Odisha Politics: ଶୀତ ନ ସରୁଣୁ ଶୁଖିଲା ନଦୀଶଯ୍ୟା ବଢ଼ାଇଲାଣି ଚିନ୍ତା

ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠନ ହୋଇଥିବା ଟ୍ରିବ୍ୟୁନାଲକୁ ଇତି ମଧ୍ୟରେ ୭ ବର୍ଷ ବିତିଗଲାଣି; ଫଇସଲା ତେଣିକି ଥାଉ, ଆଖିଦୃଶିଆ ଅଗ୍ରଗତି ପରିଲକ୍ଷିତ ହେଉ ନାହିଁ । ଏପଟେ ଶୀତ ନସରୁଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଲାଣି ଜଳସଙ୍କଟ । ଆଗକୁ କ’ଣ ହେବ ତାକୁ ନେଇ ଲୋକେ ଚିନ୍ତାରେ ।

ଶୀତରେ ବି ଶୁଖିଲା ପଡ଼ିଛି ନଦୀଶଯ୍ୟା

ଓଡିଶାର ନଦ ନଦୀ ଆଦି ଜଳ ଉତ୍ସଗୁଡିକ ପ୍ରାୟତଃ ଶୁଖିଲା ପଡ଼ିଛି । ସେପଟେ ସୀମାବର୍ତ୍ତୀ ନଦୀଗୁଡିକ ବିବାଦ ଘେରରେ ରହିଛି । ମହାନଦୀ ଜଳ ବିବାଦର ସମାଧାନ ଲାଗି ଗଠନ ହୋଇଥିବା ଟ୍ରିବ୍ୟୁନାଲକୁ ଇତି ମଧ୍ୟରେ ୭ ବର୍ଷ ବିତିଗଲାଣି; ଫଇସଲା ତେଣିକି ଥାଉ, ଆଖିଦୃଶିଆ ଅଗ୍ରଗତି ପରିଲକ୍ଷିତ ହେଉ ନାହିଁ । ଏପଟେ ଶୀତ ନସରୁଣୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଦେଲାଣି ଜଳସଙ୍କଟ । ଆଗକୁ କ’ଣ ହେବ ତାକୁ ନେଇ ଲୋକେ ଚିନ୍ତାରେ ।

ନୂଆ ସରକାର ଗଠନ ହୋଇ ଇତିମଧ୍ୟରେ ୭ ମାସ ପୂରିଲାଣି, କିନ୍ତୁ ପାନୀୟଜଳର ସଙ୍କଟ, ଲୋକଙ୍କପୀଡା ଓ ଅସନ୍ତୋଷ ଯେଉଁଭଳି ଭାବରେ ଗଲା ଗ୍ରୀଷ୍ମରେ ଦେଖାଯାଇଥିଲା ସେଗୁଡିକର ସମାଧାନ ପାଇଁ ଯେଉଁଭଳି ତତ୍ପରତା ଏବଂ ଯୁଦ୍ଧକାଳୀନଭିତ୍ତିରେ ପଦକ୍ଷେପ ନେବା ଆବଶ୍ୟକ, ତାହା ପରିଲକ୍ଷିତ ହେଉ ନାହିଁ । ଯଦିଓ ନଦୀ ସମସ୍ୟା ପ୍ରସଙ୍ଗରେ ରାଜନୈତିକ ବୟାନବାଜି ବରାବର ଦେଖିବାକୁ ମିଳୁଛି । ଆଗକୁ ଆସୁଛି ଖରାଦିନ, ୨୦୨୪ ନିର୍ବାଚନ ସମୟରେ ସାଙ୍ଘାତିକ ଜଳ ସଙ୍କଟର ସମ୍ମୁଖୀନ ହୋଇ ଲୋକେ ଯେଉଁଭଳି ଭୋଟବର୍ଜନର ନାରା ଦେଇଥିଲେ ଏବଂ ସତ୍ତା ପରିବର୍ତ୍ତନ ହେଲା, ସେମାନଙ୍କ ପାଖରେ ସରକାର କି ଉତ୍ତର ରଖିବେ? ପୂର୍ବ ସରକାରଙ୍କ ଦୋଷ ଦୁର୍ବଳତାକୁ ଦର୍ଶାଇବେ ନା ସମାଧାନର ପ୍ରତିଶ୍ରୁତି ଦେଇ ଦୃଢ ପଦକ୍ଷେପ ଗ୍ରହଣ କରିବେ?

