Astrospeak
  • Live TV
  • Read In English

ଆସୁଛି ଖେଳକୁ ନେଇ ୫ ଫିଲ୍ମ; ଜାଣନ୍ତୁ କ’ଣ

ବଲିଉଡ୍‌ ଅନେକଗୁଡିଏ ଖେଳଭିତ୍ତିକ ଫିଲ୍ମ ଭେଟି ଦେଇଛି। ଆଜିକାଲି ଦର୍ଶକମାନେ ଏଭଳି ଫିଲ୍ମକୁ ପସନ୍ଦ କରୁଥିବାରୁ ନିର୍ମାତାମାନେ ଏ ଦିଗରେ ଅଣ୍ଟା ଭିଡୁଥିବା ଦେଖାଯାଏ। ଚଳିତ ବର୍ଷ ମଧ୍ୟ ଖେଳକୁ ନେଇ କେତେକ ଫିଲ୍ମ ରିଲିଜ୍ ହେବାକୁ ଯାଉଛି। ଆସନ୍ତୁ ନଜର ପକେଇବା।

5 upcoming movies based on sports
ଆସୁଛି ଖେଳକୁ ନେଇ ୫ ଫିଲ୍ମ; ଜାଣନ୍ତୁ କ’ଣ

ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ 'ମେରି କମ୍‌' ହେଉ ବା ଦୁଇ ଭଉଣୀଙ୍କ କାହାଣୀକୁ ଦେଖାଉ ଥିବା ଫିଲ୍ମ 'ଦଙ୍ଗଲ' ହେଉ, ନଚେତ ଶାହରୁଖଙ୍କ 'ଚକ୍‌ ଦେ ଇଣ୍ଡିଆ' କିମ୍ବା ସଲମାନ ଖାନଙ୍କ 'ସୁଲତାନ', ଏସବୁ କ୍ରୀଡାଭିତ୍ତିକ ଫିଲ୍ମଗୁଡ଼ିକ ବକ୍ସ ଅଫିସ୍‌ରେ ଅନେକ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଏହି ଫିଲ୍ମଗୁଡ଼ିକରେ ଥିବା କ୍ରୀଡା ଏବଂ ମନୋରଞ୍ଜନର ଖୋରାକକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ଏନେଇ ଚଳଚ୍ଚିତ୍ର ନିର୍ମାତାମାନେ କ୍ରମାଗତ ଭାବରେ କ୍ରୀଡା ଏବଂ କ୍ରୀଡ଼ାବିତ୍‌ଙ୍କ ଉପରେ ଆଧାର କରି ଫିଲ୍ମ ନିର୍ମାଣ କରୁଛନ୍ତି। ଚଳିତ ବର୍ଷ ମଧ୍ୟ ଅନେକ କ୍ରୀଡାଭିତ୍ତିକ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ତେବେ ଆସନ୍ତୁ ସେ ତାଲିକା ଉପରେ ନଜର ପକେଇବା।

ଝୁଣ୍ଡ୍‌:

'ଝୁଣ୍ଡ୍‌' ଫିଲ୍ମ 'ସ୍ଲମ୍ ଫୁଟବଲ୍‌ ଫାଉଣ୍ଡେସନ୍'ର ପ୍ରତିଷ୍ଠାତା ତଥା ପ୍ରଶିକ୍ଷକ ବିଜୟ ବରସେଙ୍କ ସଂଘର୍ଷପୂର୍ଣ୍ଣ କାହାଣୀ ଉପରେ ଆଧାରିତ। ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ବିଜୟ ବରସେ ଭୂମିକାରେ ନଜର ଆସିବେ। 'ଝୁଣ୍ଡ୍‌'ର ଟିଜର ରିଲିଜ ହୋଇଛି, ଯାହା ଖୁବ୍ ଦମଦାର ଦେଖାଯାଏ। ଫିଲ୍ମର ପୋଷ୍ଟର୍‌ରେ ବିଗ୍ ବି ତାଙ୍କ ଟିମ୍ ସହିତ ନଜର ଆସିଛନ୍ତି। ଏହି ଫିଲ୍ମ ମାର୍ଚ୍ଚ ୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି।

ମୈଦାନ:

