Advertisment

ଭାରତର ‘ଦେଶୀ ଜିପିଏସ୍', ମିଳିବ ସଠିକ୍ ନାଭିଗେସନ୍ ସେବା

୭ଟି କୃତ୍ରିମ ଉପଗ୍ରହ ବା ସାଟେଲାଇଟର ପ୍ରଣାଳୀ ହେଉଛି ନାଭିକ୍ ।

ଅଦ୍ୟତନ ହୋଇଛି
new navigation satellite

new navigation satellite

Advertisment

ମୋବାଇଲ ଫୋନରେ ଜିପିଏସ୍ କେତେ ଜରୁରୀ କିଏ ବା ନଜାଣେ। କୌଣସି ଠିକଣା ଜାଣିବା ପାଇଁ ହେଉ, ଅବା ରାସ୍ତା କି ଦିଗ । କ୍ୟାବ୍ ସର୍ଭିସ୍ ହେଉ କି ଫୁଡ୍ ଡେଲିଭରି .. . ସବୁଥିରେ ଜିପିଏସର ଆବଶ୍ୟକତା ରହିଥାଏ । କେବଳ ଏତିକି ନୁହେଁ ପ୍ରତିରକ୍ଷା ଓ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବି ରହିଛି ଜିପିଏସ୍ ସର୍ଭିସର ଉପଯୋଗିତା । ତେବେ ଜିପିଏସ୍ ଆମକୁ ଆମେରିକା ଯୋଗାଉଥିବା ବେଳେ, ଆଗକୁ ଭାରତରେ ମିଳିବ ଦେଶୀ ଜିପିଏସ୍ । ସେଥିପାଇଁ ନାଭିକ୍ ମିଶନ ଅଧୀନରେ ଦ୍ୱିତୀୟ ପିଢ଼ିର ପ୍ରଥମ ସାଟେଲାଇଟ୍ ଛାଡ଼ିଛି ଇସ୍ରୋ ।...

Advertisment

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରର ଦ୍ୱିତୀୟ ଲଞ୍ଚ ପ୍ୟାଡରୁ ଗତକାଲି ଦିନ ୧୦ଟା ୪୨ରେ ଉତକ୍ଷେପଣ ହୋଇଛି ୫୧.୭ ମିଟର ଉଚ୍ଚ, ୪୨୦ ଟନ୍ ଓଜନର ରକେଟ୍ GSLV F-12 । ପୃଥିବୀ ପୃଷ୍ଠରୁ ଭୀମ ଗର୍ଜନ କରି ଆକାଶ ଅଭିମୁଖେ ଗତି କରିଛି ରକେଟ୍ । ଏହାର ଠିକ୍ ୧୯ ମିନିଟ ପରେ ୨୫୧ କିଲୋମିଟର ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ସଫଳତାର ସ୍ଥାପିତ ହୋଇଛି ସେକେଣ୍ଡ୍ ଜେନେରସନ୍ ବା ଦ୍ୱିତୀୟ ପିଢ଼ିର ପ୍ରଥମ ନାଭିଗେସନ୍ ସାଟେଲାଇଟ୍- NVS-01 । ଆଉ ଏହା ପରେ ଗ୍ରାଉଣ୍ଡ୍ ଷ୍ଟେସନରେ ଇସ୍ରୋ ବୈଜ୍ଞାନିକଙ୍କ ମଧ୍ୟରେ ଖୁସିର ଲହରି । ୨ହଜାର ୨୩୨ କିଲୋଗ୍ରାମ ଓଜନର ଏହି ସାଟେଲାଇଟ୍ ନାଭିକ୍ ସିରିଜର ପ୍ରଥମ ସାଟେଲାଇଟ ହୋଇଥିବା ବେଳେ, ଆଗକୁ ଆହୁରି ୪ଟି ସାଟେଲାଇଟ୍ ଛଡ଼ାଯିବାର ଯୋଜନା ରଖିଛି ଇସ୍ରୋ।...

