ବିଜେପିରେ ବ୍ରଜରାଜନଗର କମ୍ପନ : ଆତ୍ମଘାତୀ କାର୍ଯ୍ୟ ନେଇ ସନ୍ଦେହ କଲେ ଦଳର ବରିଷ୍ଠ ନେତା

ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି, ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅର୍ଥବଳରେ ବିଜେଡି କିଣିଛି ।

ଶୋଚନୀୟ ପରାଜୟ ପଛରେ ଦଳୀୟ ଆତ୍ମଘାତୀ ଆଡ଼କୁ ଇଙ୍ଗିତ କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ

ମୈଦାନକୁ ଗଲେନି ବିଜେଡ଼ି ସୁପ୍ରିମୋ । ଗଡ଼ ଜଗିଲେ ଦଳର ମାଳ ମାଳ ନେତା ଆଉ ମନ୍ତ୍ରୀ । କାମ ଦେଲା ବିଜେଡ଼ିର ମାଇକ୍ରୋ ମ୍ୟାନେଜମେଣ୍ଟ । ଆଉ ତାପରେ ବ୍ରଜରାଜନଗରର ବାଜିଗର ବନିଲା ବିଜେଡି । ସ୍ୱାମୀ କିଶୋର ମହାନ୍ତିଙ୍କ ୧୯ ନିର୍ବାଚନର ରେକର୍ଡ ଭାଙ୍ଗିଲେ ଧର୍ମପତ୍ନୀ ଅଳକା ମହାନ୍ତି । ତେବେ ବିଜୟ ଧାରା ବଜାୟ ରଖି ଆସୁଥିବା ବିଜେଡ଼ିର ବାଜିମାତ୍‌ ନେଇ ବର୍ତ୍ତମାନ ଯେତିକି ଚର୍ଚ୍ଚା ନୁହଁ, ତାଠୁ ଅଧିକ ଚର୍ଚ୍ଚା ବିଜେପିର ପରାଜୟ ।

କାରଣ ଅମାନତ ଉଡ଼ିଲା, କଂଗ୍ରେସଠୁ ୫ହଜାର ୨ଶହ କମ୍ ଭୋଟ ପାଇ ଦଳ ତଳକୁ ଖସିଲା । ଏଭଳି ଶୋଚନୀୟ ପରାଜୟ ପଛରେ ଦଳୀୟ ଆତ୍ମଘାତୀ ଆଡ଼କୁ ଇଙ୍ଗିତ କରିଛନ୍ତି ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତ । ତେବେ ବରିଷ୍ଠ ବିଜେପି ନେତା ମୋହନ ମାଝୀ କିନ୍ତୁ ପରିଚାଳନାଗତ ତ୍ରୁଟିକୁ ଦାୟୀ କରିବା ସହ କହିଛନ୍ତି ୨୦୨୪ ନିର୍ବାଚନ ଉପରେ ଏ ଉପନିର୍ବାଚନ ଫଳର କୌଣସି ପ୍ରଭାବ ପକାଇବ ନାହିଁ ।

ଦଳର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ ବିଜେପି ନେତା ପ୍ରଦୀପ ପୁରୋହିତ ଆହୁରି କହିଛନ୍ତି, ବ୍ରଜରାଜନଗରରେ କଂଗ୍ରେସ ପ୍ରାର୍ଥୀଙ୍କୁ ଅର୍ଥବଳରେ ବିଜେଡି କିଣିଛି । ତେବେ କଂଗ୍ରେସକୁ ବିଜେଡିର ଫଣ୍ଡିଂ ନେଇ ବିଜେପିର ଅଭିଯୋଗ ଉପରେ ଉତ୍ତର ରଖିଛ ବରିଷ୍ଠ ବିଜେଡ଼ି ନେତା ସମୀର ଦାଶ । କହିଛନ୍ତି, କଥା କହିବାକୁ ପଇସା ପଡେନି । ନିଜ କଥାକୁ ନିଜେ ରକ୍ଷାକରିବା ପାଇଁ କିଛି ତ କହିବାକୁ ପଡେ ।

ଅପରପକ୍ଷେ ବ୍ରଜରାଜନଗର ଉପ ନିର୍ବାଚନ ରେଜଲ୍ଟ ଉତ୍ସାହିତ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ବିଜେଡ଼ି ଓ ବିଜେପିର ବିକଳ୍ପ ହେବାକୁ ଯାଇଛି । ତାସହ ପ୍ରଦୀପ ପୁରୋହିତଙ୍କ ଫଣ୍ଡିଂ ଅଭିଯୋଗ ପ୍ରସଙ୍ଗରେ ଶରତ କହିଛନ୍ତି, ଯଦି କେହି ଜଣେ ବି କଂଗ୍ରେସ କର୍ମୀଙ୍କୁ ବିଜେଡ଼ି ବାଲା କିଛି ଦେଇଥିବେ, ପ୍ରମାଣିତ କରିଦେଲେ ମୁଁ ତାଙ୍କୁ ତୁରନ୍ତ ନିଲମ୍ବନ କରିବି ।

ପିପିଲି ହେଉ କି ବିଜେପୁର ଉପ ନିର୍ବାଚନ, ପଞ୍ଚାୟତ ହେଉ କି ପୌର ନିର୍ବାଚନ । ସବୁଥିରେ ନୈରାଶ୍ୟଜନକ ପ୍ରଦର୍ଶନ କରି ଆସୁଥିବା ମୁଖ୍ୟ ବିରୋଧୀ ଦଳ ବିଜେପିକୁ ବ୍ରଜରାଜନଗରରେ ବି ନିରାଶ ହେବାକୁ ପଡ଼ିଛି । ତେଣେ ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସର ମଙ୍ଗ ଧରୁ ଧରୁ ବ୍ରଜରାଜନଗରରେ ବିଜେପିକୁ ପଛକୁ ଠେଲି ଦେଇଛନ୍ତି । ଏଭଳି ସ୍ଥିତିରେ ଉଭୟ ଦଳ ଆଗାମୀ ୨୦୨୪ ନିର୍ବାଚନ ପାଇଁ କେମିତି ଅଣ୍ଟାଭିଡୁଛନ୍ତି ତାଉପରେ ନଜର ।

ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ସହ ହରିହର ଚାନ୍ଦଙ୍କ ରିପୋର୍ଟ