ରାଜ୍ୟ ସରକାରଙ୍କୁ ଘାରିଛି ଜେଏସ୍ଡବ୍ଲୁ ପ୍ରୀତି। କମ୍ପାନୀ ପାଇଁ ଅହେତୁକ ଦରଦ ଦେଖାଇ ଚାଲିଛନ୍ତି ରାଜ୍ୟ ସରକାର । ପ୍ରସ୍ତାବିତ ଶିଳ୍ପ ପାଇଁ ନିରୀହ ଜନତାଙ୍କ ଉପରେ ଚଲାଇଛନ୍ତି ଜୁଲମ୍। ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅତ୍ୟାବଶ୍ୟକ ସାମଗ୍ରୀ ଦିଆଯାଉ ନଥିବା ଅଭିଯୋଗ ଆଣି କ୍ଷୋଭ ପ୍ରକାଶ କରିଛନ୍ତି ପୋଲିସ ମାଡ଼ରେ ପୀଡ଼ିତ ବ୍ୟକ୍ତି। କୌଣସି ବିଧିବଦ୍ଧ ପ୍ରକ୍ରିୟା ନ କରାଯାଇ କେଉଁଠି JSWର ପ୍ରସ୍ତାବିତ ଶିଳ୍ପ ପାଇଁ କାହା ପାନବରଜ ଭାଙ୍ଗି ଦିଆଗଲାଣି ତ ଆଉ କେଉଁଠି କାହା ପିଠିରେ ଲାଠିମାଡ଼ କଲାଣି ପୋଲିସ।
ପୋଲିସ୍ ଭୟରେ ଜଗତସିଂହପୁର ଜିଲ୍ଲାର ଢିଙ୍କିଆବାସୀ ଏବେ ବି ଘର ଛାଡି କିଛି ଦୂରରେ ଲୁଚିକି ରହୁଛନ୍ତି। ପୋଲିସ୍ ମଧ୍ୟ ସେମାନଙ୍କ ନାଁରେ କିଛି ମିଛ ମାମଲା ଛନ୍ଦିଦେଇଛି। ଗାଁ ଭିତରେ ପୋଲିସ୍ ବୁଲୁଛି। ଯେତେବେଳେ ଗାଁରେ ପୋଲିସ୍ ନ ରହୁଛି ସେତେବେଳେ ଗାଁଲୋକେ କେବଳ ଖାଇବା ପାଇଁ ଘରକୁ ଆସୁଛନ୍ତି। ପରିବାର ବିଚ୍ଛିନ୍ନ ହୋଇଯାଇଛନ୍ତି କିଏ କେଉଁଠି ରହୁଛି ତା’ର ଠିକ ଠିକଣା ନାହିଁ। ଜଣେ ମହିଳା ଓଟିଭି ସାମ୍ନାରେ କାନ୍ଦି କାନ୍ଦି ତାଙ୍କ ଦୁଃଖ ଜଣେଇ କହିଛନ୍ତି ଯେ “କିଛିଦିନ ହେଲା ମୋ ଆସାମୀ(ସ୍ୱାମୀ) କୁଆଡେ ଯାଇଛି ମୁଁ ତାକୁ ଖୋଜି ଖୋଜି ପାଉନି।” ଘରେ ଭାତ ବାଢି ଖାଇ ବସିଛନ୍ତି କି ନାଇଁ ପୋଲିସ୍ ସୂଚନା ପାଇଁ ଗାଁରେ ପହଞ୍ଚି ଯାଉଛି। ପୋଲିସ୍ ଭୟରେ ଗ୍ରାମବାସୀ ଭାତ ଥାଳି ଛାଡି ପୁଣି ଲୁଛିଥିବା ଜାଗାକୁ ଚାଲିଯାଉଥିବା କାନ୍ଦି କାନ୍ଦି କୁହନ୍ତି ଗ୍ରାମବାସୀ। ଏବେ ପଞ୍ଚାୟତ ନିର୍ବାଚନ ଆସିଥିଲେ ମଧ୍ୟ ଗ୍ରାମବାସୀଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି।
