ଓଡ଼ିଶା ରାଜନୈତିକ ମହଲରେ ଏବେ ଗୋଟିଏ ଶବ୍ଦକୁ ନେଇ ଢେର ଚର୍ଚ୍ଚା । ଶବ୍ଦଟି ହେଲା – ‘ପ୍ରତାରଣା’ । ବିଜୁ ଜନତା ଦଳର ନେତ୍ରୀ ମମତା ମହନ୍ତ ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଏହି ଶବ୍ଦଟି ଜୋର୍ ଧରିଛି । କେଉଁ ପରିସ୍ଥିତିରେ ମମତା ମହନ୍ତ ବିଜେଡି ସଭାପତି ନବୀନ ପଟ୍ଟନାୟଙ୍କ ନେତୃତ୍ୱକୁ ଉକ୍ଷେକ୍ଷା କରି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ, ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେବା ନିହାତି ଏକ ସ୍ୱାଭାବିକ ପ୍ରକ୍ରିୟା ।
ବିଜେଡିର ରାଜ୍ୟସଭା ସଦସ୍ୟ ମୁନା ଖାଁ କହିଛନ୍ତି ଯେ ମମତା ମହନ୍ତ ଦଳରୁ ଇସ୍ତଫା ଦେଇ ତାଙ୍କ କୁଡୁମୀ ସମ୍ପ୍ରଦାୟକୁ ଧୋକ୍କା ଦେବା ସହିତ ବିଜେଡି ଓ ରାଜ୍ୟବାସୀଙ୍କୁ ମଧ୍ୟ ଧୋକ୍କା ଦେଇଛନ୍ତି । ଏଥି ସହିତ ଶ୍ରୀ ଖାଁ କହିଛନ୍ତି ଯେ ବିଜେଡିରୁ ମମତା ମହନ୍ତଙ୍କୁ ଇସ୍ତଫା ଦେବା ପାଇଁ ପ୍ରରୋଚିତ କରି ଭାରତୀୟ ଜନତା ପାର୍ଟି ଯେଉଁଭଳି ଭାବରେ ପରବର୍ତିୀ ସମୟରେ ତାଙ୍କୁ ଦଳରେ ସାମିଲ୍ କରି ରାଜ୍ୟସଭାକୁ ପଠାଇବା ବ୍ୟବସ୍ଥା କଲା, ତାହା ମଧ୍ୟ ଉକ୍ତ ଦଳର ପ୍ରତାରଣାକୁ ଜନମାନସରେ ଉପସ୍ଥାପିତ କରିଛି ।
ବିଜେଡି ସଂସଦର ଉଭୟ ଗୃହରେ ବିଭିନ୍ନ ପ୍ରସଙ୍ଗରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରୀକ ମେଣ୍ଟ ବା ଏନ୍ଡିଏ ସରକାରକୁ ସର୍ବଦା ଏକ ଅନୁଗତ ସହଯୋଗୀ ଭାବେ ସାହାଯ୍ୟ କରିଆସିଥିବା ବେଳେ ବିଜେପିର ଏତାଦୃଶ ବ୍ୟବହାର ଏକ ଚରମ ପ୍ରତାରଣା ବୋଲି ମୁନା ଖାଁ କହିଛନ୍ତି ।
