OBC ଭୋଟ ଖସିଯିବାର ଭୟ ! ଚାଲ୍ ପରେ ଚାଲ୍‌ ଖେଳୁଛି ବିଜେଡି

ନୂଆ ଚିଠାରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ପଦବୀ ଲାଗି ଆସିଛି ରିଜରଭେସନ୍ ଡ୍ରାଫ୍ଟ ଲିଷ୍ଟ ।

OBC Politics

ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ପଂଚାୟତ ନିର୍ବାଚନ ଲାଗି ପ୍ରକାଶ ପାଇଛି ଆସନ ସଂରକ୍ଷଣ ଚିଠା ତାଲିକା । ହେଲେ ଏହି ପ୍ରସଙ୍ଗକୁ ନେଇ କିନ୍ତୁ ଥମୁନି ରାଜନୀତି । ଓବିସି ଭୋଟ୍ ବ୍ୟାଙ୍କ କାଳେ ହାତଛଡ଼ା ହେବ, ସେଥିପାଇଁ ଦଳୀୟ ଭିତ୍ତିରେ ପ୍ରଥମେ ୨୭ ଓ ପରେ ୪୦ ପ୍ରତିଶତ ସିଟ୍‌ରେ ପଛୁଆ ବର୍ଗ ପ୍ରାର୍ଥୀ ଦେବାକୁ ବିଜେଡି ଘୋଷଣା କରିସାରିଛି । କିନ୍ତୁ ଓବିସିଙ୍କୁ ବିନା ରିଜରଭେସନ୍‌ରେ ନିର୍ବାଚନ ଯୋଜନାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ୍ । ପ୍ରକାଶ ପାଇଥିବା ଆସନ ସଂରକ୍ଷଣର ନୂଆ ଚିଠାରେ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ବ୍ଲକ୍ ଅଧ୍ୟକ୍ଷ ପଦବୀ ଲାଗି ଆସିଛି ରିଜରଭେସନ୍ ଡ୍ରାଫ୍ଟ ଲିଷ୍ଟ ।

ହେଲେ ଏହି ନୂଆ ତାଲିକାରେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦିଆଯାଇଛି । ଜାନୁଆରୀ ୩ ଭିତରେ ଆପତ୍ତି ଅଭିଯୋଗ ଦାଖଲ, ୫ ରେ ତାର ସମାଧାନ କରାଯାଇ ୭ ତାରିଖରେ ଚୂଡାନ୍ତ ତାଲିକା ରାଜ୍ୟ ନିର୍ବାଚନ ଆୟୋଗକୁ ପ୍ରଦାନ କରାଯିବ । ଏହାପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେବ ତାରିଖ । ସେପଟେ ପଛୁଆ ବର୍ଗଙ୍କୁ ସଂରକ୍ଷଣରୁ ବାଦ୍ ଦେଇ ଡ୍ରାଫ୍ଟ ଲିଷ୍ଟ ପ୍ରକାଶ ପାଇବା ପରେ ତେଜିଛି ରାଜନୀତି । ପଂଚାୟତ ନିର୍ବାଚନରେ ସଂରକ୍ଷଣ ସୀମା ୫୦ ପ୍ରତିଶତ ଭିତରେ ରଖାଯିବା ନେଇ ଆଇନ ସଂଶୋଧନ ପୂର୍ବରୁ, ବିଜେଡି ଦଳୀୟ ସ୍ତରରେ ୨୭ ପ୍ରତିଶତ ଆସନରେ ପଛୁଆ ବର୍ଗଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଥିଲା ।

ତେବେ ପରବର୍ତ୍ତୀ ସମୟରେ ପଂଚାୟତ ଓ ପୌର ନିର୍ବାଚନରେ ପଛୁଆ ବର୍ଗରୁ ୪୦ ପ୍ରତିଶତ ପ୍ରାର୍ଥୀ ଦିଆଯିବ ବୋଲି ଘୋଷଣା କରିଛି । ପ୍ରଶ୍ନ ଉଠୁଛି କାହିଁକି ପଛୁଆ ବର୍ଗ ସଂରକ୍ଷଣ ପ୍ରସଙ୍ଗରେ ବାରମ୍ବାର ଆଭିମୁଖ୍ୟ ବଦଳାଯାଉଛି ବିଜେଡି ? ଆଇନଗତ ଭାବେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ଦିଆଯାଇ ପାରିନଥିବାରୁ କାଳେ ଏହି ବର୍ଗ ବିଜେଡି ବିରୋଧୀ ହେବ, ସେଥିପାଇଁ ଏହି ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ ।

 

ସେପଟେ ପଛୁଆ ବର୍ଗଙ୍କୁ ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ଟ୍ରିପଲ୍ ଟେଷ୍ଟ ସଂପର୍କିତ ରାୟ ଉପରେ ମଧ୍ୟପ୍ରଦେଶ ସରକାର ରିଭ୍ୟୁ ପିଟିସନ୍ ଫାଇଲ୍ କରିଛନ୍ତି । କେନ୍ଦ୍ର ସରକାର ମଧ୍ୟ ତାଙ୍କ ପିଟିସନ୍ କୋର୍ଟରେ ଦାଖଲ କରିଛନ୍ତି । ସର୍ବୋଚ୍ଚ କୋର୍ଟଙ୍କ ରାୟ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ରାୟ ଯାହା ବି ଆସୁ ତାହା ଓଡ଼ିଶା ପଂଚାୟତ ନିର୍ବାଚନକୁ ପ୍ରଭାବିତ କରିବ ନାହିଁ ବୋଲି ଆଇନ ବିଶେଷଜ୍ଞ କହିଛନ୍ତି । କାରଣ ହାଇକୋର୍ଟରେ ରାଜ୍ୟ ସରକାର ନିଜ ଆଡୁ ସତ୍ୟପାଠ ଦାଖଲ କରି ନୂଆ ସଂରକ୍ଷଣ ତାଲିକା ପ୍ରସ୍ତୁତ କରିବେ ବୋଲି ଜଣାଇଛନ୍ତି ।