Also Read
ଗାଁରେ ଅନେକ ଘର ଅଛି ଯେଉଁଠି ଦୀର୍ଘଦିନ ହେବ ପଡିଛି ତାଲା। ଏହି ଗାଁରେ ରହୁଥିବା ଶାନ୍ତି ଦାସଙ୍କ ଘରେ ମଧ୍ୟ ପଡିଛି ତାଲା। କୁହାଯାଏ ଯେ କମ୍ପାନୀ ବିରୋଧରେ ଯେଉଁ ଆନ୍ଦୋଳନ ଚାଲିଛି ଶାନ୍ତି ଦାସ ତା’ର ନେତୃତ୍ୱ ନେଉଥିଲେ। କମ୍ପାନୀ ବିପକ୍ଷରେ ଲଢୁଥିଲେ। ଏବେ ନିର୍ବାଚନ ସମୟ ପାଖେଇ ଆସିଥିଲେ ମଧ୍ୟ ଗ୍ରାମବାସୀ ପୋଲିସ୍ ଭୟରେ ଲୁଚି ରହୁଥିବାରୁ ହୁଏତ ସେମାନଙ୍କ ମତଦାନ ନ କରିପାରନ୍ତି।
ଲୋକଙ୍କୁ ସେମାନଙ୍କ ଦୁଃଖ ପଚାରିଲେ ସେମାନଙ୍କ ମୁହଁରୁ କୋହ ବାହାରୁଛି। ଅଭିଯୋଗ ହେଉଛି, ଗ୍ରାମବାସୀଙ୍କ ଭାତହାଣ୍ଡି କୁହାଯାଉଥିବା ପାନ ବରଜକୁ ଜୋର ଜବରଦସ୍ତ ଭାଙ୍ଗି ଦିଆଯାଇଛି। ଏ ବାବଦ ସେମାନଙ୍କୁ ଦିଆଯାଇନି କୌଣସି କ୍ଷତିପୂରଣ। ତେବେ ସରକାରଙ୍କ ତରଫରୁ ଜମି ବାବଦକୁ ମାତ୍ର ୨ କି ୩ ଲକ୍ଷ ଦିଆଯାଉଥିବା ବେଳେ ଏହାରୁ ଗ୍ରହଣ କରୁ ନାହାନ୍ତି ଗ୍ରାମବାସୀ। ବରଜରୁ ମାସକୁ ୪୦ ରୁ ୫୦ ହଜାର ରୋଜଗାର ହେଉଥିବା ବେଳେ ସରକାରଙ୍କ ଏହି ନାମମାତ୍ର ସହଯୋଗକୁ ସେମାନେ ନେଇ କ’ଣ କରିବେ ବୋଲି ଖୋଲାଖୋଲି କହିଛନ୍ତି। କୌଣସି ପ୍ରାର୍ଥୀ ସେମାନଙ୍କ ଦୁଃଖ ଶୁଣୁନଥିବାରୁ ସେମାନେ ଭୋଟ୍ ଦେବାକୁ ମନା କରି ଦେଇଛନ୍ତି।
ଗାଁରୁ ଲୋକେ ଜଙ୍ଗଲୀ ରାସ୍ତାରେ ଚାଲି ଚାଲି ପାଣି କାଦୁଅରେ ପଶି ଗ୍ରାମରୁ ଦୂର ନିଛାଟିଆ ଜାଗାର ଏକ କିଆ ବଣରେ ରହୁଛନ୍ତି। ପୋଲିସ୍ କାଳେ ମାଡ ମାରିବ, ସେମାନଙ୍କୁ କାଳେ ଉଠେଇ ନେବ ସେହି ଭୟରେ ସେମାନେ ଏଠାରେ ଲୁଚିଛନ୍ତି। ଯେଉଁମାନେ କମ୍ପାନୀକୁ ପାନ ବରଜ ଦେଉନାହାନ୍ତି ପୋଲିସ୍ ସେମାନଙ୍କ ପରିବାରରୁ କାହାକୁ ଉଠେଇ ନେଇ ମୁଣ୍ଡ ଜାମିନ୍ ରଖି ପାନ ବରଜ ମାଗୁଛି। ନଦେଲେ ମିଛ କେସ୍ ଲଗେଇ ଜେଲକୁ ପଠେଇଦେବ ବୋଲି ଧମକ ମଧ୍ୟ ଦେଉଛି ବୋଲି ଗାଁ ଲୋକେ ତାଙ୍କର ଏହି ଦୁଃଖକୁ ଓଟିଭି ଆଗରେ ବଖାଣିଛନ୍ତି।
