ଭାରତରେ ନାରୀମାନଙ୍କ ବହୁପତି ଗ୍ରହଣ ଅଧିକାର

ଭାରତରେ ବହୁପତି ବା ବହୁପତ୍ନୀ ଗ୍ରହଣକୁ ବାରଣ କରାଯାଉଥିଲେ ବି ଅନେକ ଜାଗାରେ ଏହା ଏବେ ବି ଦେଖାଯାଏ। ଏମିତି ଅନେକ ସ୍ଥାନ ଅଛି ଯେଉଁଠି ମହିଳାମାନେ ଏକାଧିକ ପୁରୁଷଙ୍କୁ ବିବାହ କରନ୍ତି। ଆସନ୍ତୁ ଏ ବିଷୟରେ ନଜର ପକେଇବା।

ଭାରତରେ ନାରୀମାନଙ୍କ ବହୁପତି ଗ୍ରହଣ ଅଧିକାର

ଏମାନେ ନିଜକୁ ପାଣ୍ଡବମାନଙ୍କ ବ°ଶଧର ବୋଲି ଭାବନ୍ତି। ତେଣୁ ପଞ୍ଚୁପାଣ୍ଡବଙ୍କ ପତ୍ନୀ ଦ୍ରୌପଦୀଙ୍କୁ ନିଜ ଆଦର୍ଶ ଭାବେ ଗ୍ରହଣ କରି ବହୁପତି ପ୍ରଥା(polyandry)କୁ ଏକ ପରମ୍ପରା ଭାବେ ପିଢ଼ି ପରେ ପିଢ଼ି ପାଳନକରି ଆସୁଛନ୍ତି ଏମାନେ। ସମ୍ପୃକ୍ତ ସମାଜର ପ୍ରଥା ଅନୁସାରେ, ସାଧାରଣତଃ ଗୋଟିଏ ପରିବାରର ଏକାଧିକ ଭାଇ ଜଣେ ହିଁ ପତ୍ନୀଙ୍କୁ ବିବାହ କରିଥାନ୍ତି। ଏହି ପ୍ରଥାକୁ ଏଠାରେ ‘ଯୋଡିଦାର’ ବା ‘ଦ୍ରୌପଦୀ ପ୍ରଥା’ ବୋଲି କୁହାଯାଇଥାଏ।

ସବୁଠାରୁ ବଡ଼ କଥା ହେଲା, ଏଠାକାର ମହିଳାମାନଙ୍କର ମଧ୍ୟ ଏ ପ୍ରଥାକୁ ନେଇ ସାଧାରଣତଃ କୌଣସି ଆପତ୍ତି-ଅଭିଯୋଗ ନ ଥାଏ। ବରଂ ସେମାନେ ଏକାଧିକ ପତିଙ୍କ ସହ ଏକ ସୁଖମୟ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଜୀବନଯାପନ କରିଥାନ୍ତି। ତା' ଛଡ଼ା ‘ଯୋଡ଼ିଦାର’ ପ୍ରଥାରେ ରହୁଥିବା ଏକ ପରିବାରରେ ଜଣେ ମହିଳା ପରିବାରର ନିର୍ବିବାଦୀୟ କର୍ତ୍ତ୍ରୀ ହୋଇଥାନ୍ତି। ଆଉ ସବୁ ଭାଇ ମିଶି ପତ୍ନୀଙ୍କୁ ଘରଠୁ ବାହାର ଯାଏଁ ସବୁ କାମରେ ସାହାଯ୍ୟ କରିଥାନ୍ତି।

ଯେଉଁମାନଙ୍କର କଥା ଏଠାରେ କୁହାଯାଉଛି ସେମାନେ ହେଲେ ହିମାଚଳ ପ୍ରଦେଶରେ ବାସ କରୁଥିବା ହାଟ୍ଟି ସମ୍ପ୍ରଦାୟର ଲୋକେ (ନିଜ ଘରେ ପ୍ରସ୍ତୁତ କରିଥିବା ଉଲ୍ କିମ୍ବା ମା°ସ ଅବା ନିଜ କ୍ଷେତବାଡିରେ ଅମଳ ହୋଇଥିବା ଫସଲ ଇତ୍ୟାଦିକୁ ଏମାନେ ଜୀବିକା ପାଇଁ ହାଟରେ ବିକ୍ରି କରୁଥିବାରୁ ପରମ୍ପରାଗତ ଭାବେ ଏମାନଙ୍କୁ ହାଟ୍ଟି ବୋଲି କୁହାଯାଇଥାଏ)।

