ଗାଦି ଲୋଭ ଆଗରେ ବଳି ପଡ଼ିଥିଲା ରକ୍ତ ସମ୍ପର୍କ । ଭାବପ୍ରବଣତା ଭୁଲି ଦମନଲୀଳା ଚଳାଉଥିଲେ କ୍ରୁର ଶାସକ ଔରଙ୍ଗଜେବ । ତାଙ୍କ ଶାସନ କାଳରେ ଅତିଷ୍ଠ ହୋଇପଡ଼ିଥିଲା ଭାରତ ଭୂଖଣ୍ଡ, ତ୍ରାହି ତ୍ରାହି ଡାକୁଥିଲେ ହିନ୍ଦୁ ଧର୍ମାବଲମ୍ବୀ । ସମଗ୍ର ଭାରତୀୟ ହିନ୍ଦୁ ସମାଜରୁ ହିନ୍ଦୁତ୍ୱର ଅଧିକାର ଛଡ଼ାଇ ନିଆଯାଇଥିଲା । କେବଳ ଏତିକି ନୁହେଁ ନାରୀଲୋଭି ଯବନ ମାନଙ୍କ ଲୋଲୁପ ଦୃଷ୍ଟିରୁ ହିନ୍ଦୁ ମା’ଭଉଣୀମାନେ ବଞ୍ଚିପାରୁନଥିଲେ । ତାଙ୍କୁ କ୍ରୁର ଓ ଅତ୍ୟାଚାରୀ ଶାସକଙ୍କ ମଧ୍ୟରେ ଜଣେ ବୋଲି ଗଣନା କରାଯାଏ । ତଥାପି ଆକବରଙ୍କ ପରେ ଔରଙ୍ଗଜେବଙ୍କୁ ମୋଗଲ ସାମ୍ରାଜ୍ୟର ସବୁଠୁ ଶକ୍ତିଶାଳୀ ସମ୍ରାଟ କୁହାଯାଏ ।
୧୬୫୮ରୁ ୧୭୦୭ ମସିହା ଦୀର୍ଘ ୫୦ ବର୍ଷ ଧରି ସେ ଶାସନ କରିଥିଲେ। ଆକବରଙ୍କ ପରେ ଔରଙ୍ଗଜେବ ହିଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମୋଗଲ ସିଂହାସନ ଅଳଙ୍କୃତ କରିଥିଲେ । ଔରଙ୍ଗଜେବ ନିଜର ପରିଶ୍ରମ ବଳରେ ମୋଗଲ ସାମ୍ରାଜ୍ୟ ବିସ୍ତାର କରିଥିଲେ । ଅନେକ ବିଶୃଙ୍ଖଳା ମଧ୍ୟରେ ୩୧ ଜୁଲାଇ ୧୬୫୮ ରେ ସେ ସିଂହାସନ ଅକ୍ତିଆର କରିଥିଲେ। ଦିଲ୍ଲୀରେ ପ୍ରବେଶ କରିବା ପୂର୍ବରୁ ସେ ଖଜୁଆ ଏବଂ ଅଜମେର ଜୟ କରିସାରିଥିଲେ । ୧୫ ମଇ ୧୬୫୯ ରେ ତାଙ୍କର ଏକ ବିରାଟ ଶୋଭାଯାତ୍ରା ଦିଲ୍ଲୀରେ ପହଞ୍ଚିଥିଲା । ସେହି ଦିନ ସେ ଦିଲ୍ଲୀର ସିଂହାସନ ଆରୋହଣ କରିଥିଲେ।