ଗତ ବିଶଂ ଶତାବ୍ଦୀର ଶେଷ ଦଶନ୍ଧିର କଥା । ଜାତୀୟ ରାଜନୀତି ଏକ ଘଣ୍ଟାଚକଟା ପରିସ୍ଥିତି ମଧ୍ୟରେ ଗତି କରୁଥାଏ । ଏହି ସମୟରେ କୌଣସି ଜାତୀୟ ଦଳ କେନ୍ଦ୍ରରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ଲାଭ କରୁନଥିବାରୁ ବାରମ୍ବାର ସରକାର ପରିବର୍ତ୍ତନ ହେଉଥାଏ । କଂଗ୍ରେସ୍ ଓ ଜନତା ଦଳ କ୍ରମଶଃ ନିଜର ରାଜନୈତିକ ଶକ୍ତି ହ୍ରାସ ପରିସ୍ଥିତିକୁ ସାମ୍ନା କରୁଥିବା ବେଳେ, ଜାତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଭାରତୀୟ ଜନତା ପାର୍ଟିର ଉତ୍ଥାନ ନିରନ୍ତର ଭାବେ ଘଟିଚାଲିଥିବା ଦେଖାଗଲା ।
ଜନତା ଦଳ ଜାତୀୟସ୍ତରରେ ବିଭାଜିତ ହୋଇ ବିହାରରେ ରାଷ୍ଟ୍ରିୟ ଜନତା ଦଳ (ଆର୍ଜେଡି ) ସଂଯୁକ୍ତ ଜନତା ଦଳ (ଜେଡିୟୁ) ଓ ଜନତା ଦଳ ସିକ୍ୟୁଲାର (ଜେଡିଏସ୍) ରେ ବିଭାଜିତ ହେଲା । ସେତେବେଳେ ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ଦିଲ୍ଲୀପ ରାୟ, ବ୍ରଜକିଶୋର ତ୍ରୀପାଠୀ, ପ୍ରସନ୍ନ ଆଚାର୍ଯ୍ୟ, ବୈଜୟନ୍ତ ପଣ୍ଡା, ଅନଙ୍ଗ ଉଦୟ ସିଂଦେଓ ଓ ଅର୍ଜୁନ ସେଠୀଙ୍କ ଭଳି କିଛି ନେତା ଆକଳନ କଲେ ଯେ ଓଡିଶାରେ ଜନତା ଦଳର ଭବିଷ୍ୟତ ଆଉ ସେପରି କିଛି ଭଲ ନାହିଁ ଏବଂ ଏକ ଆଞ୍ଚଳିକ ଦଳ ଗଠନ ହେବା ଆବଶ୍ୟକ ।
ରାଜ୍ୟରେ ସେତେବେଳେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ, ଗ୍ରାହମ୍ ଷ୍ଟୁଆର୍ଟ ସ୍ଟେନ୍ସ ଓ ତାଙ୍କ ଦୁଇ ଶିଶୁପୁତ୍ରକୁ ପୋଡି ହତ୍ୟା କରିବା ଘଟଣା, ଫାଦର ଅରୁଲ ଦୋଶଙ୍କୁ ହତ୍ୟା କରିବା ଓ ମହାବତ୍ୟା ପରବର୍ତ୍ତୀ ସମୟରେ କଂଗ୍ରେସ ସରକାର ପୁନଃଥଇଥାନ ଓ ପୁନଃର୍ଗଠନ କାର୍ଯ୍ୟରେ ବିଫଳ ହେବା ନେଇ ଜନଅନ୍ତୋଷ ବଢି ଚାଲିଥିଲା । ଏଥି ସହିତ କେନ୍ଦ୍ର ସରକାରରେ ବିଭିନ୍ନ ସରକାରରେ ଓଡିଶା ଉପଯୁକ୍ତ ପ୍ରତିନିଧିତ୍ୱ ନମିଳିବା ଓ ରାଜ୍ୟ ବିହାର ଓ ପଶ୍ଚିମବଙ୍ଗ ଭଳି ଯଥେଷ୍ଟ ଆର୍ଥିକ ଅନୁଦାନ ନପାଇବା ଯୋଗୁ ଲୋକମାନେ ଏକ ବିକଳ୍ପ ସନ୍ଧାନରେ ଥିଲେ ।