ଏହି ସମ୍ପ୍ରଦାୟ ଅନ୍ତର୍ଗତ ଯେକୌଣସି ଗୋଟିଏ ପରିବାରରେ ଥିବା ଭାଇମାନେ ସାଧାରଣତଃ ଜଣେ ହିଁ ପତ୍ନୀ ଗ୍ରହଣ କରିଥାନ୍ତି। ଆଉ ଏହି ବିବାହ ଉଭୟ ପକ୍ଷର ପରିବାର ପକ୍ଷରୁ ହିଁ ନିଶ୍ଚିତ କରାଯାଇଥାଏ। ବିବାହ ପୂର୍ବରୁ ଅବଶ୍ୟ ସମ୍ପୃକ୍ତ ମହିଳା ଜଣଙ୍କୁ ଏନେଇ ଅବଗତ କରାଇ ଦିଆଯାଇଥାଏ ଯେ, ଯେଉଁ ପରିବାରରେ ତାଙ୍କର ବିବାହ ହେବାକୁ ଯାଉଛି ସେଥିରେ କେତେ ଜଣ ଭାଇ ଅଛନ୍ତି ଓ ସେମାନଙ୍କ ବୃତ୍ତି କ'ଣ।

ଖାଲି ସେତିକି ନୁହେଁ, ବିବାହକୁ ନେଇ ବିଧିବଦ୍ଧଭାବେ ମହିଳାଙ୍କ ସମ୍ମତି ମଧ୍ୟ ନିଆଯାଇଥାଏ। ବିବାହ ପରେ ଜଣେ ସ୍ୱାମୀ ଯଦି ବାହାରକୁ କାମ କିମ୍ବା ଚାକିରି କରିବାକୁ ଯା'ନ୍ତି ଅନ୍ୟ ଜଣେ ଘରେ ରହି ଜମିବାଡ଼ି କଥା ବୁଝନ୍ତି। ଅବା ବେଳ ଅବେଳରେ ପତ୍ନୀଙ୍କୁ ଘରକାମରେ ସାହାଯ୍ୟ କରନ୍ତି। ପୁଣି ଅନ୍ୟ ଜଣେ ସ୍ୱାମୀ ପିଲାର ଯତ୍ନ ନିଅନ୍ତି ଅବା ପତ୍ନୀଙ୍କୁ ସେ କାମରେ ସହଯୋଗ କରନ୍ତି।

ସମୟ ସହ ଧୀରେ ଧୀରେ ହାଟ୍ଟି ସମ୍ପ୍ରଦାୟ ମଧ୍ୟରେ ‘ଯୋଡିଦାର’ ପ୍ରଥା କିଛିଟା କୋହଳ ପଡ଼ି ଆସିଲାଣି। କିନ୍ତୁ ପୂରାପୂରି ଲୋପ ପାଇ ନାହିଁ। ନୂଆ ପିଢ଼ିର ବହୁ ସଂଖ୍ୟକ ଯୁବକ ଯୁବତୀ ମାନେ ମଧ୍ୟ ଏହି ପ୍ରଥାର ସମର୍ଥନ କରିଥାନ୍ତି। ତେବେ ହାଟ୍ଟିମାନଙ୍କ ମଧ୍ୟରେ ବହୁପତି ପ୍ରଥାର ପ୍ରଚଳନ ପଛରେ କାରଣ କ'ଣ ରହିଛି!

ମୁଖ୍ୟତଃ ଦାରିଦ୍ର୍ୟ ଏ ପ୍ରଥା ପାଇଁ ଦାୟୀ ବୋଲି ଅନେକ ମତ ଦିଅନ୍ତି। କାରଣ ପାହାଡିଆ ଅଞ୍ଚଳରେ ବାସ କରୁଥିବାରୁ ଏ ସମ୍ପ୍ରଦାୟର ଅଧିକାଂଶ ପରିବାରର ଅଧିକାରରେ ସ୍ୱଳ୍ପ ପରିମାଣର ଜମି ଥାଏ। ତେଣୁ ଗୋଟିଏ ପରିବାରର ସବୁ ଭାଇଙ୍କ ବିବାହ ଜଣେ ମାତ୍ର ସ୍ତ୍ରୀଙ୍କ ସହ ହେଲେ ଜମିବାଡ଼ି ଭାଗ ଭାଗ ହେବାର ଭୟ ନଥାଏ।

