Dhinkia people hiding in fear of the police
ପୋଲିସ୍ ବନାମ ଜନତା, କମ୍ପାନୀ ବନାମ ମା’ ମାଟି। ଶିଳ୍ପ ପ୍ରକଳ୍ପକୁ ବିରୋଧ କରି ଜଗତସିଂହପୁର ଢିଙ୍କିଆ ଅଞ୍ଚଳରେ ପୁଣି ତେଜିଛି ଆନ୍ଦୋଳନ। ମୁହାଁମୁହିଁ ହୋଇଛନ୍ତି ପୋଲିସ୍ ଓ ପବ୍ଲିକ୍। ଏ ଦୃଶ୍ୟ ଦେଖିବାକୁ ମିଳିଥିଲା ଗତ ଜାନୁୟାରୀ ୧୪ ତାରିଖରେ। ଆନ୍ଦୋଳନକାରୀଙ୍କ ଉପରେ ଲାଠି ବର୍ଷା କରୁଥିଲା ପୋଲିସ। ଏବେ ଉତ୍ତେଜନା ସାମାନ୍ୟ ଥଣ୍ଡା ପଡିଛି। ତେବେ ଲୋକଙ୍କ ମନରୁ ଯାଇନି ଏ ଘଟଣା। ଗତ ୧୪ ତାରିଖରେ ପୋଲିସର ଲାଠି ମାଡ ପରଠୁ କେଉଁ ଆଡେ ଚାଲିଯାଇଛନ୍ତି ଢିଙ୍କିଆ ଗାଁର ସକୁନ୍ତଳା ସାମଲଙ୍କ ସ୍ୱାମୀ। ସେହିଦିନଠୁ ଗାଁର ଅନେକ ଲୋକଙ୍କ ଘରେ ତାଲା, ଅନେକଙ୍କ ଘରେ ଏଯାଏଁ ଚୁଲି ମଧ୍ୟ ଜଳିନି।
ପୋଲିସ୍ ଭୟରେ ଅନେକ ଲୋକ ଏବେ ବି ଜଙ୍ଗଲରେ ଲୁଚିଛନ୍ତି। ସେମାନଙ୍କୁ ଭେଟିବା ପାଇଁ ପାଣି କାଦୁଆରେ ପଶି ଆମେ ପ୍ରତିନିଧି ସେଠାରେ ପହଞ୍ଚିଥିଲେ। ତାଙ୍କ ସହ କଥା ହେବା ପରେ ସେମାନଙ୍କ ଅନେକ ଦୁଃଖ ସାମ୍ନାକୁ ଆସିଛି।
ଲୋକଙ୍କୁ ସେମାନଙ୍କ ଦୁଃଖ ପଚାରିଲେ ସେମାନଙ୍କ ମୁହଁରୁ କୋହ ବାହାରୁଛି। ଗ୍ରାମବାସୀଙ୍କ ଭାତହାଣ୍ଡି କୁହାଯାଉଥିବା ପାନ ବରଜକୁ ଜୋର ଜବରଦସ୍ତ ଭାଙ୍ଗିଦିଆଯାଇଛି। ଏ ବାବଦ ସେମାନଙ୍କୁ ଦିଆଯାଇନି କୌଣସି କ୍ଷତିପୂରଣ। ତେବେ ସରକାର ତରଫରୁ ଜମି ବାବଦକୁ ମାତ୍ର ୨ କି ୩ ଲକ୍ଷ ଦିଆଯାଉଥିବା ବେଳେ ଏହାକୁ ଗ୍ରହଣ କରୁ ନାହାନ୍ତି ଗ୍ରାମବାସୀ। ବରଜରୁ ମାସକୁ ୪୦ ରୁ ୫୦ ହଜାର ରୋଜଗାର ହେଉଥିବା ବେଳେ ସରକାରଙ୍କ ଏହି ନାମମାତ୍ର ସହଯୋଗକୁ ସେମାନେ ନେଇ କ’ଣ କରିବେ ବୋଲି ଖୋଲାଖୋଲି କହିଛନ୍ତି। କୌଣସୀ ପ୍ରାର୍ଥୀ ସେମାନଙ୍କ ଦୁଃଖ ନ ଶୁଣିଥିବାରୁ ସେମାନେ ଭୋଟ୍ ଦେବାକୁ ମନା କରି ଦେଇଛନ୍ତି।
ସେହିପରି ଦେଖାଦେଇଛି ପୋଲିସ ଓ ପ୍ରଶାସନିକ ଆଉ ଏକ ଭୟଙ୍କର ଚିତ୍ର। ପେଟ ପୋଷିବାର ଏକମାତ୍ର ଆଶ୍ରା ପାନ ବରଜକୁ ଭାଙ୍ଗି ଦେଉଛନ୍ତି। ଏହି ବ୍ୟକ୍ତି କୋହଭରା କଣ୍ଠରେ କହିଛନ୍ତି ଯେ କିଛି ସମୟ ପରେ ପ୍ରଶାସନ ଏସବୁ ଭାଙ୍ଗି ଦେବ। ତେଣୁ ତା’ ପୂର୍ବରୁ ନିଜେ ଭାଙ୍ଗି ଦେବା ଭଲ। ପାନ, କାଜୁ ଏବଂ କିଆଫୁଲ ବିକି ଢିଙ୍କିଆବାସୀ ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ବର୍ଷକୁ ଏ ସବୁରୁ ୨ରୁ ୩ ଲକ୍ଷ ଯାଏଁ ଆମଦାନୀ ହୋଇଯାଏ। ମାତ୍ର କ୍ଷତିପୂରଣ ବାବଦକୁ ପ୍ରଶାସନ ଏକକାଳୀନ ଦେଉଛି ମାତ୍ର ୫୦ ହଜାରରୁ ଲକ୍ଷେ ଟଙ୍କା। ତେଣୁ ସେମାନଙ୍କ ଭବିଷ୍ୟତ କ’ଣ ବୋଲି ଲୋକେ ପ୍ରଶ୍ନ ଉଠାଇଛନ୍ତି। ତେବେ କିଛି ଲୋକ ଶିଳ୍ପକୁ ସ୍ୱାଗତ କରିଛନ୍ତି, ମାତ୍ର ପ୍ରତିଶ୍ରୁତି ମୁତାବକ କ୍ଷତିପୂରଣ ନ ମିଳିଲେ ଆନ୍ଦୋଳନ ହେବ ବୋଲି ଚେତାବନି ଦେଇଛନ୍ତି।
ଜେଏସ୍ଡବ୍ଲୁ ପ୍ରକଳ୍ପକୁ ନେଇ ଢିଙ୍କିଆରେ ମୁଣ୍ଡ ଟେକିଥିବା ଶିଳ୍ପ ବିରୋଧୀ ଆନ୍ଦୋଳନ ପକ୍ସୋ ବିବାଦର ଚିତ୍ର ତାଜା କରିଛି। ଆଗକୁ ପ୍ରଶାସନ ଓ ଢିଙ୍କିଆବାସୀଙ୍କ ଆଭିମୁଖ୍ୟ କ’ଣ ରହୁଛି ତା’ ଉପରେ ଶିଳ୍ପ ପ୍ରକଳ୍ପର ଭବିଷ୍ୟତ ନିର୍ଭର କରିବ।
(ରିପୋର୍ଟ: ଢିଙ୍କିଆରୁ ରମାକାନ୍ତ ନାୟକ ଓ ସ୍ୱାଧୀନ ରାଉତ)
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1644249227.jpg)