Advertisment

Odisha Politics: ଦେଶରେ ସର୍ବଶ୍ରେଷ୍ଠ ମାନ୍ୟତାପ୍ରାପ୍ତ ୩ ପୁଲିସ ଥାନା ହେବ କି ରାଜ୍ୟର ରୋଲ୍‌ ମଡେଲ ?

ରାଜ୍ୟ ମୁଖ୍ୟାଳୟର ନାକତଳେ ଥିବା ଭରତପୁର ଆଦର୍ଶ ପୁଲିସ ଷ୍ଟେସନ ଘଟଣା ସମଗ୍ର ଦେଶରେ ଲଜ୍ଜାଜନକ ଛବି ଆଙ୍କିଥିଲା । ସର୍ବଭାରତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିବା ଗଞ୍ଜାମର ଏହି ୩ ଥାନାକୁ ରାଜ୍ୟ ସରକାର ରୋଲମଡେଲ ଭାବେ ନେବାର ଅବଶ୍ୟକତା ନାହିଁ କି ?

ଅଦ୍ୟତନ ହୋଇଛି
ପାଟପୁର vs ଭରତପୁର

ପାଟପୁର vs ଭରତପୁର

Advertisment

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଭଳି ଦେଶର ବଡ ବଡ ମେଟ୍ରୋ ସିଟି ହେଉ ଅବା ଓଡିଶାର କମିଶନରେଟ ପୁଲିସ ଅଧିନରେ ଥିବା ଥାନାଗୁଡିକ; ଏ ସମସ୍ତଙ୍କୁ ପଛରେ ପକାଇ ଗତ ୩ ବର୍ଷ ଧରି ସର୍ବଶ୍ରେଷ୍ଠ ଥାନାର ଗୌରବ ଅର୍ଜନ କରି ଆସୁଛି ଗଞ୍ଜାମ ଜିଲ୍ଲାର ପାଟପୁର, ଆସିକା ଓ ଗାଙ୍ଗପୁର ପୁଲିସ ଷ୍ଟେସନ । ଯଦିଓ ଗୋଟିଏ ରାଜ୍ୟରେ, ସମାନ ସରକାର ଅଧିନରେ, ସେହି ବ୍ୟବସ୍ଥା ମଧ୍ୟରେ ଉନ୍ନତ ଭିତ୍ତିଭୂମି ଏବଂ ଅଧିକ ସୁବିଧା ସୁଯୋଗ ପାଉଥିଲେ ମଧ୍ୟ ଓଡିଶାର ସହରାଂଚଳ କିମ୍ବା କଟକ-ଭୁବନେଶ୍ୱର ଥାନାଗୁଡିକ ଏହି ମାନଦଣ୍ଡର ର୍ୟାକିଂଗ୍ ପୂରଣ କରି ପାରି ନାହିଁ ।

Advertisment

ବରଂ ରାଜ୍ୟ ମୁଖ୍ୟାଳୟର ନାକତଳେ ଥିବା ଭରତପୁର ଆଦର୍ଶ ପୁଲିସ ଷ୍ଟେସନ ଘଟଣା ସମଗ୍ର ଦେଶରେ ଲଜ୍ଜା ଜନକ ଛବି ଆଙ୍କିଥିଲା । ସର୍ବଭାରତୀୟସ୍ତରରେ ଓଡିଶା ପାଇଁ ଗୌରବ ଆଣିଥିବା ଗଞ୍ଜାମର ଏହି ୩ ଥାନାକୁ ରାଜ୍ୟ ସରକାର ରୋଲମଡେଲ ଭାବେ ନେବାର ଅବଶ୍ୟକତା ନାହିଁ କି? ଏହି ଥାନା ଯେଉଁ ସବୁ ମାନଦଣ୍ଡ ପୂରଣ କରି ପୁରସ୍କୃତ ହୋଇଛି ରାଜ୍ୟର ସାଢେ୪ଶହ ଥାନାରେ ସେସବୁ ବିନ୍ଦୁଗୁଡିକୁ ଗୁରୁତ୍ୱ ଦେବାରେ ଅସୁବିଧା କଣ?