NVS-01 ସାଟେଲାଇଟରେ L1, L5 ଓ S ବ୍ୟାଣ୍ଡ୍ ନାଭିଗେସନ୍ ପେ-ଲୋଡ୍ ରହିଛି । ଏହି ଦ୍ୱିତୀୟ ପିଢ଼ି କୃତ୍ରିମ ଉପଗ୍ରହରେ ପ୍ରଥମ ଥର ପାଇଁ ଏଥିରେ ସ୍ୱଦେଶୀ ରୁବିଡିୟମ ଆଟୋମିକ୍ କ୍ଲକ୍ ବା ପରମାଣୁ ଘଡ଼ି ବ୍ୟବହୃତ ହୋଇଛି । ଏହାକୁ ଅହମ୍ମଦାବାଦ ସ୍ଥିତ ସ୍ପେଶ୍ ଆପ୍ଲିକେସନ ସେଣ୍ଟରରେ ତିଆରି କରାଯାଇଛି । ପୂର୍ବରୁ ଏହାକୁ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଥିଲା । ଏଥିରେ ୨ଟି ସୋଲାର ପ୍ୟାନେଲ୍ ରହିଛି, ଯେଉଁଥିରୁ ୨.୪ କିଲୋୱାଟ୍ ଶକ୍ତି ଉତ୍ପନ୍ନ ହୋଇପାରିବ । ଏଥିସହ ସୂର୍ଯ୍ୟପରାଗ ବେଳେ ସାଟେଲାଇଟକୁ କାର୍ଯ୍ୟକ୍ଷମ ରଖିବା ପାଇଁ ଲିଥିୟମ-ଆୟନ ବ୍ୟାଟେରି ଲାଗିଛି । ପ୍ରଥମ ପିଢ଼ି ସାଟେଲାଇଟର ମିଶନ୍ ଲାଇଫ୍ ବା ଆୟୁଷ ୧୦ ବର୍ଷ ଥିବା ବେଳେ, ଏହି ସାଟେଲାଇଟର ଆୟୁଷ ୧୨ ବର୍ଷ ବୋଲି ଆଶା କରାଯାଉଛି ।...

Advertisment

ନାଭିଗେସନ୍ ୱିଥ୍ ଇଣ୍ଡିଆନ୍ କନଷ୍ଟେଲେସନ୍ ବା ନାଭିକ୍, ପୂର୍ବରୁ ଭାରତୀୟ ନାଭିଗେସନ ସାଟେଲାଇଟ ଗୁଡ଼ିକୁ ଇଣ୍ଡିଆନ୍ ରିଜନାଲ୍ ନାଭିଗେସନ ସାଟେଲାଇଟ ସିଷ୍ଟମ୍ ବା IRNSS ବୋଲି କୁହାଯାଉଥିଲା । ହେଲେ ନାଭିକ୍ ସିଷ୍ଟମରେ ସାମିଲ ହୋଇଛି ଅନେକ ଅତ୍ୟାଧୁନିକ ଜ୍ଞାନ କୌଶଳ । ଏହା କୌଣସି ଗୋଟିଏ ଉପଗ୍ରହ ନୁହେଁ । ୭ଟି କୃତ୍ରିମ ଉପଗ୍ରହ ବା ସାଟେଲାଇଟର ପ୍ରଣାଳୀ ହେଉଛି ନାଭିକ୍ ।