ନିଜ ବାପାଙ୍କୁ କାରାଗାରକୁ ପଠାଇ ଓ ବଡ଼ ଭାଇଙ୍କୁ ହତ୍ୟା କରି ସେ ସିଂହାସନ ଅକ୍ତିଆର କରିଥିଲେ । ବନ୍ଦୀ ଅବସ୍ଥାରେ ପିତା ଶାହାଜାହାନଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ ଶରୀରକୁ ନପୁଂସକ ଓ ସେବକମାନେ କବର ଦେଇଥିଲେ । ସେ ତାଙ୍କର ଦୁଇ ପୁଅଙ୍କୁ ମଧ୍ୟ ଜେଲର କାଳ କୋଠରୀରେ ବନ୍ଦୀ କରି ରଖିଥିଲେ, ସେମାନଙ୍କ ମଧ୍ୟରୁ ଜଣଙ୍କର ଜେଲରେ ହିଁ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କ ଆଠ ବର୍ଷ କାଳ ଜେଲରେ ସଜା କାଟିଥିଲେ । କେବଳ ଏତିକି ନୁହେଁ ତାଙ୍କ ଝିଅ ଜେବୁନିସା ମଧ୍ୟ ଜେଲରେ ପ୍ରାଣ ହରାଇଥିଲେ ।
Also Read
ମୋଗଲ ସମ୍ରାଟ ଆକବର ଜଣେ ଧର୍ମନିରପେକ୍ଷ ସମ୍ରାଟ ଓ ଜାହାଙ୍ଗୀର କଳା ଓ ସ୍ଥାପତ୍ୟ ପ୍ରତି ରୁଚି ରଖୁଥିବା ଶାସକଭାବେ ପରିଚିତ ଥିଲେ । ଔରଙ୍ଗଜେବ କିନ୍ତୁ ଜଣେ ଧର୍ମନିଷ୍ଠ ମୁସଲମାନ ଓ ନିଷ୍ଠୁର ଶାସକଭାବେ ପରିଚିତ ଥିଲେ। ଔରଙ୍ଗଜେବଙ୍କ ନଜରରେ ଆକବରଙ୍କ ଶାସନ ବ୍ୟବସ୍ଥାରେ ରାଜଧର୍ମ ଭାବରେ ଇସଲାମକୁ ତ୍ୟାଗ କରିବା ସବୁଠାରୁ ବଡ଼ ଭୁଲ ଥିଲା । ତାଙ୍କ ଶାସନର ପ୍ରାରମ୍ଭିକ ନିଷ୍ପତ୍ତି ଥିଲା ଇସଲାମକୁ ରାଜଧର୍ମ ବୋଲି ଘୋଷଣା କରିବା। ସେ କଠୋର ଶରିୟା ଆଇନ ପ୍ରଚଳନ କରିବା ସହ ଅଣମୁସଲମାନମାନଙ୍କ ଉପରେ ଜଜିୟା କର ପୁନଃ ପ୍ରଚଳନ କରିଥିଲେ । ଏହା ବ୍ୟତୀତ ଭାରତକୁ ଏକ ମୁସଲମାନ ଦେଶରେ ପରିଣତ କରିବା ତାଙ୍କ ଜୀବନର ଲକ୍ଷ୍ୟ ଥିଲା।
ସେ ସମ୍ରାଟ ଆକବରଙ୍କ ଯୁଗର ସମସ୍ତ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ, ଯାହାକି ଜାହାଙ୍ଗୀର ଏବଂ ଶାହାଜାହାନଙ୍କ ଯୁଗରେ ମଧ୍ୟ ଜାରି ରହିଥିଲା । କେବଳ ଇସଲାମ ପ୍ରଚାର କରୁଥିବା ଓ ହିନ୍ଦୁରୁ ମୁସଲମାନ ହୋଇଥିବା ଲୋକଙ୍କ ପାଇଁ ଅନେକ ସୁବିଧା କରିଥିଲେ । ହେଲେ ନିଜ ଧର୍ମ ଛାଡ଼ି ନଥିବା ଲୋକଙ୍କୁ ହଇରାଣ କରିବା ସହ ଅନେକ ଦଣ୍ଡ ଦେଉଥିଲେ ।