ପାଖାପାଖି ୨୦ ଦିନରୁ ଅଧିକ ହେବ ଗ୍ରାମବାସୀ ଏମିତି ଲୁଚି ରହୁଥିବା ବେଳେ କିଏ କାହାକୁ ପିଲାଛୁଆଙ୍କୁ ଦେଖିନି ତ କିଏ କାହା ସ୍ୱାମୀ ବା ସ୍ତ୍ରୀକୁ ଦେଖିନି। ଖାଇବାରେ ବି ଅନେକ ଅସୁବିଧା ଲୁଚିଛପି କିଏ ଯଦି କେତେବେଳେ କ’ଣ ଦି’ଟା ଆଣି ଦଉଛି ତାକୁ ଖାଇ ସେମାନେ ରହୁଛନ୍ତି। ଅନେକ ସମୟରେ ସେମାନଙ୍କୁ ଉପାସ ମଧ୍ୟ ରହିବାକୁ ପଡୁଥିବା କାନ୍ଦି କାନ୍ଦି କୁହନ୍ତି ସେମାନେ।
ଏତେ ଦୁଃଖ ଭିତରେ ଭୋକ ଉପାସରେ ଜଙ୍ଗଲରେ ଏତେ ଦିନ ଧରି ରହୁଥିଲେ ବି ନା ସରକାର ନା ପ୍ରଶାସନ କେହି ବି ସେମାନଙ୍କ ଦୁଃଖ ଶୁଣୁ ନଥିବା ଗଣମାଧ୍ୟମରେ ଆଗରେ ସେମାନେ ପ୍ରକାଶ କରିଛନ୍ତି। ଓଲଟା ରାତି ଅଧରେ ପୋଲିସ୍ ଯଦି କାହାକୁ ଘର ଭିତରେ ପାଉଛି ଜୋର ଜବରଦସ୍ତ ଦସ୍ତଖତ ମାଗୁଛି, ନହେଲେ ଗଞ୍ଜେଇ କିମ୍ବା ବ୍ରାଉନ୍ସୁଗାର କେସ୍ରେ ଫସେଇ ଦେବୁ ବୋଲି ଧମକ ଦେଉଛି।
ପାନ-ଧାନ-ମୀନ ଯେଉଁମାନଙ୍କ ଜୀବନ ତାକୁ ସେମାନେ ଛାଡି କେମିତି ବା ବଞ୍ଚିବେ। ସରକାରଙ୍କ ଅନୁଦାନ ସମୁଦ୍ରକୁ ଶଙ୍ଖେ ହୋଇଥିବା ବେଳେ କେଇଟା ଦିନ ବା ସେମାନେ ଏଥିରେ ଚଳିବେ। କମ୍ପାନୀର ଦାଦାଗିରିରେ ପାନ ବରଜ ଚାଲିଗଲେ କେମିତି ରହିବେ, କ’ଣ ଖାଇବେ, ଟଙ୍କା ଆଉ କୋଉଠୁ ଆଣିବେ ଏମିତି କୁହନ୍ତି ବରଜରେ କାମ କରୁଥିବା ମଜୁରିଆମାନେ। ତେବେ ଆଗକୁ ନିର୍ବାଚନ ଥିବାରୁ ନେତା, ମନ୍ତ୍ରୀ କିମ୍ବା ସମିତି ସଭ୍ୟମାନେ ସେମାନଙ୍କ ଦୁଃଖ ଶୁଣିବେ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି।
(ରିପୋର୍ଟ: ଢିଙ୍କିଆରୁ ସ୍ୱାଧୀନ ରାଉତ)