ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ନିଶାନା: ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି

କେନ୍ଦୁପତ୍ରରେ ଜିଏସ୍‌ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଧର୍ମେନ୍ଦ୍ର।

Union minister dharemendra pradhan Campaigning on Padmapur Bypoll

ଆପଣ ଥକି ଗଲେଣି, ବୋଧେ କିଛି ବୁଝି ପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ଆଜି କିଛି ଏମିତି ଢଙ୍ଗରେ କଡ଼ା ସମାଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।ଗତକାଲି ପଦ୍ମପୁରକୁ ରେଳ ଲାଇନ୍ ପ୍ରସଙ୍ଗକୁ ନେଇ କେନ୍ଦ୍ର ମନ୍ତ୍ରୀଙ୍କୁ ଜବାବ ମାଗିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 

ଆଜି ଏହା ସହ ଅନ୍ୟ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଧର୍ମେନ୍ଦ୍ର କହିଛନ୍ତି, ରାଜ୍ୟ ସରକାରଙ୍କ ସଂସ୍ଥା ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡକୁ ପଦ୍ମପୁର ରେଳ ଲାଇନ୍ କାମ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ସେ କଂପାନିର ଚେୟାରମ୍ୟାନ୍। ହେଲେ ଆପଣଙ୍କ ଗୁମାସ୍ତା ମାନେ କଣ ଆପଣଙ୍କ ପାଟିରେ ଅସତ୍ୟ କଥା କୁହାଉଛନ୍ତି କହି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଛନ୍ତି।

ସେହିପରି,ଦୁଇ ବର୍ଷ ବିଧାନସଭାରୁ ଛୁଟି ନେଇ ବସିଥିବା ମୁଖ୍ୟମନ୍ତ୍ରୀ ପଦ୍ମପୁର ଆସିବା, ବିଜେପିର ନୈତିକ ବିଜୟ ବୋଲି କହିବା ସହ ମୁଖ୍ୟମନ୍ତ୍ରୀଙ୍କ ପଦ୍ମପୁର ଜିଲ୍ଲା ଘୋଷଣା ପ୍ରସଙ୍ଗରେ ମଧ୍ୟ ବର୍ଷିଛନ୍ତି। ଖାଲି ଏତିକି ନୁହେଁ କେନ୍ଦୁପତ୍ରରେ ଜିଏସ୍‌ଟି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହିଛନ୍ତି ଧର୍ମେନ୍ଦ୍ର।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ୍ କରିବା ପରେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ କରି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ଯେ ପଦ୍ମପୁରବାସୀଙ୍କୁ କେନ୍ଦ୍ରମନ୍ତ୍ରୀ ଅନେକ ଗୁଡ଼ିଏ ପ୍ରସଙ୍ଗରେ ଉତ୍ତର ଦେବାର ଥିଲା କିନ୍ତୁ ସେ ସବୁ ପ୍ରସଙ୍ଗ ଛାଡ଼ି କେନ୍ଦ୍ରମନ୍ତ୍ରୀ, କେବଳ ମୁଖ୍ୟନ୍ତ୍ରୀଙ୍କୁ ବ୍ୟକ୍ତିଗତ ସ୍ତରରେ ଆକ୍ଷେପ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ରାଲି ପରେ ବିଜେପି ପରାଜୟ ନେଇ ବିବ୍ରତ ହୋଇପଡ଼ିଥିବାରୁ ଧର୍ମେନ୍ଦ୍ର, ନବୀନଙ୍କ ଉଦ୍ଦେଶ୍ୟରେ ଏଭଳି କହିଥିବା ଅଭିଯୋଗ କରିଛି ବିଜେଡି।