ଏକଥା ସତ ଯେ କିଛି ଦଶନ୍ଧି ମଧ୍ୟରେ ବିଜ୍ଞାନ ଏବଂ ଟେକ୍ନୋଲୋଜୀ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରାଯାଇପାରିଛି। କିନ୍ତୁ ଏହା ସତ୍ୱେ ପ୍ରଶ୍ନ ଉଠୁଛି ଯେ ମଣିଷର ପ୍ରଗତି କେତେ ବାସ୍ତବିକ ଏବଂ କେତେ ଭ୍ରାମକ। ପାଣି, ପବନ, ଜମି ଯାହା ଜୀବନର ସବୁଠାରୁ ବୁନିଆଦି ଆବଶ୍ୟକତା ସେ ସବୁର ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ। ଯୁଦ୍ଧ ଏବଂ ଯୁଦ୍ଧାସ୍ତ୍ର ଏତେ ବିନାଶକ ହୋଇଛି ଯେ ସମୃଦ୍ଧ ଦେଶ କିଛି ବର୍ଷ ମଧ୍ୟରେ ପୂରାପୂରି ସ୍ଥିତିହୀନ ହୋଇପଡୁଛି।
ଇରାକ, ସିରିଆ, ଲିବ୍ୟା, ଆଫଗାନିସ୍ଥାନ ଓ ୟମନ ଆଦି ଦେଶ ଏହାର ଉଦାହରଣ। ଏସବୁକୁ ଅଣଦେଖା କରାଯାଇପାରିବ ନାହିଁ। ଏବେ ରୁଷ୍-ୟୁକ୍ରେନ୍ ଯୁଦ୍ଧ ଯେ କେତେ କ୍ଷୟକ୍ଷତି କଲାଣି ସେ ବାବଦରେ ଆକଳନ କରିବା କଷ୍ଟକର। ଅନ୍ୟପଟେ ସାରା ବିଶ୍ୱରେ ଏବେ କେମିତି ଏକ ଡରିଯିବା ଭଳି ଅବସ୍ଥା ଦେଖାଦେଇଛି। ବିଭିନ୍ନ ସଂପ୍ରଦାୟ ମଧ୍ୟରେ ଘୃଣା ବିଦ୍ୱେଶ ବଢିବାରେ ଲାଗିଛି।
ସାରା ବିଶ୍ୱରେ ଭୋଗ-ବିଳାସର ସାଧନ ମଧ୍ୟ ବହୁତ ବଢିଯାଇଛି ଏବଂ ବିଶ୍ୱର ଅଧିକ ଭାଗ ଲୋକ ସେମାନଙ୍କର ମୂଳ ଆବଶ୍ୟକତାକୁ ପୂରଣ କରିବା ପାଇଁ ସଂଘର୍ଷରତ ଅଥବା ଅସମର୍ଥ। ଏହି ଅବସ୍ଥା ଆଗକୁ ଆହୁରି ଜଟିଳ ହେବାର ଆଶଙ୍କା ମଧ୍ୟ ରହିଛି।
ଜଳବାୟୁ ପରିବର୍ତ୍ତନଜନିତ ଗମ୍ଭୀର ପରିବେଶର ସମସ୍ୟା ସାଙ୍ଗକୁ ମହାବିନାଶକ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଏବଂ ମହାକାଶ ଯୁଦ୍ଧର ସମ୍ଭାବନା କାରଣରୁ ଭୂପୃଷ୍ଠ ବା ପୃଥିବୀର ଜୀବନଦାୟୀନୀ କ୍ଷମତା ସଙ୍କଟରେ ପଡୁଛି। ଏ ବାବଦରେ ଅନେକ ବିଶେଷଜ୍ଞ ଓ ବୈଜ୍ଞାନିକ ଅନେକବାର ଚେତାବନୀ ମଧ୍ୟ ଦେଇସାରିଲେଣି। ଏହା ସମକାଳୀନ ଦୁନିଆର ସବୁଠାରୁ ବଡ ସମସ୍ୟା।
