ପଞ୍ଚମ ପାଳିର ପ୍ରଥମ ୩ ବର୍ଷରେ କେତେ ସଫଳ ନବୀନ ? ସବୁଥିରେ ଫେଲ୍ ମାରିଥିବା ଅଭିଯୋଗ ଆଣି ବର୍ଷିଲେ ବିରୋଧୀ

ପଞ୍ଚମ ପାଳି ଆରମ୍ଭରେ ୫ଟି ଓ ମୋ ସରକାର ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିଥିଲେ ନବୀନ ।

ଶେଷ ହେଲା ନବୀନଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ

ଶେଷ ହେଲା ନବୀନଙ୍କ ପଞ୍ଚମ ପାଳିର ତୃତୀୟ ବର୍ଷ । 5-T, ସ୍ମାର୍ଟ ସ୍କୁଲ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ମିଶନ୍ ଶକ୍ତି ଓ ଧାର୍ମିକ ପୀଠର ସୌନ୍ଦର୍ଯ୍ୟକରଣ ଆଦି ନୂଆ ନୂଆ ଯୋଜନା ଆରମ୍ଭ କରି ଲୋକପ୍ରିୟତା ବଜାୟ ରଖିବାକୁ ଉଦ୍ୟମ କରିଥିଲେ ରାଜ୍ୟ ସରକାର । ତେବେ ବିରାଟ ଚ୍ୟାଲେଞ୍ଜ ଭାବେ ମୁଣ୍ଡ ଟେକିଥିଲା କରୋନା ସଂକ୍ରମଣ । କୋଭିଡ ପରିଚାଳନାରେ ବିଫଳତାକୁ ନେଇ ବିଭିନ୍ନ ମହଲରେ ସମାଲୋଚିତ ହୋଇଥିଲେ । ସରକାର ବିଭିନ୍ନ ଅପରାଧ ମାମଲାରେ ମନ୍ତ୍ରୀମାନଙ୍କ ସଂପୃକ୍ତି ଅଭିଯୋଗ ସରକାରଙ୍କ ଛବିକୁ ମଳିନ କରିଥିଲା । ଏବେ ଶ୍ରୀମନ୍ଦିର କରିଡର ବିବାଦ ସରକାରଙ୍କ ତଣ୍ଟିରେ କଣ୍ଟା ହୋଇଛି । ନିର୍ବାଚନକୁ ଆଉ ଦୁଇ ବର୍ଷ ଥିବା ବେଳେ ଆଗକୁ କି ପଦକ୍ଷେପ ନେଉଛନ୍ତି ନବୀନ ତା ଉପରେ ନଜର ରହିଛି ।

ମେ ୨୯ , ୨୦୧୯ ବିଧାନସଭା ନିର୍ବାଚନରେ ବିଜେଡିର ବୃହତ ବିଜୟ ସହ ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଇନିଂସ ଆରମ୍ଭ କରିଥିଲେ ନବୀନ । ଆଜି ପଞ୍ଚମ ପାଳିର ତୃତୀୟ ବର୍ଷିକୀ । ପଞ୍ଚମ ପାଳି ଆରମ୍ଭରେ ୫ଟି ଓ ମୋ ସରକାର ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିଥିଲେ ନବୀନ । ତେବେ ଆରମ୍ଭରୁ କୋଭିଡ୍ ପରିଚାଳନା ସରକାରଙ୍କ ଟେନସନ ବଢାଇ ଥିଲା । ତେଣେ ଶ୍ରୀମନ୍ଦିର କରିଡର ସମେତ ଲିଙ୍ଗରାଜ, ତାରତାରିଣ ଓ ରାଜ୍ୟର ଅନ୍ୟ ଧାର୍ମିକ ପୀଠଗୁଡିକର ବିକାଶ ଯୋଜନା ହାତକୁ ନେଇଥିଲେ ସରକାର । ସ୍ମାର୍ଟ ସ୍କୁଲ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଓ ମିଶନ ଶକ୍ତିର ସଶକ୍ତିକରଣ ଉପରେ ବି ଗୁରୁତ୍ୱ ଦେଇଥିଲେ ।

ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଜଳସେଚନ, ପାନୀୟ ଜଳ ସମେତ କ୍ରୀଡା କ୍ଷେତ୍ର ପ୍ରତି ବି ସ୍ୱତନ୍ତ୍ର ଫୋକସରେ ରହିଥିଲା । ସହରାଚଂଳରେ ଜାଗା ମିଶନ ଓ ଡ୍ରିଙ୍କ ଫ୍ରମ୍ ଟ୍ୟାପ୍ ଭଳି ବି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଦୁର୍ନୀତି ରୋକିବାକୁ ବି ପଦକ୍ଷେପ ନେବା ସହ ୧୬୪ରୁ ଅଧିକ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିଥିଲେ । ଏସବୁ ଯୋଜନାକୁ ନେଇ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ବିରୋଧୀ କହିଛନ୍ତି ସରକାର ସବୁଥିଲେ ଫେଲ ।

ଏପଟେ ପଞ୍ଚମ ପାଳିର ପ୍ରଥମ ୩ ବର୍ଷରେ ଅନେକ ଘଟଣାକୁ ନେଇ ବିବାଦରେ ରହିଛନ୍ତି ନବୀନ ସରକାର । ସେଗୁଡିକ ମଧ୍ୟରୁ ପ୍ରମୁଖ ହେଉଛି କୋଭିଡ ପରିଚାଳନାରେ ବିଫଳତା, କୋଭିଡ୍ ମୃତ୍ୟୁସଂଖ୍ୟାରେ ତାଳମେଳ ନରହିବା ନେଇ ବି ବିରୋଧୀ-ଶାସକ ଆରୋପ-ପ୍ରତ୍ୟାରୋପ ଲାଗି ରହିଛି । ମାହାଙ୍ଗା ଡବଲ ମର୍ଡର ମମାଲାରେ ମନ୍ତ୍ରୀ ପ୍ରତାପ ଜେନା, ପରି ମୃତ୍ୟୁ ଘଟଣାରେ ମନ୍ତ୍ରୀ ଅରୁଣ ସାହ, ମମିତା ମେହାର ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଏସିଏଫ୍ଓ ସୋମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରରେ ମନ୍ତ୍ରି ବିକ୍ରମ ଆରୁଖଙ୍କ ସଂପୃକ୍ତି ଅଭିଯୋଗ ରାଜନୈତିକ ଝଡ଼ ସୃଷ୍ଟି କରିବା ସହ ସରକାରଙ୍କୁ କାଠଗଡ଼ାରେ ଠିଆ କରାଇଛି ।

ଅନ୍ୟପକ୍ଷରେ ଏବେ ଚାଲିଥିବା ଶ୍ରୀମନ୍ଦିର କରିଡର ବିବାଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ୨୦୨୪ ସାଧାରଣ ନିର୍ବାଚନକୁ ହାତରେ ଆଉ ଦୁଇ ବର୍ଷ । ତେବେ ପ୍ରତିଶ୍ରୁତି ବର୍ଷା କରି ଭୋଟରଙ୍କୁ ମନାଇବାରେ ମାହିର ବିଜେଡି, ଆଗକୁ କି ଭେଳିକି ଦେଖାଉଛି ତାଉପରେ ନଜର ।