ସୁନାମ ଓ ଦୁର୍ନାମର ଦୁଇ ଚିତ୍ର

ଓଡିଶାରେ ଅପରାଧିକ କାର୍ଯ୍ୟକଳାପ ଏବଂ ପୁଲିସର କାର୍ଯ୍ୟକଳାପ ଓ ପକ୍ଷପାତିତାକୁ ନେଇ ପ୍ରଶ୍ନ ଉଠୁଥିବା ସମୟରେ ସମଗ୍ର ଦେଶରେ ଯେଉଁ ଦୁଇଟି ଥାନା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ସେ ହେଲା ‘ଭରତପୁର’ ଓ ‘ପାଟପୁର’ ଥାନା! ରାଜଧାନୀ ଉପକଣ୍ଠ କମିଶନରେଟ ପୁଲିସ ଅଧିନରେ ଥିବା ଆଦର୍ଶ ଭରତପୁର ଥାନା ଘଟଣା ବିଷୟରେ ବିଶେଷ କିଛି କହିବାର ଆବଶ୍ୟକ ନାହିଁ; ସାରା ରାଜ୍ୟ ତଥା ଦେଶରେ ଚହଳ ସୃଷ୍ଟି କରିଥିଲା । ଥାନାରେ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଓ ପୁଲିସର ବର୍ବରତା ବିଷୟରେ ସମଗ୍ର ଦେଶ ସମ୍ମୁଖରେ ଲଜ୍ଜାଜନକ ପରିସ୍ଥିତି ସୃଷ୍ଟି କରିଥିଲା । ରାଜଧାନୀର ରାଜରାସ୍ତାରୁ ଆରମ୍ଭ କରି ଜାତୀୟସ୍ତରରେ ଘଟଣାକୁ ନିନ୍ଦା ପାଇଁ ନୂଆ ସରକାର ଅଡୁଆରେ ପଡିଲେ । ଏହାପରେ ସମ୍ପୃକ୍ତ ଆଇଆଇସିଙ୍କ ସମେତ ୫ ଜଣ ପୁଲିସଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ନେବା ସହିତ ଘଟଣାର ତଦନ୍ତ ପାଇଁ କମିଶନ ବସାଇଥିଲେ ।

Advertisment

୧୧୩ ବର୍ଷର ଐତିହାସିକ ଥାନା

ଅନ୍ୟପକ୍ଷେ ଦେଶରେ ଓଡିଶା ସରକାର ତଥା ରାଜ୍ୟ ପୁଲିସ ପାଇଁ ଉଚ୍ଚ ପ୍ରଶଂସା ଓ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲାର ପାଟପୁର ଥାନା । ଏହି ଥାନା ଦେଶର ସାଢେ ୧୭ ହଜାର ଥାନା ମଧ୍ୟରୁ ସର୍ବଶ୍ରେଷ୍ଠ ଦ୍ୱିତୀୟ ସମ୍ମାନଜନକ ପୁରସ୍କାର ପାଇଛି । ଚଳିତ ବର୍ଷ ୧୧୩ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଐତିହାସିକ ପାଟପୁର ପୋଲିସ ଷ୍ଟେସନ ଏହି ସମସ୍ତ ମାନଦଣ୍ଡରେ ଉତ୍କର୍ଷ ହୋଇ ଦ୍ୱିତୀୟ ଶ୍ରେଷ୍ଠ ପୋଲିସ ଷ୍ଟେସନ ଭାବରେ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଥିଲା ।

୨୦୨୪ ପାଇଁ ଦେଶର ତୃତୀୟ ‘ଆଦର୍ଶ’