ଶୀତ ନସରୁଣୁ ସଙ୍କଟ

ବିଗୁଡୁଥିବା ଜଳବାୟୁ କାରଣରୁ ହେଉ ଅବା ଅଳ୍ପ ବୃଷ୍ଟିରୁ ରାଜ୍ୟରେ ବର୍ଷତମାମ କେଉଁଠିନା କେଉଁଠି ପାନୀୟ ଜଳର ସମସ୍ୟା ସାମ୍ନାକୁ ଆସେ । ଏବେ ଶୀତ ନସରୁଣୁ ଗ୍ରାମୀଣ ଓଡିଶା ସାଙ୍ଘାତିକ ଜଳକଷ୍ଟର ସମ୍ମୁଖିନ ହେଲାଣି । ଯେଉଁ ଆନ୍ଦୋଳନ ଓ ପ୍ରତିବାଦର ଚିତ୍ରସବୁ ଖରା ଦିନରେ ଖବରକାଗଜ ଭରିଦେଉଥିଲା ଏବେ ଠାରୁ ସେଗୁଡିକ ସାମ୍ନାକୁ ଆସିଲାଣି । ସେ ନବରଙ୍ଗପୁର ଦିଗି ଅନ୍ତର୍ଗତ ଚରାମୂଳା ହେଉ ଅବା କଳାହାଣ୍ଡିର ଛେଣ୍ଡିଆ ସ୍ଥିତ ଥନଟ; ଗଞାମ, ଗଜପତି, ରାୟଗଡା, ନୟାଗଡ ଆଦି ଓଡିଶାର ଅଧିକାଂଶ ଗ୍ରାମାଂଚଳଗୁଡିକ ଜଳକଷ୍ଟ ପାଇଁ ଆପତ୍ତି, ଅଭିଯୋଗ, ପ୍ରତିବାଦ ଓ ଆନ୍ଦୋଳନକୁ ଓହ୍ଲାଇଲେଣି । ପାନୀୟ ଜଳଯୋଗାଣ ଓ ଜଳସେଚନ ପ୍ରକଳ୍ପଗୁଡିକ ଅଧାପନ୍ତରିଆ, ଅକାମୀ ଅବସ୍ଥାରେ ପଡିଛି । ଜଳସ୍ରୋତ ଶୁଖିଲା ପଡ଼ିଛି । ଆଗକୁ ରବିଫସଲ ଜଳସେଚନ କାରଣରୁ ବ୍ୟାପକ ପ୍ରଭାବିତ ହେବାର ଅଶଙ୍କା କରାଯାଉଛି ।

ଶୁଖିଲା ପଡିଛି ନଦୀଶଯ୍ୟା

ମହାନଦୀ, ବ୍ରାହ୍ମଣୀ, ବୈତରଣୀ, କୋଲାବ, ଇନ୍ଦ୍ରାବତୀ, ସୁବର୍ଣ୍ଣରେଖା, ଋଷିକୁଲ୍ୟା, ନାଗାବଳୀ ଓ ବଂଶଧାରା ଆଦି ଓଡିଶାର ଜୀବନରେଖା ପାଲଟିଥିବା ପ୍ରମୁଖ ନଦୀଗୁଡିକ ରୁଗ୍ଣ ଅବସ୍ଥାରେ କାଳାତିପାତ କରୁଛି । ଏହାର ଶାଖା ଓ ଉପନଦୀଗୁଡିକ ଶୁଖି ଶୁଖି ମରୁଭୂମିସମ ଦୃଶ୍ୟ ହେଲାଣି  । ଯାହାଦ୍ୱାରା ଜୈବ ବିବିଧତା, ଚାଷ ଓ ପାନୀୟ ସ୍ଥିତିକୁ ଗଭୀର ଭାବରେ ପ୍ରଭାବିତ କରୁଛି । ଡିସେମ୍ବରରେ ବିଭିନ୍ନ ଜଳଭଣ୍ଡାରଗୁଡିକର ଜଳସ୍ତର ଯେତିକି ରହିବା କଥା ତାଠାରୁ ଅନେକ ପରିମାଣ କମ ରହିଛି । ଶୀତଋତୁରୁ ହିଁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ୪ ଫୁଟ ଖସିଲାଣି । ମାର୍ଚ୍ଚ ଏପ୍ରିଲ ବେଳକୁ ଅବସ୍ଥା ଅଧିକ ଭୟଙ୍କର ହେବ ବୋଲି ବିଭିନ୍ନ ମହଲରେ ଆଶଙ୍କା କରାଯାଉଛି ।

ଓଡିଶାର ‘ମହାଦୁଃଖ’