ତା' ଛଡା ଏହା ଦ୍ୱାରା ଜନସଂଖ୍ୟା ମଧ୍ୟ ନିୟନ୍ତ୍ରଣରେ ରହିଥାଏ ବୋଲି ସେମାନେ ବିଶ୍ୱାସ କରନ୍ତି। ହାଟ୍ଟିମାନେ ମୁଖ୍ୟତଃ ହିମାଚଳ ପ୍ରଦେଶର ଗିରିପାର (ଗିରି ଓ ଟନ୍ସ ନଦୀ ହେଉଛନ୍ତି ଯମୁନାର ଦୁଇ ଉପନଦୀ ତଥା ଟନ୍ସ ନଦୀ ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡକୁ ଅଲଗା କରିଥାଏ) ଓ ଉତ୍ତରାଖଣ୍ଡର ଜଉନସର୍ ବାବର୍ ଅଞ୍ଚଳରେ ବାସ କରିଥାନ୍ତି।

ତେବେ ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲା ଅନ୍ତର୍ଗତ ବହୁସଂଖ୍ୟକ ଗାଁରେ ଏପର୍ଯ୍ୟନ୍ତ ବହୁପତି ପ୍ରଥାର ପ୍ରଚଳନ ରହିଛି। ଏହାକୁ ସ୍ଥାନୀୟ ଭାଷାରେ ଘୋଟୁଲ୍ ପ୍ରଥା ମଧ୍ୟ କୁହାଯାଇଥାଏ। ଏହି ପ୍ରଥା ପାଳନ କରୁଥିବା ପରିବାରର ଭାଇମାନଙ୍କ ମଧ୍ୟରେ ନିଜ ପତ୍ନୀଙ୍କୁ ନେଇ ଏକ ଆପୋଷ ବୁଝାମଣା ହୋଇଥାଏ। ଗୋଟିଏ ଟୋପି ସମ୍ପୃକ୍ତ ମାମଲାରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ।

ଗୋଟିଏ ପରିବାରରେ ଥିବା ଏକାଧିକ ଭାଇଙ୍କ ମଧ୍ୟରୁ ଯେଉଁ ଭାଇଙ୍କ ସହ ପତ୍ନୀ ଏକ ନିର୍ଦ୍ଦିଷ୍ଟ ସମୟରେ ଘର ଭିତରେ ସମୟ ବିତାଉଥା'ନ୍ତି ସେହି ଭାଇଙ୍କ ଚିହ୍ନ ସ୍ୱରୂପ କୋଠରୀ ବାହାରେ ତାଙ୍କ ଟୋପି ରଖିଦିଆଯାଇଥାଏ। ଫଳରେ ଅନ୍ୟ ଭାଇମାନେ ଜାଣି ପାରନ୍ତି ଯେ, ସେମାନଙ୍କ ପତ୍ନୀ ଏବେ ସମ୍ପୃକ୍ତ ଭାଇଙ୍କ ପାଖରେ ଅଛନ୍ତି ଓ ସେଠାକୁ ଅନ୍ୟମାନେ ପ୍ରବେଶ କରନ୍ତି ନାହିଁ।

ଏହି ପ୍ରଥାରେ ଯଦି ଜଣେ ଭାଇଙ୍କ ସହ କିଛି ଅଘଟଣ ଘଟେ ତେବେ ପତ୍ନୀଙ୍କୁ ତାଙ୍କ ପାଇଁ ଶୋକ ପାଳିବାର ଆବଶ୍ୟକତା ପଡ଼େନି କିମ୍ବା ତାଙ୍କୁ ବିଧବା ବୋଲି ଗ୍ରହଣ କରାଯାଏ ନାହିଁ। ମଜା କଥା ହେଲା, ଏଇ ପ୍ରଥା ମାନୁଥିବା ଅଧିକାଂଶ ପରିବାରର ମହିଳାମାନେ ନିଜକୁ ସୁଖୀ ଓ ସୁରକ୍ଷିତ ବୋଲି ବିଚାର କରିଥାନ୍ତି।

ଏସବୁ ପରିବାରରେ ଜନ୍ମିତ ଶିଶୁମାନଙ୍କ ଉପରେ ସମସ୍ତ ଭାଇଙ୍କ ସମାନାଧିକାର ଥାଏ ଓ ପିଲାଟି ମଧ୍ୟ ନିଜର ସବୁ ବାପାଙ୍କ ନିକଟରୁ ସମାନ ସ୍ନେହ ପାଇଥାଏ। କିନ୍ନୋର ବ୍ୟତୀତ ହିମାଚଳପ୍ରଦେଶର କୈଇଁଥଲ, ଜୁବ୍ବଲ ଓ ବୁସର ଆଦି ଅଞ୍ଚଳରେ ମଧ୍ୟ ବହୁପତି ପ୍ରଥାର ଏପର୍ଯ୍ୟନ୍ତ ପ୍ରଚଳନ ରହିଛି।