ହିନ୍ଦୁଙ୍କ ଉପରେ ଜିଜିଆ ଟାକ୍ସ ଲଗାଇଥିଲେ
୧୨ ଏପ୍ରିଲ ୧୬୭୯ ରେ ହିନ୍ଦୁମାନଙ୍କ ଉପରେ ପୁନର୍ବାର ଜିଜିଆ ଟ୍ୟାକ୍ସ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଔରଙ୍ଗଜେନ। ଶହେ ବର୍ଷ ପୂର୍ବରୁ ଆକବର ଏହି ଟିକସ ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ । ଅନେକ ହିନ୍ଦୁ ଯେଉଁମାନେ ଟିକସ ଦେବାରେ ଅସମର୍ଥ ଥିଲେ ଏବଂ ଟିକସ ସଂଗ୍ରହକାରୀଙ୍କ ଦ୍ୱାରା ଅପମାନିତ ହେବାକୁ ଚାହୁଁ ନଥିଲେ, ସେମାନେ ଇସଲାମ ଗ୍ରହଣ କରିବା ଭଲ ବୋଲି ବିବେଚନା କରିଥିଲେ । ସେ ଅନେକ ହିନ୍ଦୁ ମନ୍ଦିର , ବିଦ୍ୟାଳୟ ଏବଂ ପବିତ୍ର ସ୍ଥାନ ନଷ୍ଟ କରିବାକୁ ଆଦେଶ ଦେଇଥିଲେ। ତାଙ୍କ ସମୟରେ କାଶୀ ବିଶ୍ୱନାଥ ମନ୍ଦିର, ମଥୁରାର କୃଷ୍ଣ ଜନ୍ମଭୂମି ଏବଂ ପାଟନର ସୋମନାଥ ମନ୍ଦିର ଭାଙ୍ଗି ଦିଆଯାଇଥିଲା ।
୧୯୮୮ ମସିହାରେ ରାଜପୁତଙ୍କ ବ୍ୟତୀତ ଅନ୍ୟମାନଙ୍କ ପାଇଁ ପାଲିଙ୍କି, ହାତୀ ଏବଂ ଘୋଡା ଚଢ଼ିବା ଉପରେ ବାରଣ କରାଯାଇଥିଲା । ଏପରିକି ଅସ୍ତ୍ରଶସ୍ତ୍ର ରଖିବାକୁ ଅପରାଧ ବୋଲି ଘୋଷଣା କରିଥିଲେ। ଔରଙ୍ଗଜେବ ନିଜ ରାଜ୍ୟରେ ହିନ୍ଦୁ ମାନଙ୍କ ପାଇଁ କଠିନରୁ କଠିନ ନିୟମ ତିଆରି କରିଥିଲେ । ନିୟମ ଅନୁସାରେ ହିନ୍ଦୁ ପର୍ବପର୍ବାଣି ଉପରେ ପ୍ରତିବନ୍ଧକ ଲାଗୁଥିଲା । ସେ ହିନ୍ଦୁ ଓ ଶିଖ ଧର୍ମାବଲମ୍ବୀ ଲୋକଙ୍କୁ ଧର୍ମାନ୍ତରୀକରଣ ପାଇଁ ପୁରା ଜୋର ଲଗାଇ ଦେଇଥିଲେ । ଜୈନ ଧର୍ମ ଗୁରୁ ଜିନ ପ୍ରସାଦଙ୍କୁ ହତ୍ୟା କରିଥିଲେ ଔରଙ୍ଗଜେବ ।
ଶିଖଙ୍କର ସାମରିକ ରୂପାନ୍ତର ପାଇଁ ଦାୟୀ
