୩ ମାସ ଭିତରେ ରାଜ୍ୟରେ ରାଗିଂ ନେଲାଣି ୩ ଜୀବନ । ଗଲା ଶନିବାର ସିନିୟରଙ୍କ ରାଗିଂ ସହିନପାରି ବିଜେବି କଲେଜର ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଛନ୍ତି । ପୂର୍ବରୁ ରାଗିଂ ଯୋଗୁଁ ମେ’ ମାସରେ ବାଲେଶ୍ୱରର ଏକ ଘରୋଇ କଲେଜ ଛାତରୁ ଡେଇଁ ଜଣେ ଛାତ୍ରୀ ଓ ଏପ୍ରିଲ ମାସରେ ବଲାଙ୍ଗୀରରେ ଜଣେ ମେଡିକାଲ ଛାତ୍ର ହଷ୍ଟେଲ ଛାତରୁ ଡେଇଁ ଜୀବନ ହାରିଥିଲେ ।
ଏବେ ପ୍ରଶ୍ନ, ରାଗିଂ ରୋକିବାକୁ ୟୁଜିସିର କଡ଼ା ନିର୍ଦ୍ଦେଶନାମା ରହିଛି । ପ୍ରତି ଶିକ୍ଷାନୁଷ୍ଠାନରେ ଆଣ୍ଟି ରାଗିଂ କମିଟି ଗଠନ ସହ ମନିଟରିଂ ସେଲ, ଆଣ୍ଟି ରାଗିଂ କର୍ମଶାଳା ଆୟୋଜନ ଲାଗି କୁହାଯାଇଛି । ଏମିତିକି ରାଗିଂ ରୋକିବାକୁ ଶିକ୍ଷାନୁଷ୍ଠାନରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ ବି ରହିଛି । ଏତେସବୁ ବ୍ୟବସ୍ଥା ସତ୍ତ୍ୱେ କାହିଁକି ଅଧାରେ ଲିଭିଯାଉଛି ଛାତ୍ରଛାତ୍ରୀଙ୍କ ଜୀବନ ? ଏଥିପାଇଁ ରାଜ୍ୟରେ ଆଣ୍ଟି ରାଗିଂ ଆଇନର ଅଭାବ ଦାୟୀ ନୁହେଁ ତ ?
Also Read
ରାଗିଂ ତଥା ତଦ୍ଜନିତ ମୃତ୍ୟୁ ରୋକିବାକୁ ରାଜ୍ୟରେ କେବେ ଆସିବ ଆଣ୍ଟି ରାଗିଂ ଆଇନ ? ଅଭିଭାବକ ମହାସଂଘର କହିବା କଥା, ପ୍ରତିବର୍ଷ ରାଗିଂ ଯୋଗୁ ହଜାର ହଜାର ପିଲାଙ୍କ ଜୀବନ ନଷ୍ଟ ହେଉଛି । ୯୮ ଭାଗ ରାଗିଂ ଲୁଚିଯାଉଥିବା ବେଳେ ମାତ୍ର ୨ ଭାଗ ସାମନାକୁ ଆସୁଛି । କିନ୍ତୁ ଯେତିକି ଘଟଣା ଜଣାପଡୁଛି ସେଗୁଡ଼ିକରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନି । ତେଣୁ ତୁରନ୍ତ ରାଜ୍ୟରେ ଏକ କଠୋର ଆଣ୍ଟି ରାଗିଂ ଆଇନ ଦରକାର । ଏହାସହ ଆଣ୍ଟି ରାଗିଂ ପାଇଁ ଓଡ଼ିଶା ପୋଲିସରେ ଏକ ସ୍ୱତନ୍ତ୍ର ଟୋଲ୍ ଫ୍ରି ନମ୍ବର ରହିବା ଦରକାର । ତାହା ହେଲେ ରାଗିଂକୁ ବହୁ ମାତ୍ରାରେ ରୋକାଯାଇ ପାରିବ ।
ଲୋକସଭାରେ କେନ୍ଦ୍ର ସରକାର ରଖିଥିବା ଉତ୍ତର କହୁଛି, ୨୦୧୮ରୁ ୨୦୨୧ ମଧ୍ୟରେ ଦେଶରେ ୨ ହଜାର ୭୯୦ଟି ରାଗିଂ ମାମଲା ପଞ୍ଜୀକୃତ ହୋଇଛି । ସେଥିମଧ୍ୟରୁ ୧ ହଜାର ୨୯୬ଟି ମାମଲାରେ ରାଗିଂରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଦଣ୍ଡିତ କରାଯାଇଛି । ଅପରପକ୍ଷରେ ରାଗିଂ ରୋକିବାକୁ ଏବେ ତାମିଲନାଡ଼ୁ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ସମେତ ମୋଟ ୭ଟି ରାଜ୍ୟ ନିଜସ୍ୱ ଆଣ୍ଟି ରାଗିଂ ଆଇନ ଆଣିଛନ୍ତି । ଏହି ଆଇନ ଅଧୀନରେ ରାଗିଂ କରୁଥିବା ଛାତ୍ରଛାତ୍ରୀ ଧରାପଡ଼ି ଦୋଷୀସାବ୍ୟସ୍ତ ହେଲେ ଜେଲ ଦଣ୍ଡର ବ୍ୟବସ୍ଥା ବି ରହିଛି ।
ଏମିତିକି ସେମାନେ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଅନ୍ୟ ଶିକ୍ଷାନୁଷ୍ଠାନରେ ନାମ ମଧ୍ୟ ଲେଖାଇ ପାରିବେନି । ତେବେ ଶିକ୍ଷାବିତ୍ଙ୍କ ମତ ୟୁଜିସି ଆଣ୍ଟି ରାଗିଂ ଗାଇଡ୍ଲାଇନ୍କୁ ଠିକ୍ରେ କାର୍ଯ୍ୟକାରୀ କରାଯାଉନି । ଆଣ୍ଟି ରାଗିଂ କମିଟି ଦାୟିତ୍ୱରେ ଥିବା ଅଧିକାରୀ ଦକ୍ଷତାର ସହ ଦାୟିତ୍ୱ ତୁଲାଉ ନାହାନ୍ତି । ତେଣୁ ଏଭଳି ସ୍ଥିତି ଉପୁଜୁଛି । ଏହାଛଡ଼ା ଛାତ୍ରଛାତ୍ରୀମାନେ ରାଗିଂ ସମ୍ପର୍କରେ ସେମାନଙ୍କ ଅଭିଭାବକ ଓ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଜଣାଇଲେ ରାଗିଂକୁ ଅନେକାଂଶରେ ରୋକାଯାଇପାରିବ ।