ଓଡିଶାରେ ସ୍ୱର୍ଗତ ଅଶୋକ ଦାଶ (ପ୍ରଣବ ପ୍ରକାଶ ଦାଶଙ୍କ ପିତା) ଜନତା ଦଳ ସିକ୍ୟୁଲାର (ଜେଡିଏସ୍) ଓ ବର୍ତମାନର କଂଗ୍ରେସ ନେତା ନରସିଂହ ମିଶ୍ର ଜନତା ଦଳ (ଜେଡିୟୁ) ରେ ରାଜ୍ୟ ସଭାପତି ଭାବେ କାର୍ଯ୍ୟଭାର ସମ୍ଭାଳିଲେ । ଓଡିଶା ରାଜନୀତିର ପାଣିପାଗକୁ ଠଉରାଇ ସେତେବେଳେ ବିଜେପିର କେନ୍ଦ୍ରିୟ ନେତୃତ୍ୱ ଅନୁଭବ କଲେ ଯେ ବିଜୟ ମହାପାତ୍ରଙ୍କ ଭଳି ନେତାମାନଙ୍କୁ ନେଇ ଏକ ଆଞ୍ଚଳିକ ଦଳ ଗଠନ କରାଯାଇପାରେ । ତତ୍କାଳୀନ ବିଜେପିର ବିଚକ୍ଷଣ ରାଜନେତା ପ୍ରମୋଦ ମହାଜନ ଓଡିଶାରେ ବିଜେଡି ଗଠନର ପ୍ରକିୟାକୁ ବିଭିନ୍ନ ପ୍ରକାର ସାହାଯ୍ୟ ଓ ସହଯୋଗରେ ତ୍ୱରାନ୍ୱିତ କରିଥିଲେ ଏବଂ ୧୯୯୭ ମସିହାରେ ବିଜେଡି ଏକ ଆଞ୍ଚଳିକ ଦଳ ଭାବେ ଆତ୍ମପ୍ରକାଶ କଲା ।
୧୯୯୮ ଓ ୧୯୯୯ ମସିହାରେ ବିଜେପି ସହିତ ମିଶି ବିଜେଡି ଲୋକସଭା ନିର୍ବାଚନ ଲଢି ବେଶ୍ ଭଲ ପ୍ରଦର୍ଶନ କଲା । ଏହାର ଠିକ ପରେ ପରେ ୨୦୦୦ ମସିହାରେ କଂଗ୍ରେସ ଶାସର ଅବସାନ ଘଟାଇ ଦଳ ରାଜ୍ୟରେ କ୍ଷମତା ହାସଲ କଲା । ତତ୍ପରେ ଦଳ ନିରବଚ୍ଛିହ୍ନ ଭାବରେ ୨୪ ବର୍ଷରୁ ଅଧିକ ଦିନ ହେବ କ୍ଷମତାରେ ରହିବାରେ ସକ୍ଷମ ହେଲା । ବିଜେଡି ଦଳ ଗଠନ ହେବା ପରଠାରୁ ଦଳରେ ଆରମ୍ଭ ହୋଇଥିଲା ପ୍ରତାରଣାର ମହାପର୍ବ । ୨୦୦୦ ମସିହା ବିଧାନସଭା ନିର୍ବାଚନର ମାତ୍ର ଦିନ କେତେଟି ପୂର୍ବରୁ ଦଳର ମୂଳ ସ୍ଥପତି ବିଜୟ ମହାପାତ୍ରଙ୍କୁ ଅତି ଚଞ୍ଚକତାପୂର୍ଣ୍ଣ ଭାବରେ ଦଳୀୟ ଟିକେଟ୍ରୁ ବଞ୍ଚିତ କରାଗଲା । ସେତେବେଳେ ନବୀନଙ୍କ ଏତାଦୃଶ ପ୍ରତାରଣାକୁ ବିଜୟ ‘ପଛରୁ ଛୁରିକାଘାତ’ ବୋଲି ଅଭିହିତ କରିଥିଲେ ।