ତାମିଲନାଡୁର ନୀଳଗିରି ଅଞ୍ଚଳରେ ବାସ କରୁଥିବା ତୋଡା ଜନଜାତିର ଲୋକଙ୍କ ମଧ୍ୟରେ ବି ବହୁପତି ପ୍ରଥା ପ୍ରାଚୀନ କାଳରୁ ଚଳିଆସିଛି। ଏଠାରେ ମୁଖ୍ୟତଃ ଝିଅମାନଙ୍କ ସଂଖ୍ୟା ପୁଅଙ୍କ ତୁଳନାରେ କମ୍ ହୋଇଥିବାରୁ ଏପରି ବିବାହର ଆୟୋଜନ କରାଯାଇଥାଏ। ତା' ଛଡା ପୁରୁଷମାନଙ୍କ ଅଧିକାରରେ ଥିବା ସ୍ୱଳ୍ପ ସମ୍ପତ୍ତିକୁ ଭାଗ ଭାଗ ନ କରିବାର ଇଚ୍ଛା ମଧ୍ୟ ଏଭଳି ବିବାହ ପ୍ରଥାକୁ ପ୍ରୋତ୍ସାହିତ କରିଥାଏ।

ତେବେ ତୋଡା ସମ୍ପ୍ରଦାୟରେ ଏଇ ପ୍ରଥା ଅନୁସାରେ ଝିଅଟିଏ ଗୋଟିଏ ପରିବାରର ଏକାଧିକ ଭାଇଙ୍କୁ ବିବାହ କରିପାରିବା ସହ ଆବଶ୍ୟକ ପଡିଲେ ପରସ୍ପର ମଧ୍ୟରେ ସମ୍ପର୍କ ନଥିବା ଏକାଧିକ ପରିବାରର କେତେକ ଯୁବକଙ୍କୁ ମଧ୍ୟ ବିବାହ କରିପାରିବେ। ଗୋଟିଏ ପରିବାରରେ ବିବାହ ହୋଇଥିଲେ ବୋହୂର ପ୍ରଥମ ପିଲା ଉପରେ ବଡ଼ ଭାଇର ଓ ଦ୍ୱିତୀୟ ପିଲା ଉପରେ ସାନ ଭାଇର ଅଧିକାର ସାବ୍ୟସ୍ତ ହୋଇଥାଏ।

ତେବେ ଏକାଧିକ ପରିବାରର ଯୁବକମାନଙ୍କ ସହ ଯଦି ଜଣେ ମହିଳାଙ୍କ ବିବାହ ହୋଇଥାଏ ତେବେ ପିଲାର ପିତୃତ୍ୱକୁ ସ୍ୱୀକୃତି ଦେବା ପାଇଁ ଏକ ଉତ୍ସବର ଆୟୋଜନ କରାଯାଇଥାଏ। ଆଉ ଏହି ଉତ୍ସବରେ ହିଁ ସର୍ବସମ୍ମତି କ୍ରମେ ଜଣେ ହିଁ ବାପାଙ୍କ ଉପରେ ପିଲାମାନଙ୍କ ଦାୟିତ୍ଵ ନ୍ୟସ୍ତ କରାଯାଇଥାଏ।

ଏଭଳି ବିବାହରୁ ଜନ୍ମ ନେଉଥିବା ପିଲାଟିର ତା'ର ସବୁ ବାପାଙ୍କ ସମ୍ପତ୍ତି ଉପରେ ସମାନ ଅଧିକାର ହୋଇଥାଏ। ତେବେ ଏହି ପରମ୍ପରାକୁ ନେଇ ତୋଡାମାନଙ୍କ ମଧ୍ୟରେ ପ୍ରାୟ କେବେ ସଦ୍ଭାବ ତଥା ସଦିଚ୍ଛା ନଷ୍ଟ ହେଉଥିବା ଦେଖାଯାଏ ନାହିଁ।