୧୯୫୦ ରୁ ୧୯୬୩ ପର୍ଯ୍ୟନ୍ତ ଭାରତୀୟ ଜାତୀୟ ଫୁଟବଲ ଦଳର ମ୍ୟାନେଜର ତଥା କୋଚ ଥିବା ସୟଦ ଅବଦୁଲ ରହିମଙ୍କ କାହାଣୀ ମଧ୍ୟ ବଡ ପରଦାରେ ଦେଖିବାକୁ ମିଳିବ। ଅଜୟ ଦେବଗନ ଏହି ଫିଲ୍ମରେ ଅବଦୁଲ ରହିମ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ପୋଷ୍ଟର ରିଲିଜ ହୋଇଛି ଯେଉଁଥିରେ ଅଜୟ ଦେବଗନ ମାଟି ଉପରେ ଠିଆ ହୋଇଥିବା ନଜର ଆସିଛନ୍ତି। ଏହି ଫିଲ୍ମଟି ଚଳିତ ବର୍ଷ ଅଗଷ୍ଟରେ ରିଲିଜ ହେବାର ଥିଲା ବେଳେ ଲକ୍‌ଡାଉନ୍ ହେତୁ ଫିଲ୍ମର ରିଲିଜ୍ ସ୍ଥଗିତ ରଖାଯାଇଥିଲା।

ସାବାସ ମିଥୁ:

ଫିଲ୍ମ ସାବାସ ମିଥୁ ହେଉଛି ଭାରତୀୟ ମହିଳା କ୍ରିକେଟ୍ ଦଳର କ୍ୟାପ୍‌ଟେନ୍‌ ମିତାଲି ରାଜଙ୍କ ବାୟୋପିକ୍। ଏହି ଚଳଚ୍ଚିତ୍ରରେ ତାପସୀ ପନ୍ନୁ ମିତାଲି ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାହୁଲ ଛିଲ୍‌କିଆ।

ଜର୍ସି:

ଫିଲ୍ମ 'ଜର୍ସି'ରେ ଜଣେ କ୍ରିକେଟରଙ୍କ କାହାଣୀ କୁହାଯାଇଛି, ଯିଏ କ୍ରୋଧ କାରଣରୁ ପ୍ରଥମେ ତାଙ୍କ କ୍ୟାରିଅରକୁ ନଷ୍ଟ କରିଦିଅନ୍ତି। ପରେ, କ୍ରିକେଟ୍ ପ୍ରତି ତାଙ୍କ ପିଲାଙ୍କ ଆଗ୍ରହ ଦେଖି ସେ ପୁନର୍ବାର ଏହି ଖେଳ ଆଡକୁ ମୁହାଁଇଛନ୍ତି। ଏହି ଫିଲ୍ମଟି ହେଉଛି ସାଉଥ୍ ଫିଲ୍ମର ରିମେକ୍। ଏଥିରେ ଆହିଦ କପୁର ମୁଖ୍ୟ ଭୂମିକାରେ ଅଛନ୍ତି।

ଚକଦା ଏକ୍ସପ୍ରେସ୍:

ଭାରତୀୟ ମହିଳା କ୍ରିକେଟ୍ ଦଳର ଅଧିନାୟକ ଝୁଲନ୍ ଗୋସ୍ୱାମୀଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ଚକଦା ଏକ୍ସପ୍ରେସ୍‌ରେ ଅନୁଷ୍କା ଶର୍ମା ମୁଖ୍ୟ ଭୂମିକାରେ ଅଛନ୍ତି। ଫିଲ୍ମରେ ଝୁଲନଙ୍କଙ୍କ ସଂଘର୍ଷ ଦେଖାଯାଇଛି। ସେ ସେହି ସମୟରେ କ୍ରିକେଟ୍ ଖେଳିବାକୁ ସ୍ଥିର କରିଥିଲେ ଯେତେବେଳେ ଖେଳରେ ମହିଳାମାନଙ୍କର ପ୍ରବେଶକୁ ସେତେଟା ଗ୍ରହଣ କରାଯାଉ ନଥିଲା। ଫିଲ୍ମର ପ୍ରଥମ ଲୁକ୍‌ରେ ଅନୁଷ୍କା ଏକ ଦମଦାର ଲୁକ୍‌ରେ ନଜର ଆସିଛନ୍ତି।