ବିଜୟଙ୍କ ପରେ ପାଳିପଡିଥିଲା ନଳିନୀ ମହାନ୍ତି, କମଳା ଦାସ, ରାମକୃଷ୍ଣୁ ପଟ୍ଟନାୟକ, ଦିଲ୍ପୀପ ରାୟ, ବ୍ରଜକିଶୋର ତ୍ରୀପାଠୀ ପ୍ରଭୃତିଙ୍କର । ଯେଉଁମାନେ ଦିନେ ନବୀନଙ୍କୁ ଓଡିଶା ଆଣିଥିଲେ ଓ ରାଜନୀତିର ଖଡିପାଠ ପଢାଇଥିଲେ, ନବୀନଙ୍କ ପ୍ରତାରଣାର ପ୍ରଥମ ଶୀକାର ସେହିମାନେ ହେଲେ । ନବୀନଙ୍କ ଏତାଦୃଶ କୁଟୀଳ ରାଜନୀତି ସେତେବେଳେ ଜାତୀୟ ସମ୍ବାଦପତ୍ରରେ ‘ମାକିଆଭେଲିଆନ୍ ପଲିଟିକ୍ସ’ ଭାବେ ବର୍ଣ୍ଣିତ ହୋଇଥିଲା । ରାଜନୈତିକ ଦାର୍ଶନିକ ମାକିଆଭେଲିଙ୍କ କହିବା ଅନୁସାରେ କ୍ଷମତା ରାଜନୀତିରେ ଧୋକ୍କା ଓ ପ୍ରତାରଣା କିଛି ଭୁଲ ନୁହେଁ ।
ଦଳର ପ୍ରତିଷ୍ଠାତା ସଦସ୍ୟଙ୍କୁ ଜଣଙ୍କ ପରେ ଜଣଙ୍କୁ ବିଦା କଲା ପରେ ନବୀନ ବିରୋଧୀ କଂଗ୍ରେସ ଓ ବିଜେପି ଦଳର ବଡବଡ ନେତାଙ୍କୁ ରାଜନୈତିକ ଥୋପ ପକାଇ ନିଜ ସପକ୍ଷରେ ନେଇ ସେମାନଙ୍କୁ ଏକ ପ୍ରକାର ପଙ୍ଗୁ କରିଦେଲେ । ବିଜେପି ନେତା ବିମ୍ବାଧର କୁଅଁର, ଅରବିନ୍ଦ ଢାଲି ଓ ରାମଚନ୍ଦ୍ର ପଣ୍ଡାଙ୍କ ଭଳି ନେତା ବିଜେଡିରେ ଯୋଗଦେଲେ । କଂଗ୍ରେସ ଦଳର ଡଜନ ଡଜନ ନେତା ଯାଇ ବିଜେଡିରେ ଆସ୍ଥାନ ଜମାଇଲେ । ଏପରିକି ତତ୍କାଳୀନ ବିରୋଧୀଦଳ ନେତା ଭୁପିନ୍ଦର ସିଂହ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକଭାବେ ଯାଇ ବିଜେଡିରେ ଯୋଗଦେବା ସେତବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ରାଜନୀତି ବ୍ୟତୀତ ପ୍ରଶାସନିକ କ୍ଷେତ୍ରରେ ନବୀନଙ୍କ ରାଜ୍ୟବାସୀଙ୍କୁ ପ୍ରତାରଣାର ସୀମାର ତାଲିକା କିଛି କମ୍ ନୁହେଁ । ୨୦୦୦ ମସିହା ମାର୍ଚ୍ଚ ୫ ତାରିଖ ଦିନ ଲୋୟର ପିଏମଜିରେ ନିଜର ମୁଖ୍ୟମନ୍ତ୍ରୀ ହେବାର ପ୍ରଥମ ଦିନରେ ନବୀନ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ କହିଥିଲେ, “ଆପଣମାନେ ଗାଁ କୁ ଜଗିଥାନ୍ତୁ । ମଁ ଭୁବନେଶ୍ୱର ଜଗିଛି ।” ସେତେବେଳେ ସଚିବାଳୟରୁ ଆରମ୍ଭ କରି ପଞ୍ଚାୟତ ପର୍ଯ୍ୟନ୍ତ ହେଉଥିବା ବ୍ୟାପକ ଦୁର୍ନୀତିକୁ ନେଇ ସେ ଏହି ମନ୍ତବ୍ୟ ଦେଇଥିଲେ । କିନ୍ତୁ ବାସ୍ତବ ଚିତ୍ର କ’ଣ ଦେଖିବାକୁ ମିଳିଲା ? ଏଠି ଲକ୍ଷଲକ୍ଷ କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟ୍ ହେଲା । ଲକ୍ଷଲକ୍ଷ ଲୋକ ଚିଟ୍ଫଣ୍ଡ କେଳେଙ୍କାରୀର ଶୀକାର ହେଲେ । ଉଭୟ କେଳେଙ୍କାରୀରେ ଶାସକ ଦଳର ଅନେକ ତୁଙ୍ଗ ନେତାଙ୍କ ସମ୍ପୃକ୍ତି ଥିଲା । ଚିଟପଣ୍ଡ କେଳେଙ୍କାରୀରେ ଦଳର ସାଂସଦ ଓ ବିଧାୟକ ଗିରଫ ହେଲେ । କେନ୍ଦ୍ରିୟ ତଦନ୍ତକାରୀ ସଂସ୍ଥାନ ସିବିଆଇ ସରୋଜ ସାହୁକୁ ଖୋଜିଖୋଜି ନବୀନ ନିବାସରେ ପହଞ୍ଚିଲା ।
ଖଣି ଦୂର୍ନୀତି ଓ ଚିଟ୍ଫଣ୍ଡ କେଳେଙ୍କାରୀ ବ୍ୟତୀତ ବିଜେଡିର ମନ୍ତ୍ରୀ ଓ ନେତା ଏକାଧିକ ଘର ଓ ପ୍ଲଟ୍ ହାତେଇବା, ଡାଲି ଦୁର୍ନୀତି, ଆବାସ ଦୁର୍ନୀତି ଇତ୍ୟାଦିରେ ଲିପ୍ତ ହେବା ନବୀନଙ୍କ ପ୍ରତରଣାପୂର୍ଣ୍ଣ ଶାସନର ନମୁନା ପ୍ରଦର୍ଶନ କରୁନିତ, ଆଉ କ’ଣ ଉପସ୍ଥାପିତ କରୁଛି ? କ୍ଷମତାରେ ଥିଲା ବେଳେ ନବୀନ ଶାସନକଳର ଯେଉଁଭଳି ଭାବେ ଦୁରୁପଯୋଗ କରି ମିଡିଆକୁ ଅବଦମିତ କରି ରଖିଥିଲେ, ତାହା ଆଉ ଏକ ବଡ ପ୍ରତରଣା ଥିଲା । ଏଠି ସତ ଲେଖିଲେ ଓ କହିଲେ, ଜେଲ୍ ଯିବାକୁ ପଡୁଥିଲା । ଶାସନକଳ ଓ ଶାସକର ନାଲିଆଖି ଆଗରେ ଓଡିଶା ଏକ ଅଘୋଷିତ ପରାଧୀନତାର ଶୃଙ୍ଖଳରେ ବାନ୍ଧି ହୋଇଯାଇଥିଲା । କୋଭିଡ୍ ସମୟରେ ସରକାର ଅନେକ ଅଫିସର ଦୁର୍ନୀତିକୁ ନୀତି କରିଦେଲେ । କେହି ଯେପରି ପାଟି ନଖୋଲପାରିବେ, ସେଥିପାଇଁ ପ୍ରେସ୍ ଉପରେ ଓ ଜନସାଧାରଣଙ୍କ ବାକ୍ସ୍ୱାଧୀନତା ଉପରେ ଅଙ୍କୁଶ ଲଗାଇଦେଲେ । ଜନଗନ୍ନାଥ ହେରିଟେଜ୍ କରିଡୋର ପ୍ରକଳ୍ପ ନେଇ ସ୍ୱର ଉଠାଇବାରୁ ସାମ୍ବାଦିକଙ୍କୁ ଜେଲ୍ ହାଜତକୁ ଯିବାକୁ ପଡିଲା ।