ଏହା ପୃଥିବୀପୃଷ୍ଠରେ ଥିବା ଗ୍ରାଉଣ୍ଡ ଷ୍ଟେସନ ଗୁଡ଼ିକ ସହିତ ୨୪ ଘଣ୍ଟା ନିରନ୍ତର ସଂପର୍କରେ ରହିବ । ନାଭିକ୍ ଭାରତ ଉପରେ ଏବଂ ଭାରତୀୟ ଭୂଖଣ୍ଡ ଚାରିପଟେ ୧୫ଶହ କିଲୋମିଟର ପରିଧିରେ ନିର୍ଭୁଲ ରିଅଲ୍-ଟାଇମ୍ ପଜିସନିଂ ଓ ଟାଇମିଂ ସର୍ଭିସ୍ ପ୍ରଦାନ କରିବ। ମିଳିବ ୨୦ ମିଟରର ପଜିସନ୍ ଆକୁରେସି ଓ ୫୦ ନାନୋ ସେକେଣ୍ଡର ଟାଇମିଂ ଆକୁରେସି । ସ୍ଥଳପଥ, ଜଳପଥ ଓ ଆକାଶପଥରେ ଗମନାଗମନ ସୁବିଧା ପାଇଁ ଏହାର ପ୍ରମୁଖ ଉପଯୋଗ ହେବ। ବିମାନ ଚଳାଚଳ ସହିତ ପ୍ରତିରକ୍ଷା କ୍ଷେତ୍ରରେ ମଧ୍ୟ ଏହାର ଯଥେଷ୍ଟ ଭୂମିକା ରହିଛି ।

Advertisment

ଏସବୁ ବ୍ୟତୀତ କୃଷି, ଭୂମି ସର୍ବେକ୍ଷଣ, ଜରୁରୀକାଳୀନ ସେବା, ଗାଡ଼ି ଚଳାଚଳ ପରିଚାଳନା, ମୋବାଇଲ ଫୋନରେ ଲୋକେସନ୍ ଭିତ୍ତିକ ସେବା, ସାଟେଲାଇଟ୍ କକ୍ଷପଥ ନିରୂପଣ, ସାମୁଦ୍ରିକ ମାଛଧରା, ଅର୍ଥନୈତିକ ପ୍ରତିଷ୍ଠାନ ପାଇଁ ସମୟ ସଂପର୍କିତ ସେବା, ବିଦ୍ୟୁତ ଗ୍ରୀଡ୍, ଅନ୍ୟ ସରକାର ସଂସ୍ଥା, ଆଇଓଟି ଭିତ୍ତିକ ଆପ୍ଲିକେସନ ଓ ଷ୍ଟ୍ରାଟେଜିକ ଆପ୍ଲିକେସନ ଆଦି କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ ।...

ନାଭିକ୍ ସିଷ୍ଟମରେ ପୂର୍ବରୁ ଛଡ଼ାଯାଇଥିବା ପ୍ରଥମ ପିଢ଼ିର ୭ଟି ସାଟେଲାଇଟରୁ ୩ଟି ଅଚଳ ହୋଇସାରିଛି। ତେଣୁ ସେଗୁଡ଼ିକୁ ବଦଳାଇବା ପରିବର୍ତ୍ତେ ୫ଟି ନୂଆ ଦ୍ୱିତୀୟ ପିଢ଼ିର ସାଟେଲାଇଟ କାର୍ଯ୍ୟକାରୀ କରିବାକୁ ଯୋଜନା କରିଛି ଇସ୍ରୋ । ଆଗାମୀ ଦିନରେ ଏହା ଜିପିଏସର ସ୍ୱଦେଶୀ ବିକଳ୍ପ ଭାବେ କାର୍ଯ୍ୟ କରିବ ଏବଂ ଆମେରିକା ଉପରୁ ଆମର ନିର୍ଭରଶୀଳତା ହ୍ରାସ କରିବ।

ଜିପିଏସ୍ ବା ଗ୍ଲୋବାଲ୍ ପଜିସନିଂ ସିଷ୍ଟମ୍ ପ୍ରାୟ ୭୦ ପ୍ରତିଶତ ସଠିକ୍ ହୋଇଥିବା ବେଳେ, ଭାରତର ରିଜନାଲ୍ ନେଭିଗେସନ ସିଷ୍ଟମ୍ ୯୦ରୁ ୯୫ ପ୍ରତିଶତ ସଠିକ୍ ବୋଲି ଦାବି କରାଯାଉଛି।.

ISRO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