ମହାଜନୀ କାରବାରରେ ତଳିତଳାନ୍ତ ପଦ୍ମକେଶରୀପୁର; ବଢ଼ିଲାଣି କରଜଦାତାଙ୍କ ଆତଙ୍କରାଜ

ନିରୁପମା ଦାସ ଓ ତାଙ୍କ ଶ୍ୱଶୁର ସନାତନ ଦାସ। ବୁଧବାର ରାତିରେ ଅତର୍କିତ ଆକ୍ରମଣର ଶୀକାର ହୋଇଛନ୍ତି। ଉପରସାହିର ତାପସ ଦାସ, ବାବୁଲା ଦାସଙ୍କ ସହ ୫ରୁ ଅଧିକ ଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି।

Miscreants Attack Girl

ଶହେରେ ୨୦ ଟଙ୍କିଆ ସୁଧ। ରାଜଧାନୀ ଭୁବନେଶ୍ୱର ଅଞ୍ଚଳରେ ମହାଜନୀ କାରବାର। ଚକ୍ରବୃଦ୍ଧି ସୁଧରେ କିଏ ବର୍ବାଦ ହୋଇଯାଉଛି ତ ଆଉ କିଏ ହରାଉଛି ଘରଡ଼ିହ। ସୁଧ ଟଙ୍କା ନ ଦେଲେ ଘରେ ପଶି ହାଣୁଛନ୍ତି ସାହୁକାରର ଲୋକ। ସତେଯେମିତି ପଦ୍ମକେଶରୀପୁରରେ ଛ’ମାଣ ଆଠଗୁଣ୍ଠ କାହାଣୀର ହୋଇଛି ପୁନରାବୃତ୍ତି।

ନିରୁପମା ଦାସ ଓ ତାଙ୍କ ଶ୍ୱଶୁର ସନାତନ ଦାସ। ବୁଧବାର ରାତିରେ ଅତର୍କିତ ଆକ୍ରମଣର ଶୀକାର ହୋଇଛନ୍ତି। ଉପରସାହିର ତାପସ ଦାସ, ବାବୁଲା ଦାସଙ୍କ ସହ ୫ରୁ ଅଧିକ ଲୋକ ଧାରୁଆ ଅସ୍ତ୍ରରେ ଉଭୟଙ୍କୁ ହାଣି ଲହୁଲୁହାଣ କରିଥିବା ଅଭିଯୋଗ ହୋଇଛି। ନିରୁପମାଙ୍କ କହିବା କଥା, ୬ ବର୍ଷ ତଳେ ବାବୁଲାଙ୍କ ଭାଇ ମିଟୁ ଦାସଙ୍କ ଠାରୁ ୧୦ ହଜାର ଟଙ୍କା କରଜ ଆଣିଥିଲେ। ଇତିମଧ୍ୟରେ ୨ ଲକ୍ଷ ଗଣିସାରିଲେଣି। ତଥାପି ଆଉ ଅଢେଇ ଲକ୍ଷ ବାକି କହି ଆଦାୟ କରୁଛନ୍ତି। ଟଙ୍କା ଦେବାକୁ ମନା କରିବାରୁ ଜୋରଜବରଦସ୍ତ ଘରଡିହ ନେବାକୁ ଉଦ୍ୟମ କରିଥିବା ସାହୁକାର ରାତି ଅଧରେ ଅତି ନିର୍ମମ ଭାବେ ବୋହୂ ଏବଂ ଶ୍ୱଶୁରଙ୍କୁ ଆକ୍ରମଣ କରିଛନ୍ତି।