ଏକ ଗଣତାନ୍ତ୍ରୀକ ପରମ୍ପରାରେ କ୍ଷମତାକୁ ଆସିଥିବା ନବୀନ ପଟ୍ଟନାୟକ ଧିରେଧିରେ ନିଜ ପଦକୁ ବଜାୟ ରଖିବାକୁ ଯାଇ ଅମଲାମାନଙ୍କ ଉପରେ ଅତ୍ୟଧିକ ନିର୍ଭରଶୀଳ ହୋଇପଡିଥିଲେ । କୌଣସି ରାଜନେତାଙ୍କ ଉପରେ ବିଶ୍ୱାସ ରଖୁନଥିବା ନବୀନ ଅମଲାମାନଙ୍କୁ ଅଧିକ କ୍ଷମତାଶାଳୀ କରି ଜନସାଧାରଣଙ୍କ ମତାଧାରକୁ ଏକ ପ୍ରକାର ଅମର୍ଯ୍ୟାଦା କରିଥିଲେ । ଅମଲାମାନଙ୍କ କ୍ଷମତା ଦିନକୁ ଦିନ ବଢିଚାଲିଥିଲା ବେଳେ ମନ୍ତ୍ରୀମାନେ କ୍ଷମତାଶୂନ୍ୟ ହୋଇଗଲେ । ଓଡିଶାରେ ଗଣତାନ୍ତ୍ରୀକ ସଂସ୍କୃତିକୁ ନବୀନ ଏକ ପ୍ରକାର ସମାଧି ଦେଇଦେଲେ ।
କେବଳ ସେତିକି ନୁହେଁ, ୫-ଟି ନାମରେ ଏକ ଅବୈଧ ବିଭାଗ ସୃଷ୍ଟି ଅନ୍ୟ ବିଭାଗଗୁଡିକର ସଚିବମାନଙ୍କୁ କ୍ଷମତାହୀନ କରିବା ଓ ଜିଲ୍ଲାପାଳ, ଗୋଷ୍ଠି ଉନୟନ ଅଧିକାରୀଙ୍କ କାର୍ଯ୍ୟାଳୟଗୁଡିକୁ ଏକ ପ୍ରକାର ନିଷ୍କ୍ରିୟ କରି ଅଭିଯୋଗ ଶୁଣାଣୀ ନାମରେ ଭିକେ ପାଣ୍ଡିୟାନକୁ ହେଲିକପ୍ଟରରେ ରାଜ୍ୟସାରା ବୁଲାଇବା ଥିଲା ଆଉ ଏକ ଭଣ୍ଡାମୀ ଓ ଶଠତା । ଏହାକୁ ପ୍ରଧାନମନ୍ତ୍ରୀ ଠିକଣା ଭାବରେ ବୁଝିପାରି ଏହା ଓଡିଆ ସ୍ୱାଭିମାନ ଓ ଅସ୍ମିତାର ପରିପନ୍ଥୀ ବୋଲି ଅଭିହିତ କରିଥିଲେ ।
ଆଉ ଏହି ଅସ୍ମିତା ଶବ୍ଦ ହିଁ ନବୀନଙ୍କ ପ୍ରରତାଣାପୂର୍ଣ୍ଣ ବିଜେଡି ଶାସନର ଅବସାନ ଘଟାଇବା ସହିତ ଭାରତୀୟ ଜନତା ପାର୍ଟିକୁ ଓଡିଶାରେ କ୍ଷମତାଶୀନ କରାଇଥିଲା । ମମତା ମହନ୍ତ ନିଜ ସଫେଇରେ କହିଛନ୍ତି ଯେ କିଭଳି ତାଙ୍କ ସାସଂଦ ପାଣ୍ଠିକୁ ଯାଜପୁରକୁ ଦେବାକୁ ତାଙ୍କୁ ବାଧ୍ୟ କରାଯାଉଥିଲା । ଏଭଳି କାଣ୍ଡ ସଦାଚାର ନା ତାଙ୍କ ଉପରେ ଚାପ ପକାଇବା ଏକ ଅଗଣାତାନ୍ତ୍ରିକ କାର୍ଯ୍ୟ, ତାହା ସମସ୍ତେ ଉପଲବ୍ଧି କରୁଛନ୍ତି । ଦେଖିବାର କଥା ଓଡ଼ିଶା ରାଜନୀତିରେ ସଦ୍ୟ ଶୀର୍ଷରେ ଥିବା “ପ୍ରତାରଣା” ଶବ୍ଦ କେତେଦିନ ଧରି ନିଜର ପୋଜିସନ୍ ବଜାୟ ରଖୁଛି ।
ଇମେଲ୍: aksahoo1122@gmail.com
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)