ପାଟପୁର ଥାନାରେ ‘ଆଦର୍ଶ’ ଲେଖା ନଥିଲେ ମଧ୍ୟ ଆଦର୍ଶଗତ ସେବାର ସମସ୍ତ ଆବଶ୍ୟକତାକୁ ପୂରଣ କରିବାର ଉଦାହରଣ ଦେଇଛି । ଜନସାଧାରଣଙ୍କ ପ୍ରତି ପୋଲିସ କର୍ମଚାରୀଙ୍କ ଆଚରଣ, ପରିସର ପରିଷ୍କାର ପରିଚ୍ଛନ୍ନତା, ଅଭିଯୋଗକାରୀଙ୍କ ସୁବିଧା, ପୋଲିସ କର୍ମଚାରୀଙ୍କ ପାଇଁ ଫିଟନେସ ବ୍ୟବସ୍ଥା, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ରାମ୍ପ, ସିସିଟିଭି ଏବଂ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଭଳି ସୁବିଧା ସହିତ ବିଭିନ୍ନ ପାରାମିଟରଗୁଡିକର ଆଦର୍ଶଗତ ଅନୁପାଳନ ହେତୁ ଏହି ମାନ୍ୟତା ହାସଲ କରିଛି । ଶୁକ୍ରବାର ଭୁବନେଶ୍ୱର ଲୋକ ସେବା ଭବନରେ ଆୟୋଜିତ ସର୍ବଭାରତୀୟ ଡିଜିପି / ଆଇଜିପି ସମ୍ମିଳନୀ -୨୦୨୪ରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥିଲେ । ଭାରତର ଏହି ର୍ୟାକିଂଗ ତାଲିକାରେ ଦେଶର ସର୍ବଶ୍ରେଷ୍ଠ ପ୍ରଥମ ଥାନା ଭାବରେ ଗୁଜୁରାଟ ସ୍ଥିତ ସୁରଟର ଇଚ୍ଛାପୁର ଥାନା ଏବଂ ଝାଡଖଣ୍ଡର ଗିରିଡିହ ଜିଲ୍ଲାର ନିମିୟାଘାଟ ଥାନାକୁ ଦେଶର ତୃତୀୟ ଶ୍ରେଷ୍ଠ ଥାନାର ମାନ୍ୟତା ମିଳିଛି ।

Advertisment

ଗଞ୍ଜାମ ଜିଲ୍ଲାର ୩ ଗୌରବ

ପୂର୍ବରୁ ମଧ୍ୟ ଗଞ୍ଜାମ ଜିଲ୍ଲାର ୨ଟି ଥାନା ଆସିକା ଏବଂ ଗାଙ୍ଗପୁର ଯଥାକ୍ରମେ ସର୍ବଶ୍ରେଷ୍ଠ ପ୍ରଥମ ଓ ଦ୍ୱିତୀୟ ସ୍ଥାନର ଗୌରବ ଅର୍ଜନ କରିଛନ୍ତି । ଦେଶର ସାଢେ ୧୭ ହଜାର ଥାନାଗୁଡିକ ମଧ୍ୟରୁ ଗଞ୍ଜାମ ଜିଲ୍ଲା ଅଧିନରେ ଥିବା ଗାଙ୍ଗପୁର ଥାନା ୨୦୨୧ରେ ସର୍ବଶ୍ରେଷ୍ଠ ଦ୍ୱିତୀୟ ଏବଂ ୨୦୨୩ରେ ଆସିକା ଥାନା ସର୍ବପ୍ରଥମ ପୁରସ୍କାର ହାସଲ କରି ଓଡିଶା ପାଇଁ ଗୌରବ ଅଣିଛନ୍ତି । ଆଉ ୨୦୨୪ରେ ଏହି ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅଧିନରେ ଥିବା ପାଟପୁର ଥାନା ସର୍ବଶ୍ରେଷ୍ଠ ଦ୍ୱିତୀୟ ସମ୍ମାନ ପାଇଛି । ଓଡ଼ିଶା ପୁଲିସ ଦର୍ଶାଇଛି ଯେ ପ୍ରଭାବଶାଳୀ ଅପରାଧ ଚିହ୍ନଟ, ମାମଲା ନିବାରଣ, କାର୍ଯ୍ୟକାରୀ, ଅପରାଧ ରୋକିବା ଏବଂ ଅପରାଧ ଓ ଅପରାଧୀ ଟ୍ରାକିଂ ନେଟୱର୍କ ସିସ୍ଟମ (ସିସିଟିଏନ୍ଏସ୍)ର କାର୍ଯ୍ୟାନ୍ୱୟନ ସହିତ ପାଟପୁର ପୋଲିସ ଷ୍ଟେସନରେ ମହିଳା ଏବଂ ଶିଶୁ ଡେସ୍କ, ଶିଶୁ ଅନୁକୁଳ ଅଂଚଳ, ସ୍ୱଚ୍ଛତା, ଅଗ୍ନି ନିରାପତ୍ତା ଉପକରଣ ଏବଂ ସର୍ବସାଧାରଣଙ୍କ ପାଇଁ ଖୋଲା ଜିମ ବ୍ୟବହାର ସମେତ ଉତ୍କୃଷ୍ଟ ସୁବିଧା ରହିଛି ।

