋଟା ଅଙ୍କର ଲାଞ୍ଚ କାରବାର ଅଭିଯୋଗ ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି । ତେବେ କୋଟି କୋଟି ଟଙ୍କା ର ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଏହି କୁବେର ବାବୁଙ୍କ ଦୁର୍ନୀତି ରେ ଆଉ କିଏ କିଏ ସହଯୋଗୀ ତାହାର ଚିଠା ପ୍ରସ୍ତୁତ କରିଛି ଭିଜିଲାନ୍ସ । ଯାହାକୁ ପରବର୍ତ୍ତୀ ସମୟରେ ଜେରା କରାଯାଇପାରେ ବୋଲି ସୂଚନା ମିଳିଛି ।

ଆଜି ସୁନ୍ଦରଗଡ ସରକାରୀ ବାସଭବନରେ ଚଢାଉ ସରିଲା ପରେ ତାଙ୍କୁ କଟକ ଭିଜିଲାନ୍ସ ମୁଖ୍ୟାଳୟକୁ ନିଆଯିବ ଏବଂ ଆସନ୍ତାକାଲି ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଭିଜିଲାନ୍ସ ତରଫ ରୁ ସୂଚନା ଦିଆଯାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି କେମିତି ଆୟ କରୁଥିଲେ ଏହି କୁବେର ବାବୁ ଏତେ ଟଙ୍କା ।

ସୁନ୍ଦରଗଡ଼ରୁ ବିଜୟ ବରୁଆଙ୍କ ରିପୋର୍ଟ

Crorepati ADM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