ରାଜ୍ୟର ୧୦ଟି ଜିଲ୍ଲା ଦେଇ ପ୍ରାୟ ୫ଶହ କିମି ପ୍ରବାହିତ ମହାନଦୀ ଓଡିଶାବାସୀଙ୍କ ଦୁଃଖ ପାଲଟିଛି । ମୌସୁମୀରେ ବନ୍ୟା ଓ ଅଣମୌସୁମୀରେ ଶୁଖିଲା ସ୍ଥିତି ରାଜ୍ୟବାସୀଙ୍କ ପାଇଁ ‘ମହାଦୁଃଖ’ର କାରଣ ହୋଇଛି! ଓଡିଶା ଓ ଛତିଶଗଡ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ୨୦୧୮ ମସିହା ମାର୍ଚ୍ଚ ୧୨ ତାରିଖରେ ମହାନଦୀ ଟ୍ରିବୁନାଲ ଗଠିତ ହୋଇଥିଲା । ଏହା ଭିତରେ ୭ ବର୍ଷ ବିତି ଗଲାଣି । ମାତ୍ର ନଦୀ ଓ ଓଡିଶାକୁ ନ୍ୟାୟ ଦେବା କ୍ଷେତ୍ରରେ ଟ୍ରିବୁନାଲ ଦ୍ୱାରା କୈାଣସି ଆଖି ଦୃଶିଆ ଅଗ୍ରଗତି ହୋଇ ନାହିଁ । ଏପରିକି ଅଣ ମୈାସୁମୀ ସମୟରେ ତଳମୁଣ୍ଡରେ ଓଡିଶା ପାଇଁ ଆବଶ୍ୟକ ପାଣି ଛାଡିବା ପାଇଁ ଓଡିଶାର ଆବେଦନକୁ ଟ୍ରିବୁନାଲ ଶୁଣିଲେ ନାହିଁ । ବର୍ତମାନ ୬ ମାସଧରି ଟ୍ରିବୁନାଲର ଅଧ୍ୟକ୍ଷ ପଦ ଖାଲି ପଡିଛି । ପୂର୍ବ ଅଧ୍ୟକ୍ଷ ନ୍ୟାୟମୁର୍ତି ଖାନିଲକରଙ୍କ ଅବ୍ୟାହତି ପରେ ଆଜି ପର୍ଯ୍ୟନ୍ତ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇ ନାହାନ୍ତି । ୬ ମାସ ଧରି ଟ୍ରିବୁନାଲର ଶୁଣାଣୀ ମଧ୍ୟ ହୋଇ ନାହିଁ । ବର୍ତମାନ ପର୍ଯ୍ୟନ୍ତ ଟ୍ରିବୁନାଲର ୩୨ଟି ଅଧିବେଶନ ସରିଛି, ମାତ୍ର ଶୁଣାଣୀ ଆରମ୍ଭ ହୋଇନଥିବାରୁ ସମାଧାନର ରାସ୍ତା ବାହାରି ପାରୁନି । ଯାହା ରାଜ୍ୟର ପରିବେଶବିତ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଗଭୀର କ୍ଷୋଭସୃଷ୍ଟି କରିଛି ।

ଜଳ ବିବାଦ ରାଜନୀତି

ମହାନଦୀ ଜଳବିବାଦକୁ ନେଇ ରାଜନୈତିକ ବୟାନବାଜି ଲାଗି ରହିଛି । ପୂର୍ବ ସରକାରରେ କେନ୍ଦ୍ର ଓ ଦୁଇ ରାଜ୍ୟମଧ୍ୟରେ ଆଲୋଚନା ଏବଂ ଆପୋଷ ସମାଧାନ ସଫଳ ହୋଇପାରିଲା ନାହିଁ । ଓଡିଶାରେ ବିଜେପି ସରକାର ଗଠନ ହେବାପରେ ମହାନଦୀ ଜଳବିବାଦ ପ୍ରସଙ୍ଗରେ ତ୍ରିପଲଇଂଜିନ ସରକାର ଦ୍ୱାରା ଏହାର ଶୀଘ୍ର ସମାଧାନ ହୋଇଯିବ ବୋଲି ଅନେକଙ୍କ ଧାରଣା ରହିଛି । ତେବେ ରାଜ୍ୟରେ ନୂଆ ସରକାର ଆସି ୭ ମାସ ବିତିଗଲାଣି କିନ୍ତୁ ମହାନଦୀ ଜଳବିବାଦ ସମ୍ପର୍କରେ ସେଭଳି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନାହିଁ । ସେପ୍ଟେମ୍ବରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର. ପାଟିଲ ଓଡିଶା ଗସ୍ତରେ ଆସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମହନଦୀ ଜଳ ବିବାଦର ସମାଧାନ ଖୁବ୍ ଶୀଘ୍ର ହେବ ବୋଲି ବିବୃତି ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା । "ମହାନଦୀ ଜଳବିବାଦ ଟ୍ରିବୁନାଲ ଏହି ସମସ୍ୟାର ସମାଧାନ ପାଇଁ ସବୁ ପ୍ରକାରର ଚେଷ୍ଟା କରିବ, ଯାହା ଦ୍ୱାରା ଦୁଇ ରାଜ୍ୟର ସ୍ୱାର୍ଥ ସାଧାନ ହେବ’ ବୋଲି ସେ କହିଥିଲେ । ଇତି ମଧ୍ୟରେ ୪ ମାସ ବିତିଗଲାଣି । ଅନ୍ୟପଟେ ପୋଲାଭରମ ପ୍ରକଳ୍ପକୁ ନେଇ ରାଜ୍ୟବାସୀ ଆଶା ଆଶଙ୍କା ଦେଇଗତିଛନ୍ତି ।