ଉତ୍କୃଷ୍ଟ ଥାନାର ମାନଦଣ୍ଡ ସବୁ କଣ?

ପ୍ରତିବର୍ଷ ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ୧୫୦ରୁ ଅଧିକ ର୍ନିଦ୍ଦିଷ୍ଟ ମାନଦଣ୍ଡ ଆଧାରରେ ସାରା ଦେଶରେ ପୁଲିସ ଷ୍ଟେସନର ମୂଲ୍ୟାଙ୍କନ କରିଥାଏ ଏବଂ ଶ୍ରେଷ୍ଠ ପ୍ରଦର୍ଶନକାରୀଙ୍କୁ ପୁରସ୍କୃତ କରିଥାଏ । ଯେଉଁ ମାନଦଣ୍ଡ ଆଧାରରେ ଥାନାଗୁଡିକୁ ଚୟନ ଓ ମୂଲ୍ୟାଙ୍କନ କରାଯାଏ ସେଥିମଧ୍ୟରେ ମୁଖ୍ୟତଃ ରହିଛି- ଅପରାଧ ନିୟନ୍ତ୍ରଣ, ଅନୁସନ୍ଧାନ, ମାମଲାର ସମାଧାନ, ଅପରାଧ ଚିହ୍ନଟ, ସମ୍ପ୍ରଦାୟର ଯୋଗଦାନ ବା ସମ୍ପ୍ରଦାୟ ସହିତ ଥାନା କେତେ ଭଲ ଭାବରେ ଜଡିତ, ଆଇନ ଶୃଙ୍ଖଳା ବଜାୟ ରଖିବା, ଥାନାର ଭିତ୍ତିଭୂମିର ସ୍ଥିତି, ମାନବିକ ଅଧିକାର ନିର୍ଦ୍ଦେଶାବଳୀର ଅନୁପାଳନ, ଥାନା ପରିସର ପରିଚ୍ଛନ୍ନତା, ଥାନାର ରିସେପ୍ସନ ସେଂଟର କେତେ କ୍ରିୟାଶୀଳ, ଥାନା କେତେ ମାମଲାର ଚାର୍ଜସିଟ ଫାଇଲ କରେ ଏବଂ ଦୋଷୀ ସାବ୍ୟସ୍ତ କରେ, ପୁଲିସ ଆଧୁନିକୀକରଣ ଆଦିକୁ ଆଧାରକରି ସଂକ୍ଷିପ୍ତ ତାଲିକାର ଗଭୀର ସର୍ଭେ କରାଯାଏ । ଏଥିରେ ସର୍ବସାଧାରଣଙ୍କ ମତାମତ ସମୁଦାୟ ମୂଲ୍ୟାଙ୍କନର ୨୦% ଯୋଗଦାନ କରିଥାଏ । ଯେଉଁଥିରେ ପୁଲିସ ପ୍ରତି ସ୍ଥାନୀୟ ବାସିନ୍ଦା ଏବଂ ବ୍ୟବସାୟୀଙ୍କ ଅଭିଜ୍ଞତା ଏବଂ ଧାରଣାକୁ ବିଚାରକୁ ନିଆଯାଏ ।