ପଦ୍ମକେଶରୀପୁର ଗାଁର ଅଧିକାଂଶ ଲୋକ ମିଟୁ ଦାସଙ୍କ ପରିବାର ଠାରୁ ଶହେରେ ୨୦ ଟଙ୍କା ସୁଧରେ କରଜ ନେଇଛନ୍ତି, ଶୁଝିନପାରି ଏବଂ ଜୁଲମ ସହିନପାରି ଘରଡିହ ଦେବାକୁ ବାଧ୍ୟ ହୋଇଛନ୍ତି। ଆଉ ସେହି ଘରଡ଼ିହ ଉପରେ ଏଭଳି କୋଠା ଉପରେ କୋଠା ବାଡ଼େଇ ଚାଲିଛି କରଜଦାତା। ଏପଟେ ସୁଧ ଗଣି ଗଣି ଲୋକଙ୍କ ସ୍ଥିତି ଏଭଳି ହେଲାଣି, ରୋଜଗାର ସତ୍ତ୍ୱେ ଭଲକରି ଦି‘ମୁଠା ଖାଇପାରୁନାହାଁନ୍ତି।

କରଜର ଏଭଳି କଷ୍ଟଦାୟକ କାହାଣୀ ଅନେକ ରହିଛି ପଦ୍ମକେଶରୀପୁର ଗାଁରେ। ମହାଜନୀ କାରବାରକୁ ନେଇ ସଂଘର୍ଷର ସୂତ୍ରପାତ ଘଟିଥିଲା ୨୦୨୩ ପହିଲାରେ। କ୍ରମେ ଉଗ୍ରରୂପ ନେଇ ସେହିବର୍ଷ ଅକଟୋବରରେ ବୋମା ମାଡ଼ ସହ ବୋତଲ ମାଡ଼ ହୋଇଥିଲା ୨ ଗୋଷ୍ଠୀ ମଧ୍ୟରେ। ଆହତ ହୋଇଥିଲେ ୧୫ରୁ ଅଧିକ। ଆଉ ଗିରଫଦାରୀ ପରେ ଗାଁ ସମ୍ପୂର୍ଣ୍ଣ ଜନଶୂନ୍ୟ ବି ହୋଇଯାଇଥିଲା। ଏଥିପାଇଁ ଶାନ୍ତି କମିଟି ପ୍ରତିଷ୍ଠା ହେବା ସହ ଗିରଫ ଅଭିଯୁକ୍ତମାନେ ଧିରେ ଧିରେ ଜେଲରୁ ଫେରିଆସିଲେ। କିନ୍ତୁ ଶାନ୍ତି ଫେରିପାରିଲା ନାହିଁ।

ଏବେ ପୁଣି ଘଟଣାର ପୁନରାବୃତ୍ତି ହୋଇଛି। ଗିରଫଦାରୀ ଭୟରେ ପୁଣି କିଛି ବ୍ୟକ୍ତିଙ୍କ ଘରେ ତାଲା ଝୁଲୁଛି। ଗାଁରେ ମୁତୟନ କରାଯାଇଛି ଏକ ପ୍ଲାଟୁନ ଫୋର୍ସ। ଅପରପକ୍ଷେ ଅଭିଯୁକ୍ତ ବାବୁଲା ଓ ମିଟୁ ଦାସଙ୍କ ବାପା ମହାଜନୀ କାରବାରକୁ ସ୍ୱୀକାର କରିଥିଲେ ବି ଜୋର୍ ଜୁଲମ୍ କଥାକୁ ଖଣ୍ଡନ କରିଛନ୍ତି।

ଗାଁରେ ଉପୁଜିଥିବା ଏହି ବିବାଦ ପ୍ରସଙ୍ଗରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାଂସଦ ଅପରାଜିତା ଷଡ଼ଙ୍ଗୀ ଚିଠି ବି କରିଛନ୍ତି। ଅଥଚ ନା ବିବାଦର ସମାଧାନ ହେଉଛି ନା ସମାଧାନ ପାଇଁ ବାଟ ଫିଟୁଛି। ଫଳରେ ରାଜ୍ୟ ସରକାରଙ୍କ ଦାୟିତ୍ୱକୁ ନେଇ ପ୍ରଶ୍ନ ଉଠୁଛି।