ଭିନ୍ନମୋଡରେ ପୋଲାଭରମ ବିବାଦ

ରାଜ୍ୟରେ ଜଳସଙ୍କଟକୁ ନେଇ ସମସ୍ୟା ସୃଷ୍ଟି ହେଉଥିବାବେଳେ ଅନ୍ୟପଟେ ଜଳବହୁଳ ପାଇଁ ଚିନ୍ତା ପ୍ରକଟ କରିଛି ପୋଲାଭରମ ପ୍ରକଳ୍ପ । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି । ଆନ୍ଧ୍ର ଦ୍ୱାରା ନିର୍ମିତ ପୋଲାଭରମ ପ୍ରକଳ୍ପ ଓଡିଶାର ମାଲକାନଗିରି ଜିଲ୍ଲାର ପ୍ରାୟ ୨୦୦ ଗ୍ରାମ ଜଳସମାଧୀ ନେବ ବୋଲି କୁହାଯାଉଛି । ଏହି ପ୍ରସଙ୍ଗରେ ବିରୋଧୀଦଳ ବିଜେଡି ପ୍ରକଳ୍ପ ଅଂଚଳ ଗସ୍ତ କରିବା ସହିତ ଏକ ପ୍ରତିନିଧି ଦଳ କେନ୍ଦ୍ର ମନ୍ତ୍ରୀ, କେନ୍ଦ୍ରୀୟ ଜଳ ଆୟୋଗଙ୍କୁ ଭେଟି ଉଦବେଗ ପ୍ରକାଶ କରିଛି । ୩୬ ଲକ୍ଷ କ୍ୟୁସେକ ବନ୍ୟାଜଳ ନିଷ୍କାସନକୁ ପରବର୍ତ୍ତୀ ସମୟରେ ୫୦ ଲକ୍ଷକୁ ପରିବର୍ତ୍ତନ କରାଯାଇଥିବା ଅଭିଯୋଗ କରିଛି ବିଜେଡି । ତେଣୁ ଏହାର ସଂଶୋଧନମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଦଳ ଦାବି କରିଛି ।

ନିର୍ବାଚନରେ ପାଣି ପ୍ରସଙ୍ଗ

୨୦୨୪ ନିର୍ବାଚନ ସମୟରେ ଭୋଟର ଭୋଗୁଥିବା ଉତ୍କଟ ଜଳସଙ୍କଟକୁ ଅସ୍ତ୍ର କରିଥିଲେ । ନିର୍ବାଚନୀ ପ୍ରଚାରକୁ ଯାଉଥିବା ନେତା/ କର୍ମୀଙ୍କୁ ଅଟକାଇ ଜଳସମସ୍ୟାକୁ କେନ୍ଦ୍ର କରି ଘେରୁଥିଲେ ଓ ଜବାବ ମାଗିଥିଲେ । ଏଭଳି କି ଅନେକ ସ୍ଥାନରେ ଲୋକେ ଭୋଟବର୍ଜନର ନିଷ୍ପତ୍ତି ମଧ୍ୟ ନେଇଥିଲେ । ଲୋକଙ୍କ ଅସନ୍ତୋଷ ଓ ରୋଷର ପରିଣାମ ପରବର୍ତ୍ତୀ ସମୟରେ ସାମ୍ନାକୁ ଆସିଲା ଆଉ ସରକାର ବଦଳିଲା! ବର୍ତ୍ତମାନ ରାଜ୍ୟରେ ପରିବର୍ତ୍ତିତ ବିଜେପି ସରକାର ଆସି ୭ ମାସ ବିତିଯାଇଥିଲେମଧ୍ୟ ଲୋକଙ୍କ ଜଳସମସ୍ୟାର ସମାଧାନ ପାଇଁ ସେଭଳି ତତ୍ପରତା ଓ ଦୃଢ ପଦକ୍ଷେପ ନେବାଭଳି ଚିତ୍ର ଦେଖାଯାଉ ନାହିଁ । ଏପଟେ ଶୀତ ସରି ସରି ଆସିଲା ବେଳକୁ ଜଳ ସଙ୍କଟ ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଯୁଦ୍ଧକାଳୀନ ଭିତ୍ତିରେ ବ୍ୟାପକ ପଦକ୍ଷେପ ନେବା ଜରୁରୀ ହୋଇପଡିଛି ।