Padmapur Bypoll
ଭୋଟ୍ ଦେଲେ । ନେତା ବାଛିଲେ । ପଦ୍ମପୁର ଉପନିର୍ବାଚନ ରେ ମତଦାନ ପାଇଁ ସତେ ଯେମିତି ପୁରା ଉତ୍କଣ୍ଠାରେ ଥିଲେ ଜନତା ଜନାର୍ଦ୍ଦନ । ଦିବ୍ୟାଙ୍ଗ, ମହିଳା, ବୟସ୍କ ଓ ଯୁବ ଭୋଟର, କେହି ହାତଛଡ଼ା କରିନଥିଲେ ନିଜ ସାମ୍ବିଧାନିକ ଅଧିକାର । କେଉଁଠି ଭୋଟରଙ୍କୁ ସ୍ୱାଗତ ଲାଗି ବୁଥ୍ ସଜେଇ ହୋଇଥିଲା ତ ପୁଣି କେଉଁଠି କଡ଼ା ସୁରକ୍ଷାର ପ୍ରତିଶ୍ରୁତି ପାଳନ ସ୍ୱରୂପ ସଶସ୍ତ୍ର ଯବାନ ମୁତୟନ ହୋଇଥିଲେ ।
ଝାରବନ୍ଧ ବୁଥ୍ ସାମ୍ନାରେ ରଙ୍ଗବେରଙ୍ଗର ବେଲୁନ୍ରେ ସଜେଇ ହୋଇଥିଲା ପ୍ରବେଶ ପଥ । ଆଗରେ ଝୋଟି ପଡିଥିଲା-କଳସ ବସିଥିଲା । ସତେ ଯେମିତି ଭୋଟରଙ୍କୁ ହାତଠାରି ଡାକୁଥିଲା ଆଦର୍ଶ ମତଦାନ କେନ୍ଦ୍ର । ବରିକେଲରେ ହ୍ୱିଲ୍ ଚେୟାରରେ ବସି ଭୋଟ୍ ଦେବାକୁ ଆସିଥିଲେ ଦିବ୍ୟାଙ୍ଗ । ଚାଲିପାରୁନଥିଲେ କି କଥା କହିପାରୁ ନଥିଲେ ବି ମନ ପସନ୍ଦର ପ୍ରାର୍ଥୀ ବାଛିବାକୁ ଭୁଲିନଥିଲେ ।
ସେହିପରି ବୁଥ୍ ନମ୍ବର ୨୨୧ ଓ ୨୨୨କୁ କରାଯାଇଥିଲା ପିଙ୍କ୍ ବୁଥ୍ । ଯେଉଁଠି କେବଳ ମହିଳା ଭୋଟରଙ୍କର ଲାଗିଥିଲା ଲମ୍ବା ଲାଇନ୍ । ନୂଆକରି ଭୋଟର ତାଲିକାରେ ସ୍ଥାନ ପାଇଥିବା ମତଦାତା ବି ମତାଧିକାର ସାବ୍ୟସ୍ତ କରିବାର ସୁଯୋଗ ପାଇ ବେଶ୍ ଖୁସି ଅନୁଭବ କରିଥିଲେ । ମାଓ ପ୍ରବଣ ଇଲାକା ହୋଇଥିବାରୁ ବରତୁଣ୍ଡା ବୁଥ୍ରେ ଅପରାହ୍ନ ୪ଟା ଯାଏଁ ଏମିତି ଜଗି ରହିଥିଲେ, ସଶସ୍ତ୍ର ସୁରକ୍ଷା ବାହିନୀ ।
ନିଜ ନିଜ ଅଞ୍ଚଳର ବୁଥ୍ରେ ଧାଡ଼ିରେ ଆସି ମତଦାନ କରିଥିଲେ ତିନି ପ୍ରମୁଖ ଦଳର ପ୍ରାର୍ଥୀ । ବିଜେପି କ୍ୟାଣ୍ଡେଟ୍ ପ୍ରଦୀପ ପୁରୋହିତ ପାଇକମାଳ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ନିଜ ମାଆ ଓ ପତ୍ନୀଙ୍କ ସହ ଆସି ମତଦାନ କରିଥିଲେ । ପଦ୍ମପୁର NACର ରାଜାପଡ଼ା ହାଇସ୍କୁଲର ୨୧୩ ନମ୍ବର ବୁଥରେ ଭୋଟ୍ ଦେଇଥିଲେ ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା । ସେମିତି ପାଇକମାଳ ମାଣ୍ଡୋସିଲ ୧୦୨ ନମ୍ବର ବୁଥରେ କଂଗ୍ରେସ ପ୍ରାର୍ଥୀ ସତ୍ୟ ଭୂଷଣ ସାହୁ ଦେଇଥିଲେ ଭୋଟ୍ । ଅନ୍ୟ ପ୍ରାର୍ଥୀମାନେ ବି ନିଜ ନିଜ ଅଞ୍ଚଳରେ ମତଦାନ ସାବ୍ୟସ୍ତ କରିଛନ୍ତି । ସମସ୍ତଙ୍କ ଆଶା ପଦ୍ମପୁର ଜନତା ସେମାନଙ୍କୁ ନିଶ୍ଚେ ସେବା କରିବାର ସୁଯୋଗ ଦେବେ ।
ପଦ୍ମପୁରରେ ଆଜି ସକାଳ ୭ଟାରେ ମତଦାନ ଆରମ୍ଭ ପୂର୍ବରୁ ମକ୍ ପୋଲିଂ ବେଳେ କିଛି ସ୍ଥାନରେ ଇଭିଏମ୍ରେ ତ୍ରୁଟି ଦେଖାଦେଇଥିଲା । ତେବେ ତୁରନ୍ତ ତାକୁ ସୁଧାରି ଦିଆଯାଇଥିଲା । ୩୧୯ ବୁଥ୍ରେ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ମୋଟ୍ ୧୨୭୬ ଜଣ ପୋଲିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଥିଲା ଓ ୧୨୦ ବୁଥ୍ରେ ୱେବ୍ କାଷ୍ଟିଂ ସହ ୬୬ଟି ବୁଥ୍ରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ହୋଇଥିଲା । ମାଓ ପ୍ରବଣ ଇଲାକା ହୋଇଥିବାରୁ ଅପରାହ୍ନ ୪ଟାରେ ଭୋଟିଂ ଶେଷ ହୋଇଥିଲା । ପଦ୍ମପୁର ବିଧାୟକ ବିଜୟରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ହୋଇଛି, ଆସନ୍ତା ୮ ତାରିଖ ଦିନ ହେବ କାଉଣ୍ଟିଂ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1670248432.jpg)