ଓଡିଶାରେ ମହିଳା ବିରୋଧୀ ହିଂସା, ବିଭିନ୍ନ ଅପରାଧିକ ମାମଲା ବୃଦ୍ଧି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଅନେକ ସମୟରେ ବିତର୍କ, ବାଦ ବିବାଦ ଓ ରାଜନୈତିକ ଝଡ ସାମ୍ନାକୁ ଆସୁଛି । ଚଳିତ ବିଧାନସଭା ଶୀତକାଳୀନ ଅଧିବେଶନରେ ସୋମବାର (୨ ଡିସେମ୍ବର) ସ୍ୱରାଷ୍ଟ୍ର ବିଭାଗ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ଖର୍ଚ୍ଚ ଦାବୀ ପାରିତ ଆଲୋଚନାରେ ବିରୋଧୀଦଳମାନେ ସରକାରଙ୍କୁ ସମାଲୋଚନା କରିଛନ୍ତି । ଓଡିଶାରେ ବିଜେପି ସରକାର ଆସିବାର ୬ ମାସ ହେବାକୁ ଯାଉଥିବାବେଳେ ରାଜ୍ୟରେ ଦୈନିକ ଦୁଷ୍କର୍ମ, ହତ୍ୟା, ଚୋରି, ଡକାୟତି, ରାହାଜାନିରେ ଅଚାନକ ବୃଦ୍ଧି ଏବଂ ବିଭିନ୍ନ ଘଟଣାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଯାଇଥିବା କଥା ବିରୋଧୀ ଦର୍ଶାଇଛନ୍ତି । ଏହି ପରିପ୍ରେକ୍ଷୀରେ ପୁଲିସ ବ୍ୟବସ୍ଥାକୁ ଅଧିକ ମଜବୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନେକ ନିଷ୍ପତ୍ତି ନେଇଛନ୍ତି । ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଗୃହ ବିଭାଗରେ ୧୦ ହଜାର ପଦବୀ ପୂରଣ, ପ୍ରତି ଥାନାକୁ ହାଇସ୍ପିଡ ବାଇକ ଏବଂ ଥାନା ଅଧିକାରୀଙ୍କୁ କାର୍ ପ୍ରଦାନ କରାଯିବା ସହିତ ଅପରାଧୀକ କାର୍ଯ୍ୟକଳାପକୁ ରୋକିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳର ବ୍ୟବହାରକୁ ପ୍ରାଧାନ୍ୟ ଦିଆଯାଇଛି । ତେବେ ଏସବୁ ସହିତ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଯେଉଁ ସବୁ ମାନଦଣ୍ଡ ଆଧାରରେ ସର୍ବଶ୍ରେଷ୍ଠ ଥାନାର ର୍ୟାକିଂଗ ମୂଲ୍ୟାଙ୍କନ କରୁଛନ୍ତି ସେଗୁଡିକୁ ରାଜ୍ୟର ପ୍ରତିଟି ଥାନାରେ ପୂରଣ କ୍ଷେତ୍ରରେ ଗୁରୁତ୍ୱ ଦିଆଯିବା ନେଇ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି ।

ଇମେଲ୍: dksawat@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖକଙ୍କ ନିଜସ୍ୱ ମତ)

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