ଔରଙ୍ଗଜେବଙ୍କ ଧାର୍ମିକ ନିର୍ଯ୍ୟାତନା ନୀତି ଶିଖ, ରାଜପୁତ ଏବଂ ମରାଠାଙ୍କ କ୍ରୋଧକୁ ଅଧିକ ଜାଗ୍ରତ କରିଥିଲା । ପୂର୍ବତନ ମୋଗଲ ସମ୍ରାଟଙ୍କ ଠାରୁ ଭିନ୍ନ ସେ ରାଜପୁତଙ୍କୁ ଘୃଣା କରୁଥିଲେ। ସେ ଶିଖଙ୍କ ଗୁରୁଦ୍ୱାରଙ୍କୁ ଧ୍ୱଂସ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗୁରୁ ତେଗ ବାହାଦୂର ଏହାକୁ ବିରୋଧ କରିଥିଲେ। ଫଳସ୍ୱରୂପ ତାଙ୍କୁ ବନ୍ଦୀ କରି ଦିଲ୍ଲୀ ଅଣାଯାଇଥିଲା। ଇସଲାମ ଗ୍ରହଣ କରିବାକୁ ତାଙ୍କ ଉପରେ ଚାପ ରହିଥିଲା। ଲଗାତାର ପାଞ୍ଚ ଦିନ ଅମାନୁଷିକ ନିର୍ଯ୍ୟାତନା ଦେଇ ତାଙ୍କ ସଂକଳ୍ପ ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା। ତଥାପି ସେ ମୋଗଲ ଶାସନ ଆଗରେ ନଇଁ ଯାଇନଥିଲେ । ଏହା ପରେ ତାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାପରେ ଗୁରୁ ଗୋବିନ୍ଦ ସିଂ ପ୍ରତିଶୋଧ ନେବାକୁ ଶପଥ ନେଇଥିଲେ । ଏହା ଶିଖମାନଙ୍କୁ ଖାଲସା ଏବଂ ଯୋଦ୍ଧା ହେବାକୁ ପ୍ରେରଣା ଦେଲା । ଏହା ଏକ ପ୍ରକାରେ ଶିଖମାନଙ୍କର ସାମରିକ ରୂପାନ୍ତର ଥିଲା । ଖାଲସାଙ୍କୁ କେଶ, କୃପାଣ, କଚ୍ଛ, କଡ଼ା ଆଦି ଧାରଣ କରିବା ଅନିବାର୍ଯ୍ୟ ଥିଲା । ମୋଗଲ ସାମ୍ରାଜ୍ୟ ପତନରେ ଶିଖମାନଙ୍କ ସଂଗ୍ରାମ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା।
ଶିଆ, ଅହମ୍ମଦୀ ଓ ଦାଉଦି ମଧ୍ୟ ଅତ୍ୟାଚାରର ଶିକାର ହେଉଥିଲେ
ଅକ୍ଟୋବର ୧୪ ତାରିଖ ୧୬୧୮ରେ ଔରଙ୍ଗଜେବ ଗୁଜୁରାଟ ଦାହୋଦରେ ଜନ୍ମ ନେଇଥିଲେ। ସେ ମୁମତାଜ ଓ ସାହାଜାହାନଙ୍କ ପୁତ୍ର ଥିଲେ, ତାଙ୍କର ୪ଟି ପତ୍ନୀ ଥିଲେ । ବ୍ୟକ୍ତିଗତ ଜୀବନରେ ଔରଙ୍ଗଜେବ ପରିଶ୍ରମୀ ହୋଇଥିବା ବେଳେ ସରଳତାକୁ ପସନ୍ଦ କରୁଥିଲେ । ସେ କୋରାନର ନିୟମକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । କିନ୍ତୁ ଜଣେ ଶାସକ ଭାବରେ ସତ୍ତାକୁ ହାତ ମୁଠାରେ ରଖିବାକୁ ପ୍ରୟାସ କରିଥିଲେ,ଯାହା ଶାସନ ବ୍ୟବସ୍ଥାକୁ ଦୁର୍ବଳ କରିଦେଇଥିଲା । କେବଳ ନିଜର ଧାର୍ମିକ ବିଶ୍ୱାସକୁ ଠିକ ଓ ଅନ୍ୟମାନଙ୍କୁ ଭୁଲ କହୁଥିଲେ, ତାଙ୍କର ଚିନ୍ତାଧାରା ଅତ୍ୟନ୍ତ ସଂକୀର୍ଣ୍ଣ ଥିଲା । ସେ ଥିଲେ ମୋଗଲ ସାମ୍ରାଜ୍ୟର ଷଷ୍ଠତମ ସମ୍ରାଟ । ଆକବରଙ୍କ ପରେ ଔରଙ୍ଗଜେବଙ୍କୁ ମୋଗଲ ସାମ୍ରାଜ୍ୟର ସବୁଠୁ ଶକ୍ତିଶାଳୀ ସମ୍ରାଟଭାବେ ଗଣନା କରାଯାଏ ।
ତାଙ୍କ ଶାସନକାଳରେ ହିଁ ମୋଗଲ ସାମ୍ରାଜ୍ୟର ସବୁଠାରୁ ଅଧିକ ବିସ୍ତାର ଘଟିଥିଲା। ତା’ସହ ସେ ଅନେକ ବଡ଼ ବଡ଼ ପରିବର୍ତ୍ତନ ବି ଆଣିଥିଲେ। କିନ୍ତୁ ସେ ଜଣେ ଭଲ ଶାସକ ଭାବରେ ବିବେଚିତ ହେଉନଥିଲେ, କାରଣ ଧର୍ମ ଆଧାରରେ ପ୍ରଜାଙ୍କ ମଧ୍ୟରେ ଭେଦଭାବ କରୁଥିଲେ ।
ସେ ଶିଆ, ଅହମ୍ମଦୀ ଏବଂ ଦାଉଦି ବୋହରଙ୍କୁ ମଧ୍ୟ ନିର୍ଯ୍ୟାତନା ଦେଉଥିଲେ। ତାଙ୍କ ଆଖିରେ କେବଳ ସୁନ୍ନିମାନେ ଇସଲାମରେ ଠିକ୍ ଥିଲେ। ଦକ୍ଷିଣରେ ଲଗାତାର ୨୬ ବର୍ଷ ଧରି ଯୁଦ୍ଧରେ ବ୍ୟସ୍ତ ରହିବାକୁ ତାଙ୍କ ଶାସନ ମଧ୍ୟ ବିପର୍ଯ୍ୟସ୍ତ ହୋଇରହିଲା।
ସଙ୍କୀର୍ଣ୍ଣ ଚିନ୍ତାଧାରା ପତନର କାରଣ ଥିଲା
ଔରଙ୍ଗଜେବଙ୍କ ପିତା ସାହାଜାହାନ ୧୬୫୬ରେ ଖୁବ ରୋଗଗ୍ରସ୍ତ ହୋଇପଡ଼ିଥିଲେ । ଆଉ ସେହି ସମୟରେ ମୋଗଲ ସାମ୍ରାଜ୍ୟ ପାଇଁ ଔରଙ୍ଗଜେବ ତାଙ୍କ ଭାଇ ମାନଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା । ସେମାନଙ୍କ ମଧ୍ୟରୁ ଔରଙ୍ଗଜେବ ସବୁଠାରୁ ଶକ୍ତିଶାଳୀ ଥିଲେ । ତା’ପରେ ସେ ନିଜ ପିତାଙ୍କୁ ବନ୍ଦୀ କରିନେଲେ । ବଡ଼ ଭାଇକୁ ହତ୍ୟା କରି ତାଙ୍କର କଟା ମୁଣ୍ଡକୁ ସାରା ଦିଲ୍ଲୀରେ ପ୍ରଦର୍ଶନ କରିଥିଲେ । ଏହା ପଛର କାରଣ ଥିଲା ଲୋକ ମାନଙ୍କ ମଧ୍ୟରେ ଭୟ ଜାଗ୍ରତ କରିବା । ସେହିପରି ସବୁଠୁ ସାନ ଭାଇକୁ ବନ୍ଦୀ କରିଥିଲେ ଓ ନିଶା ଦେଇ ଦେଇ ପାଗଳ କରିଦେଇଥିଲେ । ଔରଙ୍ଗଜେବଙ୍କ ଦୁଇ ପୁଅ ମଧ୍ୟ ତାଙ୍କ ଅତ୍ୟାଚାରରୁ ବର୍ତ୍ତି ପାରିନଥିଲେ । ଦୁଇ ପୁଅଙ୍କୁ ମଧ୍ୟ ଜେଲରେ ରଖିଥିଲେ, ସେମାନଙ୍କ ମଧ୍ୟରୁ ଜେଲରେ ଜଣଙ୍କର ମୃତ୍ୟୁ ହୋଇଥିଲା ।
ସିଂହାସନକୁ ସୁରକ୍ଷା ଦେବା ପାଇଁ ସେ ସର୍ବଦା ସଚେତନ ଥିଲେ ଏବଂ ସମ୍ପର୍କ ବିଷୟରେ କେବେ ଭାବପ୍ରବଣ ନଥିଲେ । ଆଧୁନିକ ଐତିହାସିକମାନଙ୍କର ଏକ ଗୋଷ୍ଠୀ ଔରଙ୍ଗଜେବଙ୍କୁ ଜଣେ ଦକ୍ଷ ଶାସକ ଭାବରେ ପ୍ରମାଣ କରିବାକୁ ଚେଷ୍ଟା କରିଛନ୍ତି । ତାଙ୍କୁ ଧର୍ମାନ୍ଧ ମାନିବା ପାଇଁ ମଧ୍ୟ ମନା କରିଦେଇଛନ୍ତି । ଏହାର ସମର୍ଥନରେ ଦିଆଯାଇଥିବା ଏକମାତ୍ର ଯୁକ୍ତି ହେଉଛି ଯୁଦ୍ଧ ସମୟରେ ମନ୍ଦିର ଉପରେ ଆକ୍ରମଣ ଏବଂ କିଛି ମନ୍ଦିରକୁ ଆର୍ଥିକ ସହାୟତା ପ୍ରଦାନ । ହେଲେ ସମସାମୟିକ କିଛି ଐତିହାସିକ ଏହାର ବିରୋଧ ମଧ୍ୟ କରିଛନ୍ତି ।
ବାସ୍ତବରେ ଔରଙ୍ଗଜେବ ଜଣେ କ୍ରୁର ମୋଗଲ ଶାସକ ଭାବରେ ଇତିହାସର ପୃଷ୍ଠା ମଣ୍ଡନ କରନ୍ତି, ଯିଏ ସିଂହାସନରେ ବସିବା ଦିନଠାରୁ ପାରିବାରିକ ସମ୍ପର୍କ ପ୍ରତି ଧ୍ୟାନ ଦେଇନଥିଲେ । ତାଙ୍କର ସଂକୀର୍ଣ୍ଣ ମାନସିକତା ହେତୁ ସେ ଲୋକମାନଙ୍କ ପ୍ରତି ଭେଦଭାବ କରୁଥିଲେ । ଧର୍ମ ପରିବର୍ତ୍ତନ ପାଇଁ ପ୍ରଜାଙ୍କ ଉପରେ ଚାପ ଦେବା ସହ ରାଜଶକ୍ତିର ଅପବ୍ୟବହାର କରୁଥିଲେ । ତାଙ୍କର ଜିଦ୍ ଏବଂ ସଂକୀର୍ଣ୍ଣ ଚିନ୍ତାଧାରା ମୋଗଲମାନଙ୍କ ପତନର କାରଣ ସାଜିଥିଲା ।