ଏଣୁ ଚଳିତ ଶତାବ୍ଦୀର ଇତିହାସ ବା ଚଳିତ ଦଶନ୍ଧିର ଇତିହାସକୁ ବାସ୍ତବିକ ପ୍ରଗତିର ଇତିହାସ ବୋଲି କୁହାଯାଇପାରିବ ନାହିଁ। ଏକଥା କୁହାଯାଇପାରେ ଯେ କିଛି ମାତ୍ରାରେ ବିକାଶ ଘଟିଛି। ୧୯୫୦ ରୁ ୧୯୬୦ ଦଶକକୁ ମୋଟାମୋଟି ଭାବେ ଭାରତର ପ୍ରଗତିର ଇତିହାସ କୁହାଯାଇପାରେ। ଇତିହାସ ଅନୁସାରେ ଅଶୋକଙ୍କ ଶାସନ କାଳକୁ ଦେଖିଲେ କଳିଙ୍ଗ ଯୁଦ୍ଧର ପରବର୍ତ୍ତି ସମୟକୁ ପ୍ରଗତିର କାଳ ବା ସମୟ କୁହାଯାଇପାରେ; କିନ୍ତୁ କଳିଙ୍ଗ ଯୁଦ୍ଧ ପୂର୍ବର କଥା କୁହାଯାଇପାରିବ ନାହିଁ।
ଇତିହାସକୁ କିନ୍ତୁ ଏଭଳି ଦେଖିବା ବା ତର୍ଜମା କରିବା ଠିକ ନୁହେଁ। ସମୟ ବିତିବା ସହ ପ୍ରଗତି ହୋଇଛି ବୋଲି କହିବା ମଧ୍ୟ ଠିକ ନୁହେଁ। କୌଣସି ବି ସମୟ ଅବଧିର ତର୍ଜମା କରିବାକୁ ହେବ ଯେ ମୋଟାମୋଟି ଭାବେ ସେ ସମୟରେ ବାସ୍ତବିକ ପ୍ରଗତି ହୋଇଛି ନା ନାହିଁ ଏହି ତର୍ଜମା ହେବ କେମିତି? ମୂଳତଃ ଏହି ତର୍ଜମା ଅନେକସ୍ତରୀୟ ହୋଇପାରେ।
ପ୍ରଥମତଃ ଏହି ସମୟ ଅବଧିରେ ସମତା (ସମାନତା) ଓ ନ୍ୟାୟ ବ୍ୟବସ୍ଥା ଠିକ ଥିଲା ନା ନାହିଁ ସାମାଜିକ-ଆର୍ଥିକ ସବୁ ସ୍ତରରେ ସମତା ଓ ନ୍ୟାୟ ଜରୁରୀ। ଆୟ, ସମ୍ପତ୍ତି, ଭୂମି, ଜାତି, ରଙ୍ଗ, ଲିଙ୍ଗ ଆଦି ସବୁ କ୍ଷେତ୍ରରେ ସମତା ଆବଶ୍ୟକ, ବିଷମତା ଓ ଅନ୍ୟାୟ ମଧ୍ୟ ଦୂର ହେବା ଜରୁରୀ।
ଦ୍ୱିତୀୟତଃ ଗଣତନ୍ତ୍ର ଓ ପାରଦର୍ଶିତାର ସ୍ଥିତି ମଜଭୁତ ହୋଇଛି ନା ନାହିଁ, ଅହିଂସା ଏବଂ ଶାନ୍ତି ପାଇଁ ଲୋକଙ୍କ ପ୍ରତିବଦ୍ଧତା ବଢିଛି ନା ନାହିଁ ଅନ୍ୟପକ୍ଷରେ ଭେଦଭାବ କମିଛି କି ନାହିଁ ଏସବୁକୁ ଆଧାର କରି କୌଣସି