କିନ୍ତୁ ହିମାଚଳ ପ୍ରଦେଶର ହାଟ୍ଟି ଓ ତାମିଲନାଡୁର ତୋଡାମାନଙ୍କ (ଏଠାରେ ସ୍ତ୍ରୀମାନଙ୍କ ସ୍ୱୀକୃତି ଓ ଖୁସି ମହତ୍ତ୍ୱପୂର୍ଣ୍ଣ) ଠାରୁ ବିପରୀତ ଭାବ ଓ ଚିନ୍ତାଧାରା ବିଶିଷ୍ଟ ଭିନ୍ନ ଏକ ପ୍ରକାରର ବହୁପତି ପ୍ରଥା ଦେଖା ଦେଇଥାଏ ରାଜସ୍ଥାନର ଅଲୱର ଜିଲ୍ଲା ଅନ୍ତର୍ଗତ ମନଖେରା ଗାଁରେ। ଅଳ୍ପ କେତେକ ବ୍ରାହ୍ମଣ ଓ ଦଳିତ ପରିବାରକୁ ଛାଡିଦେଲେ ଏଠାରେ ମୁଖ୍ୟତଃ ଜାଟ୍ ସମ୍ପ୍ରଦାୟର ଲୋକେ ବାସ କରିଥାନ୍ତି।

ଏଠାକାର ମହିଳାମାନଙ୍କୁ ଏମିତି ଦେଖିବାକୁ ଗଲେ ବିଧିବଦ୍ଧ ଭାବେ ଜଣଙ୍କ ସହ ତ ବିବାହ କରିବାକୁ ପଡ଼ିଥାଏ। ତେବେ ବହୁ ସମୟରେ ସେଇ ଜଣେ ମାତ୍ର ମହିଳାଙ୍କୁ ପରିବାରର ଅନ୍ୟ ଭାଇମାନଙ୍କ ସହ ମଧ୍ୟ ଶାରୀରିକ ସମ୍ବନ୍ଧ ରଖିବାକୁ ବାଧ୍ୟ କରାଯାଇଥାଏ। ଆଉ ଏଥିପାଇଁ ମହିଳାମାନଙ୍କ ଅନୁମତି ମଧ୍ୟ ଲୋଡ଼ାଯାଏ ନାହିଁ।

ତେବେ ମହିଳାମାନଙ୍କ ପ୍ରତି ଏଭଳି ନିଷ୍ଠୁର ଆଚରଣ ପଛରେ କ'ଣ କାରଣ ରହିଛି? ଅନୁଶୀଳନରୁ ଜଣାପଡିଛି ଯେ, ଏଇ ଅଞ୍ଚଳରେ ଥିବା ଭୀଷଣ ଲିଙ୍ଗଗତ ବୈଷମ୍ୟ ହିଁ ଏଠାରେ ଏଇ ପ୍ରଥା ପ୍ରଚଳନ ପଛର ମୁଖ୍ୟ କାରଣ। ତା' ଛଡ଼ା ଏଇ ଗାଁର ପ୍ରାୟ ସମସ୍ତଙ୍କ ନିକଟରେ ଅଳ୍ପ ଜମିଜମା ଥିବାରୁ ସେମାନେ ଜମି ଭାଗ ନ କରିବା ଉଦ୍ଦେଶ୍ୟରେ ମଧ୍ୟ ଏପରି କରିଥାନ୍ତି।

ଉପରୋକ୍ତ ଅଞ୍ଚଳଗୁଡିକ ବ୍ୟତୀତ ଆମ ଦେଶର ପଞ୍ଜାବ ଓ ହରିଆଣାର କେତେକ ଅଞ୍ଚଳରେ ବହୁପତି ପ୍ରଥା ରହିଛି। ଏସବୁ ଛଡ଼ା ବିଦେଶରେ ତିବ୍ବତର କେତେକ ଅଂଶ (ଭାରତ ଓ ନେପାଳ ସୀମାକୁ ଲାଗି) ତଥା କେନିୟା ଓ ତାଞ୍ଜାନିଆରେ ବସବାସ କରୁଥିବା ମସାଇ ଜନଜାତି ମଧ୍ୟରେ ବି ଏପର୍ଯ୍ୟନ୍ତ ବହୁପତି ଗ୍ରହଣର ପରମ୍ପରା ରହିଛି। ତେବେ ପୃଥିବୀର ଯେଉଁ ସବୁ ଅଞ୍ଜଳରେ ବି ଏହି ବହୁପତି ଗ୍ରହଣର ପରମ୍ପରା ରହିଛି, ସେ ପଛରେ ସ୍ୱଳ୍ପ ସମ୍ପତ୍ତିର ବିଭାଜନ ନ କରିବା ହିଁ ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନୁଶୀଳନରୁ ଜଣାପଡିଛି।

ଭୁବନେଶ୍ୱର, ଇମେଲ୍: preetiprajnapradhan@gmail.com

(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖିକାଙ୍କ ନିଜସ୍ୱ ମତ)