ସମାଜର କୌଣସି ସମୟ ଅବଧିର ତର୍ଜମା କରାଗଲେ ନିରପେକ୍ଷ ଭାବରେ କୁହାଯାଇପାରିବ ଯେ ସେ ସମୟରେ ସମାଜ ପ୍ରଗତି କରିଛି ନା ଅବନତି ଆଡକୁ ଯାଇଛି। ଏବେ କିନ୍ତୁ ପ୍ରଗତି ବାବଦରେ ତର୍ଜମା କରାଯିବା ବେଳେ ଏସବୁ ପ୍ରସଙ୍ଗକୁ ଅଣଦେଖା କରାଯାଉଛି। ଏନେଇ ସମସ୍ୟା ବଢିବାରେ ଲାଗିଛି।
ଉପୁଜୁଥିବା ସମସ୍ୟାର ସମାଧାନର କ’ଣ ସମ୍ଭବ ନୁହେଁ? ଅନେକ ବିଶେଷଜ୍ଞ ଓ ବୈଜ୍ଞାନିକ ପୃଥିବୀର ଜୀବନଦାୟୀନି କ୍ଷମତା ପ୍ରତି ବିପଦ ସମ୍ପର୍କରେ ଅନେକବାର ଚେତାବନୀ ଦେଇଥିଲେ ମଧ୍ୟ ଶାସକ ଗୋଷ୍ଠୀ ଏସବୁ କଥାକୁ ଗୁରୁତ୍ୱ ଦେଉନାହାନ୍ତି।
ସମତା ଓ ନ୍ୟାୟ, ଶାନ୍ତି ଓ ଅହିଂସା, ଗଣତନ୍ତ୍ର ଓ ପାରଦର୍ଶିତା, ପରିବେଷ ତଥା ବିଭିନ୍ନ ଜୀବଜନ୍ତୁଙ୍କ ସୁରକ୍ଷା ବାବଦରେ ଯେତେ ଅଧିକ ସଚେତନତା ସୃଷ୍ଟି କରାଯିବ ତାହା ସମାଜ ପାଇଁ ସେତିକି ଲାଭପ୍ରଦ ହେବ। ଲୋକେ ସଚେତନ ହେଲେ ସମସ୍ୟାର ସମାଧାନ ପାଇଁ ଉତ୍ସାହର ସହ ଆଗେଇ ଆସିବେ। ଲୋକଙ୍କ ମନରେ ପରସ୍ପର ପ୍ରତି ବିଶ୍ୱାସଭାବ ଜାଗ୍ରତ ହେବ। ଫଳତଃ ସମାଜରେ ହିଂସା, ବିଦ୍ୱେଷ ଓ ଘୃଣା ଭାବ କମିଯିବ।
ଏହା ହୋଇପାରିଲେ ବାସ୍ତବିକ ଭାବେ ପ୍ରଗତି ହୋଇଛି ବୋଲି କୁହାଯାଇପାରିବ। ପ୍ରଗତି ପ୍ରସଙ୍ଗରେ ଯେଉଁ ଭ୍ରମ ସୃଷ୍ଟି କରାଯାଉଛି ଲୋକ ସଚେତନ ହେଲେ ସେଭଳି ଭ୍ରମ ସୃଷ୍ଟି କରିବା ମଧ୍ୟ ସମ୍ଭବ ହେବ ନାହିଁ। ଯାହା ଏକ ଉତ୍ତମ ସାମାଜିକ ବାତାବରଣ ସୃଷ୍ଟି କରିବାରେ ସହାୟକ ହୋଇପାରିବ। ଏଣୁ ଦେଖିବାକୁ ଗଲେ ଆମେ ଏବେ ବି ବାସ୍ତବିକ ପ୍ରଗତି ଠାରୁ ବହୁ ଦୂରରେ ରହିଛେ।
(ବି.ଦ୍ର: ଏହି ଲେଖାରେ ଥିବା ସମସ୍ତ ତଥ୍ୟ ଲେଖଙ୍କ ନିଜସ୍ୱ ମତ)
ରାମଚନ୍ଦ୍ରପୁର, ରଣପୁର, ମୋ : ୯୪୩୮୪୮୫୦୯୪